Unknown

ଉତ୍କଳ-ଗୌରବ

ଶ୍ରୀ ଅଶ୍ୱିନୀକୁମାର ଘୋଷ

 

-ଚରିତ୍ର ଲିପି-

 

ପ୍ରତାପରୁଦ୍ର ଦେବ

ଡ଼ିଶାର ରାଜା

 

ଗୋବିନ୍ଦବିଦ୍ୟାଧର

ଓଡ଼ିଶାର ମନ୍ତ୍ରୀ

(ପ୍ରଥମେ ସେନାପତି)

ଅନନ୍ତସିଂହ

ଓଡ଼ିଶାର ସେନାପତି

 

ମୁକୁନ୍ଦ

ଓଡ଼ିଶାର ସୈନିତ

 

ସମରେନ୍ଦ୍ର

ଓଡ଼ିଶାର ସହକାରୀ ସେନାପତି

 

ଜଗନ୍ନାଥଦାଶ

ଭାଗବତ ରଚୟିତା

 

କୃଷ୍ଣରାୟ

ଭିଜାନଗରର ରାଜା

 

ଖାଁ ସାହେବ, ମୋସାହେବ, ସେନାପତି ଇତ୍ୟାଦି,

କୃଷ୍ଣା

ଓଡ଼ିଶାର ରାଜଜେମା

 

ଚମ୍ପା

କୃଷ୍ଣାର ପ୍ରଧାନା ସହଚରୀ

 

ମୁକ୍ତା (ଉନ୍ମାଦିନୀ)

ମୁକୁନ୍ଦର ବାଲ୍ୟ ସହଚାରୀ

 

ସଖୀଗଣ, ନର୍ତ୍ତକୀ ଇତ୍ୟାଦି ।

 

 

ପ୍ରଥମ ଅଙ୍କ

 

ଦୃଶ୍ୟ

-

ବାରବାଟୀ ଦୁର୍ଗ ରାଜଭବନ ସଂଲଗ୍ନ ସଭାଗୃହ ।

 

 

[ଏକ ଦିଗରୁ ମୁକୁନ୍ଦ ଓ ଅନ୍ୟ ଦିଗରୁ ସମରେନ୍ଦ୍ର ପ୍ରବେଶ ପୂର୍ବକ ପରସ୍ପରକୁ ଅତିକ୍ରମ କରି ଯିବାବେଳେ ସମରେନ୍ଦ୍ର ମୁକୁନ୍ଦକୁ ଧକ୍କା ଦେଲେ]

ମୁକୁନ୍ଦ

 

(କ୍ରୁଦ୍ଧ ସିଂହବଲୋକନରେ ଫେରି ଚାହିଁ ପ୍ରସ୍ଥାନୋଦ୍ୟତ)

ସମରେନ୍ଦ୍ର

-

ଜଳକା ନା ଅନ୍ଧ ?

ମୁକୁନ୍ଦ

-

ଯା, ଯା- ମାନେ ମାନେ ଚାଲିଯା-

ସମରେନ୍ଦ୍ର

-

କ’ଣ ?- ଧକ୍କା ଦେଇ ମାନେ ମାନେ ଚାଲିଯା’-

ମୁକୁନ୍ଦ

-

ଭଲରେ କହୁଚି ଭାଇ, କଣ୍ଟା ବାଡ଼ରେ ଲୁଗା ପକାଇ କଜିଆ କର ନାହିଁ -

ସମରେନ୍ଦ୍ର

-

କି ? ମୁଁ ‘କଣ୍ଟାବାଡ଼ରେ ଲୁଗା ପକାଇ କଜିଆ’ କରୁଛି ? ଅଇଲୁ ମୋ’ ସା’ନ୍ତ ପାଖକୁ-

ମୁକୁନ୍ଦ

-

ତୋ’ ସା’ନ୍ତ ? ଅନନ୍ତ ସିଂହ ?- ସେହି ?- ଛାଡ଼- ନମସ୍କାର, ଭାଇ- ଯା, ତୋ’ କାମକୁ ତୁ ଯା- ଛାମୁଙ୍କ ବିଜେ କରିବା ବେଳ ହୋଇ ଗଲାଣି ।

ସମରେନ୍ଦ୍ର

-

କି ରେ, ତୁ ତ ଭାବି ବଢ଼ି ବଢ଼ି କହି ଚାଲି ଯାଉଛୁ- ମୋ’ ସା’ନ୍ତ ‘ଖଣ୍ଟ’ ? - ସେନାପତି ଅନନ୍ତ ସିଂହ ‘ଜୁଆଚୋର’ ?-

 

 

[ଅନନ୍ତ ସିଂହଙ୍କୁ ପ୍ରବେଶ]

ଅନନ୍ତ

-

କିଏ ‘ଜୁଆଚୋର’, ସମରେନ୍ଦ୍ର ?

ସମରେନ୍ଦ

-

ସେନାପତି ଅନନ୍ତ ସିଂହ- ନିଜ କାନରେ ଏଥର ଶୁଣନ୍ତୁ-

ମୁକୁନ୍ଦ

-

ମିଥ୍ୟା କଥା ।

ଅନନ୍ତ

-

ଚୁପ୍‌କର, ନରାଧମ- ମନେ କରିଚୁପରା ମୁଁ କିଛି ଶୁଣି ନାହିଁ- ମୁକୁନ୍ଦ । ସେଦିନ ଆଉ ନାହିଁ- ବର୍ତ୍ତମାନ ମୁଁ ଭାଗ୍ୟଚକ୍ରର ଶୀର୍ଷଦେଶରେ- ତୋ’ର ପ୍ରଭୁର ଆସନରେ ।- ଆବଶ୍ୟକ ହେଲେ-

ମୁକୁନ୍ଦ

-

‘ପଦସେବା କରାଇ ପାରେ’ ଏହି କଥାତ ? କିନ୍ତୁ କର୍ତ୍ତବ୍ୟଚାଳିତ ଏ’ ଦାସ ହାସ୍ୟମୁଖରେ ତତୋଧିଽକ ନୀଚ କାର୍ଯ୍ୟ କରିବାକୁ ପ୍ରସ୍ତୁତ ।

ଅନନ୍ତ

-

ତେବେ କେଉଁ କର୍ତ୍ତବ୍ୟ ଚାଳନାରେ ପ୍ରଭୁର ଅବମାନନା-

ମୁକୁନ୍ଦ

-

କରିନାହିଁ ମୁକୁନ୍ଦ, ଅନ- (ଜିହ୍ୱାଦଂଶନ ପୂର୍ବକ) ନା, ସେନାପତେ- କରିଚି ତୁମ୍ଭରି- ନା, ନା, ଆପଣଙ୍କରି-

ଅନନ୍ତ

-

କି, ମୋ’ ସମ୍ମୁଖରେ ମୋ’ର ଅବମାନନା- ଊର୍ଦ୍ଧ୍ୱତନ କର୍ମଚାରୀ ମୁହିଁ, କାହିଁ ଆଦର ଅଭ୍ୟର୍ଥନାରେ ଆପ୍ୟାୟିତ ହେଉଥାନ୍ତି- ନା, ଇତର- ବ୍ୟବହାରରେ ଅପମାନିତ ହେଉଚି- ଜାଣୁ, କ’ଣ କରିପାରେ ସେନାପତି ମୁଁ ?-

ସମରେନ୍ଦ୍ର

-

ଥରେ କାମରେ ଦେଖାଇ ଦିଅନ୍ତୁ ନା, ସେନାପତେ ।

ମୁକୁନ୍ଦ

-

କୁକ୍କୁର-

ସମରେନ୍ଦ୍ର

-

(ଭୟରେ ଘୁଞ୍ଚି ଯାଇ) ଶୁଣନ୍ତୁ, ଶୁଣନ୍ତୁ, ସା’ନ୍ତେ-

ଅନନ୍ତ

-

ଏତେ ସ୍ପର୍ଦ୍ଧା ତୋ’ର ! -ମୋ ସମ୍ମୁଖରେ ମୋ’ର ରକ୍ଷିକୁ ପଦାଘାତ ।- ମୋତେ ପଦାଘାତ ।- ଆଦେଶ ମୋ’ର, ଏହିକ୍ଷଣି ଅସ୍ତ୍ର ତୋ’ର ପରିତ୍ୟାଗ କର- ।

ସମରେନ୍ଦ୍ର

-

‘ଏହିକ୍ଷଣି’-

ମୁକୁନ୍ଦ

-

ଏ’ ଆଦେଶ ପାଳନ କରିବାକୁ ମୁଁ ଏକାନ୍ତ ଅକ୍ଷମ-

ଅନନ୍ତ

-

‘ଅକ୍ଷମ’- ମୋ’ର ଆଦେଶ ପାଳନ କରିବାକୁ-

ମୁକୁନ୍ଦ

-

ଅନନ୍ତ ସିଂହଙ୍କ ଆଦେଶ ପାଳନ କରିବାକୁ-

ଅନନ୍ତ

-

ଏ’ ସେନାପତିର ଆଦେଶ-

ସମରେନ୍ଦ୍ର

-

‘ସେନାପତିର’-

ମୁକୁନ୍ଦ

-

ଅଭିଯୋଗ ?

ଅନନ୍ତ

-

ସାମାନ୍ୟ ଜଣେ ସୈନିକକୁ କୈଫିୟତ୍ ଦେବାକୁ ସହସ୍ର ସହସ୍ର ସେନାର ଭାଗ୍ୟ- ବିଧାତା ସେନାପତି କେବେ ବାଧ୍ୟ ନୁହେଁ-

ସମରେନ୍ଦ୍ର

-

‘ବାଧ୍ୟ ନୁହେଁ’-

ମୁକୁନ୍ଦ

-

ଦୋଷ ହୋଇଚି- (ଅସ୍ତ୍ର ତ୍ୟାଗ) କିନ୍ତୁ ଶୀଘ୍ର ଅନ- ନା, ସେନାପତେ, ମୋତେ ରାଜସମ୍ମୁଖରେ ଉପସ୍ଥାପିତ କରିବାକୁ ହେବ-

ଅନନ୍ତ

-

ବନ୍ଦୀର ସେ ପରାମର୍ଶ ଦେବାର ଅଧିକାର ନାହିଁ ।

ସମରେନ୍ଦ୍ର

-

ଆଦୌ ନାହିଁ-

ମୁକୁନ୍ଦ

-

ରାଜନୀତିର ବି ନାହିଁ ?

ଅନନ୍ତ

-

ହାଃ ହାଃ ହାଃ- ବନ୍ଦୀ ପକ୍ଷେ ବର୍ତ୍ତମାନ ଏହା ଅନଧିକାର ଚର୍ଚ୍ଚା ନୁହେଁ କି ?

ସମରେନ୍ଦ୍ର

-

‘ଅନଧିକାର ଚର୍ଚ୍ଚା’-

ମୁକୁନ୍ଦ

-

(କୌଣସିମତେ ଆତ୍ମସମ୍ବରଣ କରି)

 

-

ମା- ର୍ଜ- ନା-, ସେନାପତେ ।

ସମରେନ୍ଦ୍ର

-

ସା’ନ୍ତେ- ଏ’ ନରମା କଥାରେ କେବେ ନରମି ଯିବେ ନାହିଁଟି- ଜାଣନ୍ତି ତ କା’ର ଚେଲା ଏ’- ସେହି ମୈନୀମୁହାଁ, ବିଲେଇ ବୈଷ୍ଣବ ଗୋବିନ୍ଦା-

ମୁକୁନ୍ଦ

-

(ଅସ୍ତ୍ର ବାହାର କରି) ପାଷଣ୍ଡ । ବର୍ବର !- (ସମରେନ୍ଦ୍ର ପ୍ରତି ଉତ୍ତୋଳନ କଲେ)

ସମରେନ୍ଦ୍ର

-

(ଭୟରେ କମ୍ପିତ ହେଲା)

ଅନନ୍ତ

-

(ମୁକୁନ୍ଦର ଅସ୍ତ୍ରାଘାତକୁ ଅସ୍ତ୍ରଦ୍ୱାରା ବାଧାଦେଇ) ସାବଧାନ ।-

 

 

[ଏତିକିବେଳେ ଗୋବିନ୍ଦ ବେଗେ ଉପସ୍ଥିତ ହେଲେ]

ଗୋବିନ୍ଦ

-

କ୍ଷାନ୍ତହୁଅ ।- (ବିରତ କରାଇଲେ) କଥା କ’ଣ ଅନନ୍ତ ?

ସମରେନ୍ଦ୍ର

-

(ପଳାୟନପର ହୋଇ, ପଳାଇ ନ ପାରି, ହତାଶଭାବେ ଠିଆ ହେଲା ଯେମନ୍ତ)

ଅନନ୍ତ

-

(ବ୍ୟଙ୍ଗଭାବେ) ଆପଣଙ୍କର ବିଶ୍ୱସ୍ତ- କର୍ମଚାରୀ ମହାଶୟଙ୍କୁ ପଚାରି-

ଗୋବିନ୍ଦ

-

କ୍ରୋଧ ସଂବରଣ କର, ଅନନ୍ତ ।- ମୁକୁନ୍ଦ !

(କ୍ରୁଦ୍ଧଭାବେ ଚାହିଁଲେ ମୁକୁନ୍ଦ ଆଡ଼େ)

ମୁକୁନ୍ଦ

-

(ଏତେ କ୍ରୁଦ୍ଧ ହୋଇଥିଲେ ଯେ କଥା କହିବାକୁ ଅକ୍ଷମ ହେଲେ)

ଗୋବିନ୍ଦ

-

ଦେ ତୋ’ର ତରବାରୀ, ନରପିଶାଚ- (ତରବାରୀ କାଢ଼ିନେଲେ)

ମୁକୁନ୍ଦ

-

ପ୍ର- (ତଥାପି କହି ପାରିଲେ ନାହିଁ)

ଗୋବିନ୍ଦ

-

ଉଃ- କ୍ରୋଧାବେଶରେ ଏ’ ପର୍ଯ୍ୟନ୍ତ ରୁଦ୍ଧ କଣ୍ଠ ତୁହି ।- ବର୍ବର- (ଆହୁରି କ୍ରୁଦ୍ଧ ହେବାକୁ ଯାଇ ହଠାତ୍ ସ୍ନେହଜଡ଼ିତ କୋମଳସ୍ୱରେ ଡାକିଲେ) ମୁକୁନ୍ଦ-

ମୁକୁନ୍ଦ

-

ପ୍ରଭୁ- ଦେବତା ମୋ’ର- (ଗୋବିନ୍ଦଙ୍କ ଚରଣଧାରଣ କଲେ)

ଗୋବିନ୍ଦ

-

ଧୈର୍ଯ୍ୟ- ଧୈର୍ଯ୍ୟ ମୁକୁନ୍ଦ (ପିଠିରେ ହାତ ବୁଲାଇଲେ)

ମୁକୁନ୍ଦ

-

ଧୈର୍ଯ୍ୟ ! ଧୈର୍ଯ୍ୟ ।- ଅଗ୍ନି- ଗୋଲକର ପ୍ରାଣଘାତୀ ଯନ୍ତ୍ରଣାଠାରୁ ଯେ ଅଧିକତର ଯନ୍ତ୍ରଣା ଅନୁଭବ କରୁଚି, ପ୍ରଭୁ-

ଗୋବିନ୍ଦ

-

ମୁକୁନ୍ଦ ।-

ମୁକୁନ୍ଦ

-

ପ୍ରଭୁ ! ପ୍ରଭୁ ! ଏହି ବର୍ବର, ପାଷଣ୍ଡ (ସମରେନ୍ଦ୍ରକୁ ଦେଖାଇ) ଆପଣଙ୍କୁ, ଦେବତାକୁ ମୋ’ର- ଯା’ ବୋଲି-

ସମରେନ୍ଦ୍ର

-

(ସଭୟେ ଅନନ୍ତର ପୃଷ୍ଠଦେଶରେ ଆପଣାକୁ ଲୁଚାଇବାକୁ ଯତ୍ନକଲା)

ଗୋବିନ୍ଦ

-

ଚୁପ୍, ଚୁପ୍- ତୋତେ ତ ମୁଁ ପଚାରି ନାହିଁ କିଛି; ଆଚ୍ଛା, ଯାଅ, ବର୍ତ୍ତମାନ ଯେ ଯା’ର କାର୍ଯ୍ୟକୁ-

 

 

[ମୁକୁନ୍ଦ ଓ ସମରେନ୍ଦ୍ର ଧୀରେ ଧୀରେ ପ୍ରସ୍ଥାନ କରୁଥିଲେ ]

 

-

ଆସ, ଅନନ୍ତ- (ଅନ୍ୟଦିଗେ ପ୍ରସ୍ଥାନ କରୁଥିଲେ)

ଅନନ୍ତ

-

(ଯାଉ ଯାଉ) ଭାଇ ସା’ନ୍ତେ, କଥା କିଛି ନାହିଁ- ସମରେନ୍ଦ୍ର ଆଉ ମୁକୁନ୍ଦ ପରସ୍ପର ମଧ୍ୟରେ କ’ଣ କଥା କଟା କଟି ହେଉଥିଲେ- ଏହି ସମୟରେ ମୁଁ ଆସି ପହଁଚି ଯାଏ- ପହଁଚି ତ ଗଲି- ଯାଏଁ କେଉଁଆଡ଼େ- ବାପ୍‌ରେ ବାପ୍- ନଜରଟା ପଡ଼ିଚି ଯେମିତିକା ମୋ ଆଡ଼େ- ବାଘ ପରି ତ ସାଏଁ କରି ଛୁଟିଆସି, କୁଦା ମାରି ଉପରେ ଏକାବେଳକେ

ହାଜର

-

ଝଣାତ୍ କରି ଅସ୍ତ୍ରଟା ବାହାର କରି-

ମୁକୁନ୍ଦ

-

(ଦ୍ରୁତବେଗେ ଫେରିପଡ଼ି) ସତ୍ୟକଥା, ସେନାପତେ ?- ସତ୍ୟ ପାଳି ଦିବାକର ଅଦ୍ୟାପି ଉଦିତ- ଅଦ୍ୟାପି ପୃଥିବୀ ସତ୍ୟେ ପ୍ରତିଷ୍ଠିତ- ମନୁଷ୍ୟର ସତ୍ୟବ୍ରତ ହୋଇଛି କି ଲୁପ୍ତ ?

ଗୋବିନ୍ଦ

-

ମୁକୁନ୍ଦ ! (କ୍ରୁଦ୍ଧ ଦୃଷ୍ଟିରେ ଚାହିଁଲେ, ପ୍ରସ୍ଥାନେଙ୍ଗିତ କରି)

ମୁକୁନ୍ଦ

-

ପ୍ରଭୁ ! (ବହୁକଷ୍ଟେ ଆତ୍ମସଂଯମପୂର୍ବକ ସେହି ଆଦେଶ ପାଳନ କରି, ଅଗ୍ରସର ହେଲେ)

ଗୋବିନ୍ଦ

-

ତା’ପର, ଅନନ୍ତ-

ଅନନ୍ତ

-

ତତ୍‌କ୍ଷଣାତ୍ ମୁଁ ଅସ୍ତ୍ରତ୍ୟାଗ କରିବାକୁ ଆଦେଶ କଲି-

ମୁକୁନ୍ଦ

-

(ହଠାତ୍ ଫେରିଚାହିଁ) ମିଥ୍ୟା କଥା- ମିଥ୍ୟା- ଗୋବିନ୍ଦ- ପୁଣି-

ମୁକୁନ୍ଦ

-

(ଧୈର୍ଯ୍ୟ ଧରି ନ ପାରି) ପ୍ରଭୁ- ପ୍ରଭୁ- ମୋତେ ଅସ୍ତ୍ରାଘାତ କରନ୍ତୁ- ଖଣ୍ଡ ଖଣ୍ଡ କରି କାଟି କୁକ୍‌କର ଶୃଗାଳ ସମ୍ମୁଖରେ ନିକ୍ଷେପ କରନ୍ତୁ, ତଥାପି ମୋ’ର ଯନ୍ତ୍ରଣା ନାହିଁ- ଶୋଚନା ନାହିଁ- ସାନନ୍ଦେ ସମସ୍ତ ସହ୍ୟ କରିବାକୁ

ପ୍ରସ୍ତୁତ;

-

ମାତ୍ର ମିଥ୍ୟାବାଦିତା, କପଟତା, ତିଳେ ତିଳେ ସୁଦ୍ଧା ସହ୍ୟ କରି ପାରିବି ନାହିଁ, ପ୍ରଭୁ- ତିଳେ ସୁଦ୍ଧା-

ଗୋବିନ୍ଦ

-

ସେନାପତି ତୋତେ ଅସ୍ତ୍ରତ୍ୟାଗ କରିବାକୁ ଆଦେଶ କରିଥିଲେ ?-

ମୁକୁନ୍ଦ

-

କରିଥିଲେ- ସେ ଆଦେଶ ‘ସେନାପତି’ର ଆଦେଶ ବୋଲି ବିନା ବାକ୍ୟବ୍ୟୟରେ ମଧ୍ୟ ପ୍ରତିପାଳନ କରିଥିଲି ।

ଗୋବିନ୍ଦ

-

ତେବେ କା’ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳିତ ହେବାକୁ ଦେଖୁଥିଲି ?-

ମୁକୁନ୍ଦ

-

ଏହି ବର୍ବରଟାର ବିରୁଦ୍ଧରେ- (ସମରେନ୍ଦ୍ରକୁ ଦେଖାଇ ଦେଲେ)

ସମରେନ୍ଦ୍ର

-

ଏଁ- (ଭୟରେ ଚମକି ଉଠି ଗର୍ତ୍ତାନ୍ୱେଷଣ କଲା ପରା)

ଅନନ୍ତ

-

ପ୍ରକାରାନ୍ତରେ ମୋ’ରି ବିରୁଦ୍ଧରେ ନୁହେଁ କି, ଭାଇ ସା’ନ୍ତେ ?

ସମରେନ୍ଦ୍ର

-

(ଆଶ୍ରୟ ପାଇଲା ପରି, ଅନନ୍ତ ପ୍ରତି ଅନୁଚ୍ଚସ୍ୱରରେ) ସେହି କଥା- ସେହି କଥାଟି, ମୋ’ ସାନ୍ତେ-

ଗୋବିନ୍ଦ

-

(କ’ଣ ଗୋଟାଏ ଦୁରଭିସନ୍ଧିର ଗନ୍ଧ ଯେମନ୍ତ ଆଘ୍ରାଣ କରି, ମୁକୁନ୍ଦଆଡ଼େ ଚାହିଁ ପଚାରିଲେ) କାରଣ ?

ମୁକୁନ୍ଦ

-

ସେ ଆପଣଙ୍କୁ କୁତ୍ସିତ ଭାଷାରେ-

ସମରେନ୍ଦ୍ର

-

(ସଭୟେ) ଏଁ, ଏଁ- କେତେବେଳେ- କେତେବେଳେ-

ମୁକୁନ୍ଦ

-

(ଆହୁରି କ’ଣ କହିବାକୁ ଯାଉଥିଲେ)

ଗୋବିନ୍ଦ

-

ଚୁପ୍- (ବୋଲି ବାଧାଦେଲେ) ।

ସମରେନ୍ଦ୍ର

-

(ଲମ୍ବ ହୋଇ ଗୋଡ଼ତଳେ ପଡ଼ି) ଦୋହାଇ- ଦୋହାଇ, ବଡ଼ ସେନାପତେ- ‘କୁତ୍ସିତ’ ଛାଡ଼ି- କୁ- କୁ- କୁଭାଷା ବି ଏ’ ପାଟିରୁ-

ଗୋବିନ୍ଦ

-

(ସସ୍ମିତେ) ଉଠ, ଉଠ, ସମରେନ୍ଦ୍ର- (ମୁକୁନ୍ଦ ପ୍ରତି) ମାତ୍ର ତୁ ଦଣ୍ଡ ଦେବାକୁ କିଏ ?

ସମରେନ୍ଦ୍ର

 

ପଚାରିବେଟି- ସେହି କଥା ପଚାରିବେଟି, ବଡ଼ ସା’ନ୍ତେ-

ଅନନ୍ତ

-

ତେତିକି ନୁହେଁ- ମୋ’ ସମ୍ମୁଖରେ, ସେନାପତି ସମ୍ମୁଖରେ, ଜଣେ ସାମାନ୍ୟ କର୍ମଚାରୀ ହୋଇ ଏପରି ଔଦ୍ଧତ୍ୟ ପ୍ରକାଶ-

ସମରେନ୍ଦ୍ର

-

ଅସହ୍ୟ, ନିତାନ୍ତ ଅସ-

ଗୋବିନ୍ଦ

-

ଚୁପ୍‌କର, ପାଜି ।

ସମରେନ୍ଦ୍ର

-

ଏଁ- ଏଁ- ଚୁପ୍, ଚୁପ୍- ଏକଦମ୍ ଚୁପ୍ (ଭୟରେ ଦୂରକୁ ଘୁଞ୍ଚିଗଲା)

ଗୋବିନ୍ଦ

-

ମୁକୁନ୍ଦ ! ଅନ୍ୟ ଦୋଷ ତୋ’ର ଥାଉ ବା ନ ଥାଉ, ଏହି ଔଦ୍ଧତ୍ୟହିଁ ତୋ’ର ଗୁରୁତର ଦୋଷ- ଏକାନ୍ତ ଅମାର୍ଜ୍ଜନୀୟ । କିଏ କ’ଣ କହିଲା, କଲା, ତୋ’ର ଊର୍ଦ୍ଧ୍ୱତନ କର୍ମ୍ମଚାରୀ ନିକଟରେ ଅଭିଯୋଗ କରିବା ଉଚିତ ଥିଲା- ସେ ବିଚାର କରି-

ସମରେନ୍ଦ୍ର

-

ଦଣ୍ଡ ଦେଇ ଥାନ୍ତେ-

ଗୋବିନ୍ଦ

-

(ସମରେନ୍ଦ୍ରକୁ କ୍ରୁଦ୍ଧନେତ୍ରରେ ଚାହିଁଲେ)

ସମରେନ୍ଦ୍ର

 

(କାନ ମୋଡ଼ି ଗାଲରେ ଚଟକଣି ଖାଇ ପାଟିବୁଜି ଠିଆହେଲା)

ମୁକୁନ୍ଦ

-

ଦୋଷ ହୋଇଚି- କ୍ଷମା କରନ୍ତୁ, ପ୍ରଭୁ- (କ୍ଷମାପ୍ରାର୍ଥନା କରିବାକୁ ଯାଉଥିଲେ)

ସମରେନ୍ଦ୍ର

-

(ସଗର୍ବେ ଏଥର ଠିଆ ହୋଇ ମୁକୁନ୍ଦ ଆଡ଼େ ଚାହିଁଲା)

ଗୋବିନ୍ଦ

-

(ବାଧାଦେଇ) ନା, ନା, ଯା ତୋ’ର ଊର୍ଦ୍ଧ୍ୱତନ କର୍ମଚାରୀ ସେନାପତିଙ୍କ ଚରଣ ଧରି, ଆଗେ କ୍ଷମା ମାଗି ନେ-

 

 

[ମୁକୁନ୍ଦ ଆହତଫଣୀ ପରି ଫଣା ବିସ୍ତାର କଲେ, ମାତ୍ର ମନ୍ତ୍ରମୁଗ୍ଧବତ୍ ତତ୍‌କ୍ଷଣାତ୍ ଅନନ୍ତଆଡ଼େ ନତମସ୍ତକରେ ଅଗ୍ରସର ହେଲେ ]

ସମରେନ୍ଦ୍ର

-

(ସ୍ୱଗତ) ୟାପରେ ମୋର ହାତଧରି କ୍ଷମା ମାଗିବାକୁ କହିବେ ନା କଣ-? (ଆନନ୍ଦିତ ହେବାକୁ ଯାଇ, ହଠାତ୍) ନାହିଁରେ ବାବା- ‘ଆଉ ଦରକାର ନାହିଁ ସରକାରକୁ’- ଏତିକିରେ କୌଣସିମତେ ଖସି ଗଲେଇ ମଙ୍ଗଳ-

ଅନନ୍ତ

-

(ମୁକୁନ୍ଦ ଚରଣ ଧରିବାକୁ ଯା’ନ୍ତେ, କେଉଁ ସୁହୃଦ୍‌ ଭାବରେ ଅନୁପ୍ରାଣିତ ହୋଇ ପରା, ଆଲିଙ୍ଗନ କରି, କ’ଣ ଯେ କହିବାକୁ ଯାଉଥିଲେ, ମାତ୍ର ନିରସ୍ତ ହୋଇ ଆପଣାକୁ ବିଚ୍ଛିନ୍ନ କରି ନେଇ, କହିଲେ) ଆଉ ଦିନେ ଏ’ପରି ଗର୍ହିତ ଆଚରଣ ଯେମନ୍ତ ଦୃଷ୍ଟ ନ ହୁଏ, ମୁକୁନ୍ଦ ।

ମୁକୁନ୍ଦ

-

ଓଃ- (କଟା ଘା’ରେ ଲୁଣଛିଟାର ଜ୍ୱାଳା ବୋଧ କରୁଁ କରୁଁ ସ୍ୱ-ସ୍ଥାନରେ ଆସି ଠିଆ ହେଲେ)

ଗୋବିନ୍ଦ

-

ସମରେନ୍ଦ୍ର !

ସମରେନ୍ଦ୍ର

-

(ସ୍ୱଗତ) ଯା’ ଭାବିଥିଲି- (ଭୟ ଓ ଗର୍ବରେ ଅଭିଭୂତ ହେଉଥିଲା)

ଗୋବିନ୍ଦ

-

ଅପରକୁ ସମ୍ମାନତାନରେ ନିଜର ସମ୍ମାନ ବୃଦ୍ଧିପାଏ ସିନା- ମେଘ ସୂର୍ଯ୍ୟକୁ ଆବୃତ କରେ ସତ୍ୟ, କିନ୍ତୁ ପରକ୍ଷଣରେ ଦୀପ୍ତି ଓ ତେଜ ତା’ର ଦ୍ୱିଗୁଣିତ କରିଦିଏ ନାହିଁ କି ? ଯାଅ, ଭାଇ ଭାଇରେ ମିଳି ଠିଆ ହୁଅ-

 

 

[ସମରେନ୍ଦ୍ର ସଭୟେ, କିନ୍ତୁ ବାହ୍ୟକ ଆଗ୍ରହରେ ଏବଂ ମୁକୁନ୍ଦ ଅତ୍ୟନ୍ତ ଅନିଚ୍ଛା ସତ୍ତ୍ୱେ, ପରସ୍ପରକୁ ଆଲିଙ୍ଗନ କଲେ ]

 

 

 

ଏହି ମିଳନହିଁ ପ୍ରଧାନ ଦୁର୍ଗ, ଭାଇମାନେ- ଜଗତରେ ଏପରି ଶକ୍ତି ନାହିଁ, ଏପରି ଅସ୍ତ୍ର ନାହିଁ, ଯାହା ଏ’ ଦୁର୍ଗର ଅଭେଦ୍ୟ ପ୍ରାଚୀରକୁ ସୂଚ୍ୟଗ୍ର ପରିମାଣ ସୁଦ୍ଧା ଭେଦ କରିବାକୁ କ୍ଷମ ହେବ । ଆସ, ଭାଇ- ଆମ୍ଭେମାନେ ସମସ୍ତେ ବାଦ ବିସମ୍ବାଦ ଭୁଲିଯାଇ- ବ୍ୟକ୍ତିଗତ ସମସ୍ତ ସ୍ୱାର୍ଥ, ପାର୍ଥକ୍ୟ ଆମ୍ଭର ଜନ୍ମଭୂମିର କଲ୍ୟାଣଯଜ୍ଞରେ ଆହୁତି ଦେଇ- ସମ- ବଳରେ, ସମ- ପ୍ରାଣରେ, ସ୍ୱ- ଜାତିର କୀର୍ତ୍ତିସ୍ତମ୍ଭ ଆହୁରି ସମୁତ୍‌ଥିତ ଓ ସୁଦୃଢ଼ କରିବାକୁ ଯତ୍ନଶୀଳ ହେବା- ନା, ନା- ଉତ୍ତରୋତ୍ତର ତା’ର ବୃଦ୍ଧି ଓ ପ୍ରସାରର ଚେଷ୍ଟା କରିବା । କ୍ଷଣପୂର୍ବେ, ବଙ୍ଗଳାର ଗର୍ବିତ ନବାବ ହୋସେନ୍ ଖାଁ ଏହି ସ୍ତମ୍ଭବିରୁଦ୍ଧରେ ପ୍ରତିହତ ହୋଇ ଅବନତ ମସ୍ତକରେ ଯେଉଁପରି ଫେରି ଯାଇଛି, ବିଦେଶୀ ସମସ୍ତ ଶତ୍ରୁ ସେହିପରି ପ୍ରତିହତ ହୋଇ- ନା, ନା ତା’ର ସୁଦୂର ପ୍ରସାରିତ ବିଜୟବୈଜୟନ୍ତୀ ଅବଲୋକନ ମାତ୍ରକେ ସଚକିତେ ଫେରି ଯା’ନ୍ତୁ- ଉତ୍କଳର ଇତିହାସ ଚିରକାଳ ଏହି ଗୌରବ ବକ୍ଷରେ ଧାରଣ କରି, ବିଶ୍ୱଜଗତରେ ଅକ୍ଷୟ ଖ୍ୟାତି ଅର୍ଜ୍ଜନ କରୁ ।-

 

 

 

 

 

ଜୟ ଗତପତି ପ୍ରତାପରୁଦ୍ର ଦେବଙ୍କର ଜୟ !

ସମସ୍ତେ

-

ଜୟ ଗଜପତି ପ୍ରତାପରୁଦ୍ର ଦେବଙ୍କର ଜୟ ।(ନେପଥ୍ୟେ ବାଦ୍ୟଧ୍ୱନି)

ଗୋବିନ୍ଦ

-

ଏହି ଯେ ମହାରାଜ ବିଜେ କଲେଣି ।

 

 

ଯାଅ, ଯେ ଯା’ର କାର୍ଯ୍ୟକୁ ସମରେନ୍ଦ୍ର, ମୁକୁନ୍ଦ ।

 

 

(ସମସ୍ତଙ୍କର ପ୍ରସ୍ଥାନ)

 

 

[ବାଦ୍ୟଧ୍ୱନି କ୍ରମେ ପ୍ରତାପରୁଦ୍ର ଦେବ ମହା ସମାରୋହରେ ସଭାସଦ୍‌ବର୍ଗ, ଗୋବିନ୍ଦ, ଅନନ୍ତ, ମୁକୁନ୍ଦ, ସମରେନ୍ଦ୍ର ଓ ଅନ୍ୟାନ୍ୟ ରକ୍ଷିଗଣ ସହ ପ୍ରବେଶ କଲେ ଓ ଯଥାସ୍ଥାନ ଅଧିକାର କଲେ । ସମରେନ୍ଦ୍ର ଓ ମୁକୁନ୍ଦ ଯଥାକ୍ରମେ ଅନନ୍ତ ଓ ଗୋବିନ୍ଦ ପାର୍ଶ୍ୱରେ ଠିଆ ହେଲେ । ବନ୍ଦିନୀଗଣ ପ୍ରବେଶ କଲେ ବନ୍ଦନା- ଗୀତି ଗାଇ ]

ବନ୍ଦିନୀଗଣ-

 

 

ଗୀତ

ଜୟ ଶ୍ରୀ ପ୍ରତାପ । ଜୟ ରୁଦ୍ର(ପ୍ର)ତାପ ।

ଜୟ, ଜୟ, ଉତ୍କଳ- ଭୂପ ।

ଉତ୍କଳ- ଗଗନ ଛୁରିତ କୀରଣ-

ଜ୍ୟୋତିର୍ମ୍ମୟ ଭାସ୍କର- ରୂପ ।

ଅରାତି ତିମିର ଆସି ଝଲକରେ-

ପଳାଇଛି ଦୂରେ ସଭୟ ଅନ୍ତରେ;

ପୁଲକେ ପୁଲକେ ଭରିଚି ମେଦିନୀ

ମଙ୍ଗଳର ଉଠଇ ଧୂପ ।

ନବ ନବ ସ୍ୱରେ, ରାଗିଣୀ, ଝଙ୍କାରେ-

ଖେଳେ ବୀଣା- ତାର ତବ ପ୍ରସାଦରେ;

ଭକ୍ତି- ଭାଗୀରଥି ବୁହାଇ ଅନ୍ତରେ

ଧରିଅଛି ଅମର- ରୂପ ।

 

(ପ୍ରସ୍ଥାନ କଲେ)

 

ପ୍ରତାପରୁଦ୍ର

-

ସଭାସଦ୍‌ବର୍ଗ ! ଆଜି ଭାରି ଆନନ୍ଦର ଦିନ- ଶ୍ରୀ ଜଗନ୍ନାଥ ଦେବଙ୍କ କୃପାରୁ ଆମ୍ଭେମାନେ ଗୋଟାଏ ପ୍ରବଳ- ପରାକ୍ରାନ୍ତ ଶତ୍ରୁକୁ ଦମନ କରିବାକୁ କ୍ଷମ ହୋଇଛୁଁ- ହୋସେନ୍ ଖାଁ ଚିରକାଳ ସକାଶେ ଜାଣି ଯାଇଛି, ଓଡ଼ିଆ ଜାତି ଯେ- ସେ ଜାତି ନୁହେଁ, ଗୋଟାଏ ଦୁର୍ଲଙ୍ଘ୍ୟ ହିମାଚଳ- ଓଡ଼ିଆର ରକ୍ତ ତପ୍ତ- ବୈତରଣୀ- ।

 

 

ସମସ୍ତେ- ଜୟ ରୁଦ୍ର- ପ୍ରତାପ ପ୍ରତାପରୁଦ୍ର ଦେବଙ୍କର ଜୟ ।

ପ୍ରତାପ

-

ଆଜି ବିଜୟୋତ୍ସବ ଲାଗି ଏ’ ଯେଉଁ ସଭା ଆହୂତ ହୋଇଛି, ଏହାର ଉଦ୍ଦେଶ୍ୟ ଯେ କେବଳ ଜୟୋଲ୍ଲାସ ପ୍ରକାଶପୂର୍ବକ ତୁଚ୍ଛ ଆମୋଦ- ପ୍ରମୋଦରେ ରତହେବା, ତାହା ନୁହେଁ- ସେଥି ସଙ୍ଗେ ସଙ୍ଗେ ଯେଉଁ ବୀରମାନଙ୍କର ପ୍ରାଣପାତରେ ବା ପ୍ରାଣପଣ ଉଦ୍ୟମ ଓ ବିବିଧ ସମର କୌଶଳରେ, ଉତ୍କଳରେ ବିଜୟଲକ୍ଷ୍ମୀ ଆଜି ବରିତା ହୋଇଚନ୍ତି, ସେମାନଙ୍କୁହିଁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ ଓ ପୁରସ୍କାର ପ୍ରଦାନ ପୂର୍ବକ ଆପଣା ଆପଣାକୁ ଧନ୍ୟ ମଣିବା- ଦେଶ ଓ ଜାତିକୁ ଗୌରବରେ ମଣ୍ଡିତ କରିବା ।

 

-

[ସମସ୍ତେ ପରସ୍ପର ମଧ୍ୟରେ ମହାରାଜଙ୍କର ପ୍ରଶଂସା ଇଙ୍ଗିତରେ ପ୍ରକାଶେ କରୁଥିଲେ]

ସମସ୍ତେ

-

ଜୟ ଗଜପତି ପ୍ରତାପରୁଦ୍ର ଦେବଙ୍କର ଜୟ !

ପ୍ରତାପ

-

ଗୋବିନ୍ଦ । ସର୍ବାଗ୍ରେ ମୁଁ ତୁମ୍ଭର ପ୍ରଶଂସା ନ କରି ରହିପାରୁ ନାହିଁ- ତୁମ୍ଭର ଅଦ୍ଭୁତ, କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ ନିରଭିମାନତ୍ୱରେ ମୁଁ ମୁଗ୍ଧ ହୋଇଚି- ଆଜିଠାରୁ ତୁମ୍ଭେ ଶାରଙ୍ଗଗଡ଼ର ଅଧିନାୟକ ପଦରେ ବରିତ ହେଲ- ସେଠାକାର ସମସ୍ତେ ରାଜକାର୍ଯ୍ୟ ସ୍ୱାଧୀନଭାବେ ପରିଚାଳନାର ଭାର ତୁମ୍ଭ କରେ ଅର୍ପିତ ହେଲା- ଏହି ନିଅ ରାଜ- ନିଦର୍ଶନ (ଗୋଟିଏ ଶିରସ୍ତ୍ରାଣ ପ୍ରଦାନ କଲେ)

ଗୋବିନ୍ଦ

-

(ଅବନତ ହୋଇ) ଜାଣେ ସଦା ଏ’ ଦାସ- ରାଜାର କାର୍ଯ୍ୟ, ନିଜର କାର୍ଯ୍ୟ- ଦେଶର କଲ୍ୟାଣ, ନିଜର କଲ୍ୟାଣ ।- ଏ’ ଦାସ ମଧ୍ୟରେ- ନା- ସମସ୍ତ ଦେଶବାସୀ ମଧ୍ୟରେ ଏହି ଭାବହିଁ ଯେମନ୍ତ ଦିନୁଦିନ ଉଜ୍ଜ୍ୱଳୁ ଉଜ୍ଜ୍ୱଳତର ହୋଇ ଉଠୁ, ଏହି ପୁରସ୍କାର ମାତ୍ର ମାଗୁଛି ଶ୍ରୀଚରଣେ- ଏହି ଆଶୀର୍ବାଦ ମାତ୍ର କରନ୍ତୁ ଏ’ ଅଧୀନେ ।

ପ୍ରତାପ

-

ଧନ୍ୟ, ଧନ୍ୟ, ଗୋବିନ୍ଦ ! ଧନ୍ୟ ତୁମ୍ଭର ମହତ୍ ହୃଦୟକୁ- ଧନ୍ୟ ତୁମ୍ଭର ରାଜ- ଭକ୍ତି ଓ ଦେଶ- ଭକ୍ତିକୁ ।

ସମସ୍ତେ

-

ଜୟ ଶାରଙ୍ଗଗଡ଼ାଧିନାୟକ ଗୋବିନ୍ଦ ବିଦ୍ୟାଧରଙ୍କ ଜୟ ।

ସମରେନ୍ଦ୍ର

-

(ଅତି ବିଷର୍ଣ୍ଣଭାବେ ଅନନ୍ତକୁ ଅବଲୋକନ କରୁଥିଲେ)

ପ୍ରତାପ

-

ଅନନ୍ତ ସିଂହ । ତୁମ୍ଭେ ଅତି ଅଳ୍ପ ବୟସରେ ଯେଉଁ ବୀରତ୍ୱ ଓ ଅଦମ୍ୟ ସାହସ ଦେଖାଇଚ, ସେଥିର ପୁରସ୍କର ସ୍ୱରୂପ ତୁମ୍ଭଙ୍କୁ ସେହି ଯୁଦ୍ଧସ୍ଥଳରେହିଁ ଅନ୍ୟତମ ସେନାପତି ପଦରେ ଉନ୍ନୀତ କରିଥିଲି- ବର୍ତ୍ତମାନ ଗୁପ୍ତଚରମାନଙ୍କଠାରୁ ଶୁଣି ଆନନ୍ଦିତ ହେଲି, ତୁମ୍ଭରି କୌଶଳରେ ହିଁ ମୋ’ର ଜୀବନରକ୍ଷା ହୋଇଛି । ସୁତରାଂ- (ହଠାତ୍ ରହିଗଲେ, ଗମ୍ଭୀରଭାବେ ମୁକୁନ୍ଦର ବିବଳିତ ଭାବ ସମସ୍ତଙ୍କ ଅଲକ୍ଷ୍ୟେ ପର୍ଯ୍ୟବେକ୍ଷଣ କରିବାରୁ ପରା)

ସଭାସଦ୍‌ଗଣ

-

(ପ୍ରତାପଙ୍କ ଆଡ଼େ ଉଦ୍‌ଗ୍ରୀବ ନେତ୍ରରେ ଚାହିଁ ରହିଥିଲେ)

ମୁକୁନ୍ଦ

-

(ଅନୁଚ୍ଚସ୍ୱରେ ଗୋବିନ୍ଦପ୍ରତି) ‘ଜୀବନରକ୍ଷା’- କା’ର କୌଶଳରେ, ପ୍ରଭୁ ?

ଗୋବିନ୍ଦ

-

(ଭ୍ରୂକୁଞ୍ଚନଦ୍ୱାରା ତାଙ୍କୁ ନିରସ୍ତ କରିବାକୁ ଲାଗିଲେ)

ମୁକୁନ୍ଦ

-

(କିନ୍ତୁ ନିରସ୍ତ ନ ହୋଇ ଏକାନ୍ତେ) ଆପଣଙ୍କରି କୌଶଳରେ ନୁହେଁକି ?- ଆପଣଙ୍କର ଶିକ୍ଷାମତେ ମୁଁ ଶତ୍ରୁ ସଙ୍ଗେ ନାନା ଚାତୁରୀ ଖେଳି ଗୋଟାଏ ପର୍ବତ ପୃଷ୍ଠରେ ଅଟକାଇ ରଖିବାରୁ ସିନା-

ଗୋବିନ୍ଦ

-

(ଏକାନ୍ତେ) ଏଣେ କିପରି କଣ ଯେ ଘଟିଥିଲା, ତା’ କ’ଣ ଗୁପ୍ତଚରଙ୍କଠାରୁ ତୋତେ ବେଶୀ ଜଣା ?-

ମୁକୁନ୍ଦ

-

କିନ୍ତୁ-

ଗୋବିନ୍ଦ

-

(ଭ୍ରୂକୁଞ୍ଚନ କଲେ)

ମୁକୁନ୍ଦ

-

(ବାଧ୍ୟ ହୋଇ ନିରସ୍ତ ହେଲେ)

ପ୍ରତାପ

-

(ମନେ ମନେ ହସିଲେ) ହିଁ, ସୂତରାଂ ସେତିକି ପୁରସ୍କାର ଯଥେଷ୍ଟ ଜ୍ଞାନ ନ କରି, ଅଧିକତର କିଛି ଦେବାକୁ ମନସଥ କରିଛି- ଏଥିରେ ଯଦି କାହାରି କୌଣସି ଆପତ୍ତି ଥାଏ-

ମୁକୁନ୍ଦ

-

(ଉତ୍ତେଜିତ ହୋଇ ଉଠିଲେ)

ପ୍ରତାପ

-

(ଲକ୍ଷ୍ୟ କରି ମୃଦୁ ମୃଦୁ ହସିଲେ)

ଗୋବିନ୍ଦ

-

(ମୁକୁନ୍ଦକୁ ନିରସ୍ତ କରି) ଗୁଣିର ଗୁଣର ପୁରସ୍କାର, ଆମ୍ଭ ସମସ୍ତଙ୍କର ପୁରସ୍କାର, ମହାରାଜ ।

ପ୍ରତାପ

-

ସମସ୍ତଙ୍କର କ’ଣ ଏହି ଅଭିମତ ?

ମୁକୁନ୍ଦ

-

ମୁଁ କିନ୍ତୁ- (କହିବା ସମୟରେହିଁ ସମସ୍ତେ ପାଟିକରି ଉଠିଲେ)

ସମସ୍ତେ

-

ଜୟ ଗଜପତି ପ୍ରତାପରୁଦ୍ର ଦେବଙ୍କ ଜୟ ।

ପ୍ରତାପ

-

ତେବେ ଆସ, ଅନନ୍ତସିଂହ, (ନିଜର କଟିଦେଶସ୍ଥ ତରବାରୀ ଦାନ କରି) ଆଜିଠାରୁ ମୁଁ ତୁମ୍ଭଙ୍କୁ ସାମନ୍ତ ଉପାଧିରେ ଭୂଷିତ କଲି- ଆଉ ସେହି ସମ୍ମାନସୂଚକ ଉପାଧିର ଯୋଗ୍ୟପଦ, ବିଶାଳ ଉତ୍କଳର ରାଜଧାନୀ କଟକର ଅଧିନାୟକତ୍ୱ ଅର୍ପଣ କଲି । (ମୁକୁନ୍ଦ ଆଡ଼େ ବକ୍ରଦୃଷ୍ଟିରେ ଚାହିଁଲେ)

ମୁକୁନ୍ଦ

-

ଓଃ- (ଆହତ ଫଣି ପରି ଫଣା ବିସ୍ତାର କରି ଅବନତ ହେଲେ)

ସମସ୍ତେ

-

(କେବଳ ମୁକୁନ୍ଦକୁ ଛାଡ଼ି) ଜୟ କଟକର ଅଧିନାୟକ ସାମନ୍ତ ଅନନ୍ତ ସିଂହଙ୍କର ଜୟ ।

ସମରେନ୍ଦ୍ର

-

(ଶ୍ଲେଷ ପୂର୍ଣ୍ଣ ନେତ୍ରରେ ମୁକୁନ୍ଦ ଆଡ଼େ ଚାହିଁଲା)

ମୁକୁନ୍ଦ

-

(ଦୃଷ୍ଟିବିନିମୟ ହୁଅନ୍ତେ ତଅ୍ୟଧିକ ଅପମାନବୋଧରେ ଦନ୍ତେ ଦନ୍ତ ଘର୍ଷଣ କଲେ ଯେମନ୍ତ)

ପ୍ରତାପ

-

(ସ୍ମିତମୁଖେ) ମୁକୁନ୍ଦ ! ତୁମ୍ଭେ ଏହି ରଣରେ ତୁମ୍ଭର ପ୍ରଭୁଙ୍କୁ ଅନୁକରଣ କରି ଯେଉଁ କର୍ତ୍ତବ୍ୟନିଷ୍ଠା ଓ ନିଃସ୍ୱାର୍ଥ- ପରତା ଦେଖାଇଥିଲ, ସେଥିରେ ମୁଁ ପରମ ତୃପ୍ତି ଲାଭ କରିଛି- ତା’ର ପୁରସ୍କାର ସ୍ୱରୂପ ତୁମ୍ଭଙ୍କୁ ମୁଁ ମୋ’ର ପ୍ରଧାନ ଦେହରକ୍ଷୀ ପଦ ପ୍ରଦାନ କଲି- ଏହି ନିଅ, ତା’ର ଯୋଗ୍ୟ ନିଦର୍ଶନ- (ମୁକୁନ୍ଦକୁ ଗୋଟିଏ କୋଷବଦ୍ଧ ଆସି ପ୍ରଦାନ କଲେ) ବର୍ତ୍ତମାନ ଠାରୁ ଏହାର ସଦ୍‌ବ୍ୟବହାର କରିପାର ।

ମୁକୁନ୍ଦ

-

(ଅତି ସାବଧାନରେ ଦୀର୍ଘ ନିଶ୍ୱାସ ଛାଡ଼ି) ଯଥା ଆଜ୍ଞା, ମହାରାଜ !

 

-

[ପ୍ରତାପରୁଦ୍ର ତାହା ଲକ୍ଷ୍ୟକରି ସାମାନ୍ୟ ହସିଲେପରା]

 

 

(ମୁକୁନ୍ଦ ପଶ୍ଚାଦ୍ଦେଶକୁ ଯାଉ ଯାଉ ହଠାତ୍ ନେପଥ୍ୟେ ଆପଣା ପ୍ରତିକାର ବଦ୍ଧ ଦୃଷ୍ଟି ଦେଖି, ଚମକି ଉଠିଲେ ଓ ଆତ୍ମସଂଯମ କରୁ କରୁ ପୁରାତନ ତରବାରୀ ତ୍ୟାଗ ପୂର୍ବକ ନୂତନ ତରବାରୀ ଧାରଣ କରି ବୀରୋଲ୍ଲାସରେ ଦଣ୍ଡାୟମାନ ହେଲେ)

ପ୍ରତାପ

-

ସମରେନ୍ଦ୍ର ! ତୁମ୍ଭେ ସାମାନ୍ୟ ଜଣେ ସୈନିକ ହୋଇ ଆଜି ଯେଉଁ ଉପକାର କରିଚ, ତା’ର ତୁଲ୍ୟ ପୁରସ୍କାର ଏ ଜଗତରେ ନାହିଁ- ତୁମ୍ଭରି ହେତୁ ମୋ’ର ପ୍ରାଣାଧିକା କନ୍ୟା ଜୀବିତା ସିନା ।

ମୁକୁନ୍ଦ

-

(ସାଶ୍ଚର୍ଯ୍ୟେ ଚାହିଁଲେ)

ପ୍ରତାପ

-

ସଭାସଦ୍‌ଗଣ ! ଆପଣମାନେ ଜାଣନ୍ତି ନାହିଁ ବୋଧହୁଏ, କିପରି ଗୋଟାଏ ଦୁର୍ଘଟଣାରୁ ଏହି ବୀର ସମରସିଂହ ଅତ୍ୟାଶ୍ଚର୍ଯ୍ୟ ବୁଦ୍ଧି କୌଶଳରେ, ଆପଣମାନଙ୍କର ଏକମାତ୍ର ଜେମାଦେଈଙ୍କର ପ୍ରାଣରକ୍ଷା କରିଅଛି ।

ମୁକୁନ୍ଦ

-

(ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହେଲେ)

ସମସ୍ତେ

-

ଧନ୍ୟ, ଧନ୍ୟ, ସମରସିଂହ । ଆମ୍ଭମାନଙ୍କର ଜେମାଦେଈ ଦୀର୍ଘାୟୁ ଲାଭ କରନ୍ତୁ ।

ପ୍ରତାପ

-

ଆମ୍ଭେମାନେ ଯୁଦ୍ଧାନ୍ତେ ପୁରୀଧାମରେ ଅବସ୍ଥାନ କରୁଥିବା ବେଳେ, ଦିନେ ଗୋଧୂଳି ସମୟରେ ସଖୀମାନଙ୍କୁ ଘେନି ଜେମାଦେଈ ମହାନଦୀରେ ଜଳକେଳି କରୁଥିଲେ, ସେହି ସମୟରେ ଗୋଟାଏ କୁମ୍ଭୀର-

ମୁକୁନ୍ଦ

-

(ହଡାତ୍ ଉଚ୍ଚୈଃସ୍ୱରେ) ‘କୁମ୍ଭୀର ।’ ତେବେ କ’ଣ ସେହି ଘଟଣା- (ସମ୍ମୁଖକୁ ଅଗମନ କଲେ)

ପ୍ରତାପ

-

ପ୍ରକାଣ୍ଡ କୁମ୍ଭୀର, ଯା’ର ଛାଲ ଦେଖି, ମୁଁ ଆଶ୍ଚର୍ଯ୍ୟାନ୍ୱିତ ହୋଇଚି, ଅଦୂରେ ବଣବୁଦା ମଧ୍ୟରେ ଲୁଚି ରହିଥିଲା- ଜେମାଦେଈ ମେଳ ଛାଡ଼ି ଟିକିଏ ଅନ୍ତର ହେବା ମାତ୍ରେ, ସେହି ଭୀଷଣ ଜନ୍ତୁଟା ତତ୍‌କ୍ଷଣାତ୍ ପାଣିରେ ପାଣିରେ ଛୁଟି ଆସିଲା, ସଙ୍ଗେ ସଙ୍ଗେ ସମରସିଂହର ଗୁଳି ମଧ୍ୟ-

ମୁକୁନ୍ଦ

-

ମିଥ୍ୟା କଥା, ମହାରାଜ ।- ମିଥ୍ୟା-

ପ୍ରତାପ

-

ମିଥ୍ୟା କଥା ।

ମୁକୁନ୍ଦ

-

ଏ’ ଅଧୀନ ଦିନେ ସନ୍ଧ୍ୟା ସମୟରେ କର୍ତ୍ତବ୍ୟ ନିର୍ଦ୍ଧାରଣ ମତେ ଦୁର୍ଗର ଚତୁର୍ଦିଗ ପର୍ଯ୍ୟବେକ୍ଷଣ କରି ବୁଲି ବୁଲୁ ହଠାତ୍ ଉତ୍ତର ଦିଗରେ କେତେଗୁଡ଼ିଏ ସ୍ତ୍ରୀଲୋକଙ୍କ ଆର୍ତ୍ତନାଦ ଶୁଣି ଧାଇଁ ଯାଏ- ସେମାନଙ୍କ ମଧ୍ୟରୁ ଜଣେ (କି ପୂର୍ବସ୍ମୃତି ଉଦିତ ହେବାରୁ ଦୀର୍ଘ ନିଃଶ୍ୱାସ ତ୍ୟାଗ କଲେ) ମୋତେ ଦେଖି, ମୋ’ ନିକଟକୁ ଧାଇଁଆସି, କହିଲେ ‘‘ସିପାହୀ ସାହେବ । ଗୋଟାଏ ଭାରି ମସ୍ତ କୁମ୍ଭୀର- ଅଭିକା କାମୁଡ଼ି ଥା’ନ୍ତା’’ ମୁଁ ସେମାନଙ୍କୁ ‘‘ପଳାନ୍ତୁ, ପଳାନ୍ତୁ’’ ବୋଲି କହି ସେହି ସ୍ଥାନରେ ପ୍ରକୃତ ଘଟନା କ’ଣ ଦେଖିବାକୁ ଠିଆ ହେଲି, ଦେଖିଲି, ପ୍ରକୃତରେ ଗୋଟାଏ ଭୀଷଣ କୁମ୍ଭୀର ସେହି ସ୍ତ୍ରୀଲୋକମାନଙ୍କର ଗାଧୋଇଲା ତୁଠରେ ଭାସି ଉଠିଲା- ମୁଁ ତତ୍‌କ୍ଷଣାତ୍ ଗୁଳିକଲି- ଜନ୍ତୁଟା ଅଦୃଶ୍ୟ ହୋଇଗଲା, ଆହତ ହୋଇଥିଲା କି ନା-

ଅନନ୍ତ

-

ନା, ହୋଇ ନ ଥିଲା- ଏ ଘଟନାଟି ଆମ୍ଭର ବର୍ଣ୍ଣିତ ଘଟନାର ପୂର୍ବ ଘଟନା ନିଶ୍ଚୟ- କାରଣ ଶିକାରୀ ଥରେ ଯେଉଁଠାରେ ଶିକାର ଦେଖିଥାଏ, ଠିକ୍ ସେହି ସ୍ଥାନକୁ ସେ ସର୍ବଦା ଲକ୍ଷ୍ୟ ରଖିଥାଏ-

ପ୍ରତାପ

-

କାହିଁ, ଏ’ କଥାତ ଶୁଣି ନ ଥିଲି । ଯାହା ହେଉ, ଶୁଣି ସୁଖୀହେଲି ମୁକୁନ୍ଦ, ତୁମ୍ଭର କର୍ତ୍ତବ୍ୟ ପାଳନରେ ସେ ଦିନ ଖୁବ୍ ଜାଗରୁକ ଥିଲ; କିନ୍ତୁ ସଙ୍ଗେ ସଙ୍ଗେ ଗୋଟିଏ ବିଷୟରେ ଭାରି ଦୁଃଖିତ, ଯୁବକ, କଥାଟା ଆନୁପୂର୍ବକ ନ ଶୁଣି ବିଷୟଟି ନ ଭାବି, ନ ଚିନ୍ତି ରାଜା ସମ୍ମୁଖରେ, ଏତେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମ୍ମୁଖରେ, କଥାଟା ମୋର ନ ସରୁଣୁ, ନିର୍ଭୟର ହଠାତ୍ ‘‘ମିଥ୍ୟା କଥା’’ ବୋଲି ଯେ ପାଟି କରି ଉଠିଲ, ଏଇଟା ଉଚିତ ହୋଇଚିକି ? କ୍ଷଣପୂର୍ବେ ତୁମ୍ଭର ଏପରି କେତେକ ଅସଂଯତ ଭାବ ଯେ ଲକ୍ଷ୍ୟ ନ କରିଚି, ତା’ ନୁହେଁ, ମାତ୍ର ତାହା ଯୌବନସୁଲଭ ବୋଲି ଉପେକ୍ଷା କରୁଥିଲି, କିନ୍ତୁ ବର୍ତ୍ତମାନ ଭୟ ହେଉଚି, ପ୍ରଶ୍ରୟ ଦାନରେ ଅନତି ବିଳମ୍ବେ ଔଦ୍ଧତ୍ୟରେ ପରିଣତ ହେବା ଅସମ୍ଭବ ନୁହେଁ; ଅତଏବ ମୋର ଉପଦେଶ, ଯୁବକ, ସଂଯମୀ ହେବାକୁ ଚେଷ୍ଟାକର- ସର୍ବାଗ୍ରେ ରାଜ- ମର୍ଯ୍ୟାଦା ଶିକ୍ଷାକର ।

ମୁକୁନ୍ଦ

-

ଧୃଷ୍ଟତା କ୍ଷମା କରନ୍ତୁ, ମହାରାଜ ।

ପ୍ରତାପ

-

ତୁମ୍ଭର ବୟସ ଦୃଷ୍ଟିରେ ଏ’ ଚପଳତା ମାର୍ଜନା କଲି- ଆଉ ଦିନେ ଏ’ପରି ଆଚରଣ ଯେମନ୍ତ ଦେଖିବାକୁ ନ ହୁଏ- ରାଜ- ମର୍ଯ୍ୟାଦା ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଅଭ୍ୟାସ କର ।

ମୁକୁନ୍ଦ

-

(ସ୍ୱସ୍ଥାନକୁ ଆସୁ ଆସୁ ନିଜ ମନେମନେ) ମାତ୍ର ପ୍ରବଞ୍ଚନା କି ତା’ର ମୂଳଭିତ୍ତି ?

ପ୍ରତାପ

-

ଆସ, ସମରେନ୍ଦ୍ର- ଆଗେ ମୋତେ ତୁମକୁ ଆଲିଙ୍ଗନ କରିବାକୁ ଦି- ହେ- ପୁତ୍ରପ୍ରତିମ । ଆଜିଠାରୁ ତୁମେ ସହକାରୀ ସେନାପତିପଦ ପ୍ରାପ୍ତ ହେଲ ।

ସଭାସଦ୍

-

(ସବିଷ୍ମୟେ ମନେ ମନେ ଚିତ୍‌କାର କରି ଉଠିଲେ ପରା)- ମହାରାଜ ।- ମହାରାଜ !

ପ୍ରତାପ

-

(ମୃଦୁ ମୃଦୁ ହସି) ଏହି ନିଅ ତା’ର ଯୋଗ୍ୟ ନିଦର୍ଶନ- ମୋ’ର ବିଶ୍ୱାସ, ସେନାପତି ଅନନ୍ତସିଂହଙ୍କ ଅଭିଭାବକତ୍ୱରେ, ତୁମ୍ଭେ ଶୀଘ୍ର ଯୋଗ୍ୟତର ହୋଇ ଅଚିରେ ତା’ର ଯୋଗ୍ୟ ବ୍ୟବହାର କରି ପାରିବ ।

 

 

(ସମରେନ୍ଦ୍ରକୁ ତରବାରୀ ଦାନ କଲେ)

ସମସ୍ତେ

-

(ମୁକୁନ୍ଦକୁ ଛାଡ଼ି) ଧୃଷ୍ଟତା କ୍ଷମା କରନ୍ତୁ, ମହାରାଜ ।- ଜୟ ମହାରାଜାଙ୍କ ଜୟ !- ଜୟ ସହକାରୀ ସେନାପତି ସମରେନ୍ଦ୍ରଙ୍କ ଜୟ ।

ମୁକୁନ୍ଦ

-

(ମନେ ମନେ) ଏ’ ଯେ ପ୍ରବଞ୍ଚନା, ମିଥ୍ୟାବାଦିତାର ଜୟ ।

ସମରେନ୍ଦ୍ର

-

(ନିଜସ୍ଥାନକୁ ଆସି ମୁକୁନ୍ଦକୁ ସଗର୍ବେ ଚାହିଁଲା)

ମୁକୁନ୍ଦ

-

(ଅନ୍ୟଆଡ଼େ ମୁଖ ଫେରାଇ ନେଲେ) ଓଃ- ଅନ୍ୟାୟର ଉନ୍ନତି କେତେ ଦ୍ରୂତଗତିରେ ।

ପ୍ରତାପ

-

ବର୍ତ୍ତମାନ ସଭା ତେବେ- ସହସା ଜଗନ୍ନାଥ ଦାସଙ୍କର ମୁକୁନ୍ଦର ପଶ୍ଚାଦ୍ଦେଶ ଦେଇ, ପ୍ରବେଶ)

 

 

ଜଗନ୍ନାଥ      ‘ଅଧର୍ମର ବିତ୍ତ ବଢ଼େ ବହୁତ

ଯିବାବେଳେ ଯାଏ ମୂଳ ସହିତ ।’

ମୁକୁନ୍ଦ- ମିଥ୍ୟା କଥା-

ଜଗନ୍ନାଥ

-

‘ମିଥ୍ୟା କେବେ ନୁହେଁ ବଚନ

ଜ୍ଞାନ ଅଟଇ ପ୍ରମାଣ ।’

ମୁକୁନ୍ଦ

-

(ସଲଜ୍ଜେ ଓ ସବିସ୍ମୟେ ଚାହିଁଲେ)

ପ୍ରତାପ

-

(ମୁକୁନ୍ଦ ଆଡ଼େ ତିରସ୍କାର ପୂର୍ଣ୍ଣ ନେତ୍ରରେ ଚାହିଁଲେ) ଆସନ୍ତୁ, ଆସନ୍ତୁ, ଦେବ- ବହୁ ସୌଭାଗ୍ୟ ଏ’ ପାପୀର, ସାକ୍ଷାତ୍ ଭଗବଦ୍‌ ଦର୍ଶନ ଲାଭ କଲି- ହଠାତ୍ ଏ’ ପାପୀ ପ୍ରତି ସୁଦୟା-

ଜଗନ୍ନାଥ

-

‘ଭକ୍ତହୃଦୟେ ଭଗବାନ ।

କରନ୍ତି ସଦା ବିଚରଣ ।

ତେଣୁ ପ୍ରଣାମ ଭକ୍ତେ କଲେ ।

ପ୍ରଣାମ ବଇକୁଣ୍ଠେ ମିଳେ ।’

 

 

(ପ୍ରତାପରୁଦ୍ର ଦେବଙ୍କ ଚରଣତଳେ ପ୍ରଣାମ କଲେ)

ପ୍ରତାପ

-

ପ୍ରଭୁ ! ପ୍ରଭୁ ! ଏ କି ଆଚରଣ ତବ ?

ଜଗନ୍ନାଥ

-

‘ଘେନ ଏ’ ପ୍ରଣତି ଦାସର ।

ସଭାର ସର୍ବ ନାରୀନର ।’

(ଲମ୍ବ ହୋଇ ସମସ୍ତଙ୍କୁ ପ୍ରଣାମ କଲେ)

ପ୍ରତାପ

-

ଆସନ୍ତୁ, ଆସନ୍ତୁ, ଦେବ । ଏହି ସ୍ଥାନ ମଣ୍ଡନ କରନ୍ତୁ ।

ଜଗନ୍ନାଥ

-

‘ଦାସର ଦାସ ମୁଁ ଅଟଇ ।

ପଦ ସେବାରେ ନିତ୍ୟଥାଇ ।’

[ଭୂମିରେ ଉପବେଶନ କରନ୍ତେ, ସମସ୍ତେ ସେହିପରି କଲେ ]

ପ୍ରତାପ

-

ଭଗବନ୍ ! ବାସ୍ତବିକ ଆପଣଙ୍କ ମହତ୍ୱରେ ଏ’ ଦାସ ମୁଗ୍ଧ ।

ଜଗନ୍ନାଥ

-

ଏସନ ନ କହ ନରେଶ ।

ଉପୁଜେ ମନେ ବହୁକ୍ଲେଶ ।’

ପ୍ରତାପ

-

(ଜଗନ୍ନାଥଙ୍କ ଚରଣଧୂଳି ନେଇ, ଗଦ୍‌ଗଦ କଣ୍ଠେ) ଭଗବନ୍ ! ଭଗବନ୍ ! ଏ’ ଦୀନ ଶିଶୁକୁ ପ୍ରକୃତରେ କି କ୍ଷମା କରିଚନ୍ତି ?

ଜଗନ୍ନାଥ

-

‘ଶିଶୁର ସମାନ ଯେ ଜନ ।

 

 

ଅଟଇ ସେହି ଭଗବାନ ।’                              (ଆଲିଙ୍ଗନ କଲେ)

ପ୍ରତାପ

 

ଭଗବନ୍ ! ଭଗବନ୍ ! ଏତେ ଦୟା ଏ’ ନିଷ୍ଠୁର ପ୍ରତି । କୁଟମତି ମୁହିଁ, କୂଟାଭ୍ୟାସ ଦୋଷରୁ ସିନା, ସରଳ ନିଷ୍କଳଙ୍କ ଆପଣଙ୍କୁ ସେହି ଅମାନୁଷିକ ନିର୍ଯ୍ୟାତନା- ସେହି ଦୁଃସହ ଯନ୍ତ୍ରଣା-

ଜଗନ୍ନାଥ

-

‘ଭକତ ଲୋଡ଼ଇ କଷଣ ।

ଲଭିବାକୁଟି ଭଗବାନ ।’

ପ୍ରତାପ

-

ପ୍ରଭୋ ! ପ୍ରଭୋ ! ଶୁଣ, ଶୁଣ, ସଭାସଦ୍‌ଗଣ । ଆମ୍ଭେମାନେ ନିର୍ଯ୍ୟାତନା କରି ଆନନ୍ଦ ଉପଭୋଗ କରିଥାଉଁ- କିନ୍ତୁ ଭଗବନ୍ ଆମ୍ଭମାନଙ୍କର ନିର୍ଯ୍ୟାତନାରେ ଆନନ୍ଦ ଉପଭୋଗ କରିଥାନ୍ତି ।

ଜଗନ୍ନାଥ

-

(ପୋଥି ଫିଟାଉ ଫିଟାଉ)

‘ଶୁଣ ଏବେ ଭୋ ନରନାଥ ।

କରିଚି ପୂର୍ଣ୍ଣ ଭାଗବତ ।’

ପ୍ରତାପ

-

ଓଃ- କି ମୂଢ଼ ମୁହିଁ- ଭଗବାନଙ୍କ ଆଗମନ କାରଣ ଏପର୍ଯ୍ୟନ୍ତ ପଚାରିବାକୁ ଭୁଲି ଯାଇଚି ।

ଜଗନ୍ନାଥ

-

‘ଶୁଣ ପରୀକ୍ଷା ନରନାଥ ।

ଦ୍ୱାଦଶ ସ୍କନ୍ଧ ଭାଗବତ ।’

ପ୍ରତାପ

-

ଭଗବନ୍ ! ଏ’ ଅମୂଲ୍ୟ ପବିତ୍ର ଗ୍ରନ୍ଥ ଏଠାରେ ପାଠ ଯୋଗ୍ୟ ନୁହେଁ ।

ଜଗନ୍ନାଥ

-

‘ପବିତ୍ର ଅପବିତ୍ର ଜ୍ଞାନ ।

ଜୀବର ଅଟେ ଭ୍ରମ ଜ୍ଞାନ ।

ଯେଠାବେ ଯେଭାବେ ଭଜିବ ।

ହରି ଦୟାଳୁ ଦେଖାଦେବ ।’

(ପୋଥି ବାନ୍ଧି ଗମନୋଦ୍ୟତ)

‘କାଳାକାଳ ନାହିଁ ଆବର ।

କାଳର କର୍ତ୍ତା ଦାମୋଦର ।

ଚାଲନ୍ତୁ ଯଥା ଇଚ୍ଛା ନାଥ ।

ଅଟଇ ସଦା ସନମତ ।।’

ପ୍ରତାପ

-

ଆସ, ଆସ, ଭକ୍ତଗଣ ! ପ୍ରକୃତରେ ଆଜି ଆମ୍ଭମାନଙ୍କର ବିଜୟୋତ୍ସବ- ପାଶବିକ ଶତ୍ରୁତା ଦଳନରେ ତା’ର ଆରମ୍ଭ, ମାତ୍ର ଅଜ୍ଞାନଶତ୍ରୁତା ଦମନରେ ତା’ର ପରିସମାପ୍ତି- ତା’ର ସାର୍ଥକତା ।

 

 

(ସମସ୍ତଙ୍କ ପ୍ରସ୍ଥାନ)

 

 

 

[କୃଷ୍ଣା କ’ଣ ଗୋଟାଏ ଲକ୍ଷ୍ୟ କରି ଏଣେ ତେଣେ ଚାହୁଁ ଚାହୁଁ ପ୍ରବେଶ କଲେ, ପଛେ ପଛେ ଚମ୍ପାର ମଧ୍ୟ ପ୍ରବେଶ]

 

 

 

ଚମ୍ପା

-

ଜେମାଦେଈ ! ଜେମାଦେଈ ! ତେଣେ- କେଉଁଆଡ଼େ-

କୃଷ୍ଣା

-

ହଁ- ନା- (ଇତଃସ୍ତତ ହେବା) ତୁ ନିଶ୍ଚେ ଭୁଲ କରିଥିଲୁ- ସେ ଦିନ ଏହି ‘ମୁ-’

 

 

(ଲଜ୍ଜାରେ ନାମୋଚ୍ଚାରଣ କରି ପାରିଲେ ନାହିଁ ପରା)

ଚମ୍ପା

-

ନା, ଜେମାଦେଈ, ସେଦିନ ସମରେନ୍ଦ୍ର-

କୃଷ୍ଣା

-

ନା- ନା (ମାତ୍ର ସମାଳି ନେଇ) ଆଚ୍ଛା, ଆଉ କେଉଁଦିନ ତ କୁମ୍ଭୀର ଗୋଳ ହୋଇ ନ ଥିଲା- ସେଇ ଥରକ ଯା- ସେହି କୁମ୍ଭୀରଟା ପରା ଗୁଲି ଖାଇ ଦୁଇଦିନ ପରେ ମରି ଭାସି ଉଠିଥିଲା ।

ଚମ୍ପା

-

ଜେମାଦେଈ ! ଆଗ ଘଟଣା ତମେ ଜାଣି ନାହିଁ- ମୁଁ ବି କହି ନ ଥିଲି, କାଳେ ଡରରେ ଆଉ ଗାଧୋଇ ନ ଯାଅ ଆହୁରି ଶୁଣିଲ ତ, ସେନାପତି ଅନନ୍ତସିଂହ ସଭାରେ କ’ଣ କହିଲେ ?

କୃଷ୍ଣା

-

କିନ୍ତୁ- (କ’ଣ କହିବାକୁ ଯାଉଥିଲେ)

ଚମ୍ପା

-

କଥାଟା ଆଉ କିଛି ନୁହେଁ, ଏହି ଘଟଣା ଘଟିବାର ଦୁଇ କି ତିନି ଦିନ ଆଗେ, ମୁଁ, ମଲ୍ଳି, ଶୋଭି-

କୃଷ୍ଣା

-

ମଲ୍ଲି, ଶୋଭି ଥିଲେ ?

ଚମ୍ପା

-

(ସଭୟେ ସ୍ୱଗତ) ପଚାରି ବୁଝିବ ନା କ’ଣ ? (ସମ୍ଭାଳି ନେଇ) ହଁ, ହଁ, ମଲ୍ଲି, ଶୋଭି- ନା, ନା- କିଏ ତ, ସେ ଦିନ ଯା’ ମ- ପୋଡ଼ା ମନେ କି ଥାଏ- ତେବେ, ଜେମାଦେଈ ମୁଁ ଏକା ନିଶ୍ଚେ ନୁହେଁ- ଛାଡ଼, କିଏ ଦୁଇ ଜଣ, ଆଉ ମୁଁ- ଠିକ୍ ସେହିପରି ମୁହଁ ସଞ୍ଜବେଳେ, ସେହି ତୁଠକୁ ଲୁଗା କାଚିବାକୁ ଆସିଥିଲୁ- କୁହନା, ଜେମାଦେଈ ସେହି ପୋଡ଼ାଟା-

କୃଷ୍ଣା

-

ଆଚ୍ଛା ମୁଁ କ’ଣ ସେଦିନ ?-

ଚମ୍ପା

-

(ନିଜର ତ୍ରୁଟି ହେତୁ ନିଜକୁ ତରସ୍କାର କରି) ସେଦିନ ତୁମେ ଯେ କାହିଁକି ଆସି ନ ଥିଲ- ହଁ- ହଁ- ତୁମର ଦିହ କ’ଣ-

କୃଷ୍ଣା

-

‘ଦିହ’ । ଏ’ ବର୍ଷକ ମଦ୍ୟରେ ଦିନେ ହେଲେ ତ କେବେ-

ଚମ୍ପା

-

(ଭୀତା ହୋଇ କିନ୍ତୁ ସମ୍ଭାଳି ନେଇ) ତେବେ ଅନ୍ୟ କେଉଁ କଥା- କଣ- ହୋଇ- ?

କୃଷ୍ଣା

-

ହଁ, ଅନେକ ଦିନ ତଳର କଥା କି ନା ?-

ଚମ୍ପା

-

କହିଲ ଭଲା- ଠିକ୍ କି ସବୁ ମନେ ଥାଏ ?

କୃଷ୍ଣା

-

ତା’ ନୁହେଁ କ’ଣ ? କାଠର ମଞ୍ଜ ସିନା ରହେ- ପଳଖା ଗୁଡ଼ାକ-

ଚମ୍ପା

-

(ଚମକି ଉଠିଲା) ଜେମାଦେଈ । ଜେମାଦେଈ । ମୋତେ କ’ଣ ଅବିଶ୍ୱାସ-

କୃଷ୍ଣା

-

(ନିଜର ଅସାବଧନତା ବୁଝି ପାରି) ଛି, ଚମ୍ପା, ଛଳରେ ମୁଁ ସେମିତିକା-

ଚମ୍ପା

-

(ଦୀର୍ଘ ନିଶ୍ୱାସ ଛାଡ଼ି, ପ୍ରକାଶ୍ୟେ ଗଦ୍‌ଗଦସ୍ୱରେ) କିନ୍ତୁ, ଛଳରେ ବି ଏମିତିକା କଳଙ୍କ ଯେ ଚମ୍ପା ତମର-

କୃଷ୍ଣା

-

(ହାତ ଧରି) ଚମ୍ପା ! ମୋ’ର ଦୋଷ-

ଚମ୍ପା

-

ଛି ଜେମାଦେଈ । ମୁଁ ଯେ ତମର ପୋଇଲୀ- ଟାଏ-

କୃଷ୍ଣା

-

ହଁ, ସେଦ ଦିନତ ତମମାନଙ୍କ ସାଙ୍ଗରେ ମୁଁ ନ ଥିଲି- ତା’ ପରେ କ’ଣ ହେଲାଟି ?

ଚମ୍ପା

-

କୁହନା, ଜେମାଦେଈ- ପୋଡ଼ା କୁମ୍ଭୀରଟା ଯେମିତିକା ଗୋଡ଼ ଜଗି, କାହିଁ ଛକି ରହିଥିଲା, ତୁଠରେ ଗୋଡ଼ ଦେଇଚୁ କି ନାହିଁ, ପରା ଗୋଡ଼େଇ ଆସିଲା- ଭାଗ୍ୟେ ମୁକୁନ୍ଦ ଥିଲା ବୋଲି-

କୃଷ୍ଣା

-

ସେ ଦିନ ବି ସେହି ‘ମୁକୁନ୍ଦ’- (କହି ପକାଇ ଜିହ୍ୱାଦଂଶନ କଲେ)

ଚମ୍ପା

-

(ହଠାତ୍ ଚମକି ଉଠି କୃଷ୍ଣା ଆଡ଼େ ମ୍ଲାନ ମୁଖେ ଚାହିଁଲା) ଜେମାଦେଈ-

କୃଷ୍ଣା

-

ନା ଲୋ ନା, ତୋତେ ମୁଁ ମିଛୋଇ କହୁ ନାହିଁ ଯେ-

ଚମ୍ପା

-

(ଆହୁରି ମ୍ଳାନମୁଖେ ସାଗ୍ରହେ ଚାହିଁଲା)

କୃଷ୍ଣା

-

(ସଲଜ୍ଜେ ଅନ୍ୟ ଆଡ଼େ ଚାହିଁ) ଭୁଲ କ’ଣ ମଣିଷର ହୁଏ-

 

 

 

 

 

(ହଠାତ୍ ଲକ୍ଷ୍ୟବସ୍ତୁ ପ୍ରତି ଦୃଷ୍ଟି ପଡ଼ିବାରୁ କ୍ଷାନ୍ତ ହେଲେ)

 

 

 

ଚମ୍ପା

-

(ଭୀତା ହୋଇ) ନାହିଁ, ନାହିଁ, ଜେମାଦେଈ ମୁଁ କେବେ ଭୁଲ କରି ନାହିଁ- ମୁଁ ନିୟାମ କରି କହୁଚି- ଦିହ ଛୋଇଁ-

କୃଷ୍ଣା

-

(ସେହି ଲକ୍ଷ୍ୟବସ୍ତୁ ପ୍ରତି ମନପ୍ରାଣ ଢାଳିଦେଇ ଥିଲେ, ଚମ୍ପା ଛୋଇଁବାମାତ୍ରେ କହି ଉଠିଲେ)- ଛାଡ଼ିଦେ- ତୁ ଏ’ଠୁ- (ଜିହ୍ୱାଦଂଶନ କଲେ)

ଚମ୍ପା

-

(ଅତ୍ୟନ୍ତ ଭୀତା ହେବାକୁ ଲାଗିଲା)

କୃଷ୍ଣା

-

ନା’ ମ, ଚାଲ ଯିବେ- (ଯିବାକୁ ଉଦ୍ୟତ ହୋଇ ହଠାତ୍‌ ଗୋଟିଏ ଛବି ନିକଟକୁ ଦୌଡ଼ି ଯାଇ) ବେଶ୍‌ ଛବିଟିଏ, ନା, ଚମ୍ପା-

ଚମ୍ପା

-

(ସ୍ୱଗତ) ଏଁ-ଏଁ କଣ ? କଥା ନେବାର ଫିକର ନା କ’ଣ ? ଅବିଳମ୍ବେ - ଏହିକ୍ଷଣି - ସାବଧାନ କରିଦେବା ଉଚିତ ନୁହେଁକି ?-କ’ଣ କରେଁ- (ପ୍ରକାଶ୍ୟେ) ଜେମାଦେଈ । ୟାଠୁ କେତେ ଭଲ ଭଲ ଛବି ଅଛି- ଦେଖୁଥାଅ କି-

କୃଷ୍ଣା

-

(ଚମ୍ପାର ଯିବାର ଅଭିପ୍ରାୟ ବୁଝିପାରି ସାନନ୍ଦେ) ସତେ ? ସତେ ?-

ଚମ୍ପା

-

ଦେଖିନିଅ- ପରଖ କରିନିଅ- ମୋ’ କଥା ସତ କି ମିଛ- ମୁଁ ସତୋଈ କିୁ ମିଛୋଈ ଏହିଥିରୁ -

କୃଷ୍ଣା

-

ପୁଣି ସେହିକଥା, ଚମ୍ପା- ମୁଁ କି କେବେ ହେଲେ ତୋତେ ଅପତିଆରା କରିଛି- କହିଲୁ, କେଉଁଦିନ ଭଲା-

ଚମ୍ପା

-

ସତ, ସତ କହୁଛତ, ଜୋମ- (ମାତ୍ର କୃଷ୍ଣାର ନିମ୍ପୋକ୍ତ ଭାବରେ ଶଙ୍କାନ୍ୱିତା ହେବାକୁ ଲାଗିଲା)

କୃଷ୍ଣା

-

(ଛବି ଦେଖୁଥିଲାବେଳେ ଚମ୍ପା ଗଲା କି ନାହିଁ, ଚୋରେଇ ଚୋରେଇ ଚାହୁଁଥିଲେ- ହଠାତ୍‌ କେତୋଟି ଚିତ୍ରପଟ ଦେଖି) ଏ’ ସୁବର୍ଣ୍ଣକେଶରୀଙ୍କ- ଏ’ ଚୋରଗଙ୍ଗଙ୍କ- ଏ’ ନନ୍ଦିକାର - (ସେହି ଭାବରେ ମୁକୁନ୍ଦ ସହିତ ବୋଧହୁଏ ନିଜକୁ ଚିନ୍ତାକରି ନେଇ) ଓଃ, ଅଭାଗିନୀ ପ୍ରତ୍ୟାଖ୍ୟାତା- (ଦୀର୍ଘନିଃଶ୍ୱାସ ଛାଡ଼ି, ପୁଣି ଅନ୍ୟାନ୍ୟ ଚିତ୍ର ଦେଖିବାକୁ ଲାଗିଲେ, କିନ୍ତୁ ମନଟା ଅସ୍ଥିର ହୋଇ ଉଠିଥିଲା)

ଚମ୍ପା

-

(ସ୍ୱଗତ) ନା, ନା- ମୁଁ ଏ’ପରିଭାବେ ଛାଡ଼ିଗଲେ ଆହୁରି ସନ୍ଦେହ ହୋଇପାରେ- ମୋ’ ଉପରେ- (ପ୍ରକାଶ୍ୟେ) କିଛି ଡର ନାହିଁ, ଜେମାଦେଈ- କେହି ଭିତରକୁ ଆସିବେ ନାହିଁ -ମୁଁ ବି ଯାଉ ନାହିଁ ।

କୃଷ୍ଣା

-

(ଏହି ‘ନାହିଁ’ ଶବ୍ଦ ଶୁଣିଚନ୍ତିକି ନାହିଁ) ଯା, ଯା -ସେନାପତିଙ୍କୁ କହି ଏକାବେଳକେ ସାବଧାନ କରି ଦେଇ ଆ-ଭିତରକୁ ଯେପରି କେହି- (କହୁ କହୁ ସଂକୁଚିତା ହେଉଥିଲେ ପରା)

ଚମ୍ପା

-

(ଏହିପରି ଉକ୍ତିରେ ବିସ୍ମୟାଭିଭୂତା ହେଉଥିଲା)

କୃଷ୍ଣା

-

ଆଉ କିଛି ନୁହେଁ ମ- ବୁଝିଲୁ ନା- ‘ସାବଧାନର ବିନାଶ ନାହିଁ-’ (ବେଗେ ପ୍ରସ୍ଥାନ)

କୃଷ୍ଣା

-

(ଲକ୍ଷ୍ୟବସ୍ତୁ ନିକଟକୁ ଦୌଡ଼ି ଯାଇ) ଏହି ତରବାରୀ ।-ସେହି ବୀରଙ୍କର । -ନାମ ଯେ ଖୋଳା ଅଛି । -ଭୁଲରେ ଛାଡ଼ି ଯାଇଚନ୍ତି, ନା ପ୍ରେମର ନିଦର୍ଶନ ରଖିଯାଇଚନ୍ତି ?

 

 

 

(ବକ୍ଷରେ ଧାରଣ କରି ଚୁମ୍ବନ କଲାବେଳେ ମୁକୁନ୍ଦର ବେଗେ ପ୍ରବେଶ ଓ ଜେମାଦେଈଙ୍କୁ ଦେଖି ପ୍ରସ୍ଥାନ କରୁ କରୁ ପୁଣି ଫେରି ଚାହିଁଲେ; କୃଷ୍ଣା ମୁଗ୍ଧନୟନରେ ଚାହିଁଥିଲେ ଯନ୍ତ୍ରଚାଳିତା ପରି ତରବାରୀଟି ମୁକୁନ୍ଦଆଡ଼େ ଉତ୍ତୋଳିତ କରି ଦେଲେ । ମୁକୁନ୍ଦ ଧୀରେ ଧୀରେ ଆସନ୍ତେ, କୃଷ୍ଣା ଲଜ୍ଜାରେ ଅନ୍ୟ ଆଡ଼େ ଚାହିଁଲେ । ମୁକୁନ୍ଦ କମ୍ପିତ କଲେବରରେ ଜାନୁପାତପୂର୍ବକ ତରବାରୀର ମୁଠା ଧାରଣ କଲେ, ହଠାତ୍‌କି ଗୋଟାଏ ଧକ୍କାରେ ତରବାରୀଟି କେବଳ ଘେନି ଚାଲିଗଲେ; ଖୋଳଟି ଜେମାଦେଈଙ୍କ ହାତରେ ରହିଗଲା ପରେ କୃଷ୍ଣା ଚମକି ଉଠିଲେ ।)

 

 

 

କୃଷ୍ଣା

-

ଏଁ, ଏଁ- କ’ଣ କଲି- ଛାଡ଼ି ଦେଇ ପାରିଲି ନାହିଁ ଯେ- କରୁଛି କ’ଣ ?- କରୁଛି କ’ଣ ?

 

 

(ହଠାତ୍‌ ଚମ୍ପାର ପ୍ରବେଶ)

ଚମ୍ପା

-

ରକ୍ଷୀ ଚାରିଜଣ -

କୃଷ୍ଣା

-

ରକ୍ଷୀ । (ରକ୍ଷୀ ଭୟରେ ଭୀତ ତ୍ରସ୍ତ ଚୋରପରି ଖୋଳଟା ନିକ୍ଷେପ କରି ବେଗେ ପ୍ରସ୍ଥାନ କଲେ ପରା)

ଚମ୍ପା

-

ଝଣ୍‌କରି କ’ଣଟାଏ ପକାଇ ଦେଇ ଗଲେ, ଜେମାଦେଈ ? ଏ’ ଯ, ତରବାରୀର ଖୋଳଟାଏ ! କା’ର କା’ର ନାମ ? (ପଢ଼ି) ମୁକୁନ୍ଦ-

 

(କହୁ କହୁ ବିସ୍ପାରିତ ନେତ୍ରରେ କିଛିକ୍ଷଣ ଚାହିଁ) ହାଃ -ହାଃ- ହାଃ(ଭୀଷଣ ଭାବରେ ହସି ଉଠିଲା)

 

-ଯବନିକା-

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

 

-ରାଜୋପବନ ସମ୍ମୁଖସ୍ଥ ଅପରିସର ରାସ୍ତା-

[ଗୋଟିଏ ଉନ୍ମାଦିନୀର ଗୀତ ଗାଇ ଗାଇ ପ୍ରବେଶ]

 

ଗୀତ

ମୁହିଁ ଉନ୍ମାଦିନୀ- ମୋ’ର ନାମ ଉନ୍ମାଦିନୀ ।

ସାଗରେ ସରିତ ପରା ଧାଏଁ ଉନ୍ମାଦିନୀ ।

ଲଙ୍ଘି ପାହାଡ଼ ପର୍ବତ            ଅବିରାମ ଧାଏଁ ସ୍ରୋତ-

ନାହିଁ ତରଙ୍ଗ ସଙ୍କୁଳ            ନାହିଁ ଉଚ୍ଛାସ କଲ୍ଲୋଳ-

ତଥାପି ମୁଁ ତରଙ୍ଗିନୀ-

କଲ୍ଲୋଳିନୀ-ଉନ୍ମାଦିନୀ ।।

 

 

 

[ମୁକୁନ୍ଦ ଅତି ସାବଧାନ ହୋଇ ଗୋପନେ ଗୋପନେ ପ୍ରବେଶ କରୁଥିଲେ]

ଉନ୍ମାଦିନୀ

-

ଫେରି- ଫେର-

ମୁକୁନ୍ଦ

-

(ହଠାତ୍‌ଚମକି ଠିଆ ହେଲେ)

ଉନ୍ମାଦିନୀ

-

ଉନ୍ମାଦିନୀ- ଉନ୍ମାଦିନୀ ମୁଁ - ହିଃ- ହିଃ- ହିଃ (ଦ୍ରୁତ ପ୍ରସ୍ଥାନ କଲା)

ମୁକୁନ୍ଦ

-

କିଏ ଏହି ଉନ୍ମାଦିନୀ । -ଠିକ୍‌ କହିଚି-ଫେରିଯାଏଁ -ଫେରିଯାଏଁ- ମହାରାଜଙ୍କୁ ସମସ୍ତ ଖୋଲି କହିବି- ସତ୍ୟ କହିବି- କର୍ତ୍ତବ୍ୟ କରିବି- ଖୋଳଟା ମଧ୍ୟ ସହଜେ ଫେରି ପାଇବି- କିନ୍ତୁ, ଏଥିରେ ଯେ ଜେମାଦେଈଙ୍କ ମର୍ଯ୍ୟାଦା ନଷ୍ଟ-ମର୍ଯ୍ୟାଦା- ରାଜ-ମର୍ଯ୍ୟାଦା-ଏହି କୃତ୍ରିମ ମର୍ଯ୍ୟାଦା କ୍ଷତି ଭୟରେ ସତ୍ୟର ନଗ୍ନସୌନ୍ଦର୍ଯ୍ୟ ମୋତେ ଆଜି ଆପାଦମସ୍ତକ ଆବୃତ କରି, କଦର୍ଯ୍ୟ କରିବାକୁ ପଡ଼ିଚି ସିନା- ମିଥ୍ୟା ପ୍ରବଞ୍ଚନାର ଅସାର ହାସ୍ୟ-ଲାସ୍ୟରେ ଆପଣାକୁ ଆଜି ଜଗତ୍‌ସଙ୍ଗେ ଭସାଇ ଦେବାକୁ ପଡ଼ିଚି ସିନା ।-

ଉନ୍ମାଦିନୀ

-

(ନେପଥ୍ୟେ, ଅତିଦୂରେ) ଆଉ ବିଳମ୍ବ ନୁହେଁ- ଫେର- ଫେର-

ମୁକୁନ୍ଦ

-

ସେହି, ସେହି ଉନ୍ମାଦନୀ- ନା, ନା ଏ’ଯେ ହୃଦୟର କେଉଁ ଗଭୀରତମ ପ୍ରଦେଶର ପ୍ରତିଧ୍ୱନି- ଫେରି ଯାଏଁ- ଫେରିଯାଏଁ- ଆତ୍ମ-ମର୍ଯ୍ୟାଦା-ସତ୍ୟର ମର୍ଯ୍ୟାଦା-

ଚମ୍ପା

-

(ନେପଥ୍ୟେ) ରକ୍ଷା କରିବ- ଫେରିଯାଇ- ହାଃ-ହାଃ-ହାଃ-

 

 

[ଚମ୍ପାର ଏହିପରି ଅଟ୍ଟାହାସ୍ୟ କରୁ କରୁ ପ୍ରବେଶ]

ମୁକୁନ୍ଦ

-

(ପ୍ରଥମେ ଚମକି ଉଠିଲେ) କିଏ ?-କିଏ ? (ସଭୟେ ଚାହିଁଲେ)

ଚମ୍ପା

-

(ବ୍ୟଙ୍ଗଭାବେ) ଚିହ୍ନିକି- (ଆଉ କ’ଣ କହି ଥା’ନ୍ତା, ମାତ୍ର ମୁକୁନ୍ଦର ଦର୍ଶନରେ କିପରି କାମୋନ୍ମତ୍ତା ହୋଇ ଯେମନ୍ତ ମିନତିଭାବେ କହିଲା) ମୁକୁନ୍ଦ । ମୁକୁନ୍ଦ ।

ମୁକୁନ୍ଦ

-

(ଅବଜ୍ଞାଭରେ) ପୁଣି -ପୁଣି ତୁ ସୟତାନୀ-

ଚମ୍ପା

-

ସୟତାନୀ ମୁଁ ହୋଇ ନାହିଁ; ମୁକୁନ୍ଦ- ସୟତାନୀ ମୋତେ କରାଅ ନାହିଁ, ପ୍ରିୟା- (ଚରଣ ଧାରଣ କଲା)

ମୁକୁନ୍ଦ

-

ରାକ୍ଷସୀ- । (ଦୂରେ ନିକ୍ଷେପ କରି ପଳାୟନ କଲେ)

ଚମ୍ପା

-

ରାକ୍ଷସୀ । ହାଃ-ହାଃ-ହାଃ -ସେହି ରାକ୍ଷସୀ ଯେ ଆଜି ପାଇଛି କବଳେ- ମୁକୁନ୍ଦ । ମୁକୁନ୍ଦ । ଶୁଣିଯାଅ-ଶୁଣିଯାଅ- (ଉଚ୍ଚୈସ୍ୱରେ) ବିପଦର କଥା ଥରେ- ଥରେ- (ସ୍ୱଗତ) ଫେରିଚି- (ପ୍ରକାଶ୍ୟେ, ଅତି କାତରଭାବେ ଭାରା ବିପଦ । (ଭାରୀ ବିପଦ ।-

 

 

[ମୁକୁନ୍ଦର ବେଗେ ପୁନଃ ପ୍ରବେଶ]

ମୁକୁନ୍ଦ

-

କି ବିପଦ ? (ଚମ୍ପାକୁ ନିରୀକ୍ଷଣ କଲେ)

ଚମ୍ପା

-

ବିପଦ ବୋଲି ପବିଦ ।

ମୁକୁନ୍ଦ

-

କାହିଁ ? କ’ଣ ହୋଇଚି ?- କା’ର ?-

ଚମ୍ପା

-

ଯା’ର ଅନ୍ନ ଖାଉଚ- ଯା’ର ରକ୍ଷକ ବୋଲି ଗର୍ବକରୁଚ-

ମୁକୁନ୍ଦ

-

ମୁକୁନ୍ଦ ଥାଉ ଥାଉ ପ୍ରଭୁର ବିପଦ ।

ଚମ୍ପା

-

ପ୍ରଭୁ ନୁହେଁ- ପ୍ରଭୁ ନୁହେଁ - ପ୍ରଭୁ- କନ୍ୟାର-

ମୁକୁନ୍ଦ

-

ପ୍ରଭୁ-କନ୍ୟାର -।

ଚମ୍ପା

-

ହଁ -ହଁ ଜେମାଦେଈଙ୍କର-

ମୁକୁନ୍ଦ

-

ଜେମାଦେଈଙ୍କର- କି ବିପଦ ?- କେଉଁଠି ? କିଏ ଘଟାଇଚି- ?

ଚମ୍ପା

-

(କେବଳ ହସିବାକୁ ଲାଗିଲା)

ମୁକୁନ୍ଦ

-

କୁହ, କୁହ, -ଚରଣ ଧରୁଚି (ଚରଣ ଧାରଣ)

ଚମ୍ପା

-

ପୁଣି କାମାତୁରା ହୋଇ) ପ୍ରିୟତମ । ପ୍ରିୟ- ।

ମୁକୁନ୍ଦ

-

ସୟତାନୀ -ଓଃ ପ୍ରଭୁ-କନ୍ୟାର ବିପଦ । ଜେମାଦେଈଙ୍କ ବିପଦ । -କିଏ ସେ ବିପଦକାରୀ । (-ଉନ୍ମତ୍ତଭାବେ ପ୍ରସ୍ଥେନୋଦ୍ୟତ ହେଲେ)

ଚମ୍ପା

-

(ଉଚ୍ଚୈସ୍ୱରରେ) ଏହି ଯେ ସମ୍ମୁଖରେ-

ମୁକୁନ୍ଦ

-

(ଫେରି ପଡ଼ି) କାହିଁ- କାହିଁ ?

ଚମ୍ପା

-

(ମୁକୁନ୍ଦଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି)- ହାଃ- ହାଃ- ହାଃ

ମୁକୁନ୍ଦ

-

ପରିହାସ । ପିଶାଚୀ- (କ୍ରୋଧ ଓ ଘୃଣାବ୍ୟଞ୍ଜକ ଦୃଷ୍ଟିରେ ଚାହିଁ ଆସି ନିଷ୍କାସିତ କରିବାକୁ ଉଦ୍ୟତ ହେଲେ)

ଚମ୍ପା

-

ଖୋଳଟା କିନ୍ତୁ-

ମୁକୁନ୍ଦ

-

(ହଠାତ୍‌ ରହିଗଲେ)

ଚମ୍ପା

-

କି ‘ହସ’ ଏଥର ? (ଉଚ୍ଚ ହାସ୍ୟରେ ଗଗନ ବିଦୀର୍ଣ୍ଣ କରିଦେଲା)

ମୁକୁନ୍ଦ

-

ଭଉଣି ! ଭଉଣି ! -କାହିଁ ସେ ଖୋଳ ଦିଅ, ଦିଅ, ମର୍ଯ୍ୟାଦା ରକ୍ଷାକର- ରାଜାଜେମାଙ୍କ ମର୍ଯ୍ୟାଦା ରକ୍ଷାକର- ତୁମେ ଠିକ୍‌ କହିଚ, ଭଉଣି -‘ଭାରୀ ବିପଦ’ -ପ୍ରଭୁ -କନ୍ୟାଙ୍କର ‘ଭାରୀ ବିପଦ’ -ଜେମାଦେଈଙ୍କର ଭାରୀ ବିପଦ । -ଆଉ, ସେହି ବିପଦକାରୀ, ମୁହିଁ- ମୁହିଁ ନିଜେ- ଏହି ଅଧମ -।

ଚମ୍ପା

-

ବେଶ୍‌, ବୁଝିଚତ ଏଥର- ନମସ୍କାର- ମୋ’ର ତେଣେ ଅନେକ କାମ- (ପ୍ରସ୍ଥାନୋଦ୍ୟତା)

ମୁକୁନ୍ଦ

-

ନା, ନା, ଏ’ ବି ଗୋଟାଏ କାମ -ଏ’ ଯେ ପ୍ରଧାନ କାମ -ସଖୀର କାମ- ଜେମାଦେଈଙ୍କ କାମ- ରାଜାଙ୍କର କାମ- ରକ୍ଷାରକ, ମର୍ଯ୍ୟାଦା ରକ୍ଷାକର- ରାଜ-ମର୍ଯ୍ୟାଦା ରକ୍ଷାକର-ରାଜ ମର୍ଯ୍ୟାଦା -ରାଜ-ମର୍ଯ୍ୟାଦା- ।

ଚମ୍ପା

-

ଏହି ‘ରାକ୍ଷସୀ’, ‘ସୟତାନୀ’ଟାଦ୍ୱାରା ?-

ମୁକୁନ୍ଦ

-

ନା, ନା ଭଉଣି ! ଭଉଣି । (ହାତ ଧରି ପକାଇ) ବର୍ତ୍ତମାନ କର୍ତ୍ତବ୍ୟ -କର୍ତ୍ତବ୍ୟ କର୍ତ୍ତବ୍ୟର ଅନୁରୋଧରେ ସବୁ ଭୁଲି ଯାଅ, ଭଉଣି ।

ଚମ୍ପା

-

ଭୁଲି ଯିବି- ଭୁଲ ଯିବି, ପ୍ରିୟତମ-ତୁମରି ପରଶରେ-ତୁମରି ଆଲିଙ୍ଗନରେ- ତୁମରି ଚୁମ୍ବନରେ । (ଆଲିଙ୍ଗନ କରି ଚୁମ୍ବନ କରିବାକୁ ଯାଉଥିଲା)

ମୁକୁନ୍ଦ

-

ପିଶାଚୀ- । (ପଦଘାତରେ ଦୂରେ ନିକ୍ଷେପ କରି ପ୍ରସ୍ଥାନ କରୁଥିଲେ)

ଚମ୍ପା

-

ପଦାଘାତ ! ଓଃ - ଏ’ ଯେ ପଦାଘାତ’ ପରେ ପଦାଘାତ ।-ନା, ନା, ‘ପ୍ରେମିକ ପ୍ରେମିକା’ର ମିଳନାଘାତ, ଏକା ସଙ୍ଗେ ପରା । -ନାଗୁଣୀର ଅଙ୍ଗେ ।।

ମୁକୁନ୍ଦ

-

(ଫେରି ଆସି) ‘ନାଗୁଣୀ’ । -‘ନାଗୁଣୀ’ । -କରିବ ଦଂଶନ ନିଶ୍ଚେ ରହିଲେ ଜୀବିତ- ତୁହି, ତୁହିଲୋ ସର୍ପିଣୀ- ଅଟୁ ଜେମାଙ୍କର ବିଶ୍ୱସ୍ତ ସଙ୍ଗିନୀ- ଜାଣୁ ତେଣୁ ତାଙ୍କ ଯେତେ ଗୁପ୍ତ କଥା- ଜାଣୁଅଛି ପୁଣି- ପାପବାସନା ସେଦିନ ତୋ’ର -ନ କଲି ମୁଁ ତୃପ୍ତ ବୋଲି- ‘କୁମ୍ଭୀରର ହନ୍ତା’ ପଦେ, ବରିତଟି ସମରେନ୍ଦ୍ର ଆଜି, କୌଶଳେ ତୋହରି- ହାଃ-ହାଃ-ହାଃ - ଆରେ ରେ ପିଶାଚୀ । କୁମ୍ଭୀରର ହନ୍ତା ସିନା ସମରେନ୍ଦ୍ର ତୋ’ର -‘କୁମାରୀର ହନ୍ତା’ ଦେଖି ଯା’ ମୁକୁନ୍ଦ ଏବେ (ଭୀଷଣଭାବ ଧାରଣ କଲେ)

ଚମ୍ପା

-

(ଆତଙ୍କରେ ଶିହରି ଉଠିଲା) ମୁକୁନ୍ଦ - ମୁକୁନ୍ଦ-

ମୁକୁନ୍ଦ

-

ନା, ନା, ବଧିର, ବଧିର ମୁକୁନ୍ଦ- ଶ୍ରବଣେ, ଆଜି ଅବଳାର କାକୁତି-ମିନତି- କର୍ତ୍ତବ୍ୟର କଠିନ ନିର୍ଦ୍ଦେଶ ବଧିବି ପରାଣ ତୋ’ର-ତୁହି, ତୁହି ଅଟୁ ମର୍ଯ୍ୟାଦାର- ରାଜ-ମର୍ଯ୍ୟାସାର ପଥେ କଣ୍ଟକ ବିଶାଳ ।

ଚମ୍ପା

-

ମୁହିଁ- ମୁହିଁ କଣ୍ଟକ ବିଶାଳ ?-(ପ୍ରଥମେ ଭୀତା ହେଉଥିଲା, କିନ୍ତୁ ପରେ ପରେ କଣ ମନେ ପଡ଼ିବାରୁ ଉଲ୍ଲିସିତା ହୋଇ ଉଠିଲା)

ମୁକୁନ୍ଦ

-

ହଁ, ହଁ, ଜୀବିତ କଣ୍ଟକ ତୁହି- ଏହି ଦେଉଛି ଓପାଡ଼ି (କେଶ ଗୁଚ୍ଛ ଧରି ପୁଣି ଆସି ନିଷ୍କୋସିତ କରିବାକୁ ଗଲେ)

ଚମ୍ପା

-

କିନ୍ତୁ ସେହି ଖୋ-ଳ-ଟା- କି-

ମୁକୁନ୍ଦ

-

‘ଖେଳ’ - ‘ଖୋଳ’ -(ଛାଡ଼ି ଦେଲେ)

ଚମ୍ପା

-

ହାଃ, ହାଃ, ହାଃ, ପ୍ରକୃତରେ କଣ୍ଟକ-ବିଶାଳ- ଖୋଳରୂପେ ନୁହେଁ କି ଜୀବିତ -?

 

 

[ମୁକୁନ୍ଦ ମନ୍ତ୍ରମୁଗ୍ଧବତ୍‌ ନିଶ୍ଚଳ ହୋଇଗଲେ]

ଚମ୍ପା

-

ଭାବୁଛ ଆଉ କ’ଣ ବୀରବର ?- ହତ୍ୟା କର- ଏହି ନିଅ ଅସି, ନିଜେ ମୁହିଁ ବାହାର କରି ଦେଉଛି (ଅସି ବାହାର କରି ଦେଲା)

ମୁକୁନ୍ଦ

-

ଦିଅ ଦିଅ ଆସି ସେହି, ଆମୂଳ ପ୍ରବେଶି ବକ୍ଷଦେଶେ ମୋ’ର ।(ବକ୍ଷଦେଶ ଦେଖାଇଲେ)

ଚମ୍ପା

-

ହାଃ ହାଃ ହାଃ - ଦେବି ଏତେ ସହଜରେ, ଏତେ କଷ୍ଟେ ଉପାର୍ଜିତ ଯେ ମହା ସଂପଦ ।

ମୁକୁନ୍ଦ

-

ହତ୍ୟା- ହତ୍ୟା - ପ୍ରାଣତ୍ୟାଗ ଏକମାତ୍ର ଆକାଙ୍‌କ୍ଷା ମୋହର -। (ମିନତିପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ)

ଚମ୍ପା

-

(ଅର୍ଦ୍ଧସ୍ୱଗତ) ଦେବି, ଦେବି, ସେହିହତ୍ୟା- ନୁହେଁ ନିଜ ହାତେ- ପଦାଘାତର ପ୍ରତିଶୋଧ ନେବି, ନେବି- ନୁହେଁ ନିଜ ପଦାଘତେ । ପ୍ରେମ ଯା’ର ଉନ୍ମାଦ ଅଧୁନା- ଯା’ର ହେତୁ ଉପେକ୍ଷିତ ଉପଯାଚିତ ଅଙ୍ଗମୋର ତା’ରି ପଦାଘାତେ- ତା’ରି କରେ ଦିଆଇବି ମରଣୁ ଅଧିକ ! ପରିଶେଷେ ପ୍ରେମିକ-ପ୍ରେମିକା, ରାଜଦଣ୍ଡେ ଯେବେ ଭଜିବେ ମିଳନ- ଗାଇବି ମିଳନ-ଗୀତି ନାଚି ଧେଇ ଧେଇ- ଅଟ୍ଟାହାସେ ଥର ଥର ଥରାଇ ମେଦିନୀ ।

ମୁକୁନ୍ଦ

-

କିବା ପଞ୍ଚ ଆନ- ନ କର, ନ କର, ବିଳମ୍ବ -

ଚମ୍ପା

-

ଦେଖୁଚତ, ବୀର- ଚମ୍ପା କଣ୍ଟକ କିପରି ସେହି ଖାପଟା ସଙ୍ଗେ ଏକାବେଳକେ ଖାପି ରହିଚି ।

ମୁକୁନ୍ଦ

-

ଅସହ୍ୟ ଅସହ୍ୟ ବ୍ୟଙ୍ଗ ଏହି- ଦିଅ ଦିଅ - ନତୁବା ଆପଣାହସ୍ତେ -

ଚମ୍ପା

-

(ନିରସ୍ତ କରାଇ) ଛି, ବୀର- ଏପରି ଆତ୍ମହତ୍ୟା କି ବୀର ପକ୍ଷେ-

ମୁକୁନ୍ଦ

-

ଖୁବ୍‌, ଖୁବ୍‌ଶୋଭନୀୟ, ଆର୍ଯ୍ୟେ ! ମର୍ଯ୍ୟାଦାର ନାଶଠାରୁ- (ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ)

ଚମ୍ପା

-

ଆଃ, ସେହି ମର୍ଯ୍ୟାଦାର ରକ୍ଷା ପାଇଁତ ମୁଁ ଏତେ ହରବର-

ମୁକୁନ୍ଦ

-

କ’ଣ - କ’ଣ କହିଲ, ଆର୍ଯ୍ୟ ! ମୁଁ ଯେ- କିଛି ବୁଝି ପାରୁ ନାହିଁ ।

ଚମ୍ପା

-

ବୁଝିବ ପରେ, ଆଗେ ଆସିଲ-

ମୁକୁନ୍ଦ

-

(ବୋକାପରି ଚାହିଁ ରହିଲେ)

ଚମ୍ପା

-

କେଉଁଠାକୁ ? ଯେଉଁଠାରେ ସୁନ୍ଦରୀ ସଖି ମୋ’ର (ଟିକିଏ ଇଙ୍ଗିତ କରି) ତୁମର ପଥକୁ ଅନାଇ-

ମୁକୁନ୍ଦ

-

(କେଉଁ ଆକର୍ଷଣରେ ପଦେ ଅଗ୍ରସର ହେଲେ)

ଚମ୍ପା

-

ଆସ, ଆସ, ବେଗେ-

ମୁକୁନ୍ଦ

-

ନା, ନା-କ୍ଷମା କର- କ୍ଷମା କର (ଭୟରେ କମ୍ପିଲେ)

ଚମ୍ପା

-

ସଖୀ ମୋ’ରି ତା’ହେଲେ ବିପଦଟାକୁ ଆଲିଙ୍ଗନ କରି-

ମୁକୁନ୍ଦ

-

(ଚମକି) କିନ୍ତୁ ମର୍ଯ୍ୟାଦାକୁ ଯେ ଡେଇଁ ପାରିବି ନାହିଁ, ଆର୍ଯ୍ୟେ -କର୍ତ୍ତବ୍ୟର ତାଡ଼ନାରେ ସୁଦ୍ଧା ନୁହେଁ- ସତ୍ୟର ଅବମାନନାରେ ମଧ୍ୟ ନୁହେଁ । -ଯେଣୁ ପ୍ରତିପତ୍ତ ତା’ର ଅଧିପତ୍ୟ ତା’ର ଏତେବେଶି- ଏତେଉଚ୍ଚ - ଲୋକ ଚକ୍ଷୁରେ- ସମାଜ ଚକ୍ଷୁରେ-ସମଗ୍ର ବିଶ୍ୱ ଚକ୍ଷୁରେ ।

ଚମ୍ପା

-

ତେବେ ତୁମେ ତୁମର ମର୍ଯ୍ୟାଦାକୁ ଆଲିଙ୍ଗନ କରି ଥାଅ- ଖୋଳଟାକୁ ଆଲିଙ୍ଗନ କରି ସଖୀ ମୋର-

ମୁକୁନ୍ଦ

-

ଖୋଳ ! ଖୋଳ ! ମହାବିପଦ । ଚାଲ, ଚାଲ, ଯଥାଇଚ୍ଛା, ବେଗେ ଘେନି ଚାଲ-

ଚମ୍ପା

-

ଆସ, ଆସ ବୀର ଏଣେ, ବେଗେ ।

 

 

[ଉଭୟେ ପ୍ରସ୍ଥାନ କଲେ ଓ ବିପରୀତ ଦିଗରୁ ସମରେନ୍ଦ୍ରର ପ୍ରବେଶ]

ସମରେନ୍ଦ୍ର

-

ହାଃ ହାଃ ହାଃ - ମୂଷା ଏଥର ଠିକ୍‌ ଯନ୍ତାରେ ପଡ଼ିଛି- ସେନାପତି ସାଆନ୍ତେ-

 

 

[ଅନନ୍ତର ଗମ୍ଭୀରଭାବେ ପ୍ରବେଶ]

ସମରେନ୍ଦ୍ର

-

ଆଃ, ଏତେ ପଛେଇ ପଡ଼ୁଛନ୍ତି କାହିଁକି ?

ଅନନ୍ତ

-

ପଛେଇ ପଡ଼ିଲେହେଁ ମଙ୍ଗଳ, ସମରେନ୍ଦ୍ର ।

ସମରେନ୍ଦ୍ର

-

ତୁମର ସିନେ ଦଶଟା ମୁଣ୍ଡ- ମୋ’ର ବାବା ଗୋଟିଏ -

ଅନନ୍ତ

-

ବର୍ତ୍ତମାନ ସୁଦ୍ଧା ସମୟ ଅଛି-

ସମରେନ୍ଦ୍ର

-

ଚୁଚୁନ୍ଦ୍ରା ଗିଳିସାରି-

ଅନନ୍ତ

-

ଫେରାଇ ଆଣିଲେ ହୁଅନ୍ତା ନାହିଁ-(ପ୍ରସ୍ଥାନୋଦ୍ୟତ)

ସମରେନ୍ଦ୍ର

-

‘ହାଣ କୁରାଢ଼ି ବେକକୁ ଆଣ’ ସିନା- ଅନନ୍ତ- ସେପରି ସରଳ ସତ୍ୟବାଦୀ, ନିର୍ଭୀକ, ବୀରପୁରୁଷ-

ସମରେନ୍ଦ୍ର

-

ଏ’ ସୁର ବଦଳିଲା କେଉଦିନୁ, ସେନାପତେ ?

ଅନନ୍ତ

-

ନୀରବରେ ଯେଉଁଦିନୁ ମିଥ୍ୟାର ନିର୍ଯ୍ୟାତନା, ସତ୍ୟକୁ ସାନନ୍ଦେ ସହ୍ୟ କରିବାକୁ ଦେଖିଚି- ସମରେନ୍ଦ୍ର । ସମରେନ୍ଦ୍ର । ବର୍ତ୍ତମାନ ସୁଦ୍ଧା ସମୟ ଅଛି, ନିବୃତ୍ତ ହୁଅ - ମିଥ୍ୟା ଉପରେ ଯେଉଁ ସୌଧ ଆଜି ପ୍ରତିଷ୍ଠିତ- ସତ୍ୟରେ ତାହା ଦୃଢ଼ୀଭୂତ ହେବାକୁ ଦିଅ-

ସମରେନ୍ଦ୍ର

-

ସେନାପତେ । ଏ’ପରି ଅସମ୍ଭବ କଥା କିପରି ସମ୍ଭବ କରାଉଛନ୍ତି- ତେଲରେ ତେଲ ମିଶେ ସିନା- ପାଣିରେ କି-

ଅନନ୍ତ

-

ସମରେନ୍ଦ୍ର ।

ସମରେନ୍ଦ୍ର

-

ଭାବି ଦେଖନ୍ତୁ, ସେନାପତେ । ଆମର ଉନ୍ନତି ବାଟରେ ଏ’ ଗୋଟିଏ କାଳିଆ ଗୋଖୁର ସାପ ନୁହେଁ କି?

ଅନନ୍ତ

-

ସତ୍ୟ, କିନ୍ତୁ ବିଷହୀନ - ବିଷଥିଲେ ମଧ୍ୟ, ଆଘାତ ନ କଲେ କଦାପି ସେ-

ସମରେନ୍ଦ୍ର

-

ମାତ୍ର ଏ’ ଯେ ମଣିଷର ପ୍ରକୃତ । କେତେବେଳେ କ’ଣ- ନିଶ୍ଚିନ୍ତ ହେବା କି-

ଅନନ୍ତ

-

ଠିକ୍‌ଠିକ୍‌କହିଚ ସମରେନ୍ଦ୍ର- ସର୍ପଠାରୁ ମଧ୍ୟ ଭୟଙ୍କର- ବିନା ଆଘାତରେ ସୁଦ୍ଧା- ଓଃ- ନିଜ ପ୍ରକୃତିରୁ ଯେ ନିଜେ ମୁଁ ଅନୁଭବ କରି ଦେଖି ପାରୁଚ- ଉପାୟ ? ଉପାୟ ?-

ସମରେନ୍ଦ୍ର

-

(ହସି) ଉପାୟତ ମୁଁ କରି ରଖିଚ- ଏକାବେଳକେ ରୋଗର ଶେଷ-

ଅନନ୍ତ

-

ଶେଷ୍‌ ଶେଷ୍‍- ବେଶ୍‌ କରିଛି, ସମରେନ୍ଦ୍ର ସମରେନ୍ଦ୍ର - ତା’ପର ସାଧୁ ହୁଅ - ୠଷି ହୁଅ- ଯୋଗୀ ହୁଅ- ଯା’ ଇଚ୍ଛା-

ଅନନ୍ତ

-

ସମରେନ୍ଦ୍ର - ସମରେନ୍ଦ୍ର - କି ଦେବି ମୁଁ ତୁମ୍ଭଙ୍କୁ-

ସମରେନ୍ଦ୍ର

-

ଦେବ - ଦେବ ବ୍ୟସ୍ତ କାହିଁକି- ସେ ପର କଥା- ଆସ, ଆସ, କାମଟା ଆଗେ-

ଅନନ୍ତ

-

ପାରିବା- ପାରିବାତ, ସମରେନ୍ଦ୍ର ?

 

 

[ଚମ୍ପାର ବେଗେ ପ୍ରବେଶ]

ଚମ୍ପା

-

ନ ପାରଲାଭଳି କାମ କି ଏ’ ସଂସାରରେ ଅଛି ?

ଅନନ୍ତ

-

କିଏ ? କିଏ ? ତୁ ? ତୁ ଏଥିମଧ୍ୟରେ ?- ତେବେ, ତେବେ, ଅସମ୍ଭବ ମଧ୍ୟ ସମ୍ଭବ ନିଶ୍ଚୟ । (ବେଗେ ପ୍ରସ୍ଥାନ)

ସମରେନ୍ଦ୍ର

-

ସବୁ ଠିକ୍‌ତ-

ଚମ୍ପା

-

ପଚାରୁଚ ପୁଣି ?

ସମରେନ୍ଦ୍ର

-

ଚାଲ ଚାଲ ତେବେ, କେଉଁଠି କ’ଣ- (ପ୍ରସ୍ଥାନୋଦ୍ୟତ)

ଚମ୍ପା

-

(ଅଭିମାନଭରେ ଯେହ୍ନେ ଠିଆ ହେଲା)

ସମରେନ୍ଦ୍ର

-

କି, ଠିଆ ହେଲୁ ଯେ ?

ଚମ୍ପା

-

ମୋତେ ଭସାଇ ଦେବ ନାହିଁତ ? (ଏଣେ କିନ୍ତୁ ମୃଦୁ ମୃଦୁ ହସୁଥିଲା)

ସମରେନ୍ଦ୍ର

-

ଆହା । ତୋର ଏପରୀ ରୂପକୁ, ଯୌବନକୁ -

 

 

[ଚମ୍ପା ଯେହ୍ନେ ଭାରି ଉଲ୍ଲସିତା ହୋଇ ଉଠିଲା]

ଚମ୍ପା

-

ଆଉ ଗୁଣକୁ- ? କହିଲି ଭଲା, ମୋ’ ପରି ଆଉ ଜଣେ କେହି ଅଛି ନା- ସେହି କୁମ୍ଭୀର କଥାଟାରୁ ପରଖ କରି ନିଅନା ? -ଯାହାଯୋଗୁଁ ତୁମର ଆଜି ଏତେ ଉନ୍ନତି ।-

ସମରେନ୍ଦ୍ର

-

ଆଉ ସେ କଥା କାହିଁକି ? ସ୍ତ୍ରୀର ଚରିତ୍ର ନେଇ ତ ପୁରୁଷର ଭାଗ୍ୟ -?

ଚମ୍ପା

-

(ମୁରୁକି ମୁରୁକି ହସି) ଏପରି ଭାଗ୍ୟ କି ସତେ ମୋ’ର-

ସମରେନ୍ଦ୍ର

-

ହେବ କ’ଣ, ଚମ୍ପା ପ୍ରିୟତମେ- ହୋଇ ସାରିଲାଣି, କହ ?

ଚମ୍ପା

-

ସତେ ? -ସତେ ?

ସମରେନ୍ଦ୍ର

-

ଏଥର ମୁଁ ସେନାପତି ହେବି ଯେତେବେଳେ-

ଚମ୍ପା

-

କ’ଣ କହୁଚ ?

ସମରେନ୍ଦ୍ର

-

ସାତେସାତ୍‌ ଚମ୍ପିକୁ ସେନାପତିଆଣୀ- (ଚୁମ୍ବନ କରିବାକୁ ଗଲା କିନ୍ତୁ ଚମ୍ପା ନିଜକୁ ଛଡ଼ାଇ ନେଲା) ଯା’ମ-

ଚମ୍ପା

-

ଏତେ ଆଶା ତୋ’ର । (ମନେ ମନେ କହୁ କହୁ ବିଦ୍ରୂପହାସ୍ୟରେ ମନୋଭାବ ଆହୁରି ପ୍ରକାଶ କରିବାକୁ ଯାଇ, ନିଜକୁ ସଂଯତ କରିନେଲା) -ଛି, ରାଗିଗଲ କି ? (ସାଉଁଳାଉ ସାଉଁଳାଉ) ବୁଝିଲ ନା- ଜେମାଦେଈ ମନେ କରିଥିଲେ, ମୁଁ ଡରି ମରିବି- କିନ୍ତୁ ଅସ୍ତ୍ରଖଣ୍ଡ ଯେ ମୋ ହାତରେ ରହିଛି, ତା’ ଆଉ ଧନମଣିଙ୍କର ଖିଆଲ ନାହିଁ ।

ସମରେନ୍ଦ୍ର-

-

ରହିବି କିପରି ? ଧନମଣି ଯେ ମୁକୁନ୍ଦା ପ୍ରେମରେ ଏକାବେଳକେ ମଜ୍‌ଗୁଲ୍‌

ଚମ୍ପା

-

(ଈର୍ଷାରେ ଯେହ୍ନେ ଜଳିଉଠି) ଓଃ- କି ଦିମାକ୍‌ଚମ୍ପା ବୋଲି ଯାହା ସଙ୍ଗେ ପାଣି ଚଳୁ ନ ଥିଲା- ମିଛୋଇ, ବଦମାସ୍‌ ବୋଲି ଗୋଇଠାମାରି -ଓଃ- କା’ ଲାଗି-

 

 

(ମୁକୁନ୍ଦର କଥା ଓ ପଦାଘାତ ମନେ ପଡ଼ି ଯିବାରୁ ନିଜ ଅଙ୍ଗକୁ ଚାହିଁ ଫୁଲି ଫୁଲି ଉଠୁଥିଲା)

ସମରେନ୍ଦ୍ର

-

ଏକାବେଳକେ ନଅର ମନା କରିଦେଲେ -ହାୟ ! ମୋ ସକାଶେ ତୋତେ କେତେ କଷ୍ଟ ସହିବାକୁ ନ ପଡ଼ୁଚିଟି- (ଉଆଁସି ଦେଉ ଦେଉ) ଆଚ୍ଛା, ଜେମାଦେଈତ ରାଜାଙ୍କୁ ସତ ଘଟଣାଟା-

ଚମ୍ପା

-

(ଦୀର୍ଘନିଃଶ୍ୱାସ ତ୍ୟାଗ ପୂର୍ବକ ବିଦ୍ରୂପାତ୍ମକ ହାସ୍ୟ କଲେ) ହଁ, କହିଲେ ଖାଲି ହେଲା- ପ୍ରଣାମ କରି ପାରିଲେତ?

ସମରେନ୍ଦ୍ର

-

ମାତ୍ର ସେଦିନ ମୁକୁନ୍ଦା ଯେମିତିକା ସତକଥାଟା କହି ପକାଇଥିଲା- ଭାଗ୍ୟକୁ ଅନନ୍ତ ସିଂହ ନ ଥିଲେ-

ଚମ୍ପା

-

ଆଚ୍ଛା, ଅନନ୍ତ ସିଂହକୁ ଆଜିକାଲି ଏମିତିକା ଛାଡ଼୍‌ଛାଡ଼୍‌ମାଡ଼୍‌ମାଡ଼୍‌ଦେଖୁଚି କାହିଁକି ?

ସମରେନ୍ଦ୍ର

-

ତାଙ୍କର ମୁଣ୍ଡ କ’ଣ ଆଉ ମୁଣ୍ଡ ହୋଇ ଅଛି ? ଯେଉଁ ବୋଝ ମୁଣ୍ଡ ଉପରେ ଲଦା ହେଲାଣି -ମୋ ମୁଣ୍ଡରେ କ’ଣ କମ୍‌ତି କି ?- ଏ ସବୁ ଫନ୍ଦି ଫିକରକୁ ସମୟ ମିଳୁଥାନ୍ତ ନା, ସେ ଚଳାଇ ନେଉ ଥିଲେ ? ଭାଗ୍ୟେ, ମହାରାଜ ସେହିପରି ଗୋଟାଏ ହୁକୁମ କରି ଦେଇଥିଲେ ବୋଲି ସିନା ।

ଚମ୍ପା

-

କିନ୍ତୁ ଅନନ୍ତସଂହ ଏମିତିକା ଢିଲା ହେଲେ ତ ସବୁ ମୁଷ୍କିଲ । (କ’ଣ ଭାବିବାକୁ ଲାଗିଲା)

ସମରେନ୍ଦ୍ର

-

କିଛି ଚିନ୍ତା ନାହିଁ, ଚମ୍ପା- ମୁଁ ଠିକ୍‌ ଆଣ୍ଟି ଦେଇଛି-

ଚମ୍ପା

-

ନା, ନା, ଆହୁରି ଦରକାର- ମୋତେ ପରୀକ୍ଷା କରି ଦେଖିବାକୁ ହେବ । (ଦ୍ରୁତ ପ୍ରସ୍ଥାନ)

ସମରେନ୍ଦ୍ର

-

ବେଶ୍‌ତ- ମାତ୍ର, ଏମିତିକା ଘୋଡ଼ା ଗମନା କାହିଁକି, ଟିକିଏ ବତକ ଗମନା ହୁଅ ।(ପ୍ରସ୍ଥାନ)

 

ଦ୍ୱିତୀୟ ଦୃଶ୍ୟ

Unknown

-କୃଷ୍ଣାର ଶୟନ କକ୍ଷ-

 

[ବେଶ୍‌ସୁସଜ୍ଜିତ । ପଶ୍ଚାତରେ ଗବାକ୍ଷ ମଧ୍ୟ ଦେଇ ଉଦ୍ୟାନ ଦେଖାଯାଉ ଥିଲା- ପ୍ରଭାତୀ- କିରଣବୋଳା ସଖୀଗଣ କିଏ ଏସ୍‌ ରାଜ, କିଏ ବେହେଲା ଧରି ନାନା ଭଙ୍ଗିରେ ଉପବେଶନପୂର୍ବକ ଗୀତ ଗାଉଥିଲେ, ଜଣେ ମଧ୍ୟ ନୃତ୍ୟ କରୁଥିଲା]

ଗୀତ

ଆମେ ଚାଲିବୁ ଭାସି ହସି, ହସି ।

ଢେଉରେ, ଢେଉରେ ଉଠି, ବସି ।।

କନକ ପ୍ରଭାତ କନକ ହିଲ୍ଲୋଳେ

ଖେଳାଏ ତରଙ୍ଗ ପରଶେ ମୃଦୁଳେ;-

 

ଅନିଳ ଚଞ୍ଚଳ ବୋହି ପରିମଳ,

କରେ ଗୋ ଆକୁଳ ଭସାଇ ଦି’କୁଳ;

କେ ସେ ଇଙ୍ଗିତେ ଉଛୁଳାଏ ହସି-

ଛୋଇଁଲେ, ଯାଏତ ଖସି, ଖସି ।

 

ମୁକୁନ୍ଦ

-

କାହିଁ ? ଏଠିବିତ ଜେମାଦେଈଙ୍କୁ ଦେଖୁ ନାହିଁ- ଏମାନଙ୍କୁ ପଚାରିବି କି ? ନା, ନା- ଏ’ ଯେ ଗୋପନୀୟ- କି ମୂର୍ଖ ମୁଁ, ସେହି ସଖୀତ ଏହି ଗୁପ୍ତ କଥା ଜାଣେ- ତା’ରି ଦ୍ୱାରା ଅଣାଇ ନେଇଥିଲେ ତ ସବୁଦିଗ ରକ୍ଷା ହୋଇଥା’ନ୍ତା- ହାୟ । କି ଆବେଗରେ ସିନା- । କାହିଁ ଗଲା ସେ- ‘ଏଠି ଥାଅ’ ବୋଲି କହ ? -କେଉଁଠି ପାଉଛି- ନା, ନା, ତାକୁ ଖୋଜି ସମୟ ନଷ୍ଟ କରିବାଠାରୁ, ଜେମାଦେଈଙ୍କ ସଙ୍ଗେ ବରଂ ଗୋପନରେ - ନା, ନା, ମୁଁ ଫେରି ଯାଏଁ, ଫେରି ଯାଏଁ- ସେହି ସଖିଦ୍ୱାରାହିଁ-

 

 

[ଏହି ସମୟରେ ସୁସଜ୍ଜିତା କୃଷ୍ଣା ବିପରୀତ ଦିଗରୁ ପ୍ରବେଶ କଲେ ଓ ମୁକୁନ୍ଦ ମନ୍ତ୍ରମୁଗ୍ଧବତ୍‌ ଅନାଇ ରହିଲେ]

ସଖୀଗଣ

-

(ଗୀତ ଗାଇବାର ଉଦ୍‌ଯୋଗ କଲେ)

କୃଷ୍ଣା

-

(ଇଙ୍ଗିତରେ ସଖୀମାନଙ୍କୁ ସ୍ଥାନତ୍ୟାଗ କରିବାକୁ ଆଦେଶ କଲେ, ସଖୀମାନେ ନୀରବରେ ନିଜ ନିଜ ଯନ୍ତ୍ରାଦି ଘେନି ଗୋଟାଏ ଦିଗରେ ପ୍ରସ୍ଥାନ କଲେ । କୃଷ୍ଣା ଗୋଟିଏ ସୁସଜ୍ଜିତ ଆସନରେ କିଛି କ୍ଷଣ ବସି, ଦୀର୍ଘ ନିଶ୍ୱାସ ତ୍ୟାଗ କରୁ କରୁ)- ଓଃ କି ବିଶ୍ୱାସଘାତିନୀ ।

ମୁକୁନ୍ଦ

-

(ହଠାତ୍‌ ସ୍ୱପ୍ନୋତ୍‌ଥିତବତ୍‌) ନା, ନା, ବିଶ୍ୱାସଘାତିନୀ ନୁହେଁ, ଜେମା- (କୃଷ୍ଣା ନିକଟକୁ ଧାଇଁ ଆସିଲେ)

କୃଷ୍ଣା

-

କିଏ ? କିଏ ? (ଆତଙ୍କରେ ଶିହରି-ଉଠି ପଛକୁ ଘୁଞ୍ଚିଗଲେ)

ମୁକୁନ୍ଦ

-

ଭୟର କାରଣ ନାହିଁ, ଯେମାଦେଈ- ମୁଁ- (ସ୍ୱଗତ) ଓଃ, ରାଜମର୍ଯ୍ୟାଦା ଯେ ଭୁଲିଚି (ଆଣ୍ଠୁମାଡ଼ି ପ୍ରଣାମପୂର୍ବକ) ଏ’ ଅଧୀନ (ଜିହ୍ୱା ଦଂଶନପୂର୍ବକ) ନା, ନା, ଅଧମ- ଦାସାନୁଦାସ- ସେବକ- ମୋର, ନା, ନା, ଅଧମର, ସେବକର ନାମ- ମୁକୁନ୍ଦ-

କୃଷ୍ଣା

-

ମୁକୁନ୍ଦ ତୁମ୍ଭେ ! ତୁମ୍ଭରି ନାମ- ମୁକୁନ୍ଦ ।

ମୁକୁନ୍ଦ

-

ହଁ, ହଁ, ନା, ନା- ଆଜ୍ଞା, ଆଜ୍ଞା- ମଣିମା-

କୃଷ୍ଣା

-

ଅସମ୍ଭବ-ଅସମ୍ଭବ-

ମୁକୁନ୍ଦ

-

ସେହି ଖୋଳଟା ହିଁ-

କୃଷ୍ଣା

-

(କେଉଁ ସ୍ମୃତିଦଂଶନରେ ମୁଖ ବିବର୍ଣ୍ଣ କରିଦେଲେ)

ମୁକୁନ୍ଦ

-

(ହଠାତ୍‌ ରହି ଯାଇ ଓ କୃଷ୍ଣାର ବିବର୍ଣ୍ଣଭାବ ଦେଖି ଜିଭ କାମୁଡ଼ି ସ୍ୱଗତ) ଏଁ, ଏଁ, ନ ପଚାରୁଣୁ ନାମ କହି, ପ୍ରମାଣ ଦେଇ, ମର୍ଯ୍ୟାଦା ନଷ୍ଟ କଲି ନା କ’ଣ ?- (ପ୍ରକାଶ୍ୟେ) କ୍ଷମା କରନ୍ତୁ ଜେମାଦେଈ- ପ୍ରକୃତରେ ମୁହିଁ- ନା, ନା, ଏ’ ଅଧୀନ- ଅଧମ- ମୁକୁନ୍ଦ ।

କୃଷ୍ଣା

-

ପ୍ରକୃତ ମୁକୁନ୍ଦ ନୁହଁ ତୁମ୍ଭେ- ତୁମ୍ଭେ ନିଶ୍ଚୟ ଜାଲ- ଜାଲ-

ମୁକୁନ୍ଦ

-

ଜାଲ, ଜାଲ- (ଠିଆ ହୋଇ) ସତ୍ୟ ଛଡ଼ା ମିଥ୍ୟା କେବେ- ନା- ନା (ସ୍ୱଗତ) ମର୍ଯ୍ୟାଦା- ମର୍ଯ୍ୟାଦା- (ଆଣ୍ଠୁମାଡ଼ି ବସି, ପ୍ରକାଶ୍ୟେ) ଧୁଷ୍ଟତା -ପ୍ରଗଳ୍‌ଭତା- ଆତ୍ମଂଭରିତା- ମାର୍ଜ୍ଜନା-

କୃଷ୍ଣା

-

ସତ୍ୟ, ସତ୍ୟକି ସେହି ମୁକୁନ୍ଦ ତୁମ୍ଭେ । ଯାହାକୁ, ଦିନେ କେତେକ ସଖୀଙ୍କ ମେଳରେ ଜଳକେଳି କଲାବେଳେ, କୁମ୍ଭୀର ଗ୍ରାସରୁ ମୋତେ ରକ୍ଷା କରି- ନା, ନା, ରକ୍ଷା ତ ନୁହେଁ- ଅନ୍ୟ କେଉଁ ଭୀଷଣତର କୁମ୍ଭୀର ଗ୍ରାସରେ ଯେହ୍ନେ ନିକ୍ଷେପ କରି, କ୍ରୂର ମଧୁରଭାବେ, ଏ’ ନୟନ ଓ ହୃଦୟ ପଥେ ମୋର ଗୋଟାଏ ଚମକ ଖେଳାଇ ଦେଇ, କେଉଁ ଘନାନ୍ତରାଳରେ ଲୁଚି ଯିବାକୁ ଦେଖିଥିଲି- ?

ମୁକୁନ୍ଦ

-

(ସଲଜ୍ଜେ ମସ୍ତକାବନତ କଲେ)

କୃଷ୍ଣା

-

ତୁମ୍ଭେ କି ସେହି ମୁକୁନ୍ଦ, ଯେ କି, ସେ ଦିନ ସଭାରେ ପୁରସ୍କାର ତା’ର ଗୋଟାଏ ପ୍ରତାରକ, ଶୃଗାଳପରି ପୁଛୋତ୍ତୋଳନପୂର୍ବକ ନେଇ ପଳାଇ ଯିବାକୁ ଦେଖି ପିଞ୍ଜରାବଦ୍ଧ କେଶରୀ ପରି ନୀରବ ହୁଙ୍କାରରେ ଯେହ୍ନେ ସମସ୍ତ ବାହାର ଅନ୍ତର ମୋ’ର ପ୍ରକମ୍ପିତ କରି ଦେଇଥିଲ ?-

ମୁକୁନ୍ଦ

-

(ଦୀର୍ଘନିଶ୍ୱାସ ତ୍ୟାଗ କଲେ)

କୃଷ୍ଣା

-

ସତେ, ସତେ କି ତୁମ୍ଭେ ସେହି ବୀର, କର୍ତ୍ତବ୍ୟନିଷ୍ଠ ସୁନ୍ଦର ଯୁବକ, ଯାହାର ସଦିନକାର ସେହି କ୍ଷଣିକ ସଂସ୍ପର୍ଶରେ ମୁଁ ଯେ କି ଆବେଗ ଓ ତାଡ଼ନାରେ ଦିନରାତି ଭୁଲି କେତେ କେତେ ଚିନ୍ତା ଓ ସ୍ୱପ୍ନ ରାଜ୍ୟ ମଧ୍ୟ ଦେଇ ଭାସି ଚାଲିଲି- ଚାଲିଥା’ନ୍ତି ଆଜି ପର୍ଯ୍ୟନ୍ତ- ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ନା, ନା ଚିରଦିନପାଇଁ, ଯଦି ବାଧା ଦେଇ ନ ଥାନ୍ତା- ଦୈବରାଣୀ ସମ-ମର୍ଯ୍ୟାଦର - ରାଜମର୍ଯ୍ୟାଦା- କେଉଁ ବହିର୍ଦେଶେ ଥାଇ ।

ମୁକୁନ୍ଦ

-

ସେହି ମର୍ଯ୍ୟାଦା -ରାଜ-ମର୍ଯ୍ୟାଦା ରକ୍ଷା କରିବା ଉଦ୍ଦେଶ୍ୟରେହିଁ ଏଠାକୁ ଆଗମନ, ସେହି ମୁକୁନ୍ଦର ।

କୃଷ୍ଣା

-

‘ମର୍ଯ୍ୟାଦା ରକ୍ଷା’ କରିବା ଉଦ୍ଦେଶ୍ୟରେ, ନା ମର୍ଯ୍ୟାଦା ନାଶ କରିବା ଉଦ୍ଦେଶ୍ୟରେ, ଚୋର-

ମୁକୁନ୍ଦ

-

‘ମର୍ଯ୍ୟାଦା ନାଶ’ -‘ମର୍ଯ୍ୟାଦା ନାଶ’ (ସହସା ବଜ୍ରପାତନରେ ଯେହ୍ନେ କିଛିକ୍ଷଣ ଜ୍ଞାନହୀନ ହେଲେ- ଜେମାଦେଈ, ଜେମାଦେଈ ବିଶ୍ୱାସ କରନ୍ତୁ- ମୁହିଁ ସେହି ମୁକୁନ୍ଦ- ପ୍ରକୃତରେ -(ଅତୀବ ବିନୟ ଭାବରେ କୃଷ୍ଣାଆଡ଼େ ଚାହିଁ ରହିଲେ)

କୃଷ୍ଣା

-

ବାଃ, ବାଃ ସ୍ୱର ବଦଳାଇ ବେଶ ଅଭିନୟ କରି ଜାଣତ ?

ମୁକୁନ୍ଦ

-

ଜେମାଦେଈ । ଜେମାଦେଈ । ଏ ଶ୍ଲେଷବାକ୍ୟ ପ୍ରୟୋଗ ବିଧାନୁ -ନିଅ ଅସ୍ତ୍ର କାଟିଦେଲୁ ମୋର- ବିନ୍ଧି ବକ୍ଷେ ନିଜ କରେ କର ନାଶ ପ୍ରାଣ ତ୍ୱରା ମମ-

କୃଷ୍ଣା

-

ଏତେ ଯେବେ ମହତ୍ତ୍ୱ ତୋହର- କେଉଁ ନୀଚ ପ୍ରାଣେ, ନୀର ଅଭିଳାଷେ ପଶିଛୁରେ ଅନ୍ତଃପୁରେ ମୋର- ଏକାକିନୀ ମୁହିଁ- ନାହାନ୍ତି ସଙ୍ଗିନୀ-

ମୁକୁନ୍ଦ

-

ସେତିକି, ସେତିକି, ଜେମାଦେଈ- ନ କର ଛଳନା- ବିନା ଆଦେଶରେ, ଚନ୍ଦ୍ର ସୂର୍ଯ୍ୟ ନ ପଶେ ଯେଠାବେ - କିବା ଶକ୍ତି ଦାସାନୁଦାସର ତବ-

କୃଷ୍ଣା

-

କହିବାକୁ ତେବେ ଚାହୁଁ, ମିଥ୍ୟାବାଦୀ ଡକାଇଛି ସଂଗୋପନେ

ଏହିତାବେ ମୁହିଁ ?

ମୁକୁନ୍ଦ

-

(ସ୍ୱପ୍ନୋତ୍ଥବତବତ୍‌ ଚମକି ଉଠି) ଏଁ- ଏ- ଏ’ କି କଥା ଶୁଣୁଅଛି ମୁହିଁ ଜେମାଦେଈ -ଜେମାଦେଈ-

କୃଷ୍ଣା

-

କାମୁକ- ଲମ୍ପଟ- କିଏ ଅଛ-ଶୀଘ୍ର - (ପ୍ରସ୍ଥାନୋଦ୍ୟତ)

ମୁକୁନ୍ଦ

-

ତେବେ କ’ଣ ମିଥ୍ୟାରେ ଭୁଲାଇ ମୋତେ-

କୃଷ୍ଣା

-

ମିଥ୍ୟାରେ ଭୁଲାଇ’ । (ଏହି କଥାରେ ଯେମନ୍ତ ଅନ୍ତଦେଶସ୍ଥ ଗୋଟାଏ ଅର୍ଦ୍ଧରୁଦ୍ଧ ଦ୍ୱାର ସମ୍ପୂର୍ଣ୍ଣ ଖୋଲିଗଲା) -କିଏ ? କିଏ ?-

ମୁକୁନ୍ଦ

-

ଆପଣଙ୍କରି- ଛାମୁଙ୍କରି ସଖୀ-

କୃଷ୍ଣା

-

ନାମ ? -ନାମ ?-

ମୁକୁନ୍ଦ

-

ଜାଣେ ନା, ଜେମାଦେଈ- କି ନାମ -ଓଃ, ମୁକୁନ୍ଦ- ମୁକୁନ୍ଦ- କି ଭ୍ରମରେ-

କୃଷ୍ଣା

-

କ’ଣ କହିଲା -?

ମୁକୁନ୍ଦ

-

ଜେମାଦେଈ ଆପଣଙ୍କର ସେହି ଖୋଳଟା ଯୋଗଁ ଭାରି ବିପଦରେ-’

କୃଷ୍ଣା

-

ବୁଝିଚି, ବୁଝିଚି- ଚମ୍ପା ଦୁଷ୍ଟାର କାର୍ଯ୍ୟ ଏହି ଆପଣ କ’ଣ ଆପଣଙ୍କର ଖୋଳଟା ଫେରି ପାଇ ନାହାନ୍ତି ?-ସଭାଘରେ ତ ସେହିଦିନୁ ମୁଁ ପକାଇ- ନା, ନା ଥୋଇଦେଇ, ସେହି ମୁହୂର୍ତ୍ତେ-

ମୁକୁନ୍ଦ

-

ତେବେ- ତେବେ ଆପଣଙ୍କ ପାଖରେ ନ ଥିଲା ?

କୃଷ୍ଣା

-

ଏ’ପରି ବିଶ୍ୱାସ କରିବା ପୂର୍ବରୁ ଥରେ ଅନୁସନ୍ଧାନ -

ମୁକୁନ୍ଦ

-

କରିଥିଲି, -କିନ୍ତୁ ଖୋଜି ନ ପାଇବାରୁ -(ଲଜ୍ଜାରେ ମୁଖାବନତ କଲେ)

କୃଷ୍ଣା

-

ସେହି ଦୁଷ୍ଟା ତେବେ ନିଶ୍ଚୟ- ବେଶ୍‌, ମଗାଇ ପଠାଇଲୁ ନାହିଁ ?

ମୁକୁନ୍ଦ

-

କ୍ଷମା, କ୍ଷମା, ଜେମାଦେଈ- ଜାଣେ ନାହିଁ, କେଉଁ ଆବେଗରେ- ନା, ନା, ସେହି ଦୁଷ୍ଟାର ଛଳନାରେ ଭୁଲି ସିନା ଜେମାଦେଈ । ଜେମାଦେଈ । ମଗାଇଥିଲେ ମଧ୍ୟ, ସେହି ଦୁଷ୍ଟା ହାତରେହିଁ ମଗାଇ ଥାନ୍ତୁ ସିନା-

କୃଷ୍ଣା

-

ଓଃ, ନିଶ୍ଚୟ ଗୋଟାଏ କିଛି ବିପଦ ତେବେ- ମୁକୁନ୍ଦ - ‘ବିପଦ’ -‘ବିପଦ’ ମୁହିଁ ସେ ‘ବିପଦ’ ସଶରୀରେ ଏବେ- ଓଃ, କି ଅଦୂରବର୍ତ୍ତୀ ମୁହିଁ ମର୍ଯ୍ୟାଦା ରକ୍ଷା କରିବାକୁ ଆସି-

କୃଷ୍ଣା

-

(ନେପଥ୍ୟକୁ ଚାହିଁ) ଏଁ, ଏଁ - କିଏ, କିଏ ଏମାନେ- (ମୁକୁନ୍ଦ ଆଡ଼େ ଚାହିଁ ମର୍ଯ୍ୟାଦା ନାଶ ଭୟରେ ଅଧୀରା ହେଲେ ପରା)

ମୁକୁନ୍ଦ

-

ଧୌର୍ଯ୍ୟ, ଧୌର୍ଯ୍ୟ, ଜେମାଦେଈ- ମର୍ଯ୍ୟାଦା ରହିବ ଚିର ଅକ୍ଷୁର୍ଣ୍ଣ ତୁମ୍ଭର- ଯାବତ ମୁକୁନ୍ଦ ପିଣ୍ଡେ ଧରଇ ପରାଣ (ଡେଇଁ ଉଠି ଜଳାକବାଟିର ଲୁହାଗଜ ଦୁଇଟା ଉଠାଇ ଦେଇ ଆର ପାଖକୁ ଡେଇଁପଡ଼ି, ସେହି ଦୁଇଟା ପୁଣି ଯଥା ସ୍ଥାନରେ ଲଗାଇଦେଲେ- କୃଷ୍ଣା ସାଶ୍ଚର୍ଯ୍ୟ ଚାହିଁଥିଲେ) କ୍ଷମା, ଅପରାଧ ମୋ’ର ।

 

 

(ବୀରଦର୍ପେ ପ୍ରସ୍ଥାନ କଲେ)

କୃଷ୍ଣା

-

(ମୁଗ୍ଧ ଦୃଷ୍ଟିରେ ଚାହିଁ) ନା, ନା, ଅପରାଧିନୀ ମୁହିଁ, ବୀର- ଫେର- (ଜଳାକବାଟିଆଡ଼େ ଦୌଡ଼ି ଗଲେ)

 

 

[ସମରେନ୍ଦ୍ର ଓ ଚମ୍ପାର ବେଗେ ପ୍ରବେଶ]

ସମରେନ୍ଦ୍ର

-

କାହିଁ, କାହିଁ ଚୋର ?- (ସେହି ଜଳା କବାଟି ବାଟେ ଅନାଇ ବିସ୍ମୃତ ହେଲେ)

ଚମ୍ପା

-

ଡେଇଁ ପଳାଇଳା ନା କଣ ?

ସମରେନ୍ଦ୍ର

-

କେଉଁ ବାଟେ ?-

 

 

[କୃଷ୍ଣା କ୍ରୁଦ୍ଧ ଦୃଷ୍ଟିରେ ଚାହିଁଥିଲେ]

ଚମ୍ପା

-

କିଛି ବେଆଇନ କାମ କରି ନାହୁଁ, ଜେମା ମଣିମା- ଏହି ଦେଖନ୍ତୁ ବା ପ୍ରତିନିଧି ଅନନ୍ତ ସିଂହଙ୍କ ଆଦେଶ ପତ୍ର-

କୃଷ୍ଣା

-

ବିଶ୍ୱାସଘାତିନୀ- କାଳନାଗୁଣୀ-(ଘୃଣାଭରେ ପ୍ରସ୍ଥାନ କଲେ)

ଚମ୍ପା

-

ସେହି କାଳନାଗୁଣୀର କାଳଦଂଶନ ଏବେ ସମ୍ଭାଳି-

ସମରେନ୍ଦ୍ର

-

କିପରି ଗଲା ?

ଚମ୍ପା

-

ହଁ, ସେଇଠି ଭୂତପରି ଠିଆ ହୋଇ ଥାଅଯାଇ, ବେଗେ ଖୋଜି, ବାନ୍ଧି ଘେନି ଆସ ନା-

 

-

[ସମରେନ୍ଦ୍ର ପ୍ରସ୍ଥାନ କରିବାକୁ ଯାଇ ଦ୍ୱାର ବନ୍ଦ ଦେଖି ଫେରିଲା]

ସମରେନ୍ଦ୍ର

-

ଚମ୍ପା । -ସର୍ବନାଶ ।-ଦ୍ୱାର ଯେ ବାହାରଆଡ଼ୁ କିଳା ।

ଚମ୍ପା

-

ଏଁ- (ପ୍ରତ୍ୟୁପନ୍ନମତି ବଳରେ) ମ’ ଭାଙ୍ଗି ଦେଇ ପାରୁ ନାହିଁ ? କେମିତିକା ମିଣିପ ତୁମେ ? ଏଇଥିପାଇଁ ପରା-

 

 

(ମୁରକି ହସିଲା)

ସମରେନ୍ଦ୍ର

-

(କେଉଁ ଉତ୍ତେଜନାରେ ଧକ୍କା ମାରି ଭାଙ୍ଗିବାକୁ ଚେଷ୍ଟା କଲା, କିନ୍ତୁ ବିଫଳ ଓ କ୍ଲାନ୍ତ ହେବାକୁ ଲାଗିଲା)

ଚମ୍ପା

-

ମ’ -ଟିକିଏ ହୋଇ କ’ଣ ତୁମର ବୁଦ୍ଧିଶୁଦ୍ଧି ନାହିଁ- ସେହି ଜଳାକବାଟି ବାଟେ ଚଳିଯାଇ ପାରୁନାହିଁ- ତୁମ ସାମନାରେ ପରା-

ସମରେନ୍ଦ୍ର

-

ଠିକ୍‌ ଠିକ୍‌(ମୁଣ୍ଡ ଗଳାଇ) ଚମ୍ପା । କିଛି ଯେ ଗଳୁ ନାହିଁ ।

ଚମ୍ପା

-

ମର, ଓଲୁ । ସେହି ଲୁହା ବାଡ଼ ଗୁଡ଼ାକ ଓଟାରି ବାହାର କରିଦିଅନା ଆଗେ-

ସମରେନ୍ଦ୍ର

-

ଚମ୍ପା, (ସେଥିରେ ମଧ୍ୟ ବିଫଳ ହୋଇ) ଖାଲ ଖୋଳିବାକୁ ଆସି, ନିଜେ ସେହି ଖାଲରେ -?

ଚମ୍ପା

-

ପଡ଼ି ମର, ମର୍‌ ତୁହି- ମୁଁ ବେଶ୍‌ କରି ମାଟି ଚଳାଇ ଦେଉଛି-

ସମର

-

ଚମ୍ପା ! ଚମ୍ପା ! ପ୍ରାଣେଶ୍ୱରୀ- (ବିକଳରେ ଚାହିଁଲେ)

 

-

[ରାଜା ଓ କୃଷ୍ଣାଙ୍କ ଆସିବାର ପରେ ପରେ କେତେକ ସୈନ୍ୟ ସହ ଅନନ୍ତସିଂହଙ୍କ ପ୍ରବେଶ]

ପ୍ରତାପ

-

ଏତେ କଥା- କାହିଁ ସେ ନରାଧମ ?

କୃଷ୍ଣା

-

ଏହି ଘରେ- (ସମରେନ୍ଦ୍ରକୁ ଦେଖାଇ ଦେଲେ)

ପ୍ରତାପ

-

ମୁହଁ ତା’ର ଦେଖିବା ମଧ୍ୟ ଅନୁଚିତ -

ଚମ୍ପା

-

ଏହି ବାଟେ ପଳାଇଛି, ମହାରାଜ ! -ଏହି ବାଟେ, ସେନାପତେ ।

କୃଷ୍ଣା

-

ସେହି ଦାସୀଟା ବି- (ରାଜାଙ୍କ କାନେ କାନେ କ’ଣ କହିଲେ)

ପ୍ରତାପ

-

ସଙ୍ଗେ, ସଙ୍ଗେ ଅଛି ନା ?- ରକ୍ତ ଥରେ ପରା ମୁହଁରେ ଲାଗିଛି- ସେନାପତେ । ସେ ଦିନ କୁମ୍ଭୀର କଥା ମୁକୁନ୍ଦ ଯେଉଁପରି କହୁଥିଲା, ତାହାହିଁ ପ୍ରକୃତ ଘଟଣା- ତୁମ୍ଭେ ମଧ୍ୟ ଭୁଲ ବୁଝିଥିଲ; - ଏହି ପାପିୟସୀ ତା’ର ପାପ ପ୍ରଣୟ ସାର୍ଥକ କରିବା ଉଦ୍ଦେଶ୍ୟରେ -ଛାଡ଼-ମା, ସେହି ପାପିଷ୍ଠକୁ ବାହାର କରି ଦେବାଆଗରୁ ଏ’ କଥା ମୋତେ ନ ଜଣାଇଲୁ କାହିଁକି ? ଦେଖ୍‌, ଦୟାକରି ଛାଡ଼ି ଦେବାର ପ୍ରତିଫଳ ସୟତାନ କିପରି ଭାବରେ ଦେଇଥାଏ-ଓଃ-କମ୍‌ ସାହସ ତ ନୁହେଁ ତା’ର !-

ଚମ୍ପା

-

ମହାରାଜ । ପ୍ରକୃତ ଚୋର କିଏ, ଥରେ ବିଚାର କରି -(ସମରେନ୍ଦ୍ରଆଡ଼େ) ଖୋଳଟା- ଖୋଳଟା -

ସମରେନ୍ଦ୍ର

-

(ସଭୟେ ଅନନ୍ତ ଆଡ଼େ ଦେଖାଇ ଦେଲେ)

ପ୍ରତାପ

-

ଶୀଘ୍ର ବନ୍ଦୀ କରି ଏମାନଙ୍କୁ ଏ ସ୍ଥାନରୁ ଘେନି ଯାଅ, ଅନନ୍ତ ସିଂହ !-(ପ୍ରସ୍ଥାନୋଦ୍ୟତ ହେଲେ)

ଚମ୍ପା

-

ସେନାପତେ- ସେନାପତେ- କାହିଁ ସେହି ଖୋଳଟା-

କୃଷ୍ଣା

-

ଚାଲ, ଚାଲ, ବାବା । -ଆଉ ଏ’ ସ୍ଥାନରେ - (ଉଭୟେ ପ୍ରସ୍ଥାନ କଲେ)

ଚମ୍ପା

-

ଆଣ, ଆଣ- ବେଗେ ଆଣି ଦେଖାଅ ମହାରାଜାଙ୍କୁ, କୁହ ବୁଝାଇ- କିଏ ଚୋର - କିଏ ଚୋରଣୀ -

ଅନନ୍ତ

-

(ଅନ୍ୟମନସ୍କ ଥାଇ) ବାନ୍ଧ, ବାନ୍ଧ ଦୁହିଙ୍କୁ, ସୈନିକ ।

ସମରେନ୍ଦ୍ର

-

ମୁଁ- ମୁଁ- ମୁଁ- ଯେ-ସ-ମ-ସ-ମ-ରେ ।

ଚମ୍ପା

-

ଏ’ କଣ କରୁଛ, ଅନନ୍ତ ସିଂହ ?- ମୁଁ ଯେ ଚମ୍ପା- ।

ଅନନ୍ତ

-

(ସେହିପରି ଅନ୍ୟମନସ୍କଭାବେ) ରାଜାଙ୍କର ଆଦେଶ- ।-ହାଃ-ହାଃ-ହାଃ- (ଉଚ୍ଚ ରୋଳରେ ହସିଉଠିଲେ- ସେହି ହସରେ ଯେମନ୍ତ ସେ ନିଜକୁ ନିଜେ ବିଦ୍ରୂପ କରୁଥିଲେ)

ଚମ୍ପା

-

(ତ୍ରୂଦ୍ଧାସିଂହିନୀ ପରି ଚାହିଁ ରହିଲେ)

ସମରେନ୍ଦ୍ର

-

(ଚମ୍ପାର କାନଭିତରେ ମୁଣ୍ଡ ଗୁଞ୍ଜିବାକୁ ଲାଗିଲେ)

 

 

-ଯବନିକା-

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

ପ୍ରମୋଦକାନନ

 

[ ସଖୀଗଣ ମଧ୍ୟରୁ କେତେକ ଫୁଲ ଚାଙ୍ଗୁଡ଼ିରେ ଫୁଲ ତୋଳି ଆଣି ଦେଉଥିଲେ, କେତେକ ବସି ବସି ହାର ଗୁନ୍ଥୁଥିଲେ, କେତେକ କେବଳ ନିରୀକ୍ଷଣ କରୁଥିଲେ । ସମସ୍ତେ କିନ୍ତୁ ସମଭାବରେ ଓ ସମସ୍ୱରରେ ଗୋଟିଏ ସଙ୍ଗୀତର ଝଙ୍କାରରେ ଉଦ୍ୟାନଟି ପୂର୍ଣ୍ଣ କରି ଦେଇଥିଲେ ]

 

ଗୀତ

ଆମେ ଗାଉ ଗାନ, ଗୁନ୍ଥୁ ମାଳ ।

ଫୁଲେ, ଫୁଲେ ଗୋ ସଞ୍ଜ ସକାଳ ।।

ଫୁଲ ପରି ଫୁଟୁ            ଫୁଲ ପରି ଶୋଉ

ଫୁଲ ପବନେ ଦୋହଲୁ ଥାଉ;

 

ପୁଲକେ ପୁଲକେ            କେ ଆସି କି ତାନ

କି ମାନ ତୋଳେ, ଖେଳାଏ ମନ-

ଘେନୁ ନ ଘେନୁ ମାଳ ଆମର

ଗୁନ୍ଥୁଥିବୁଟି ସଞ୍ଜ ସକାଳ ।।

 

[ ଏହି ସମୟରେ କୃଷ୍ଣାର ପ୍ରବେଶ ]

 

କୃଷ୍ଣା

-

କ’ଣ କରୁଛ ତୁମ୍ଭେମାନେ ? ଏତେବେଳେ କି ହାର ଗୁନ୍ଥିବାର ବେଳ ?

୧ମ ସଖୀ

-

ମଣିମାଙ୍କ ହୁକୁମ୍ ହୋଇଥିଲା ବୋଲି- କୃଷ୍ଣା- ହୁକୁମ୍ କରିଥିଲି ?-ବେଶ୍- ବେଶ୍- ଗୁନ୍ଥ ଗୁନ୍ଥ- ଦେଖେଁ କେମିତିକା-

୧ମା ସଖୀ

-

(ହାରଟି ଆଣି ଦେଖାଇଲେ)

କୃଷ୍ଣା

-

(ସାଗ୍ରହେ ନେଇ) ଘେନି ଯା’ ଏଠୁଁ-

ସଖୀଗଣ

-

(ସଭୟେ ଚାହିଁରହିଲେ)

କୃଷ୍ଣା

-

ଚାଲି ଯାଅ ସମସ୍ତେ- ମୋ’ର ହୁକୁମ୍ (ସଖୀଗଣ କ୍ଷୁଣ୍ଣମନେ ପ୍ରସ୍ଥାନ କଲେ) କି’ ସମ୍ବାଦ ପାଉଛି । କି’ ବିଚାର ହେଲା । କେହିତ ଫେରିଲେ ନାହିଁ । ଯା’କୁ ପଠାଇଲି- ଏହି ଯେ ଅନନ୍ତ ଭାଇ- ।

 

 

[ ଅନନ୍ତର ବେଗେ ପ୍ରବେଶ ]

କୃଷ୍ଣା

-

କି ସମ୍ବାଦ,- କୁହ- ଶୀଘ୍ର ଶୀଘ୍ର ଭାଇ ?

ଅନନ୍ତ

-

ଶୁଭସମ୍ବାଦ, ଜେମାଦେଈ । ମୁକୁନ୍ଦ ନିର୍ଦ୍ଦୋଷ ପ୍ରମାଣିତ ହୋଇ, ମୁକ୍ତି-

କୃଷ୍ଣା

-

‘ମୁକ୍ତି’ । ଭାଇ । ଭାଇ । ସତ କହୁଚତ ? ‘ମୁକ୍ତି’- ଆଉଥରେ- ଆଉଥରେ-

ଅନନ୍ତ

-

ହଁ, ‘ମୁକ୍ତି’, ଜେମାଦେଈ- ମୁକୁନ୍ଦ ନିର୍ଦ୍ଦୋଷ ପ୍ରମାଣିତ ହୋଇ ମୁକ୍ତି ଲାଭ କରିଛି- ଆଉ ଚମ୍ପା, ସମରେନ୍ଦ୍ର ପ୍ରାଣଦଣ୍ଡରେ ଦଣ୍ଡିତ ହୋଇ, ବର୍ତ୍ତମାନ କାରାଗାରରେ -।

କୃଷ୍ଣା

-

(ଅତ୍ୟଧିକ ଆନନ୍ଦୋଚ୍ଛାସରେ ରୁଦ୍ଧଶ୍ୱାସ ହୋଇ, କେଉଁ ପ୍ରବାହରେ ଯେ ଭାସି ଯାଉଥିଲେ)

ଅନନ୍ତ

-

(କୃଷ୍ଣାର ଅବସାଦ-ଭାବରେ ଭୀତହୋଇ, ଧାରଣ କରିବାକୁ

ଯାଉଥିଲେ) ଜେମାଦେଈ- ଜେମାଦେଈ-

କୃଷ୍ଣ

-

(ସ୍ୱପ୍ନୋତ୍‌ଥିତବତ୍) ହଁ, ମୋର ଭାରି ଭୟ ଥିଲା, ସେନା- ନା ଭାଇ- ସେଦିନ ତୁମେ ଯଦି ସତ କଥାଟା-

ଅନନ୍ତ

-

ପ୍ରକାଶ କରିବାଠାରୁ ସଂଗୋପନରେ ବରଂ କି ଯେ ଆନନ୍ଦ ମୁଁ ଅନୁଭବ କରିଥିଲି- ।

କୃଷ୍ଣା

-

ସେଦିନ ସଭାରେ ସମରେନ୍ଦ୍ରର ପକ୍ଷ ସମର୍ଥନ କରି ଯେଉଁଭାବେ ତୁମ୍ଭଙ୍କୁ ଯୁକ୍ତି କରିବାକୁ ଦେଖିଥିଲି-

ଅନନ୍ତ

-

ସେଥିରେ ଅପର କ’ଣ- ନିଜେ ମୁଁ ନିଜକୁ ବିଶ୍ୱାସ କରି ନାରୁ ନାହିଁ, ସେହି କୁକ୍‌କୁରଟାର ସଂସର୍ଗ ଏତେ ସହଜେ ଓ ବେଗେ ଏଡ଼ି ପାରିବି ବୋଲି- ଓଃ, ଜେମାଦେଈ । ମୁକୁନ୍ଦ ପ୍ରତି ମୁଁ ଯେ କି ଅନ୍ୟାୟ କରିଚି-

କୃଷ୍ଣା

-

କରିଥାଅ ଯେବେ, ଏହିଥିରେହିଁ ତାର ପ୍ରତିକାର ହୋଇଗଲା ନାହିଁ କି ?

ଅନନ୍ତ

-

ଅଣୁମାତ୍ରାରେ ନୁହେଁ, ଜେମାଦେଈ- ଆଜିକାର ଘଟଣାଟି କେବଳ ତୁମ୍ଭର- ତୁମ୍ଭରି ଯତ୍ନର ପ୍ରତିଫଳ, ଜେମାଦେଈ ।

କୃଷ୍ଣା

-

(ଗୋଟାଏ ସ୍ୱାଭାବିକ ଲଜ୍ଜାରେ ଗଣ୍ଡଦେଶ ରଞ୍ଜିତ ହୋଇଗଲା, କିନ୍ତୁ ତାହା ତତ୍‌କ୍ଷଣାତ୍ ଅତି ସାବଧାନରେ ଦମନ କରିନେଲେ) ଯତ୍ନକି ମନୁଷ୍ୟର କର୍ତ୍ତବ୍ୟ ନୁହେ, ଭାଇ ।- ଯାହାହେଉ, ଭାଗ୍ୟକୁ ଖୋଳଟା ତୁମ ହାତରେ ପଡ଼ିଥିଲା ବୋଲି ସିନା-

ଅନନ୍ତ

-

ଭାଗ୍ୟକୁ ରାଜାଙ୍କ ଆଗରେ ଅଭିଯୋଗ କଲାବେଳେ ସେଟାକୁ ଘରେ ଛାଡ଼ି ଯାଇଥିଲି ବୋଲି, ରକ୍ଷା ।

କୃଷ୍ଣା

-

ମୁକୁନ୍ଦର ନାମ ତ ଅବଶ୍ୟ ପ୍ରକାଶ କରିଥିବ-

ଅନନ୍ତ

-

ଦୈବ ସହାୟ, ଜେମାଦେଈ । ମୋ’ ଭିତରେ ଭିତରେ ତେତେବେଳକୁ କି ଯୁଦ୍ଧ ଯେ ଲାଗିଯାଉଥିଲା, ବାଉଳାରେ ହେଉ କି ଅନ୍ୟ କେଉଁ ତାଡ଼ନାରେ ହେଉ, ମୁକୁନ୍ଦ କହୁ କହୁ ସମରେନ୍ଦ୍ର’ ବୋଲି କହି ପକାଇଥିଲି- ପରେ ପରେ କଥାର ଅସାମଞ୍ଜସ୍ୟ ଭୟରେ କିଂ କର୍ତ୍ତବ୍ୟମୂଢ଼ ହେଲାବେଳକୁ, ‘ଆସ ମୋ ସଙ୍ଗେ’ ଆଦେଶ କରି, ମହାରାଜ ଅସ୍ତବ୍ୟସ୍ତ ହୋଇ ଏଣେତ ଉଠି ଆସିଲେ-

କୃଷ୍ଣା

-

ଓହୋ । ସେଇଥିପାଇଁ ପିତା ମୋର ବିବରଣାନୁଯାୟୀ କୁମ୍ଭୀର ଘଟଣା ପ୍ରସଙ୍ଗରେ ସମରେନ୍ଦ୍ର ଓ ଚମ୍ପାର କୁଅଭିସିଦ୍ଧ କଥାଟା ଏତେ ସହଜରେ ବିଶ୍ୱାସ କରି ନେଇଥିଲେ- ଆଉ ସେମାନଙ୍କୁ ବିନା ପ୍ରଶ୍ନରେ ଏକାବେଳକେ ବନ୍ଦୀ କରିବାକୁ ଆଦେଶ ଦେଇଥିଲେ ।

ଅନନ୍ତ

-

(ସ୍ୱଗତ୍ୱ) ଓଃ, କୁମ୍ଭୀର ଘଟଣା ପ୍ରସଙ୍ଗରେ ଯେ ମୁଁ କୁମ୍ଭୀରର ଗ୍ରାସ ଅନୁଭବ କରୁଚି ।

କୃଷ୍ଣା

-

ଈଶ୍ୱରଙ୍କୁ ଧନ୍ୟବାଦ, ଯେ ସବୁଦିଗ ରକ୍ଷା ହୋଇ, ପ୍ରକୃତ ଦୋଷୀ ଦଣ୍ଡିତ ହୋଇଚି- ଆଚ୍ଛା, ଚମ୍ପି ନିଶ୍ଚୟ ଖୁବ୍ ଜେରା କରିଥିବ ?

ଅନନ୍ତ

-

ଜେଟ୍ ବୋଲି ଜେରା- ମୁକୁନ୍ଦର ପ୍ରକୃତି ତ ଜାଣ- ସତ୍ୟ ନିମିତ୍ତ ମୃତ୍ୟୁକୁ ସୁଦ୍ଧା ଯେ ଭୟ କରେ ନାହିଁ-

କୃଷ୍ଣା

-

ପ୍ରକୃତ ଘଟଣା ସବୁ କହି ପକାଇଲେ ପରା ?

ଅନନ୍ତ

-

ଭାଗ୍ୟକୁ, ଆତ୍ମ-ମର୍ଯ୍ୟାଦା ଗୁଣରୁ ହେଉ, ବା ରାଜ-ମର୍ଯ୍ୟାଦା ତ୍ରୁଟି ଭୟରେ ହେଉ, ବା ଆମ୍ଭମାନଙ୍କର ତୀବ୍ର କଟାକ୍ଷ ଯୋଗୁଁ ହେଉ, କହୁ କହୁ ହଠାତ୍ ସୁରଟା ବଦଳାଇ ନେଲା- ମାତ୍ର, ‘ନେଇ ଆଣି ଥୋଇ ଜାଣିଲେ ତ’ ହେବ-କଥା ଗୁଡ଼ାକ ଏମିତିକା ଅଡ଼ୁଆ ତଡ଼ୁଆ କରି ପକାଇଲା ଯେ-

କୃଷ୍ଣା

-

ପିତାତ ନିଶ୍ଚୟ ସନ୍ଦେହ କରିଥିବେ ।-

ଅନନ୍ତ

-

ବିଚାର ଶେଷରେ ଏହିପରି ମନ୍ତବ୍ୟ ପରା ପ୍ରକାଶ କରିଥିଲେ- ‘ପ୍ରମାଣ ଅଭାବରୁ ମୁକୁନ୍ଦକୁ ମୁକ୍ତି ଦିଆଗଲା ସତ,- କିନ୍ତୁ ତା’ର ଆଚରଣ ସନ୍ଦେହ ଜନକ-

କୃଷ୍ଣା

-

(ସ୍ୱଗତ) ମୋ’ର ଆଚରଣ-

ଅନନ୍ତ

-

‘ସୁତରାଂ ତା’କୁ ସାଧାରଣ ସୈନିକ ପଦକୁ ଅବନତ କରାଗଲା ।’

କୃଷ୍ଣା

-

(ହଠାତ୍ ଅସଂଯତଭାବେ) ଏ’ ଅପମାନ ମୁକୁନ୍ଦପରି ବୀର ସହ୍ୟ କରିପାରିବ ତ ?

ଅନନ୍ତ

-

ମୁଁ ଅନେକ ବୁଝାଇ ଧୈର୍ଯ୍ୟ ଧରିବାକୁ ସମ୍ମତ କରାଇଚି, ଜେମାଦେଈ ।

କୃଷ୍ଣା

-

ଖାଲି ସେତିକିରେ ନିଶ୍ଚିନ୍ତ ହେବା କି-

(ହଠାତ୍ କେଉଁ ଲଜ୍ଜାବଶରେ ଅବନତ ହେଲେ)

ଅନନ୍ତ

-

କଦାପି ଉଚିତ ନୁହେଁ, ଜେମାଦେଈ- ଏ’ କଥା ମନେ ମନେ ପାଞ୍ଚି ରଖିଚି, ସୁବିଧା ପାଇଲେହିଁ ପୂର୍ବ ପଦରେ- ନା,- ନା- ଅଧିକ ତର ସମ୍ମାନିତ ପଦରେ ତା’କୁ ପ୍ରତିଷ୍ଠିତ କରିବା ପାଇଁ ମହାରାଜଙ୍କଠାରେ ଯଥାସାଧ୍ୟ ଶକ୍ତିପ୍ରୟୋଗ କରିବାକୁ କୁଣ୍ଠିତ ହେବି ନାହିଁ । ଜାଣନ୍ତି ନାହିଁ, ଜେମାଦେଈ, କେତେ ଋଣରେ ମୁକୁନ୍ଦଠାରେ ମୁଁ ରାଣୀ- ତା’ରି ମଣି ହରଣ କରି ସିନା- ଏ’ କଣ, ମହାରାଜ ଏ’ପରି ବ୍ୟସ୍ତ ତ୍ରସ୍ତ ହୋଇ ଏଣେ-

 

 

[ ପ୍ରତାପରୁଦ୍ର ଦେବଙ୍କର ବେଗେ ପ୍ରବେଶ ]

ପ୍ରତାପ

-

ଏହିତ ସେନାପତି - ଏଠାକୁ ଡକାଇବା ନିମନ୍ତେ ଏହିକ୍ଷଣି ଯେ ଲୋକେ ପଠାଇ, ଆସୁଚି- (କୃଷ୍ଣା ଗମନୋଦ୍ୟତ) ଚାଲି ଯା ନା, ମା- ଟିକିଏ ମାତ୍ର ଅପେକ୍ଷା- (କୃଷ୍ଣା ଭୀତିପୂର୍ଣ୍ଣ ହୃଦୟରେ ଠିଆ ହେଲେ) ଜାଣତ, ଅନନ୍ତ ସିଂହ । ତୁମ୍ଭଙ୍କୁ ମୁଁ ପୁତ୍ରାଧିକ ଜ୍ଞାନ କରେ ବୋଲି ଅନ୍ତଃପୁର ପ୍ରବେଶରେ ମଧ୍ୟ ଅଧିକାର ଦେଇଚି ।

ଅନନ୍ତ

-

(ବିସ୍ମୟ ଓ ଭୟରେ ଚମକିତ ହେଲେ)

ପ୍ରତାପ

-

ସୁତରାଂ ପୁତ୍ରୋଚିତ ବ୍ୟବହାର ତୁମ୍ଭପକ୍ଷେ କର୍ତ୍ତବ୍ୟ ନୁହେଁ କି ?

ଅନନ୍ତ

-

(ସହସା ଅବନତ ହୋଇ) ମହାରାଜ । ମୋ’ରି ସମସ୍ତ ଦୋଷ- ବରଂ ମୁକୁନ୍ଦ ନିର୍ଦ୍ଧୋଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ପ୍ରତାପ

-

(ସାଶ୍ଚର୍ଯ୍ୟେ) ଅନନ୍ତ ।-

ଅନନ୍ତ

-

ପ୍ରକୃତରେ, ପ୍ରଭୁ-ମୋର ପଦ-ମର୍ଯ୍ୟାଦା ଦୃଷ୍ଟିରେ, ସେହି ପାପିଷ୍ଠ ସମରେନ୍ଦ୍ରକୁ ଯଦି ଏତେଦୂର ପ୍ରଶ୍ରୟଦାନ-

ପ୍ରତାପ

-

ପ୍ରଶ୍ରୟଦାନରେ ପ୍ରତିଫଳତ ସେଦିନ ବେଶ ଉପଭୋଗ କରିଚ-‘ପାଷଣ୍ଡ’, ‘ବର୍ବର’, ‘ବିଶ୍ୱାସଘାତକ’- ମୁଖରେ ଯା’ ଆସିଚି-

ଅନନ୍ତ

-

ସତ୍ୟକଥା କହିଚି, ମହାରାଜ ।- ସତ୍ୟ- ଓଃ- ସେହି କଠୋର ସତ୍ୟ ଗୁଡ଼ିକ ଯଦି ସତ୍ୟ ବୋଲି ଆଲିଙ୍ଗନ କରି ଥା’ନ୍ତି, ତା’ ହେଲେ ଜଣେ ସତ୍ୟନିଷ୍ଠ ବୀର-

ପ୍ରତାପ

-

ଭୁଲ, ଭୁଲ, ଅନନ୍ତ- ସେପରି ଅଳଙ୍କାରର ଯୋଗ୍ୟ ସେହି ଦୁଶ୍ଚରିତ୍ର ମୁକୁନ୍ଦ କଦାପି ନୁହେଁ- ଓଃ, କି ଭ୍ରମରେ ତା’କୁ ଏତେବଡ଼ ପୁରସ୍କାର ସେଦିନ-

ଅନନ୍ତ

-

ସାମନ୍ୟ- ଅତି ସାମାନ୍ୟ ସେହି ପୁରସ୍କାର, ମହାରାଜ- ତା’ର ଯୋଗ୍ୟ ପୁରସ୍କାର- ଯେଉଁ ପଦର ବର୍ତ୍ତମାନ ମୁହଁ ଅଧିକାରୀ, ସେହି ପଦହିଁ ତାର ପ୍ରାପ୍ୟ- ନା- ନା- ଏ ପଦ ମଧ୍ୟ ତା’ର କାର୍ଯ୍ୟର ଉପଯୁକ୍ତ ପୁରସ୍କାର ନୁହେଁ, ମହାରାଜ ।

ପ୍ରତାପ

-

ଅନନ୍ତ । ମୁକୁନ୍ଦ ସପକ୍ଷରେ ଯୁକ୍ତି କରି କରି ତମେ କ’ଣ ଏକାବେଳକେ ମୁକନ୍ଦଗତ ପ୍ରାଣ ହୋଇ ଯାଇଚ ?

ଅନନ୍ତ

-

‘ମୁକୁନ୍ଦ’- ‘ମୁକୁନ୍ଦ’ ମୋର ପ୍ରାଣ, ମହାରାଜ ।-ମହାରାଜ । ମୋତେ ମୁକୁନ୍ଦର ଉପସ୍ଥିତ-ପଦହିଁ ଦାନ କରନ୍ତୁ- ନା- ସମରେନ୍ଦ୍ରର ପଦ- ନା, ନା ତହୁଁ ହୀନ- ତହୁଁ ହୀନ-ପଦ ଯଦି ଥାଏ, ସମ୍ଭବ ହୋଇପାରେ- ଦିଅନ୍ତୁ- ଦିଅନ୍ତୁ-

 

 

(ପଦପ୍ରାନ୍ତେ ଅବନତ ହେଲେ)

ପ୍ରତାପ

-

(ଉଠାଇ) ଅନନ୍ତ । ବାତୁଳ ପରି କ’ଣ ଗୁଡ଼ାଏ ଏଣୁ ତେଣୁ ବକୁଚ- ସାମାନ୍ୟ ଗୋଟାଏ ସୈନ୍ୟ ପାଇଁ ଏତେ ବିଚଳିତ ତୁମ୍ଭେ ? ଗୋଟାଏ କ୍ଷୁଦ୍ର ପ୍ରସଙ୍ଗ ଘେନି ଯଦି ସାରା ଜୀବନଟା କଟାଇ ଦିଅ, ମୁହୂର୍ତ୍ତେ ମୁହୂର୍ତ୍ତେ ଯେ କେତେ କେତେ ଗୁରୁତର ସମସ୍ୟ ଲହରି ପରେ ଲହରି ପରି ଉପସ୍ଥିତ ହେଉଚି, ତା’ରଚିନ୍ତା କରିବ କେତେବେଳେ ?- ଏ’ପରି ଭାବ ପ୍ରବଣ ହେଲେ ରାଜକାର୍ଯ୍ୟ ସଂପାଦନ କି ସମ୍ଭବ ହେବ ?- ଶାସନର ଦାୟିତ୍ୱ ବହନ କରି, ବ୍ୟକ୍ତିଗତ ଚିନ୍ତାରେ ଏପରି କାଳକ୍ଷେପ-

ଅନନ୍ତ

-

(ଆତ୍ମ ସଂଯମ କରି) ଅନ୍ୟାୟ କରିଛି, ମହାରାଜ- ମାର୍ଜନା-

ପ୍ରତାପ

-

ଶୁଣ, ଅନନ୍ତ- ତୁମ୍ଭରି ଯୋଗୁଁ ଅନ୍ତଃପୁରର ମାନ ଆଜି ରକ୍ଷିତ ।

ଅନନ୍ତ

-

(ସ୍ୱଗତ) ନା, ନା, ମୁହିଁତ ଦିନେ- (ଅର୍ଦ୍ଧପ୍ରକାଶ୍ୟେ) ନା, ନା- ଏକମାତ୍ର ଚିନ୍ତା ମୋର- ସାର ଚିନ୍ତା- ‘ଦାୟିତ୍ୱ ବହନ’ ।- ରାଜକାର୍ଯ୍ୟ ସଂପାଦନ’-

ପ୍ରତାପ

-

ହଁ, ଏହିପରି ଉଜ୍ୱଳ ଦୃଷ୍ଟିହିଁ ଚାହେଁ- ସେହି ଅନ୍ତଃପୁରର ମାନ ସୁରକ୍ଷା ପାଇଁ, ଅନ୍ତଃପୁରେଶ୍ୱରୀଙ୍କୁ ଆଜି ତୁମ୍ଭରି କରେ-

ଅନନ୍ତ

-

ମହାରାଜ ।- (ବିସ୍ଫାରିତ ନେତ୍ରରେ ଚାହିଁ ଅବନତ ହେଲେ)

ପ୍ରତାପ

-

ଏଥିରେ ଆଶ୍ଚର୍ଯ୍ୟ ବା ଲଜ୍ଜାର କଥା କଣ ଅଛି, ଅନନ୍ତ- ଏ’ ଦାୟିତ୍ୱ ବହନ କରିବାକୁ ତୁମ୍ଭେ ଏକା କ୍ଷମ ସିନା।

ଅନନ୍ତ

-

(ନୀରବ)

ପ୍ରତାପ

-

ଜାଣେ, ଏ’ଅତି ଗୁରୁଭାର, ମାତ୍ର ଉପାୟାନ୍ତର ନାହିଁ ।

କୃଷ୍ଣା

-

(ସମୁଦ୍ର ବକ୍ଷରେ ନାନା ଭଙ୍ଗିରେ ଦୋଦୁଲ୍ୟମାନ ତରୀ ପରି ସମସ୍ତ ଶୁଣୁଥିଲେ, ଶେଷେ ସମାଳି ନ ପାରି କହି ପକାଇଲେ) ପିତା । ପିତା । ତେବେ କଣ କନ୍ୟାକୁ-

ପ୍ରତାପ

-

ଅବିଶ୍ୱାସ । ତୋତେ, ମା- ଅସମ୍ଭବ- ଅସମ୍ଭବ- ନିର୍ମାଲ୍ୟର ନିର୍ମଳତାକୁ ଅବିଶ୍ୱାସ କରିପାରେ, କିନ୍ତୁ ତୋର ନିର୍ମଳତାକୁ-

କୃଷ୍ଣା

-

(କେଉଁ ଉଚ୍ଚ ଲହରୀର ଶିଖର ଦେଶରୁ ପତିତା ହୋଇ ଯେହ୍ନେ) ନା, ନିତା- ଏତେ ବିଶ୍ୱାସ-

ପ୍ରତାପ

-

କରିବା ଉଚିତ ନୁହେଁ କାହାରିକୁ- କିନ୍ତୁ ମୁଁ କ’ଣ ପାତ୍ର ବୁଝି କେବେ କାର୍ଯ୍ୟ କରେ ?

କୃଷ୍ଣା

-

(କେଉଁ କମ୍ପିତ ଚିତ୍ତରେ) ତେବେ, ତେବେ କନ୍ୟାକୁ ଆପଣାଙ୍କ ଆଦୌ-

ପ୍ରତାପ

-

ଖୁବ୍ ଚିହ୍ନିଚି- ମୋର ସନ୍ତାନ- ମୋର ରକ୍ତ ମାଂସ, ମନ, ପ୍ରାଣର ସତ୍ତା ନେଇ ଗୋଟିଏ ପ୍ରତିମୂର୍ତ୍ତି- ସ୍ୱହସ୍ତରେ ଲାଳିତ ପାଳିତ-

କୃଷ୍ଣା

-

ପିତା । ପିତା । (ହଠାତ୍ କେଉଁ କାରଣରୁ ସତ୍ୟ ପ୍ରକାଶରେ ବାଧାବଶତଃ ଗୋଟାଏ ଘୂର୍ଣ୍ଣନ ଭାବ କିପରି ଅନୁଭବ କଲେ)

ପ୍ରତାପ

-

ମା ମୋର । ଅନେକ କଥା, ଭଲ, ମନ୍ଦ- ମିଥ୍ୟା, ସତ୍ୟ- ପ୍ରତି ମୁହୂର୍ତ୍ତ ଏ’ ହୃଦୟସାଗରରେ ବୁଦ୍‌ବୁଦ୍‍ ପରି ଉଠୁଚି, ଲୀନ ହେଉଚି- କେତେ କେତେ ଭାବ ରାଶି, ତରଙ୍ଗ ପଛେ ତରଙ୍ଗ ପରି ଆସି ଧକ୍କା ଦେଇ, ଉଦ୍‌ବେଳିତ କରୁଚି- ମାତ୍ର ସେ ସମସ୍ତ ତୁଚ୍ଛ କରି, ବେଳାଭୂମି ପରି ଆମ୍ଭମାନଙ୍କୁ ନିୟତ ଅଟଳ, ଅଚଳଭାବେ ସ୍ଥିର ସ୍ଥିର ହୋଇ ରହିବା କର୍ତ୍ତବ୍ୟ ନୁହେ କି ? ଅତୀତକୁ ଅତୀତ ଗର୍ଭରେହିଁ ଶାୟିତ କରିଦେବା ଉଚିତ- ପ୍ରତି ମୁହୂର୍ତ୍ତ ଭବିଷ୍ୟତ ଚିନ୍ତା ଭବିଷ୍ୟତ ଚିନ୍ତା- ବର୍ତ୍ତମାନର ଅଣୁ ପରମାଣୁ ସେହି ଚିନ୍ତାରେ ବ୍ୟୟିତ କରିଦେବା ଆବଶ୍ୟକ ସିନା- ତେବେ ଯାଇଁ ମନୁଷ୍ୟର ଅଗ୍ରଗତି- ଜୀବନରେ ବିଜୟ ଡଙ୍କା- ଚରମରେ ଚିର ଶାନ୍ତି-

 

 

[ କୃଷ୍ଣା ଓ ଅନନ୍ତ ଉଜ୍ଜ୍ୱଳ ଦୃଷ୍ଟିରେ ପ୍ରତାପଆଡ଼େ ଚାହିଁ ନିର୍ବାକ୍ ହୋଇ ରହିଲେ- ଉତ୍କର୍ଣ୍ଣରେ ତଥାପି କଅଣ ଶୁଣୁଥିଲେ ଯେମନ୍ତ ]

ପ୍ରତାପ

-

(କୃଷ୍ଣାର ହସ୍ତ ଆଣି ଅନନ୍ତର ହସ୍ତରେ ମିଳାଇ ଦେଲେ) ଏହି ମୋ’ର ବର୍ତ୍ତମାନର ଉଦ୍ଦେଶ୍ୟ । (ଉଭୟେ ମନ୍ତ୍ର ମୁଗ୍ଧ ପରି ନୀରବରେ ପ୍ରତାପରୁଦ୍ରଙ୍କ ଚରଣରେ ପ୍ରଣାମ କଲେ)

କୃଷ୍ଣା

-

(ହଠାତ୍ କି ଗୋଟାଏ ଅନୁଭୂତିରେ ଉତ୍‌କ୍ଷିପ୍ତା ହୋଇ) ପିତା । ପିତା ।-(କିନ୍ତୁ ଲଜ୍ଜାରେ ସଙ୍କୁଚିତା ହୋଇ ଦ୍ରୁତ ପ୍ରସ୍ଥାନ କଲେ)

ପ୍ରତାପ

-

ମା- ମା- (କିଛିକ୍ଷଣ ଚାହିଁ ସ୍ମିତମୁଖ ହେଲେ, ପରେ ଗାମ୍ଭୀର୍ଯ୍ୟ ଧାରଣପୂର୍ବକ) ଶୁଣ ସେନାପତେ ।- ପର ମୁହୂର୍ତ୍ତର କର୍ତ୍ତବ୍ୟ ମୋର- ବିଜୟନଗର- ରାଜ ଆଜକୁ ସପ୍ତାହ କାଳ ହେଲା ଆମ୍ଭର ଦାକ୍ଷିଣାତ୍ୟ ପ୍ରଦେଶର ଅଧିକାଂଶ ଅଧିକାର କରି ବସିଛି- ଆମ୍ଭର ବହୁ ସୈନ୍ୟ ନିହତ- ରାୟ ରାମାନନ୍ଦ ବନ୍ଦୀ ।

ଅନନ୍ତ

-

(ସଲଜ୍ଜେ ମୁଖ ଫେରାଇଥିଲେ, କିନ୍ତୁ ଏହି କଥାରେ ଚମକିତ ହେଲେ) ବନ୍ଦୀ-। ଆଦେଶ କରନ୍ତୁ, ମହାରାଜ । ଏହି ମୁହୂର୍ତ୍ତେ ସସୈନ୍ୟ ସେ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ମୁଁ ପ୍ରସ୍ତୁତ ।

ପ୍ରତାପ

-

ଅଧୀର ହୁଅ ନାହିଁ, ଯୁବକ- ଆବଶ୍ୟକ ମନେକରିଥିଲେ ବହୁ ପୂର୍ବରୁ ତାହା ହୋଇ ସାରନ୍ତାଣି-

ଅନନ୍ତ

-

ତେବେ-

ପ୍ରତାପ

-

ଉପାୟ ? ଉପାୟ ଯେ ବହୁଦିନୁ ସ୍ଥରୀକୃତ ହୋଇଯାଇଚି,

ସେନାପତେ ।

ଅନନ୍ତ

-

ତେବେ କ’ଣ ଏଥି ପୂର୍ବରୁ ଆକ୍ରମଣର ସମ୍ବାଦ-

ପ୍ରତାପ

-

ଆଶଙ୍କା କରିଥିଲି, ଅନନ୍ତ ।-

ଅନନ୍ତ

-

କି’ ଉପାୟ ହୋଇଚି, ଶୁଣିପାରେ କି-

ପ୍ରତାପ

-

ବାଧା ?- କାର୍ଯ୍ୟରେ ପରିଣତ ହେବା ପରେ ?-

ଅନନ୍ତ

-

କାର୍ଯ୍ୟରେ ପରିଣତ ହୋଇ ଯାଇଛି ।

ପ୍ରତାପ

-

ହଁ- ଏହି ଯେ ପୁରସ୍କାର ଛଳରେ ତୁମ୍ଭଙ୍କୁ ବାରବାଟୀର ଭାର ଅର୍ପଣ- ଗୋବିନ୍ଦଙ୍କୁ ସାରଙ୍ଗଗଡ଼ର ଅଧିନାୟକ ପଦରେ ବରଣ-

ଅନନ୍ତ

-

(ସାଶ୍ଚର୍ଯ୍ୟ ଚାହିଁ) ମହାରାଜ ।-

ପ୍ରତାପ

-

(ସସ୍ମିତେ) କ’ଣ ପଚାର-

ଅନନ୍ତ

-

ତଥାପି ଏ’ ଜଟିଳତା ଭେଦ କରିବାକୁ ଏ’ ଅଧୀନ ନୀତାନ୍ତ ଅକ୍ଷମ, ମହାରାଜ । ଏ’ ଅଧୀନ କାହିଁକି, ବହୁ ବିଜ୍ଞ ସଭାସଦ୍ ଅକ୍ଷମ ହେବେ-। ଧୃଷ୍ଟତା ମାର୍ଜ୍ଜନା କରି କହନ୍ତୁ, ମହାରାଜ ।- ଯେଉଁ ସମ୍ମାନରେ ଅଧୀନ ଆଜି ଭୂଷିତ, ସେହି ସମ୍ମାନ ନ୍ୟାୟତଃ ଗୋବିନ୍ଦ ବିଦ୍ୟାଧରଙ୍କର ପ୍ରାପ୍ୟ ନୁହେଁ କି ?

ପ୍ରତାପ

-

(ସସ୍ମିତେ) ଖାଲି ସମ୍ମାନର ବିଚାର କରିଥିଲେ ଆଜି କି ଉପାୟ କରିଥାନ୍ତି, ଅନନ୍ତ ? ହଠାତ୍ ଯଦି ଶତ୍ରୁ ଉତ୍ତର ଦିଗରୁ ଆକ୍ରମଣ କରେ- ବିଶେଷତଃ, ଏହି ଦକ୍ଷିଣାକ୍ରମଣ ବାର୍ତ୍ତା ପାଇବା ମାତ୍ରେ ହୋସେନ ଖାଁ କେବେହେଲେ ସ୍ଥିର ହୋଇ ରହି ପାରିବ କି ?- କୌଣସି ସର୍ତ୍ତ, କୌଣସି କ୍ଷତିର ଭୟ କ’ଣ ସେହି ଲୋଭୀକୁ କଦାପି ଅଟକାଇ ରଖିପାରିବ ?- ମାତ୍ର ଆକ୍ରମଣ କଲେ, ସେ ନିଶ୍ଚୟ ବାରବାଟୀ ଅତିକ୍ରମ ନ କରି ଶାରଙ୍ଗଗଡ଼ ଆକ୍ରମଣ କରି ପାରିବ ନାହିଁ- ସୁତରାଂ ତୁମ୍ଭଠାରୁ ଖୁବ୍ ବାଧା ପାଇ ସୁଦ୍ଧା ପରାସ୍ତ ନ ହୋଇ ଅତିକ୍ରମ କଲେ ବି ଗୋବିନ୍ଦଙ୍କ ପରି ଏହି ଧୀର ସ୍ଥିର କର୍ତ୍ତବ୍ୟନିଷ୍ଠ କୌଶଳୀ ସେନାପତି ଏହି ଅବସର ଭିତରେ ନାନା ଉପାୟ ଉଦ୍ଭାବନପୂର୍ବକ, ସ୍ୱଳ୍ପ ସୈନ୍ୟ ସାହାଯ୍ୟରେ ମଧ୍ୟ ଜୟ କରିବାକୁ ନିଶ୍ଚୟ ସମର୍ଥ ହେବ ।

ଅନନ୍ତ

-

ଉପାୟ ଠିକ୍ ଚିନ୍ତା କରିଛନ୍ତି, ମହାରାଜ ।- କିନ୍ତୁ ସେ ଆପଣ ଯଦି ମନୁଷ୍ୟ-ପ୍ରକୃତି-ସୁଲଭ ଅସୂୟା ପରବଶ ହୋଇ-

ପ୍ରତାପ

-

ଅସମ୍ଭବ- ଭାବିଛ କି ଅନନ୍ତ, କୌଣସି କାର୍ଯ୍ୟ ପରୀକ୍ଷା ନ କରି ମୁଁ ସେଥିରେ ହସ୍ତକ୍ଷେପ କରେ- ସୁନାକୁ ନ ପୋଡ଼ାଇ ମୁଁ ତାହାର ମୂଲ୍ୟ ନିର୍ଦ୍ଦେଶ କରେ- ଗୋବିନ୍ଦ ତୁଲ୍ୟ କର୍ତ୍ତବ୍ୟ-ନିଷ୍ଠ ବୀର କ୍ୱଚିତ ଦେଖିଛି, ଯେ କି ମାନ, ଅପମାନ,- ଧର୍ମ, ଅଧର୍ମ- ଜୀବନ, ମୃତ୍ୟୁ କର୍ତ୍ତବ୍ୟ ସମ୍ମୁଖରେ ତୁଲ୍ୟ ଜ୍ଞାନ କରେ ।- ଏହି ମୁକୁନ୍ଦକୁ ମଧ୍ୟ ସେହିପରି- ଛାଡ଼ି, ଏହିକ୍ଷଣି ମୋତେ ଯାତ୍ରା କରିବାକୁ ହେବ- ସେନାପତେ । ସମସ୍ତେ ସୈନ୍ୟଙ୍କୁ ବର୍ତ୍ତମାନ ଯୁଦ୍ଧାର୍ଥ ପ୍ରସ୍ତୁତ କରାଇ ଶ୍ରେଣୀବଦ୍ଧ ହେବା ପାଇଁ ଆଦେଶ ଦିଅ- ମୁଁ ନିଜେ ପର୍ଯ୍ୟବେକ୍ଷଣ କରି ସୈନ୍ୟ ମୋର ବାଛି

ନେବି ।

ଅନନ୍ତ

-

ଯଥା ଆଜ୍ଞା-(ପ୍ରସ୍ଥାନ)

ପ୍ରତାପ

-

ଆଉ ବାକି ରହିଲା କଣ ? (ଚିନ୍ତିତ ମସ୍ତକରେ କିଛିକ୍ଷଣ ବିଚରଣ କଲେ) ନା, ଏଠାରେ କର୍ତ୍ତବ୍ୟ ଶେଷ ହୋଇଚି- ଯାଏ, ତେଣେ ସଭାସଦ୍‌ଗଣ ଉପସ୍ଥିତ ହୋଇ ସାରିଥିବେ । (ପ୍ରସ୍ଥାନ)

 

 

[ କୃଷ୍ଣାର ପ୍ରବେଶ ]

କୃଷ୍ଣା

-

ଏଠାରେ କର୍ତ୍ତବ୍ୟ ଶେଷ ହୋଇଚି ଆପଣଙ୍କର, ପିତା- ଆପଣଙ୍କର ଭବିଷ୍ୟତ୍ ଚିନ୍ତାଅନୁଯାୟୀ- କିନ୍ତୁ ମୋର ଭବିଷ୍ୟତ୍ ଚିନ୍ତା ଯେ ଅନ୍ୟରୂପ- ଆପଣଙ୍କର କର୍ତ୍ତବ୍ୟ ସ୍ରୋତରେ ଭାସି ଯିବି କିପରି, ପିତା- ।

 

 

[ ଉତ୍ତପ୍ତ ମସ୍ତିଷ୍କରେ କିଛିକ୍ଷଣ ବିଚରଣ କରୁ କରୁ ଗୋଟାଏ ବେଦୀ ଉପରେ କ୍ଲାନ୍ତ ହୋଇ ବସି ପଡ଼ିଲେ । ଏହି ସମୟରେ ଜଣେ ସଖୀ ଅଙ୍ଗବଙ୍ଗି କରି ଗୀତ ଗାଉ ଗାଉ ପ୍ରବେଶ କଲା- କୃଷ୍ଣା ଟିକିଏ ତନ୍ଦ୍ରାବିଷ୍ଟା ହୋଇ ପଡ଼ିଲେ ]

 

ଗୀତ

ହୋଇଥାଏ ଯଦି ମନ ବେଦନା-

ଶିର ବେଦନା- ।

ବେଦନା କିପାଁ ଲୋ, ସହି ?-

କାନ୍ଦନା- ତୁହି କାନ୍ଦନା ।।

ଝିରି ଝିରି, ଥିରି ଥିରି

ଛପି ଛପି, ମରମରେ-

ବାଇବି ବଇଁଶୀ ଧୀରି, ଧୀରି-

କି ମୋହନ ସ୍ୱରେ-;

ଓଜାଡ଼ି ଦେବି ବାସନା

ହେବୁ ତୁହି ଆନମନା

ସପନେ ସମ୍ପିବୁ, ଆସିବେ ଲୋ ବଜାଇ ବାଜଣା ।।

[ ନେପଥ୍ୟ ଯୁଦ୍ଧ ବାଦ୍ୟ ଓ କୋଳାହଳ ଶୁଣାଗଲା ]

 

କୃଷ୍ଣା

-

(ଚମକି ଉଠି) ଏ’ କି କୋଳାହଳ ।- ମୁକ୍ତି- ମୁକ୍ତି (ପୁଣି କୋଳାହଳ) ଓଃ- ପିତାଙ୍କର ଯୁଦ୍ଧ ଯାତ୍ରା- ଯୁଦ୍ଧର ସୂଚନା ମାତ୍ର- କିନ୍ତୁ, ଅନ୍ତରରେ ମୋର ଯେ ଭୀଷଣ ଯୁଦ୍ଧ ଲାଗି ଗଲାଣି ।

 

 

[ ଯୋଦ୍ଧୃବେଶରେ ପ୍ରତାପରୁଦ୍ରଙ୍କର ପ୍ରବେଶ ]

ପ୍ରତାପ

-

ବିଦାୟ ଦେ, ମା । (କୃଷ୍ଣାକୁ ଆଲିଙ୍ଗନ କରି) ଛି, ମା ଏତେ ବ୍ୟାକୁଳା ହେଉଚୁ ।-ଏଁ, ଏତେ କମ୍ପିତା ହେଉଚୁ କାହିଁକି ?

କୃଷ୍ଣା

-

(କମ୍ପିତା ହୋଇ) ପିତା- ପିତା-

 

-

(ନପଥ୍ୟେ)- ଜୟ ମହାରାଜ ପ୍ରତାପରୁଦ୍ର ଦେବଙ୍କର ଜୟ ।

କୃଷ୍ଣା

-

(ଅତୀବ ଆନନ୍ଦରେ ଯେହ୍ନେ) ଜୟ ।- ଜୟ ।-

ପ୍ରତାପ

-

(ଚୁମ୍ବନ ରକି) ଏହିଥିର ଜୟ ମୋର ସୁନିଶ୍ଚିତ, ମା-

କୃଷ୍ଣା

-

(ଅସ୍ପଷ୍ଟ ଭାବରେ) ମୋର- ମୋର ଜୟ, ପିତା- (‘ପିତା’ ଡାକଟି କେବଳ ଶୁଣି, ପ୍ରତାପ ଯାଉଁ ଯାଉଁ ଫେରିଆସି ପୁନରାୟ ଚୁମ୍ବନ କରି ପ୍ରସ୍ଥାନ କଲେ- କୃଷ୍ଣା ବ୍ୟଥିତ ଭାବରେ ସେହିଆଡ଼େ ଚାହିଁ ଠିଆ ହେଉ ହେଉ ବାତାହତ ପ୍ରାୟ ପଡ଼ିଗଲେ-)

 

ଦ୍ୱିତୀୟ ଦୃଶ୍ୟ

 

 

 

ଗୋଟାଏ ପୁରାତନ ଅତି ଜୀର୍ଣ୍ଣ କକ୍ଷ-

 

 

[ ବାହାରେ ମୁକୁନ୍ଦ ଏକାକୀ ବସି ନିଜର ସେହି ପୁରାତନ ଅସ୍ତ୍ରର କଳଙ୍କ ମାର୍ଜ୍ଜନା କରୁଥିଲେ- ଖୋଳଟି ନିକଟରେ ପଡ଼ି ରହିଥାଏ । ]

ମୁକୁନ୍ଦ

-

ଯୁଦ୍ଧଯାତ୍ରାର କୋଳାହଳ- ଯୁଦ୍ଧବାଦ୍ୟର ଉନ୍ମାଦିଧ୍ୱନି- ଯୋଦ୍ଧାର ଯୁଦ୍ଧୋଦ୍‌ବେଗ, ମୋତେ ଉତ୍‌କ୍ଷିପ୍ତ କରି ଦେଉଚି ।- ଏହି ଜୀର୍ଣ୍ଣ ଅସ୍ତ୍ର ଖଣ୍ଡିକ ଘେନି ଶତ୍ରୁ ସମ୍ମୁଖରେ ଧାବିତ ହେବାକୁ ତାଡ଼ିତ କରୁଛି ।- କିନ୍ତୁ- କିନ୍ତୁ- ଦଂଷ୍ଟ୍ର ଥାଉଁ ଥାଉଁ ମୁଁ ଯେ ଦଂଷ୍ଟ୍ରହୀନ- ବୀର୍ଯ୍ୟ ଥାଉଁ ଥାଉଁ ମୁଁ ଯେ ବୀର୍ଯ୍ୟହୀନ- ଜୀବନ ଥାଉଁ ଥାଉଁ ମୁଁ ଯେ ମୃତ-କଳ୍ପ । ତଥାପି- କେଉଁ ସୁଖେ ଜାପୁଅଛି ଦିନ- ଏହି ଜୀର୍ଣ୍ଣକୁଟୀରେ ?- ଜୀର୍ଣ୍ଣ ବସନେ- ଶୀର୍ଣ୍ଣ ଅଶନେ (ଦୀର୍ଘ ନିଃଶ୍ୱାସ ଛାଡ଼ି) କାହିଁ ଥିଲି ମହାରାଜାଙ୍କ ଦେହରକ୍ଷୀ କାହିଁ ଆଜି ଜଣେ ସାମାନ୍ୟ ଦ୍ୱାରରକ୍ଷୀ- କା’ର ଆଶାରେ ?- କେଉଁ ଆଶାରେ ?- (ଖୋଳଟି ଉପରେ କିଛିକ୍ଷଣ ନୟନ ପୂରାଇ, କାହାର ମୂର୍ତ୍ତି ଯେହ୍ନେ ପ୍ରତିଫଳିତ ହେବାକୁ ଦେଖି ଚୁମ୍ବନ କଲେ) ପ୍ରଣୟ- ପ୍ରଣୟ- କିନ୍ତୁ ଏ’ ଯେ ଆକାଶ, ପାତାଳ ମଧ୍ୟରେ ପ୍ରଣୟ ।- ଏହା କି ସମ୍ଭବ ?- ସମ୍ଭବ- ସମ୍ଭବ- ଏହା ଯେ ସତ୍ୟ- ସତ୍ୟ-ଜ୍ୟୋତି-ଦିବାକର ଯେହ୍ନେ- ଉଚ୍ଚେ, ଅତି ଉଚ୍ଚେ ଥାଇ ଅନୁକ୍ଷଣ, ବର୍ଷଇ କିରଣ- ଉଚ୍ଚ, ନୀଚ କରି ସମଜ୍ଞାନ- କିନ୍ତୁ,- କିନ୍ତୁ- ନିମ୍ନେ ରହିଚି ଗୋପନ- ରାହୁ ସମ ସଦା ପାର୍ଥିବ ମଳିନ ସେହି ମର୍ଯ୍ୟାଦା- ମର୍ଯ୍ୟାଦା- ମର୍ଯ୍ୟାଦା । (କି ଗୋଟିଏ ହତାଶ ଭାବରେ ଭାଙ୍ଗି ପଡ଼ୁଥିଲେ)

 

 

[ ଅନନ୍ତର ପ୍ରବେଶ ]

ଅନନ୍ତ

-

କ’ଣ ଭାବୁଚ, ଭାଇ ?

ମୁକୁନ୍ଦ

-

(ନ ଚିହ୍ନି ପାରି ହଠାତ୍) କିଏ ?- (ଲଜ୍ଜିତ ହୋଇ) ଅନ- ନା, ନା, ସେନାପତେ- (ସସବ୍ୟସ୍ତେ ଉଠି ଅଭିବାଦନ କଲେ)

ଅନନ୍ତ

-

(ଉଠାଇ) ଭାଇ, ଭାଇ- ଏପରି କଲେ ଆଉ ମୁଁ-

ମୁକନ୍ଦ

 

ଏ’ କ’ଣ କହୁଚ, ଭାଇ-ନା, ସେନାପତେ ।- ଯେତେ ହେଲେ ଆପଣ-

ଅନନ୍ତ

-

ମୁକୁନ୍ଦ- ଭାଇ ମୋ’ର-। (ଆଲିଙ୍ଗନ କଲେ)

ମୁକୁନ୍ଦ

-

ଲକ୍ଷ ଲକ୍ଷ ସୈନ୍ୟର ଅଧିନାୟକ ହୋଇ, ସାମନ୍ୟ ଜଣେ ଦ୍ୱାରରକ୍ଷକ ସଙ୍ଗେ ଏ’ପରି ବ୍ୟବହାର କି-

ଅନନ୍ତ

-

ଯୁକ୍ତିସଙ୍ଗତ, ଅନ୍ୟ ରକ୍ଷକ ସଙ୍ଗେ ନ ହୋଇପାରେ- କିନ୍ତୁ ମୁକୁନ୍ଦ ସଙ୍ଗେ ଯେ- (କାନ୍ଦି ପକାଇଲେ ପରା)

ମୁକୁନ୍ଦ

-

ଭୁଲ, ଭୁଲ, ସେନାପତେ- ମୁକୁନ୍ଦ ରାଜ ମର୍ଯ୍ୟାଦା ରକ୍ଷା କରି ଜାଣେ- ସେଥିପାଇଁ ହୃଦୟର ମର୍ଯ୍ୟଦା ଆଜି ସେ ବିସର୍ଜ୍ଜନ କରି ପାରିଛି-

ଅନନ୍ତ

-

ପ୍ରେମ ପର୍ଯ୍ୟନ୍ତ ?-

ମକୁନ୍ଦ

-

ପ୍ରେମ ?- (ସବିସ୍ମୟେ କେତେ କ୍ଷଣ ନିସ୍ତବ୍ଧ ହୋଇ ଗଲେ)

ଅନନ୍ତ

-

ଆଶ୍ଚର୍ଯ୍ୟଭାବେ ଚାହିଁଚ କ’ଣ- ବିସର୍ଜନ କରି ପାରିବକି ?

ମୁକୁନ୍ଦ

-

ତା’ କ’ଣ ମନୁଷ୍ୟ ପାରେ, ଭା-?

ଅନନ୍ତ

-

କେ ଜାଣି, ତୁମେ ଯଦି ମନୁଷ୍ୟର ବାହାର ହୋଇଥାଅ ।

ମୁକୁନ୍ଦ

-

ଅସମ୍ଭବ- ଅସମ୍ଭବ- ସେହି ପ୍ରେମହିଁ ମୋତେ ଜିଆଇ ରଖିଚି- ମୋ’ର ଭୂତ, ବର୍ତ୍ତମାନ, ଭବିଷ୍ୟତକୁ ଗୋଟାଏ କେଉଁ ମଧୁର ଆଲୋକରେ ଆଲୋକିତ କରି ରଖିଚି ସିନା ।

ଅନନ୍ତ

-

ଏ’ ଅଧମଠାରେ ତେବେ ବିପରୀତ ଭାବ କାହିଁକି ? ଭାଇ- ଭାଇ- ମୋ’ ସମ୍ବନ୍ଧେ ସେହିପରି ‘ଭୂତ, ବର୍ତ୍ତମାନ, ଭବିଷ୍ୟତକୁ ମଧୁର ଆଲୋକରେ ଆଲୋକିତ’ କରି ଦେଉ ନାହିଁ କାହିଁକି- ‘ଭାଇ’, ‘ଭାଇ’ ବୋଲି ଡାକି ଥରେ ଏ’ ଦଗ୍ଧ ହୃଦୟରେ ଶାନ୍ତିବାରି ସିଞ୍ଚି ଦେଉ ନାହିଁ କାହିଁକି ?-

ମୁକୁନ୍ଦ

-

(ସ୍ୱଗତ) ଏଁ, ଏଁ- ମୁଁ କେଉଁ ମୋହାବେଶରେ ମନୋଭାବ ମୋ’ର ପ୍ରକାଶ କରି ପକାଉ ଥିଲି ।

ଅନନ୍ତ

-

ଭାବୁଚ କ’ଣ ଏତେ, ଭାଇ ?- ‘ଭାଇ’ ବୋଲି ଡାକିଲେ ରାଜ ମର୍ଯ୍ୟାଦା ମୋ’ର ନଷ୍ଟ ହେବ, ଏହି କଥା ତ ? କିନ୍ତୁ ପ୍ରକୃତ ପ୍ରେମର ମର୍ଯ୍ୟାଦା ସବୁ ଦଳି ମଥି ଦିଏ ନାହିଁକି ?

ମୁକୁନ୍ଦ

-

‘ଦଳି ମଥି’ ଦିଏ ? ପ୍ରକୃତ କହୁଚ ? ମିଥ୍ୟା ନୁହେଁ ତ ? ପ୍ରତାରଣା କରୁ ନାହିଁ ତ ?

ଅନନ୍ତ

-

ଭାଇ । ଭାଇ । ବିଶ୍ୱାସ କର, ଭାଇ- ଭୁଲି ଯାଅ ଅତୀତ-କଥା- ବନ୍ଧୁକୁ ବନ୍ଧୁ ବୋଲି ଆଲିଙ୍ଗନ ଦିଅ- ଭାଇକୁ ଭାଇ ବୋଲି ଗ୍ରହଣ କର (ଆଲିଙ୍ଗନ କଲେ)

ମୁକୁନ୍ଦ

-

ଭାଇ । ଭାଇ । ଓଃ- ମୋ ଭିତରୁ ଆଜି ଗୋଟାଏ ହିମାଳୟର ଭାର ଘୁଞ୍ଚାଇ ଦେଲ- ଗୋଟାଏ ନୂତନ ଦ୍ୱାର ଉନ୍ମୂକ୍ତ କରି ଦେଲ ଯେହ୍ନେ- କି ଯେ ଆଲୋକର ବନ୍ୟା ମାଡ଼ି ଆସୁଚି- ଚକ୍ଷୁ ମୋର ଝଲସି ଯାଉଚି- ମନ ଆବେଗରେ ନାଚି ଉଠୁଚି- କଣ୍ଠ ଆଉ ରୋଧ କରି ରଖିପାରୁନାହିଁ- ‘ଜୟ ପ୍ରେମର ଜୟ ।’- ‘ଜୟ ପ୍ରେମର ଜୟ ।’-

ଅନନ୍ତ

-

କି ଆନନ୍ଦ- କି ଆନନ୍ଦ- ପ୍ରକୃତରେ କେଡ଼େ ମୁର୍ଖ ଆମ୍ଭେମାନେ- ମିଥ୍ୟାର କ୍ଷଣିକ ବାହ୍ୟାଡ଼ମ୍ବର ପୂର୍ଣ୍ଣ ଆପାତ ମଧୁର କଥାରେ ଭୁଲି, ସତ୍ୟକୁ ପରମଶତ୍ରୁ ଜ୍ଞାନରେ କେଉଁ ଅନ୍ଧକାର ପୁରୀ ମଧ୍ୟରେ ଆବଦ୍ଧ କରି ରଖିଥାଉଁ ସିନା । ଆସ, ଭାଇ ସେହି ସରଳ ନିଷ୍କପଟ ବନ୍ଧୁତ୍ୱ ସାହାଯ୍ୟରେ ଆଜି ଉଚ୍ଚ ନୀଚ ଭେଦାଭେଦ ଭୁଲି ଯାଇ, ବନ୍ଧୁ, ବନ୍ଧୁ- ଭାଇ, ଭାଇ ବୋଲି ପୁନର୍ମିଳନ ସୁଖ-

ମୁକୁନ୍ଦ

-

ମିଳନ । ମିଳନ ।- ଏତେ ଆନନ୍ଦ- ଏତେ ସୁଖ- ଏ’ ଜୀବନରେ କି ସମ୍ଭବ-?- ନା, ନା, ଭାଇ । ପ୍ରେମ ପଥରେ ମର୍ଯ୍ୟାଦା ଯେପରି ଗୌରୀଶଙ୍କର ପରି ଶୃଙ୍ଗୋତ୍ତଳନ କରି ଠିଆ ହୋଇଚି ।

ଅନନ୍ତ

-

ପୁଣି ସେହି କଥା ? ବ୍ରାହ୍ମଣ୍ଡ ପରି ପ୍ରତି ବନ୍ଧକ ହେଲେ ମଧ୍ୟ ପ୍ରେମରେ ତଡ଼ିତ୍ ସ୍ପର୍ଶରେ ଯେ ଅଣୁ ପରମାଣୁରେ ପରିଣତ ହୋଇ, ସମତଳ ହୋଇଯାଏ-

ମୁକୁନ୍ଦ

-

‘ସମତଳ ହୋଇଯାଏ ।’- ‘ସମମତଳ’- ମୁକୁନ୍ଦ । ମୁକୁନ୍ଦ ।-ନାଚ- ନାଚ- ଗାଅ- ଗାଅ- ‘ଜୟ ପ୍ରେମର ଜୟ ।’

ଅନନ୍ତ

-

ଭାଇ । ଭାଇ । ଗୋଟାଏ ଭାରି କଥା ଭୁଲି ଆସିଚି- (ଗମନୋଦ୍ୟତ ଓ ଫେରି) ହଁ,- ଭାଇ ତୁମେ ଘରେ ଖାଇବ ନାହିଁ, ଆଜି ନିମନ୍ତ୍ରଣ-

ମୁକୁନ୍ଦ

-

ଆଉ କି ନିମନ୍ତ୍ରଣ, ଭାଇ ?- ବେଶି କ’ଣ ଖୁଆଇବ ?- ଆଦୌ ଯେ କ୍ଷୁଧା ମୋ’ର ନାହିଁ, ଭାଇ- ଆକଣ୍ଠ ପୂରି ଯାଇଚି- ନିଶ୍ୱାସ ମାରିବାର ପଥ ପର୍ଯ୍ୟନ୍ତ ରୁଦ୍ଧ ହୋଇ ଯାଇଚି ।

ଅନନ୍ତ

-

କହିବାକୁ ଭୁଲି ଯାଇଥିଲି, ଭାଇ- ଆଜିକାର ନିମନ୍ତ୍ରଣ ଗୋଟାଏ ବିଶିଷ୍ଟ ନିମନ୍ତ୍ରଣ- ଓଡ଼ିଶାର ପ୍ରବଳ ପ୍ରତାପୀ ରାଜାଧିରାଜ ପ୍ରତାପରୁଦ୍ର ଦେବଙ୍କ ଏକମାତ୍ର କନ୍ୟା-

ମୁକୁନ୍ଦ

-

କୃଷ୍ଣା ନିମନ୍ତ୍ରଣ କରିଚନ୍ତି ?- ଏତେ ଅନୁଗ୍ରହ ?-

ଅନନ୍ତ

-

ଭାଇ । ସେହି ଅନୁଗ୍ରହ’ ଏ’ ଅଧମ ଏତେ ସହଜେ ଲାଭ କରିବ- ଏପରି ଅଯାଚିତଭାବେ- ଏତେ ସୌଭାଗ୍ୟ-

ମୁକୁନ୍ଦ

-

କି ସୌଭାଗ୍ୟ, ଅନନ୍ତ ?

ଅନନ୍ତ

-

ଜେମାଦେଈଙ୍କ ପରିଣୟ-

ମୁକୁନ୍ଦ

-

‘ପରିଣୟ’- ‘ପରିଣୟ’- କ’ଣ କହିଲ ଭାଇ- ସ୍ପଷ୍ଟ କରି କୁହ- ପରିଣୟ ?-

ପରିଣୟ ?- କା’ର ? କା’ ସଙ୍ଗେ?

ଅନନ୍ତ

-

ଏ’ ହତଭାଗ୍ୟ ସଙ୍ଗେ, ଭାଇ-

ମୁକୁନ୍ଦ

-

(ବାକ୍‌ରୁଦ୍ଧ ହେଲେ ପରା)

ଅନନ୍ତ

-

ବିଶ୍ୱାସ କର, ଭାଇ- ମୁଁ ଅବିଳମ୍ବେ ଫେରିଆସି ସବୁ କହୁଚି, ଭାଇ ।

(ବେଗେ ପ୍ରସ୍ଥାନ)

ମୁକୁନ୍ଦ

-

(ହତାଶ ଦୃଷ୍ଟିରେ ଚାହୁଁ ଚାହୁଁ ଲୁପ୍ତ ଜ୍ଞାନ ହୋଇ ପଡ଼ିଗଲେ ଓ କୃଷ୍ଣାକୁ କେଉଁ ସ୍ୱପ୍ନରେ ଦେଖି ଡାକିବାକୁ ଲାଗିଲେ, ବିହଳଭାବେ) କୃଷ୍ଣା- କୃଷ୍ଣା-

 

 

[ ଠିକ୍ ସେତିକିବେଳେ ଗାଇ ଗାଇ ଉନ୍ମାଦିନୀର ପ୍ରବେଶ ]

 

Unknown

ଗୀତ

ଭୁଲନା- ଭୁଲନା ସେ ‘କୃଷ୍ଣା’ ଧରାରେ ।

ଯେ ଦେଲା ସର୍ବସ୍ୱ ‘ସଭା’ରେ ହେଲାରେ ।।

ବୀରର ମର୍ଯ୍ୟଦା ରହୁ- ଯାଉ ନିଜ ପ୍ରାଣ-

ସତ୍ୟର ମର୍ଯ୍ୟାଦା ରହୁ- ଯାଉ ନିଜ ମାନ -

କି ସେ ତାନ ?-

ମର୍ମ୍ମେ ମର୍ମ୍ମେ ବାଜି ଉଠିଲା ଝଙ୍କାରେ ।।

 

ଉନ୍ମାଦିନୀ

-

ଉଠ, ବୀର- ବୀରର ମର୍ଯ୍ୟାଦା ରକ୍ଷାକର- ସତ୍ୟର ମର୍ଯ୍ୟାଦା ରକ୍ଷାକର- ସତ୍ୟର ମର୍ଯ୍ୟାଦା-

ମୁକୁନ୍ଦ

-

(ଚମକି ଉଠି) ସତ୍ୟର ମର୍ଯ୍ୟାଦା- ବୀରର ମର୍ଯ୍ୟାଦା । କିଏ- କିଏ- ତୁହି-?

 

 

(ଉନ୍ମାଦିନୀ ବେଗେ ପଳାୟନ କଲା)

 

 

ସେହି- ସେହି ଉନ୍ମାଦିନୀଟା ନା-?            (ଅନୁଧାବନ କରୁଥିଲେ)

 

 

[ ହଠାତ୍ କୃଷ୍ଣ- ବସନାବୃତ୍ତା କୃଷ୍ଣା ପ୍ରବେଶ କଲେ, ମୁକୁନ୍ଦ ସ୍ଥାଣୁବତ୍ ଠିଆ ହୋଇଗଲେ ]

କୃଷ୍ଣା

-

(ଧୀରେ ସ୍ୱରେ) ହଁ, ହଁ, ସେହି ଉନ୍ମାଦିନୀଟା- ଘରେ ପଶିଥିଲା ନା ?- ବାହାରିଗଲା ଏହିବାଟେ-

 

 

(ସଭୟେ ନେପଥ୍ୟକୁ ଚାହୁଁ ଥିଲେ)

ମୁକୁନ୍ଦ

-

(ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ) କିଏ ? କିଏ ?-କୃଷ୍ଣା- କୃଷ୍ଣା-ପ୍ରେ-ମ-

 

 

(ସାବେଗେ କୃଷ୍ଣଆଡ଼େ ଅଗ୍ରସର ହେଲେ)

କୃଷ୍ଣା

-

ଚୁପ୍- ଚୁପ୍- ବୋଧହୁଏ ସେ-

ମୁକୁନ୍ଦ

-

ନା, ନା, ଆଉ ମୁଁ ସମ୍ଭାଳି ପାରୁନାହିଁ-

କୃଷ୍ଣା

-

ମୁଁ କ’ଣ ପାରିଛି, ପ୍ରେମମୟ ?- ପ୍ରତି ମୁହୂର୍ତ୍ତ ଭବିଷ୍ୟତର ଚିନ୍ତାକୁ ସମ୍ବଳ କରି ବର୍ତ୍ତମାନର ଅଣୁ ପରମାଣୁ ସୁଦ୍ଧା ସାର୍ଥକତାରେ ବ୍ୟୟ କରିବାକୁ ଯେ ମୁଁ କୁଣ୍ଠିତ ନୁହେଁ, ଏହା କ’ଣ ଏହି ବେଶ ଭୂଷା- ଭାବ ଇଙ୍ଗିତରୁ ବୁଝିପାରୁ ନାହିଁ, ପ୍ରେମମୟ ?-ମୋ’ର ଧନ, ସମ୍ପଦ- ଲଜ୍ଜା, ସଙ୍କୋଚ-ମାନ, ସଂଭ୍ରମ-ପିତା, ମାତା-ସମସ୍ତ ଆଜି ଅତିକ୍ରମ କରି- ଦିକ୍ ବିଦିକ୍ ଜ୍ଞାନଶୂନ୍ୟା ହୋଇ ଧାଇଁ ଆସିଚି- କେବଳ ତୁମ୍ଭର ପ୍ରେମ ପରାବାରର ସଙ୍ଗମ ଲାଭ କରିବି ବୋଲି ସିନା-ମୋ’ର ସମସ୍ତ- ତୁମ୍ଭର ସେହି ହୃଦୟର ଅନନ୍ତ ନୀଳିମାରେ ମିଳାଇ ଦେବି ବୋଲି ସିନା-

ମୁକୁନ୍ଦ

-

ପ୍ରାଣେଶ୍ୱରି- ପ୍ରେମ-(ଆଲିଙ୍ଗନ କରିବାକୁ ଯିବାବେଳେ)

 

 

 

 

 

(ନେପଥ୍ୟେ ଅଦୂରରୁ ଉନ୍ମାଦନୀ)- ସତ୍ୟ ।- ସତ୍ୟ ।-ସତ୍ୟର ମର୍ଯ୍ୟଦା-      (ଏହିପରି କହୁ କହୁ ଦୂରେଇ ଗଲା)

 

 

 

ମୁକୁନ୍ଦ

-

(ନିରସ୍ତ ହୋଇ) ‘ସତ୍ୟ ।’-‘ସତ୍ୟ ।’-

କୃଷ୍ଣା

-

କି ସତ୍ୟ, ପ୍ରିୟତମ ?

ମୁକୁନ୍ଦ

-

ଶୁଣିକି ପାରିଲ ନାହିଁ- ସେହ ସେହି ଉନ୍ମାଦିନୀଟା- କ୍ଷଣେ କ୍ଷଣେ ମୋତେ ଉନ୍ମାଦ କରି କାହିଁ ଉଭାଇ ଯାଏ ?- କୃଷ୍ଣା- କୃଷ୍ଣା- କୃଷ୍ଣା- (ଧରିବାକୁ ଗଲେ) ପ୍ରିୟତମା-

ମୁକୁନ୍ଦ

-

ନା, ନା, ଛୁଅଁନା- ଛୁଅଁନା- (ତଥାପି ସେହି ଧ୍ୱନି ଯେମନ୍ତ ହୃଦୟ ମଧ୍ୟରେ ପ୍ରତିଧ୍ୱନିତ ହେଉଥିଲା)

କୃଷ୍ଣା

-

ଏ’ କି କଥା, ପ୍ରିୟତମ ?

ମୁକୁନ୍ଦ

-

କୃଷ୍ଣା- କୃଷ୍ଣ- ତୁମ୍ଭେ କି- ତୁମ୍ଭେ କି ପରିଣୀତା ? କୁହ- କୁହ- ଏ’ କଥା ମିଥ୍ୟା- ସମ୍ପୂର୍ଣ୍ଣ-

କୃଷ୍ଣା

-

ସମ୍ପୂର୍ଣ୍ଣ ମିଥ୍ୟା, ପ୍ରେମମୟ । କିଏ ଏ’ପରି ମିଥ୍ୟା କଥା କହି, ପ୍ରତାରଣା-

ମୁକୁନ୍ଦ

-

ସେହି ଅନନ୍ତ- ପାଷଣ୍ଡ- ବର୍ବର –ନା, ନା- ସେତ ‘ଭାଇ’, ‘ଭାଇ’ ବୋଲି-ନା, ନା, ଏ ଗୁପ୍ତ-ହତ୍ୟା-ଗୁପ୍ତ-ହତ୍ୟା ଛଦ୍ମବେଶରେ ଆଜି ପ୍ରତିଶୋଧ ।- ପ୍ରତିଶୋଧ-।।

କୃଷ୍ଣା

-

(କେଉଁ କୃତଜ୍ଞତାର ତାଡ଼ନାରେ ବୋଧହୁଏ ସତ୍ୟବ୍ୟକ୍ତ କରିବାକୁ ଉତ୍‌କ୍ଷିପ୍ତା ହୋଇ ଉଠିଲେ) ପ୍ରିୟତମ- ଅନନ୍ତର କୌଣସି ଦୋଷ ନାହିଁ- ପିତାଙ୍କର ଉଦ୍ଦେଶ୍ୟ ଯାହା-

ମୁକୁନ୍ଦ

-

ଅନନ୍ତ ସଙ୍ଗେ ପରିଣୟ ?

କୃଷ୍ଣା

-

କାର୍ଯ୍ୟରେ କିନ୍ତୁ ପରିଣତ- (ସତ୍ୟପ୍ରକାଶ ଓ ଗୋପାନର ଦ୍ୱନ୍ଦ୍ୱରେ ଯେହ୍ନେ କିଂ କର୍ତ୍ତବ୍ୟ ବିମୂଢ଼ା ହୋଇ ଗଲେ)

ମୁକୁନ୍ଦ

-

ହୋଇନାହିଁ- ହୋଇନାହିଁ- କି ଆନନ୍ଦ ।-କି ଆନନ୍ଦ ।-

(ହସି ହସି ଅସ୍ଥିର ହୋଇଗଲେ ପରା)

 

 

(ଦୂରେ ନେପଥ୍ୟରୁ ଶୁଣାଗଲା)- ‘ସତ୍ୟ’ ?- ‘କି ସତ୍ୟ’ ?- ପିତୃ ସତ୍ୟ-।

ମୁକୁନ୍ଦ

-

(ଚମକିତ ହେଲେ) ‘ସତ୍ୟ’ ?- ‘କି ସତ୍ୟ’ ?- ପିତୃ ସତ୍ୟ-। (କୁଳୀଶ ନିନାଦ ଯେହ୍ନେ ଅନୁଭବ କଲେ)କୃଷ୍ଣା ଏ’ କି ଶବ୍ଦ ?-ଏ’ ଯେ ଘନ ଘନ ବିଜୁଳି- ଘଡ଼ଘଡ଼ି- ମୂଷଳଧାରରେ ଦୃଷ୍ଟି ମଧ୍ୟ ଆରମ୍ଭ ହୋଇଚି ।

ମୁକୁନ୍ଦ

-

କାହିଁ ?- କାହିଁ ?-

କୃଷ୍ଣା

-

(ଦ୍ୱାରେ ଖୋଲି ଦେଖାଇଲେ)- କି ବିତ୍ପାତ୍ ।

ମୁକୁନ୍ଦ

-

ହାଃ, ହାଃ, ହାଃ,- ଭିତରର ବିତ୍ପାତକୁ ମୋ’ର ଜିଣି ପାରିଚି କି ?

କୃଷ୍ଣା

-

ତେବେ ଏହି ସୁଯୋଗ- ଏହି ସୁଯୋଗ, ପ୍ରିୟତମ- ଆସ, ଆସ- ଭିତରର ସମସ୍ତ କୋଳାହଳ ଏହି ବାହାରର କୋଳାହଳ ସଙ୍ଗେ ଆଜି ମିଶାଇ ଦେବା-

ମୁକୁନ୍ଦ

-

ପାରିବା- ପାରିବା ତ-?

କୃଷ୍ଣା

-

ଧର- ଏହି କର ମୋ’ର ଧର ପ୍ରିୟତମ-(ହାତ ବଢ଼ାଇ ଦେଲେ)

ମୁକୁନ୍ଦ

-

(କମ୍ପିତ ହସ୍ତରେ ଧରୁଥିଲେ)

 

-

(ନେପଥ୍ୟେ ଅତିଦୂରରୁ ଉନ୍ମାଦିନୀ)- ସତ୍ୟ- ସତ୍ୟର ମର୍ଯ୍ୟାଦା ।

ମୁକୁନ୍ଦ

-

ମର୍ଯ୍ୟାଦା- ସତ୍ୟର ମର୍ଯ୍ୟଦା- ପିତୃସତ୍ୟର ମର୍ଯ୍ୟାଦା- ବୀର- ବୀର ସତ୍ୟନିଷ୍ଠ ମୁହିଁ- ପ୍ରିୟ- ନା, ନା, କୃଷ୍ଣା- ନା, ନା, ଜେମାଦେଈ- ଯାଅ ଚାଲି- ଚାଲି ଯାଅ ସମ୍ମୁଖରୁ- ତୁମ୍ଭେ ପରିଣୀତା- ତୁମ୍ଭେ- ନା, ନା, ଆପଣ-

କୃଷ୍ଣା

-

ନୁହେଁ ପରିଣୀତା- ଅଦ୍ୟାପି ଅବସର- ମୁକୁନ୍ଦ- ନା, ନା- ଅନନ୍ତ କହି ଯାଇଚି- ମୋତେ ନିମନ୍ତ୍ରଣ କରି ଯାଇଚି- ହାଃ, ହାଃ,- ମୁଁ ଯିବି, ନିମନ୍ତ୍ରଣ ରକ୍ଷା କରିବି- ବନ୍ଧୁ ନିମନ୍ତ୍ରଣ- ଯାଅ- ଯାଅ- ନା, ନା ଆସନ୍ତୁ- (ମୁଖ ବୁଲାଇ ଦେଲେ)

କୃଷ୍ଣା

-

ମୋତେ କ’ଣ ଅବିଶ୍ୱାସ ?

ମୁକୁନ୍ଦ

-

ବିଶ୍ୱାସ କରୁଚି, ଭଉଣି ।-ଏ’ ପର୍ଯ୍ୟନ୍ତ ଏ’ ବିବାହ ଘଟିନାହିଁ- ମାତ୍ର ପିତାଙ୍କର ଉଦ୍ଦେଶ୍ୟ ଯେତେବେଳେ- ପିତା କରିଚନ୍ତି ‘ସତ୍ୟ’ ଯେତେବେଳେ- ତୁମ୍ଭର ସମ୍ମତି ଥାଉ ବା ନ ଥାଉ- ଆଚ୍ଛା, ତୁମେ କ’ଣ ସମ୍ମତି ଦେଲ ?- କୌଣସି ଆପତ୍ତ- ନା- ନା- ମୁଁ କ’ଣ କରୁଚି- ଯାଅ- ଯାଅ, କୃଷ୍ଣା- ଭଉଣି- ନା, ନା, ଆସନ୍ତୁ, ଜେମାଦେଈ (କି ଯାତନାରେ ଯେ କଲବଲ ହେଉଥିଲେ, ତାହା ସେହି ଏକା ଜାଣୁଥିଲେ ସିନା)

କୃଷ୍ଣା

-

ସତ୍ୟ କଥା, ପ୍ରିୟତମ ! ତେତେବେଳେ ଲେଶ ମାତ୍ର ଆପତ୍ତି ସୁଦ୍ଧା କରିବାକୁ କ୍ଷମ ହୋଇ ନ ଥିଲି- ପିତାଙ୍କର କି ଗୋଟାଏ କଥା- ମୋହରେ ଏତେଦୂର ଆତ୍ମ ଜ୍ଞାନ- ଶୂନ୍ୟା ହୋଇ ଯାଇଥିଲି ଯେ ଯନ୍ତ୍ରଚାଳିତ ପରି ତାଙ୍କରି ନିର୍ଦ୍ଦେଶ ଅନୁସାରେ ସ୍ୱଚ୍ଛନ୍ଦେ କାର୍ଯ୍ୟ କରି ପକାଇ ଥିଲି- ପରେ ହଠାତ୍ ସେହି ମୋହଟା କଟିଯାଇ ଜ୍ଞାନର ବିକାଶ ହେଲା ଯେତେବେଳେ ମସ୍ତକ ମୋ’ର କରାଳ ଚକ୍ରପରି ଘୂର୍ଣ୍ଣିତ ହେବାକୁ ଲାଗିଲା ସିନା- ସଂସାର ଅନ୍ଧକାରମୟ ଦିଶିଲା ସିନା- ଉନ୍ମାଦିନୀ ପରି ନାନା ଆଡ଼େ ବୁଲି ବୁଲି ଏହିଠାରେ ସମସ୍ତ ବିସର୍ଜ୍ଜନ କରିଦେବି ବୋଲି ସେ ଧାଇଁ ଆସିଚି- ପ୍ରିୟତମ- ପ୍ରିୟତମ-

ମୁକୁନ୍ଦ

-

ସ୍ଥିର ହୁଅ- ସ୍ଥିର ହୁଅ, ଜେମାଦେଈ । ଆତ୍ମହତ୍ୟା କରିବାକୁ ମନ ବଳାଅ ନାହିଁ ଗୋଟାଏ ଉନ୍ମାଦନାରେ ‘ପିତୃ ସତ୍ୟ’ ଲଙ୍ଘନ କରିବାକୁ ଉତ୍‌କ୍ଷିପ୍ତା ହୋଇ ଉଠନାହିଁ - ସତ୍ୟର ମର୍ଯ୍ୟାଦାକୁ ପଦଦଳିତ କରି-

କୃଷ୍ଣା

-

ମର୍ଯ୍ୟାଦା - ମର୍ଯ୍ୟାଦା - ଦିନେ ମୋ’ର ସେ ଗର୍ବଥିଲା - ପ୍ରେମର ଶୀର୍ଷ ଦେଶରେ ସ୍ଥାନ ତା’ର ନିରୂପିତ କରିଥିଲି - କିନ୍ତୁ, ପ୍ରେମମୟ । ପ୍ରେମର ପ୍ରସ୍ରବଣ ତେତେବେଳେ କ୍ଷୀଣ ଧାରରେ ଝରୁ ଥିଲା ସିନା - ମର୍ଯ୍ୟାଦାର ଗୁରୁଭାର ଭେଦ କରି ଉଠିବାର ଶକ୍ତି କି ଥିଲା ? - ବର୍ତ୍ତମାନ ଯେ କାଳକ୍ରମେ ତାହା ସ୍ଫୀତ ହୋଇ ଉଠିଚି - ପିତାଙ୍କର ଏହି ବିବାହୋଦ୍ଦେଶ୍ୟ - ଖୋଦନରେ ହଠାତ୍‌ ଶତଧାରାରେ ଆଜି ପ୍ରବାହିତ ହେଉଚି । ପ୍ରବଳ ବନ୍ୟାରେ, ସାମାନ୍ୟ ଶୀଳା ଖଣ୍ଡତ ଦୂରେ - କାହିଁ, କେତେ ପାହାଡ଼, ପର୍ବତ, ଦେଶ, ମହାଦେଶ ପ୍ଲାବିତ କରି, ଏହି ମହାସାଗରରେ ଆଜି ମିଳିବାକୁ ଧାଇଁ ଆସିଚି ସିନା । ଦେଖ, ଦେଖଚାହିଁ, ପ୍ରିୟତମ - ଚତୁର୍ଦ୍ଦିଗ କିପରି ଶୂନ୍ୟ - ମହାଶୂନ୍ୟ - ଅଣୁ ପରମାଣୁ ଅସ୍ତିତ୍ୱ ସୁଦ୍ଧା ନାହିଁ । ବିଶ୍ୱ ଏକାବେଳକେ ମହାପ୍ରଳୟ ଜଳଧି ଗର୍ଭରେ ଲୀନ ହୋଇ ଯାଇଛି - ଅନନ୍ତ - ବକ୍ଷରେ ଭାସମାନ, ଅର୍ଦ୍ଧନିମିଳିତ ନୟନ, ପ୍ରସାରିତ - ଦୀର୍ଘବକ୍ଷ ପ୍ରେମର - ପ୍ରତିମୂର୍ତ୍ତି ‘ମୁକୁନ୍ଦ’ ତୁମ୍ଭେ, - ଆଉ ସେହି ପଦାମ୍ଭୁଜ - ସେବା - ନିରତା ଭାଗ୍ୟବତୀ ‘କୃଷ୍ଣା’ ମୁହିଁ - ।

ମୁକୁନ୍ଦ

-

କ’ଣ ଦେଖାଇଲ, କୃଷ୍ଣା । - କି ଭାବ ଜଗାଇ ଦେଲ ? କୃଷ୍ଣ - ନା, ନା, ଜେମାଦେଈ - ଜେମାଦେଈ - କୁହ, କୁହ ସତ୍ୟକଥା ଥରେ, - ସତ୍ୟର ମର୍ଯ୍ୟାଦା ରକ୍ଷା ପାଇଁ - ବୀରର ମର୍ଯ୍ୟାଦା ରକ୍ଷା ପାଇଁ, ଉଭୟେ ଲକ୍ଷ୍ମୀ ଲକ୍ଷ୍ମୀ - ପତି କ’ଣ ସେହି ଅନନ୍ତ ଶୟନର ଅନନ୍ତ ସୁଖନିଦ୍ରା ବିସର୍ଜନ ଦେଇ କେତେ କେତେ ବିନିଦ୍ର ବିରହ କାତର ଯୁଗଯୁଗାନ୍ତକାଳ ଏହି ଶୋକ ଦୁଃଖପୂର୍ଣ୍ଣ ଧରାଧାମରେ ଯାପନ କରି ନାହାନ୍ତି ? ଜେମାଦେଈ । ଜେମାଦେଈ । ପ୍ରକୃତରେ ଆଜି ମୋତେ ଚକ୍ଷୁଷ୍ମାନ କରିଚି - ସେହି ଦିବ୍ୟାଲୋକରେ ନିଜେ ଚାହିଁ ଦେଖ ଥରେ, ପ୍ରେମବୋଲି ଯେଉଁ ସ୍ରୋତରେ ଆମ୍ଭେ ଏତେଦିନେ ଭାସି ବୁଲିଚୁ, ତାହାକି ପ୍ରକୃତ ପ୍ରେମ ? - ତାହା ଗୋଟିଏ ଲାଳସା - ଭୀଷଣ ଆସୁରି - ଲାଳସା ନୁହେଁ କି ? - ତାର ପ୍ଳାବନରେ ବିଶ୍ୱ ରସାତଳ ଗର୍ଭେ ଳୀନ ହୋଇଯାଏ - ତା’ର ନିଶ୍ୱାସରେ ପ୍ରଳୟର ଝଞ୍ଜା ମାତି ଉଠେ । - ଆଉ ପ୍ରେମ-ପ୍ରେମ - ତା’ର ଉଚ୍ଛ୍ୱାସରେ ବିଶ୍ୱ ରସାତଳ ଗର୍ଭରୁ ଉତ୍ତୋଳିତ ହୁଏ - ତା’ର ପ୍ରଶ୍ୱାସରେ ମଳୟାନିଳ ଖେଳି ବୁଲେ - ତା’ର ଜ୍ୟୋତିରେ ମର୍ଯ୍ୟାଦା ଭାସ୍ୱର ହୋଇ ଉଠେ, ମିଳନ ହୁଏ ନାହିଁ - କର୍ତ୍ତବ୍ୟ ପଥ ଆଲୋକିତ ହୋଇ ଉଠେ, ଅନ୍ଧକାରରେ ଆବୃତ୍ତ ହୁଏ ନାହିଁ । -

କୃଷ୍ଣା

-

କିନ୍ତୁ ମୋର ଆଲୋକ, ଅନ୍ଧକାର - ମୋ’ର ପଥ, ବିପଥ ଯେ ଏକ ମାତ୍ର ତୁମ୍ଭେ, ପ୍ରେମମୟ । (ଚରଣ ଧାରଣ କଲେ)

ମୁକୁନ୍ଦ

-

ଛାଡ଼-ଛାଡ଼- ପଥ । ପଥ- । -କାହିଁ ପଥ ମୋ’ର ? -ଏ’ ଯେ ଚାରିଆଡ଼େ ସେହି ଜଳା କବାଟିର ଲୌହସ୍ତମ୍ଭମାଳା । - ନା, ନା, ତାହାଠାରୁ ଯେ କଠିନତର ପ୍ରତିବନ୍ଧକ । - ମୁକୁନ୍ଦର କି ଶକ୍ତିର ଅତୀତ ? -

କୃଷ୍ଣା

-

ରକ୍ଷାକର - ରକ୍ଷାକର, ପ୍ରେମ - (ଦୃଢ଼ଭାବେ ଧରିଲେ)

ମୁକୁନ୍ଦ

-

ରକ୍ଷା-ରକ୍ଷା କରିବ ମକୁନ୍ଦ ନିଶ୍ଚେ ଆଜି- କେବଳ ରାଜ- ମର୍ଯ୍ୟାଦା ନୁହେଁ- ସତ୍ୟର ମର୍ଯ୍ୟାଦା- ବୀରର- ମର୍ଯ୍ୟାଦା- ।

 

 

(ଆପଣାକୁ କୌଣସିମତେ ମୁକ୍ତ କରି ବେଗେ ପ୍ରସ୍ଥାନ କଲେ)

କୃଷ୍ଣା

-

ଓଃ- (ଗୋଟିଏ କେଉଁ ପ୍ରତିଘାତରେ ମୂର୍ଚ୍ଛିତାପ୍ରାୟ ହେଲେ)

 

 

[ଅନନ୍ତର ସୋଲ୍ଲାସେ ବେଗେ ପ୍ରବେଶ]

ଅନନ୍ତ

-

ବାସନା ପୂର୍ଣ୍ଣ ହୋଇଚି, ଭାଇ- ରାଜଦେଶ- ପୂର୍ବ ପଦ ତୁମ୍ଭେ ଫେରି ପାଇଚ- ଓଃ, କି ବର୍ଷା- ବିଜୁଳି- ଘଡ଼ଘଡ଼ି- ।

କୃଷ୍ଣା

-

ଆସ, ଆସ,- ନାରୀର ମର୍ଯ୍ୟାଦା ରକ୍ଷା କରିବାକୁ ଭୁଲିଯାଅ ନାହିଁ- (ମୁକୁନ୍ଦଜ୍ଞାନରେ ଅନନ୍ତର ଚରଣ ଧରିବାକୁ ଗଲେ)

ଅନନ୍ତ

-

ନାରୀର ମର୍ଯ୍ୟାଦା । - କେଉଁଠି ମୁଁ ? ଏ’ କ’ଣ ?

କୃଷ୍ଣା

-

(ଅନନ୍ତକୁ ଦେଖି) ଏଁ-ଏଁ - ଏ’ ଯେ - (ମୂର୍ଚ୍ଛିତା ହୋଇ ପଡ଼ିଗଲେ)

ଅନନ୍ତ

-

ଭୟ ନାହିଁ- ଭୟ - କିଏ ? - କିଏ ? - ନୟନ ! ଧରି ବହ୍ନିଶିଖା ସେହି - ତେଜେ ଯା’ର ଜଳି ଯାଏ କ୍ଷଣେ, ବିଶ୍ୱ ବ୍ରହ୍ମାଣ୍ଡ ଅଖିଳ ମସ୍ତିଷ୍କ । କରିଠୁଳ ଏକାଠାବେ ସର୍ବ ସ୍ନାୟୁ କୁଳ କେନ୍ଦ୍ରୀଭୂତ ଯଥା ବିଶ୍ୱ, ନାଭି ପଦ୍ମେ ଅନନ୍ତ ବ୍ରହ୍ମର । ବୁଝି ଦେଖ- ଚାହିଁ ଦେଖ- ଏ’ କି କୃଷ୍ଣା । ରାଜଜେମା କୃଷ୍ଣା ? ମୋ’ର ସହଧର୍ମଣୀ କୃଷ୍ଣା ? [ବିସ୍ମୟ, କ୍ରୋଧ ଓ ଶୋକାକୁଳଭାବରେ ଚାହିଁ ରହିଲେ]

 

 

-ଯବନିକା-

 

ଚତୁର୍ଥ ଅଙ୍କ

ପ୍ରଥମ ଦୃଶ୍ୟ

-କକ୍ଷ-

 

[ମଳିନବେଶା କୃଷ୍ଣା ଏକାକିନୀ ମୌନଭାବେ ବସି କ’ଣ ଚିନ୍ତା କରୁଥିଲେ - କେତେବେଳେ ଭୟରେ ଶିହରି ଉଠୁଥିଲେ - କେତେବେଳେ ବା ବିମର୍ଷଭାବ ଧାରଣ କରୁଥିଲେ - ସେହି ଭାବୋଦ୍ଦୀପକ ମୃଦୁ ମୃଦୁ ବାଦ୍ୟ ଧ୍ୱନି ଘରଟିକୁ ତରଙ୍ଗାୟିତ କରି ରଖିଥିଲା । ଅନନ୍ତ ସିଂହ ଅଲକ୍ଷେ ଧୀର ପଦ ବିକ୍ଷେପେ ପ୍ରବେଶ କଲେ

ଓ ମୃଦୁ କରସ୍ପର୍ଶ କରିବା ସଙ୍ଗେ ସଙ୍ଗେ ଡାକିଲେ - ]

 

ଅନନ୍ତ

-

କୃଷ୍ଣା ।

କୃଷ୍ଣା

-

(ଭୀତା ଓ ଚମକିତା ହୋଇ ଘୁଞ୍ଚି ଠିଆହେଲେ)

ଅନନ୍ତ

-

ପ୍ରାଣେଶ୍ୱରୀ ।

କୃଷ୍ଣ

-

‘ପ୍ରାଣେଶ୍ୱରୀ’ । - ହାଃ ହାଃ ହାଃ -

ଅନନ୍ତ

-

ବୁଝିଛି - ବୁଝିଛି ମନୋଭାବ ତୁମ୍ଭର - ସମ୍ୱୋଧନରେ ମଧ୍ୟ ମୋ’ର ଅଧିକାର ନାହିଁ -ଯେ ପର୍ଯ୍ୟନ୍ତ ସେହି ତସ୍କରଟା -

କୃଷ୍ଣା

-

‘ତସ୍କର’-’ତସ୍କର’ - (ବିସ୍ଫୋରିତ ନେତ୍ରରେ ଚାହିଁଲେ)

ଅନନ୍ତ

-

ଓଃ - ସେହି ତସ୍କର - ଭୟ ସତେ ସତେ କ’ଣ -

କୃଷ୍ଣା

-

ଦୂର ହେବ - ଥାଉଁ ଏ’ ଜୀବନ । (ଶ୍ଲେଷ ପୂର୍ଣ୍ଣ ନେତ୍ରରେ ଚାହିଁଲେ)

ଅନନ୍ତ

-

ଜୀବନ ଭୟରେ ସେ ପଳାଇଛି, ପ୍ରାଣେ -

କୃଷ୍ଣା

-

ମାତ୍ର ମୋର ଭୟ କ’ଣ - (ହଠାତ୍‌ ସଲଳ୍ପେ ମୁଖ ଫେରାଇ ନେଇ ମାଟି ସଙ୍ଗେ ମିଶିବାକୁ ଯାଉଥିଲେ)

ଅନନ୍ତ

-

ମୃତ୍ୟୁ ସୁନିଶ୍ଚିନ୍ତ ଜାଣି କେହି କି କେବେ -

କୃଷ୍ଣା

-

(ଚମକିତା ହୋଇ) ‘ମୃତ୍ୟୁ’ । - ‘ମୃତ୍ୟୁ’ । - ଅସମ୍ଭବ - ଅସମ୍ଭବ ମୃତ୍ୟୁ ନାହିଁ, ମୁତ୍ୟୁ ହୋଇପାରେ ନାହିଁ -

ଅନନ୍ତ

-

‘ପାରେନାହିଁ’ - ଠିକ୍‌ କହିଚ - ମୃତ୍ୟୁ ସଙ୍ଗେ ଯୁଦ୍ଧ କରିବାକୁ ଯେମନ୍ତ ସେ ଆଜୀବନ ପ୍ରସ୍ତୁତ - କି ଅଲୌକିତ ଶକ୍ତି ତାର - ଏଡ଼େ ଏଡ଼େ କଠିନ ଲୌହ ଦଣ୍ଡଗୁଡ଼ାକ ସେଦିନ କେଡ଼େ ଅନାୟସରେ ବଙ୍କାଇ, ପୁଣି ସିଧା କରି ଦେଇ ଚାଲିଗଲା ସିନା -

କୃଷ୍ଣା

-

ହାଃ, ହାଃ - ଏହାଠାରୁ କଠିନତର ଦଣ୍ଡକୁ ଯେ ସେଦିନ ଅନାୟାସେ ଚରମାର କରି - (କହୁ କହୁ କି ଧିକ୍କାରେ ରହିଗଲେ) -

ଅନନ୍ତ

-

ଆଶ୍ଚର୍ଯ୍ୟ - ଆଶ୍ଚର୍ଯ୍ୟତାର ଦୁଃସାହସ ! - ଏତେ ସତର୍କ ପ୍ରହରୀ ଥାଉଁ ଥାଉଁ, - ପର୍ବତପରି ଉଚ୍ଚ ପ୍ରାଚୀର ପରିବେଷ୍ଟିତ ରାଜପୁରୀ ମଧ୍ୟରେ ପ୍ରବେଶ କରି, - ଏହି ମୁଁ ଫେରି ଯାଉଁ ଯାଉଁ, କେତେ ବା ସମୟ ପାଇଲା, ସେଥି ମଧ୍ୟରେ, ,କୁଟିମ ତୁମକୁ ବହନ କରି, - ନିଶ୍ଚୟ କେଉଁ ଅଦୃଶ ଶକ୍ତି ପ୍ରଭାବରେ -

କୃଷ୍ଣା

-

(ନିର୍ଲଜ୍ଜଭାବେ) ‘ଅଦୃଶ ଶକ୍ତି’ - ପ୍ରକୃତରେ ‘ଅଦୃଶ’ ଶକ୍ତି - ପ୍ରଭାବ ତାର ଦୃଷ୍ଟିର ଅତୀତ - କଳ୍ପନାର ଅତୀତ ତା’ରିଠାରେ ଏକା ସମ୍ଭବ –

ନୁହେଁ କି ?

ଅନନ୍ତ

-

(ସ୍ୱଳ୍ପ ସିନ୍ଧିଗ୍ଧଭାବେ ଚାହିଁଲେ) କିନ୍ତୁ ଏ’ ଦୁଃସାହସ ତା’ର ତୁମରି ଯୋଗୁଁ ବଢ଼ି ଯାଇଥିଲା ସିନା - ମୋର ମଧ୍ୟ ଦୋଷ କିଛି କମ୍‌ନୁହେଁ - ପୂର୍ବୋପକାରର କୃତଜ୍ଞତାରେ ଯଦି ଏତେ ଦୂର ଅନୁପ୍ରାଣିତ ହୋଇ ନ ଥାନ୍ତି, ତାହା ହେଲେ କି ଏପରି କୃତଘ୍ନତା -

କୃଷ୍ଣା

-

‘କୃତଘ୍ନତା’ । - ଘୋର କୃତଘ୍ନତା । (ଦୀର୍ଘନିଶ୍ୱାସ ତ୍ୟାଗକଲେ)

ଅନନ୍ତ

-

(କ୍ରୋଧାବିଷ୍ଟ ହେଲେ) ସର୍ପ - ସର୍ପ ସେହି - ଦଂଶନ କରିବା ତା’ର ପ୍ରକୃତି । ଆଜି ବୁଝୁଚି, ତସ୍କର - ସେ ଦିନ ରାତ୍ରିରେ ତୋ’ରି ସେହି ପ୍ରଚ୍ଛନ୍ନ ପାପ ଲାଳସା - ଓଃ ! ମୁଁ କି ଗୋଟାଏ ହୃଦୟାବେଗରେ ଲକ୍ଷ୍ୟ କରି ପାରି ନ ଥିଲି ସିନା।

କୃଷ୍ଣା

-

ଥାଉ - ଥାଉ - ସେହି ସ୍ମୃତି - ଶେଳ ସମ ବିନ୍ଧୁ ଅଛି ମର୍ମେ - ଓଃ, କି ଜ୍ୱାଳା - ନିଜ ରକ୍ତେ ନିଜ ରକ୍ତେ ପରା ଲିଭାନ୍ତି ଏ’କ୍ଷଣି - କିନ୍ତୁ - କିନ୍ତୁ, ଲିଭିବ କି - ଲିଭିବ କି -

ଅନନ୍ତ

-

ଲିଭିବ ନିଶ୍ଚୟ - କୃଷ୍ଣା । କୃଷ୍ଣା । ଏହି ପ୍ରତିଜ୍ଞା ମୋହର - ଯେଉଁଠାବେ ଥାଉ ସେ ତସ୍କର - ଅନଳେ, ଅନିଳେ ବ୍ୟୋମ ଅବା - ଜୀବିତ ବି ମୃତ - ଆଣିବି ମୁଁ ଖୋଜି କ୍ଷଣେ - ଦେବି ଉପହାର - ନା - ନା - ସ୍ୱହସ୍ତେ ବିଦାରି ବକ୍ଷ, ରକ୍ତ ଗଙ୍ଗା କରିବି ବାହାର - ସେହି ରକ୍ତ କରି ଅଞ୍ଜଳି ଅଞ୍ଜଳି - ଭୀମ ସମ ବୋଲିବି ମୁଁ - (ଆଉ କହି ନ ପାରି କୃଷ୍ଣାର ବେଣୀରେ ବୋଳିବାର ଅଭିନୟ କଲେ)

କୃଷ୍ଣା

-

ପାଇବ - ପାଇବ କି ସନ୍ଧାନ ତାହାର ? - ଆଣି - ଆଣି ଦେବ କି ସାକ୍ଷାତେ ସତେ ? ମୁକ୍ତକେଶା ଆଜିଠାରୁ କୃଷ୍ଣା ତେବେ ଜାଣ - । (ବେଣୀ ମୁକୁଳାଇ ଦେଲେ)

ଅନନ୍ତ

-

କୃଷ୍ଣା - କୃଷ୍ଣା - ଥାଅ ଘେନି ସେହି ତୃଷ୍ଣା - ବାହାରିଳି ଏହିକ୍ଷଣି ଅନ୍ୱେଷଣେ ତା’ର - (ପ୍ରସ୍ଥାନୋଦ୍ୟତ)

 

 

[ବେଗେ ଦୂତର ପ୍ରବେଶ]

ଦୂତ

-

ସେନାପତେ ! ସର୍ବନାଶ -

ଅନନ୍ତ

-

କରିବି ସ୍ୱହସ୍ତେ ମୁହିଁ - ରକ୍ତ-ରକ୍ତ-ରକ୍ତ - (ବେଗେ ପ୍ରସ୍ଥାନ କଲେ)

ଦୂତ

-

ସର୍ବନାଶ, ଜେମାଦେଈ - ହୋସେନ୍‌ଖାଁ - [ନେପଥ୍ୟେ ଗୁଡ଼ୁମ୍‌ ଗୁଡ଼ୁମ୍‌ ଶବ୍ଦ]

ଦୂତ

-

(ପ୍ରସ୍ଥାନ କରୁ କରୁ) ଏହି - ଶୁଣନ୍ତୁ, ଶୁଣନ୍ତୁ, ଜେମାଦେଈ ।

କୃଷ୍ଣା

-

ଶୁଣିବି ପଶ୍ଚାତେ - ନିର୍ବାପିତ କରି ଆଗେ - ତୃଷ୍ଣା - ତୃଷ୍ଣା - ତୃଷ୍ଣା - ।

 

 

[ଅଟ୍ଟହାସ୍ୟପୂର୍ବକ କି ଯେ ଲାଳସାପୂର୍ଣ୍ଣ ଦୃଷ୍ଟିରେ ଚାହିଁ, ଆପଣାର ମୁକୁଳିତ ବେଶୀ ସାଉଁଳିବାକୁ ଲାଗିଲେ]

 

ଦ୍ୱିତୀୟ ଦୃଶ୍ୟ

-ଅପରିସର ରାସ୍ତା-

[ସନ୍ତ୍ରସ୍ତେ ସମରେନ୍ଦ୍ର ଓ ଚମ୍ପା ପ୍ରବେଶ କଲେ]

 

ସମରେନ୍ଦ୍ର

-

ଚମ୍ପା । ଏ ଯୁଦ୍ଧ ଗୋଳମାଳରେ କୌଣସି ମତେ ତ ‘ବନ୍ଦି’ରୁ ମୁକୁଳା ପାଇଲୁ - ଏବେ କାନ୍ତାରରେ ପଡ଼ିବା ନାହିଁ ତ ?

ଚମ୍ପା

-

ମ’ - ମିଣିପ ହୋଇ -

ସମରେନ୍ଦ୍ର

-

ମାଇପି - ମାଇପି, ମୁଁ ଚମ୍ପା - ମିଣିପ - (ଚମ୍ପାକୁ ଅଙ୍ଗୁଳି ନିର୍ଦ୍ଦେଶ କଲା)

ଚମ୍ପା

-

ଚାଲ, ଚାଲ, ଡେରି ହଉଚି - ଖାଁ ସାହେବ ତେଣେ ହାଁ କରି -

ସମରେନ୍ଦ୍ର

-

ଚାହିଁ ବସିଥିବେ ତ ବୁଝିଲି - କିନ୍ତୁ -

ଚମ୍ପା

-

‘କିନ୍ତୁ’ ଫେର କ’ଣ -

ସମରେନ୍ଦ୍ର

-

ସେ କିହ୍ମୀରିଆ ହଁ । ନୁହେଁ ତ - ?

ଚମ୍ପା

-

ବିଧାତାଟା କେଉଁ ଅକଲରେ ତୁମକୁ ମିଣିପ କରି ଗଢ଼ିଥିଲା କେଜାଣି ?

ସମରେନ୍ଦ୍ର

-

ବିଧାତାର ସେହି ଭୁଲ ଆମେ ଠିକ୍‌କରି ନେଲେ ହୁଅନ୍ତା ନାହିଁ, ଚମ୍ପା ?

ଚମ୍ପା

-

ଆମେ ଆଉ କରୁଚୁ କ’ଣ କି ? - ସେନାପତି ହେବାର -

ସମରେନ୍ଦ୍ର

-

‘ସେନାପତି’ । -

ଚମ୍ପା

-

ଚମକି ଉଠିଲ ଯେ ?

ସମରେନ୍ଦ୍ର

-

ପୁଣି- (ନାକ କାନ ମୋଡ଼ି ଗାଲରେ ଚଟକଣି ଖାଇ) ସହକାରୀ ସେନାପତିରୁ ତ ଏ’ ଫଳ ?

ଚମ୍ପା

-

ତୁମରି ବୁଦ୍ଧି ଦୋଷରୁ ସିନା । ଖୋଳଟା ଯଦି ଅନନ୍ତ ସିଂହକୁ ବିଶ୍ୱାସ କରି ନ ଥା’ନ୍ତ- ଆଉ ସେ ଅସ୍ତ୍ରଟା ଯଦି ମୋ ହାତରେ ତେତେବେଳେ ଥା’ନ୍ତ- ତା’ ହେଲେ ସିଂହ ଉପରେ ଆଜି ହାତୀ ଚଢ଼ିଥାନ୍ତା କି ? –

ହାୟ । ତୁମେ ଏଡ଼େ ଗର୍ଦ୍ଦଭ-

ସମରେନ୍ଦ୍ର

-

କେମିତି ? ତୁମେ ଯେତେବେଳେ ‘ସିଂହ’-

ଚମ୍ପା

-

ଅନନ୍ତସିଂହର ଢିଲାଭାବ ଦେଖି ମୁଁ ସନ୍ଦେହ କଲାବେଳେ ତୁମେ ନ ବୁଝି ନ ସୁଜି କେମିତିକା କହୁଥିଲ- ‘ଖୁବ୍‌ ଆଣ୍ଟ ଦେଇଚି’ -

ସମରେନ୍ଦ୍ର

-

ସେଇଥିପାଇଁ ତ କହୁଚି- ଏ’ ଦେହଟା ପରି ବୁଦ୍ଧିଟା ମୋ’ର ଯଦି ହୋଇ ନ ଥା’ନ୍ତା-

ଚମ୍ପା

-

ଯେତେବେଳେ ଯେମିତିକା- କଣ ଚାଞ୍ଛି ଦେଉ ନାହିଁ ?

ସମରେନ୍ଦ୍ର

-

କିନ୍ତୁ ସେ ଦିନିକା ଭଳି ଯେମିତିକା ଆଉ ଚାଞ୍ଛି ନ ଦିଅ- ଦେଖିଲ, -ଘା’ଟା ଏ’ ଯାଏଁ-

ଚମ୍ପା

-

ଛି, ପ୍ରାଣେଶ୍ୱର । ସେହି ଛୋଟ କଥାଟା ଏଡ଼େ କରି ଧରିଚ ନା ? -ତୁମେ ପରା ସେନାପତି ହେଲେ ମୁଁ ହେବି ସେନାପତିଆଣୀ-

ସମରେନ୍ଦ୍ର

-

ତା-ତା- ମୁଁ କହୁଚି କଣ’କି- ପଦଟା ଓଲଟେଇ ଦେଲେ ହୁଅନ୍ତା ନାହିଁ ? ସବୁ ଯେତେବେଳେ ଓଲ୍‌ଟା- ମଣିମାଙ୍କ- ମଣିମା କାହିଁକି- ବିଧାତାଙ୍କର ବି ବୁଝାମଣାରୁ ବୁଝିବାକୁ ତ ଆଉ ବାକି କିଛି ନାହିଁ ।

ଚମ୍ପା

-

ମତ୍‌ଲବଟା ତୁମର କ’ଣ ଶୁଣେ- (ହଠାତ୍‌ ଯୁଦ୍ଧର କୋଳାହଳ ଶୁଣି ଓ ଅଦୂରେ ଅନନ୍ତକୁ ଦେଖି)

ସମରେନ୍ଦ୍ର

-

ଚମ୍ପା-ଚମ୍ପା-ପଳେଇଆ-ପଳେଇଆ-

 

 

[ଉଭୟଙ୍କର ସଭୟେ ବେଗେ ପ୍ରସ୍ଥାନ]

 

 

[ଅନନ୍ତସିଂହର ବେଗେ ପ୍ରବେଶ]

ଅନନ୍ତ

-

ଉପାୟ କ’ଣ ? ପଠାଣତ କ୍ରମେ ଦୂର୍ଦ୍ଧର୍ଷ ହୋଇ ଉଠିଲେ- ଗଡ଼ରକ୍ଷାର କି ଉପାୟ କରୁଚି ? -ନା, ନା, ସର୍ବାଗ୍ରେ ପ୍ରତିଜ୍ଞା ରକ୍ଷା କର୍ତ୍ତବ୍ୟ ମୋ’ର- ରକ୍ତ-ରକ୍ତ- ମୁକୁନ୍ଦର ରକ୍ତ-

 

 

[ଜନୈକ ସୈନିକର ପ୍ରବେଶ]

୧ମ ସୈନିକ

-

ସେନାପତେ । ସର୍ବନାଶ- ଶତ୍ରୁ ଗୁପ୍ତପଥର ସନ୍ଧାନ ପାଇଚି ।

ଅନନ୍ତ

-

ମୁକୁନ୍ଦର ସନ୍ଧାନ ? -

୨ୟ ସୈନିକ

-

ଆଉ ରକ୍ଷା ନାହିଁ, ସେନାପତେ । ଶତ୍ରୁ ରାଜପୁରୀ ମଧ୍ୟରେ ପ୍ରବେଶ କରିଛି -

ଅନନ୍ତ

-

କିନ୍ତୁ, ମୁକୁନ୍ଦ-ମୁକୁନ୍ଦ- ?

 

-

[ତୁତୀୟ ସୈନିକର ପ୍ରବେଶ]

୩ୟ ସୈନିକ

-

ସେନାପତେ । ଜେମାଦେଈ ଶତ୍ରୁ କବଳେ-

ଅନନ୍ତ

-

ମୁକୁନ୍ଦ କବଳେ ନୁହେଁତ- ?

 

-

(ଆସି ଉନ୍ମୋଚନ କରି ବେଗେ ପ୍ରସ୍ଥାନୋଦ୍ୟତ)

 

 

[ମୂର୍ଚ୍ଛିତାକୃଷ୍ଣାସ୍କନ୍ଧେ କ୍ଷତବିକ୍ଷତ ଦେହେ ମୁକୁନ୍ଦର ପ୍ରବେଶ]

ମୁକୁନ୍ଦ

-

ମୁକୁନ୍ଦ କବଳେ ପଡ଼ିଅଛି ବାଳା- ରକ୍ଷିତ ନାରୀରମାନ- ରକ୍ଷିତ ମର୍ଯ୍ୟାଦା ରାଜାର ଆମ୍ଭର- ପରାମର୍ଶ ବନ୍ଧୁ, ଘେନି ଶୀଘ୍ର ପଳାଅ ଏ’ଠା’ବୁ (ଅନନ୍ତର ଚରଣପ୍ରାନ୍ତେ ଶୁଆଇ ଦେଲେ)

 

 

(ନେପଥ୍ୟେ ଯୁଦ୍ଧ କୋଳାହଳ) ତରବାରୀ- ଖଣ୍ଡେ ତରବାରୀ- ବନ୍ଧୁ । ବନ୍ଧୁ । -ଭଗ୍ନ ମୋର ଅସି ଖଣ୍ଡ ଖଣ୍ଡ ରଣେ । (ନେପଥ୍ୟେ)- ‘ଆଲ୍ଲା ହୋ’ ରବ - (ଗୁଡ଼ଗ୍‌ ଗୁଡ଼ମ୍‌ ଶବ୍ଦ) ଏହି- ଏହି ଯେ ଆସନ୍ତି ଧାଇଁ- କ୍ଷୁଧିତ ଶାର୍ଦ୍ଦୂଳ ସମ- ଶିକାର ସନ୍ଧାନେ- ଆସି-ଆସି- [ଅନନ୍ତ ନିର୍ବାକ ନିଶ୍ଚଳ ହୋଇ ଦେଖୁଥିଲେ । ଅନନ୍ତର ହସ୍ତରୁ ଆସି କାଢ଼ିନେଇ]

ମୁକୁନ୍ଦ

-

କ୍ଷମ ଅପରାଧ, ଭାଇ- ଆସ, ସୈନ୍ୟଗଣ- [କି ଯାଦୂରେ ଯେହ୍ନେ ସୈନ୍ୟଗଣକୁ ବଶକରି ଘେନି ପ୍ରସ୍ଥାନ କଲେ]

ଅନନ୍ତ

-

ମୁକୁନ୍ଦ ! ମୁକୁନ୍ଦ ! -ଭାଇ-ଭାଇ- । (ସେହି ଅଦ୍ଭୁତ ଶକ୍ତି ଆକର୍ଷଣରେ ଅନୁଧାବନୋଦ୍ୟତ ହେଲେ)

କୃଷ୍ଣା

-

(ଚେତନା ଲାଭ କରି) ଏଁ-ଏଁ- କେଉଁଠାରେ ମୁହିଁ-

କୃଷ୍ଣା

-

କିଏ-କିଏ- ତେବେ କି ସ୍ୱପ୍ନ (ମୂର୍ଚ୍ଛତା ପ୍ରାୟ ହେଲେ)

ଅନନ୍ତ

-

ସ୍ୱପ୍ନ-ସ୍ୱପ୍ନ, କୃଷ୍ଣା । ସ୍ୱପ୍ନ ପରି ଆସି, ସେ ଯେ ସ୍ୱପ୍ନ ପରି ସତେ ଯାଇଅଛି ଚାଲି ?

ନେପଥ୍ୟେ)

-

(ଆଲ୍ଲାହୋ ଆକ୍‌ବର ।

ଅନନ୍ତ

-

ଉଠ, ଉଠ, କୃଷ୍ଣା- ପ୍ରିୟତମେ- ନରାପଦ ନୁହେଁ ସ୍ଥାନ (କୃଷ୍ଣାକୁ ଧରିବାକୁ ଗଲେ)

କୃଷ୍ଣା

-

କିଏ-କିଏ- ଛୁଅଁନା, ଛୁଅନାଁ ମୋତେ-

ଅନନ୍ତ

-

କୃଷ୍ଣା । କୃଷ୍ଣା । - ତୃଷ୍ଣା କି ତୁମ୍ଭର-

କୃଷ୍ଣା

-

‘ଲିଭି ନାହିଁ ?’ -ଲିଭିବ କିପରି- କିଏ ଲାଭାଇବ ? -(ନେପଥ୍ୟେ ମୁକୁନ୍ଦକୁ ଉଦ୍ଦେଶ୍ୟ କରି ଚାହିଁ ଠିଆ ହେଲେ)

ଅନନ୍ତ

-

କ୍ଷମାକର, କୃଷ୍ଣା- ଭୁଲିଥିଲି ପ୍ରତିଜ୍ଞା ନିଜର, ସାମାନ୍ୟ ଆବେଗେ- ରକ୍ତ-ରକ୍ତ-ରକ୍ତ ସେହି ତସ୍କରର-

(ନେପଥ୍ୟେ)

-

‘ଆଲ୍ଲାହୋ’ ଆକ୍‌ବର-

ଅନନ୍ତ

-

ଚାଲ, ଚାଲ, କୃଷ୍ଣା । ଆଗେ ନିରାପଦ ସ୍ଥାନେ-

କୃଷ୍ଣା

-

ସିଂହ-ଶିଶୁ ମୁହିଁ-ନ ଲୋଡ଼ଇ କେବେ ଶୃଗାଳର କର-

ଅନନ୍ତ

-

କୃଷ୍ଣା । କୃଷ୍ଣା । -ଓଃ । କି ଶେଳ ବିନ୍ଧିଲ ଆଜି ମରମେ ମୋହର- (କଶାହତ ଅଶ୍ୱପରି ବେଗେ ପ୍ରସ୍ଥାନ କଲେ)

କୃଷ୍ଣା

-

(କେଉଁ ବିଭୀଷିକାର ଛାୟା ସମ୍ମୁଖେ ଯେମନ୍ତ ଦେଖିବାକୁ ପାଇ)

ଅନନ୍ତ । - ସେନାପତେ । - ଫେର-ଫେର-(ଅନୁଧାବନ କଲେ)

 

ତୃତୀୟ ଦୃଶ୍ୟ

-ଦୁର୍ଗ ନିକଟସ୍ଥ ଶିବିର-

 

[ଶିବିରରେ ଖାଁ ସାହେବ କେତେକ ମୋସାହେବଙ୍କ ସଙ୍ଗେ ନୃତ୍ୟ, ଗୀତ ଓ ପାନାଦିରେ ମତ୍ତ ଥିଲେ । କ୍ଷଣକାଳ ପୂର୍ବେ ଗୋଟାଏଭୀଷଣ ଖଣ୍ଡ ଯୁଦ୍ଧରେ ଶତ୍ରୁପକ୍ଷ ପରାସ୍ତ ହୋଇ ଯାଇଥିବାରୁ ଏବଂ ରାତ୍ରିର ଅନ୍ଧକାର କ୍ରମେ ଘନୀଭୂତ ହୋଇ ଆସୁଥିବାରୁ ଯୁଦ୍ଧର ଆଶଙ୍କା ନ ଥିଲା । ]

 

ନର୍ତ୍ତକୀ-

ଗୀତ

ମେରି ପିଆଲା ରଙ୍ଗେଲି-

ମେରି ଓଠୋ- ରଙ୍ଗେଲି-

ରଙ୍ଗେଲି ବୋଲି ମେରା-

ରଙ୍ଗେ ଯୌବନ ଖେଲି ।।

କିଆବାତ ? -କିଆବାତ୍‌? -ଆଓ ମେରାସାତ୍‌

ଆଖିମେ ଲାଲି ଗୋଲି-

ଦିଲ୍‌ମେ ଲାଲି ଖୋଲି;

ଦୁନିଆକୋ ଛୋଡ଼ୋ- ଆସ୍‌ମାନ୍‌ମେ ଚଢ଼ୋ-

ହାମ୍‌ସେ ମିଲି ଖେଲି- କଏସି ରଙ୍ଗେଲି ।।

(ସମସ୍ତେ ନିଶାରେ ଲୁପ୍ତ-ଜ୍ଞାନ ହେବା ଦେଖି ନର୍ତ୍ତକୀର ପ୍ରସ୍ଥାନ)

 

 

 

[ଅଲକ୍ଷ୍ୟେ ସମରେନ୍ଦ୍ର ଚମ୍ପାବେଶରେ ଓ ଚମ୍ଫା ସମରେନ୍ଦ୍ର ବେଶରେ ନିମ୍ନୋକ୍ତଭାବେ କଥୋପକଥନ କରୁ କରୁ ପ୍ରବେଶ କଲେ]

ସମରେନ୍ଦ୍ର

-

(ସଭୟେୁ) ଚମ୍ପା ।

ଚମ୍ପା

-

ମୁ ଚମ୍ପା ?

ସମରେନ୍ଦ୍ର

-

ନା, ନା- (କାନମୋଡ଼ି ଚଟକଣି ଖାଇ) ସମରେନ୍ଦ୍ର- ସମ-

ଚମ୍ପା

-

ଆଚ୍ଛା, ଖାଁ ସାହେବ ତ ତମର ମୁଚ୍ଛଟା ଦେଖିଥିବେ ?-

ସମରେନ୍ଦ୍ର

-

ତା-ତା-

ଚମ୍ପା

-

କିଛି ଭୟ ନାହିଁ- ମୁଁ କହିଦେବି - କ’ଣ କି, ଏହି କଲମା ପଢ଼ିଲାବେଳେ ଦୁଇ ହାତରେ ମୁଛଟା ସାଉଁଳୁ-ସାଉଁଳୁ-

ସମରେନ୍ଦ୍ର

-

(ଉତ୍ତେଜିତ ହୋଇ) ଝଡ଼ି ପଡ଼ିଚି- ଠିକ୍‌କହିଚୁ ଚମ୍ପା-

ଚମ୍ପା

-

ପୁଣି ଚମ୍ପା- (ଦାନ୍ତ କାମୁଡ଼ି ଆଖି ଦେଖାଇ)

ସମରେନ୍ଦ୍ର

-

(କାନ ମୋଡ଼ି ଚଟକଣି ଖାଇ ଗୋଡ଼ଧୂଳି ମୁଣ୍ଡରେ ନେଇ) ଆଉ ନୁହେଁ- ଆଉ ନୁହେଁ- କିନ୍ତୁ ମୁଛଟା ମୋର ଯଦି ଦେଖି ପକାନ୍ତି-

ଚମ୍ପା

-

ଭଲ କରି ଘୋଡ଼େଇ ରଖିପାରୁନା-

ସମରେନ୍ଦ୍ର

-

କାହିଁକି, ଚ- (ଜିଭ କାମୁଡ଼ି ଓ ସେହିପରି ଚଟକଣି ଖାଇ) କହି ଦେବି- ‘ତୁମରୁ ଯେ ସବୁ ଓଲଟା’-

ଚମ୍ପା

-

ଚୁପ୍‌ ଖାଁ ସାହେବ ଚେଇଁଲେଣି ପରା- ଦେଖ, ସାବଧାନ- କଥା କହିବ ନାହିଁଟି ।

ସମରେନ୍ଦ୍ର

-

(ସଭୟେ) ଚ-ମ୍ପା-

ଚମ୍ପା

 

ପୁଣି- (ଭୟ ଦେଖାଇ)

ସମରେନ୍ଦ୍ର

-

(ପାଟି ଅଠା ଅଠା କରି ଇଙ୍ଗିତରେ ଯେମିତିକା କରିଲେ) ‘ଆଉ କହିବାର ଶକ୍ତି ଯେ ନାହିଁ-’

ଚମ୍ପା

-

କେମିତିକା ମିଣିପଟାମ ।

ସମରେନ୍ଦ୍ର

-

(ଇଙ୍ଗିତରେ ନିଜର ଚେଶ ଦେଖାଇଲେ କେବଳ)

 

-

[ଇତି ମଧ୍ୟରେ ଖାଁ ସାହେବ, ନିଶା ଛାଡ଼ ଛାଡ଼ ହେବାରୁ କି କ’ଣ ଉଠି ବସିଥିଲେ]

ଖାଁ ସାହେବ

-

ଗାଓ-ଗାଓ-

 

 

 

[ଚମ୍ପା ଓ ସମରେନ୍ଦ୍ର ଅଗ୍ରସର ହେଲେ, ମାତ୍ର ସମରେନ୍ଦ୍ର ଲଜ୍ଜାବତୀ ଲତାଟି ପରି ଚମ୍ପାକୁ ଚମ୍ପକବୃକ୍ଷ ସମାନ ଜଡ଼େଇ ରହିଥାଏ ]

 

 

 

ଚମ୍ପା

-

(ନିର୍ଭିକଭାବେ) ବନ୍ଦେଗି-ବନ୍ଦେଗି-

ଖାଁ ସାହେବ

-

ଆଦାବ୍‌, ଆଦାବ୍‌ ଆୟେ, ଆୟେ- (ଅନ୍ୟାନ୍ୟ ମୋ ସାହେବମାନଙ୍କୁ)- ବେ କୁ ବ୍‌। କମ୍‌ବକ୍ତ । ନିକ୍‌ଲୋ, ଭାଗୋ ଇହିଁସେ-

 

 

[ମୋ ସାହେବଗଣ ଉଠି; ଆଖି ମଳୁ ମଳୁ, ସମରେନ୍ଦ୍ରକୁ ଟେରେଇ ଚାହୁଁ ଚାହୁଁ ପ୍ରସ୍ଥାନ କଲେ

ଖାଁ ସାହେବ

-

(ସମରେନ୍ଦ୍ରଆଡ଼େ ଟେରେଇ ଚାହୁଁ ଚାହୁଁ) ୟେ ତେରା ଅଉରାତ୍‌

ଚମ୍ପା

-

ଆଜ୍ଞା, ସାଆନ୍ତେ-

ଖାଁ ସାହେବ

-

ଖାସା ଅଉରାତ୍‌ଉସିକା ବାସ୍ତେ ହାମ୍‌ ଲୋକ କିଲ୍ଲା ଆଜ୍‌ ଫତେକିଆ-

ଚମ୍ପା

-

ଆପଣଙ୍କର ଦୟା-

ଖାଁ ସାହେବ

-

ଏ’ ଲଢ଼ାଇ ଆଖର୍‌ ହୋନେକା ବାଦ୍‌ ଆପ୍‌ ଦୋନୋକା ବାସ୍ତେ ନବାବ୍‌କା ପାଶ୍‌ କୋଶିସ୍‌ କରେଙ୍ଗେ ଯେସା ଆପ୍‌ ଦୋନୋକୋ ଏକ୍‌ ଏକଠୋ ବଡ଼ା ଜାୟଗିର୍‌ ମିଲ୍‌ଯାଏ-

ଚମ୍ପା

-

ତା’ତ ମିଳିବ, ଆପଣ ଯେତେବେଳେ ଅନୁଗ୍ରହ କରିଚନ୍ତି- କିନ୍ତୁ ସେ ଯେଉଁ ପ୍ରାର୍ଥନାଟା- ବିବିର ମୋର- (ସମରେନ୍ଦ୍ରକୁ ଚୁମୁଟି ଦେଇ) କହୁ ନାହଁ- ତୁମର ପ୍ରାର୍ଥନା କଣ- ?

ସମରେନ୍ଦ୍ର

-

(ଏକାନ୍ତେ ଚମ୍ପାକୁ) କହୁଚି କହୁଚି, ଚମ୍ପା- ଚୁମୁଟି ରକ୍ତ ବାହାର କରିଦେଲ ଯେ-

ଚମ୍ପା

-

ପୁଣି- (ଇଙ୍ଗିତରେ ଶାସନ କଲେ)

ଖାଁ ସାହେବ

-

କିଆ ମାଙ୍ଗ୍‌ତେହୋ, ପିଆରି- ମାଙ୍ଗୋ, ମାଙ୍ଗୋ-

ସମରେନ୍ଦ୍ର

-

(ଏକାନ୍ତେ) ଚମ୍ପା, ‘ପିଆରି’ କଣ- ?

ଚମ୍ପା

-

ଆଃ- ଦେଖିଲ, ଖାଁ ସାହେବ ତୁମକୁ କେତେ ଭଲପାଆନ୍ତି । -ମନକଥା ଖୋଲି କହିବାରେ ଲାଜ କିଆଁ ?

ସମରେନ୍ଦ୍ର

-

ମନକଥା ଖୋଲୁ ଖୋଲୁ, ନିଶଦାଢ଼ି ଯଦି ଖୋଲି ପଡ଼େ -

ଖାଁ ସାହେବ

-

କୁଛ୍‌ ଡ଼ରିଏ ମତ୍‌ ତୁମ୍‌ହାରା ଓ୍ୟାସ୍ତେ ହାମ୍‌ ଜାନ୍‌ ଦେନେକୁ ତୟାର ହୁଁ-

ଚମ୍ପା

-

(ସମରେନ୍ଦ୍ର ସଙ୍ଗେ ପରାମର୍ଶ କରିବାର ଛଳନା କରି) ହଁ- ‘ପିଆର’ କହୁଚନ୍ତି କି- ଆଗେ ସେହି ଦୁଇଟା କାଫେରର ଜାନ୍‌ ଆଣି ନ ଦେବାଯାଏ-

ଖାଁ ସାହେବ

-

(ହୋ ହୋ କରି ହସି) ଓଇ ଦୋନୋ କାଫେର୍‌ ଅନନ୍ତ ଔର ମୁକୁନ୍ଦ- ଏତ ଥୋଡ଼ାଇ ବାତ୍‌ହେ- ମେରି ପିଆରେ, ହାମ୍‌ ଦୂତ୍‌କା ମୁହଁ ସେ ସବ୍‌ ଶୁନ୍‌ ଓ ଦୋନୋ ଆପ୍‌କା ସତୀତ୍ୱ ନଷ୍ଟ୍‌ କର୍‌ନେକା ଓ୍ୟାସ୍ତେ ଯେସା କୟେଦ୍‌ କିଏଥେ, ହାମ୍‌ ଓ ଦୋନୋକା ଜାନ୍‌ ଲେନେକା ଓ୍ୟାସ୍ତେ ଓଇସି କବର୍‌ମେ କୟେଦ୍‌ କର୍‌କେ ରଖେଙ୍ଗେ ।

ଚମ୍ପା

-

ବହୁତ୍‌ ବହୁତ୍‌ ସଲାମ (ପ୍ରସ୍ଥାନୋଦ୍ୟତ)

ସମରେନ୍ଦ୍ର

-

(ସେହିପରି ସଲାମ୍‌ କରୁ କରୁ ପ୍ରସ୍ଥାନୋଦ୍ୟତ)

ଖାଁ ସାହେବ

-

ଏ କିଆ ବାତ୍‌, ପିଆର- କାହାଁଯାତେ ହୋ- (ଅଞ୍ଚଳ ଧରିଲେ)

ସମରେନ୍ଦ୍ର

-

(ସଭୟେ) ଚମ୍ପା-

ଖାଁ ସାହେବ

-

‘ଚମ୍ପକ୍‌’, ‘ଚମ୍ପକ୍‌’, -ଆଃ -କିଆ ଖୁବ୍‌ସୁରତ୍‌ ନାମ୍‌ ଆଇୟେ ମେରି ଚମ୍ପକ୍‌ ବିବି (ଆଲିଙ୍ଗନ ଉଦ୍ଦେଶ୍ୟରେ ଅଗ୍ରସର ହେଲେ) [ସମରେନ୍ଦ୍ର ସଭୟେ ଚମ୍ପାକୁ ଜଡ଼େଇ ଧରିଲେ]

ଚମ୍ପା

-

ମ, ତୁମର ସତୀତ୍ୱ କଅଣ ଚାଲି ଯାଉଚି ?

ଖାଁ ସାହେବ

-

କଭି ନେଇଁ, ବିବି ସାହେବ- କୁଛ୍‌ ଡରିଏ ମତ୍‌ ହାମ୍‌ଭାରୀ ହୁସିଆର ଆଦ୍‌ମୀ- କହିଁ କୋଇ ଫାଁକା ଉଙ୍କା ରହେଗା ନେହିଁ- ଆଇୟେ, ମିଆଁ ସାହେବ ।

ଚମ୍ପା

-

ମୁଷ୍କିଲ । (ହଲକ ଶୁଖିଗଲା ପରା)

ଖାଁ ସାହେବ

-

(ସସ୍ମିତେ ଚମ୍ପା ପ୍ରତି) କିଆ ଦେଖ୍‌ତେ- ହୋଇ ମିଆଁ ସାହେବ- ହାମ୍‌ ଇସିମେ ମୁଛ୍‌ଦାଢ଼ି ପକାୟା- ହାମ୍‌କୁ ବହୁତ୍‌ କଦର୍‌ ମାଲୁମ୍‌ହେ- (କହୁ କହୁ ସମରେନ୍ଦ୍ର ପାଖକୁ ଲାଗି ଆସିଲେ)

ଚମ୍ପା

-

ଆମ ପାଖେ କଦରର କି ଦରକାର, ସାହେବ- ସେହି ପ୍ରାର୍ଥନାଟି ପୂର୍ଣ୍ଣ କଲେତ ଚିରକାଳ ରାଜିରେ ଗୋଲାମ ହୋଇ ରହିବୁଁ ?

ଖାଁ ସାହେବ

-

ମଗେ ନମୁନାତ ବତ୍‌ଲାଓ- (ଆଲିଙ୍ଗନ କରିବାକୁ ଉଦ୍ୟତ)

ସମରେନ୍ଦ୍ର-

-

ଚମ୍ପା- (ଚମ୍ପାକୁ କୁଣ୍ଢାଇ ପକାଇଲା)

ଚମ୍ପା

-

(ଖାଁ ସାହେବକୁ ବାଧାଦେଇ, ଉପସ୍ଥିତ ବୁଦ୍ଧିବଳରେ) ବିବିମେରା ବୋଲତା ସବ୍‌ତୋ ବନ୍ଦ ହେ, ମଗର ଆପ୍‌କା ଆଁଖତ ଖୋଲା ହେ-

ଖାଁ ସାହେବ

-

(ହୋଃ ହୋଃ କରି ହସି) ଓଇ ରାସ୍ତାସେ ସତୀତ୍ୱ ନିକଲ୍‌ଯାତା ? -ବହୁତ୍‌ଖୁସି ହାମ୍‌ ଆଁଖ୍‌ ବି ବନ୍ଦ କର୍‌ ଦେତେ ହେଁ-

ଚମ୍ପା

-

(ସମରେନ୍ଦ୍ରକୁ ଟାଣି ଘେନି ପ୍ରସ୍ଥାନ କରୁଥିଲା)

ଖାଁ ସାହେବ

-

ଆୟେ ମେରି ଜାନ୍‌ମେରି ପ୍ୟାରେ (କହୁ କହୁ ଅନ୍ଧଭାବେ ଆଲିଙ୍ଗନ ଉଦ୍ଦେଶ୍ୟରେ ହନ୍ତାଡ଼ୁ ହନ୍ତାଡ଼ୁ, ଭୀତତ୍ରସ୍ତ, ପଳାୟନରତ ସମରେନ୍ଦ୍ରକୁ ହଠାତ୍‌ ଧରି ପକାଇ କାମାତୁରଭାବେ ଗାଢ଼ ଚୁମ୍ୱନ କରିବାକୁ ଯାଇ ତାର ଦାଢ଼ିରୁ ପୁଳାଏ କାମୁଡ଼ି ଦେଲେ)

ସମରେନ୍ଦ୍ର

-

ଉଃ, ଉଃ, ମରିଗଲି, ମରିଗଲି, ମୁଁ ଚମ୍ପା- (ନସରପସର ହୋଇ ଉଠି ଧାଇଁ ପ୍ରସ୍ଥାନ କଲା) ଖାଁ ସାହେବ- ଓ୍ୟାକ୍‌ଥୁ- ତୋବା- ତୋବା- ଧରୋ ପକ୍‌ଡ଼ୋ- ଓ୍ୟାକ୍‌ଥୁ- ମାରୋ- ଓ୍ୟାକ୍‌ଥୁ- ଯେରା ପାନି, ପାନି- ଓ୍ୟାକ୍‌ଥୁ-ଓ୍ୟାକ୍‌ଥୁ- (ବାନ୍ତି କରିବାକୁ ଲାଗିଲେ ପରା)

 

ଚତୁର୍ଥ ଦୃଶ୍ୟ

-ଯୁଦ୍ଧକ୍ଷେତ୍ରର ଏକଦୃଶ୍ୟ-

 

[ଗୋଟାଏ ଭୀଷଣ ଝଟିକାପରେ ଶାନ୍ତି ବିରାଜିତ କିନ୍ତୁ ବିଭୀଷିକାର ଛାୟା ଅଦ୍ୟାପି ଅନ୍ତର୍ହିତ ହୋଇ ନାହିଁ- ଅନନ୍ତସିଂହ ରକ୍ତାକ୍ତ ମୁକୁନ୍ଦକୁ କୋଳରେ ଧାରଣ କରି ଉପଚାର କରୁଥିଲେ, ବାହ୍ୟପ୍ରକୃତିର ସେହି ଭାବ ଅନ୍ତରରେ ଅନୁଭବ କରୁ କରୁ ଯେମନ୍ତ- ]

 

ମୁକୁନ୍ଦ

-

ମୋର ତରବାରୀ । -(ଉତ୍ତେଜିତ ହୋଇ ଉଠି ବସୁଥିଲେ)

ଅନନ୍ତ

-

ସ୍ଥିର ହୁଅ, ଭାଇ ।

ମୁକୁନ୍ଦ

-

ଯୁଦ୍ଧ-ଯୁଦ୍ଧ-

ଅନନ୍ତ

-

ଶେଷ ହୋଇଚି, ଭାଇ ।

ମୁକୁନ୍ଦ

-

ଆଲିବର୍ଦ୍ଦି- ?

ଅନନ୍ତ

-

ପଳାଇଚି-

ମୁକୁନ୍ଦ

-

ପଳାଇଚି- ହାଃ-ହାଃ-ହାଃ (ହଠାତ୍‌ କେଉଁ ଉତ୍ତେଜନାରେ ଏହିପରି ହସି ଉଠିଲେ)

ଅନନ୍ତ

-

ଏତେ ଜୋର ହସନା, ଭାଇ ! -ଏ ପର୍ଯ୍ୟନ୍ତ ରକ୍ତସ୍ରାବ ଯେ ବନ୍ଦହୋଇ-

ମୁକୁନ୍ଦ

-

ରକ୍ତ ! -ରକ୍ତ ! (ଅନନ୍ତ ଆଡ଼େ କେଉଁ ଉଜ୍ଜ୍ୱଳ ଦୃଷ୍ଟିରେ ଚାହିଁଲେ, କେଉଁ ଗତକଥା ସ୍ମରଣ କରି ଯେମନ୍ତ)

ଅନନ୍ତ

-

(ଚମକି ଉଠିଲେ, କେଉଁ ସ୍ମୃତିର ଦଂଶନରେ)

ମୁକୁନ୍ଦ

-

ହାଃ-ହାଃ-ହାଃ- କେମିତିକା ତା’ରି ଛୁରିରେ ତା’ରି ନାକରୁ ବୁହାଇଚି, ଭାଇ- [ଅନନ୍ତ ମୁକୁନ୍ଦକୁ କି ଗୋଟାଏ ଘୃଣାରେ କ୍ରୋଡ଼ରୁ ଅପସାରିତ କରି ଦେଲେ]

ଅନନ୍ତ

-

କିନ୍ତୁ, ମୋ’ରି ବନ୍ଧୁତ୍ୱ ଗୁପ୍ତଛୁରିକାରେ ଯେ ମୋ’ର ବକ୍ଷୋଦେଶରୁ ବୁହାଇଚୁ, ପାଷାଣ୍ଡ । (କି ଏକ ପୈଶାଚିକଭାବ ଧାରଣ କଲେ)

ମୁକୁନ୍ଦ

-

(କିଛି ବୁଝି ନ ପାରି) ଭାଇ-ଭାଇ-

ଅନନ୍ତ

-

ନା, ନା- ‘ରକ୍ତ’ । -‘ରକ୍ତ’ । -‘ରକ୍ତ’ । -

ମୁକୁନ୍ଦ

-

ଛି, ଭାଇ । ଆଉ ସେ କଥା କାହିଁକି ? - ସେ ଯେ ପଳାଇଚି ।

ଅନନ୍ତ

-

ପଳାଇଚି ଶତ୍ରୁସିନା- କିନ୍ତୁ ସମ୍ମୁଖେ ଯେ ମିତ୍ର ମୋ’ର- ଚାହେଁ ମୁହିଁ- ‘ମିତ୍ର ରକ୍ତ’ - ସେହି ବନ୍ଧୁ ରକ୍ତ, ଯା’କୁ ଆଶ୍ରୟ ଦେଇଚି, ନିଜକୋଳେ, କାରାଗାରେ କରି ନାହିଁ ବନ୍ଦୀ । -ଯା’ର ରଖିଅଛି ପ୍ରାଣ, ତୁଚ୍ଛ କରି ନିଜ ପ୍ରାଣ, କରିନାହିଁ ହତ୍ୟା ପାଇଣ କବଳେ ।

ମୁକୁନ୍ଦ

-

ଭାଇ, ଭାଇ- ନା, -ନା-ମୋର-ମାର- ମୁଁ ଯେ ଦେଶାନ୍ତରୁ ଯୁଦ୍ଧବାର୍ତ୍ତା ଶୁଣି ଧାଇଁ ଆସିଥିଲି, ବୀରର ମର୍ଯ୍ୟାଦା ରକ୍ଷା କରିବା ଆଶାରେ - ପ୍ରାଣ ବିସର୍ଜ୍ଜନ କରି, ନାରୀର ମର୍ଯ୍ୟାଦା, ସତ୍ୟର ମର୍ଯ୍ୟାଦା ରକ୍ଷା କରିବା ଲୋଭରେ-

ଅନନ୍ତ

-

‘ସତ୍ୟର ମର୍ଯ୍ୟାଦା’ -‘ନାରୀର ମର୍ଯ୍ୟାଦା’, ଧ୍ୱଂସ କରିସାରି, ପାଷାଣ୍ଡ ?

ମୁକୁନ୍ଦ

-

ଧ୍ୱଂସ କରିସାରି- ? ଅସମ୍ଭବ-ଅସମ୍ଭବ- (ଠିଆହେଲେ ଦମ୍ଭଭରେ)

ଅନନ୍ତ

-

ସେ ଦିନ କଥା କ’ଣ ଭୁଲିଗଲୁ, ପାଷାଣ୍ଡ- ଯେଉଁଦିନ ମୋର ବିବାହ କଥା ଶୁଣି, ମୋରି ଯିବା ପଛେ ପଛେ, ଟିକିଏ ସୁଦ୍ଧା କାଳବିଳମ୍ୱ ନ କରି, ଅନ୍ତପୁର ମଧ୍ୟରେ ଚୋରପରି ପ୍ରବେଶ କରି, ମୋର ଧର୍ମ୍ମପତ୍ନୀକୁ ବହନପୂର୍ବକ ସେହି କୁଡ଼ିଆ ଘରେ ତୋ’ର-

ମୁକୁନ୍ଦ

-

ମିଥ୍ୟା କଥା-ମିଥ୍ୟା କଥା- (ମାତ୍ର କମ୍ପିତ ହେଉଥିଲେ)

ଅନନ୍ତ

-

ହାଃ, ହାଃ, ତୁ କଣ ଜାଣିଥିଲୁ, ପାଷାଣ୍ଡ, ମୁଁ ଫେରି ଆସିବି ବୋଲି । ଓଃ-ଏ’ ପର୍ଯ୍ୟନ୍ତ ମୋର କର୍ଣ୍ଣେ କର୍ଣ୍ଣେ, ମର୍ମ୍ମେ ମର୍ମ୍ମେ ଧ୍ୱନିତ ହେଉଚି- କୃଷ୍ଣାର ସେହି କାତର ଧ୍ୱନି- ‘ନାରୀର ମର୍ଯ୍ୟାଦା ରକ୍ଷା କର, ନାରୀର ମର୍ଯ୍ୟାଦା ରକ୍ଷା କର’-

ମୁକୁନ୍ଦ

-

‘ନାରୀର ମର୍ଯ୍ୟାଦା ରକ୍ଷାକର’ । - ଠିକ୍‌ ଏହିପରି କାତର ଧ୍ୱନି । -କୃଷ୍ଣା । -ଜେମାଦେଈ । (ବୋଲି ଚିତ୍କାର କରି କହିଗଲେ)

ଅନନ୍ତ

-

ହାଃ, ହାଃ, ହାଃ- ସତ୍ୟବାଦୀ ବୋଲି ପରା ଗର୍ବ କରୁ- ଏହି ତୋ’ର ସତ୍ୟବାଦିତା । ଗୋଟିଏ ସାମାନ୍ୟା ନାରୀ ଲାଳସାରେ ବୀରତ୍ୱ, ମହତ୍ତ୍ୱ ସମସ୍ତ ଆଜି ବିସର୍ଜନ ଦେଇଚୁ । ହାୟ । ଦେବତା ବୋଲି ଯା’ ପାଇଁ ଦିନେ-

ମୁକୁନ୍ଦ

-

ସତ୍ୟ- ସତ୍ୟକଥା ତେବେ ଶୁଣ, ଭାଇ-

ଅନନ୍ତ

-

ନିର୍ଲଜ୍ଜ ! ଏତେ ସାହସ ଅଛି ତୋର- ସତ୍ୟ କହି, ସତ୍ୟର ମର୍ଯ୍ୟାଦା-

ମୁକୁନ୍ଦ

-

‘ମର୍ଯ୍ୟାଦା !’ -‘ମର୍ଯ୍ୟାଦା’ । (କିଂ କର୍ତ୍ତବ୍ୟ ବିମୂଢ଼ ହେଲେ)

ଅନନ୍ତ

-

ହଁ, ହଁ, ଏକାସଙ୍ଗେ- ସତ୍ୟର ମର୍ଯ୍ୟାଦା- ନାରୀର ମର୍ଯ୍ୟାଦା- ରାଜ ମର୍ଯ୍ୟାଦା- ରକ୍ଷା କରିବାର ସାହସ ଅଛି କି ?

ମୁକୁନ୍ଦ

-

(କି ଗୋଟାଏ ଦ୍ୱନ୍ଦମଧ୍ୟରେ ଉନ୍ମାଦ ପ୍ରାୟ ହେଲେ, ଅବଶେଷେ କହିବାକୁ ଲାଗିଲେ) ମୁହିଁ ଦୋଷୀ- ମୁହିଁ ଦୋଷୀ, ଭାଇ । ଦିଅ ଦିଅ ବକ୍ଷେ ଛୁରିକା ମୋହର, ବାହାରୁ ରୁଧିର- ଶାନ୍ତ କର ତୃଷ୍ଣା- ଜ୍ୱଳା ତବ- ଶାନ୍ତ ହେଉ ହୃଦ-ଜ୍ୱଳା ମୋର ।

ଅନନ୍ତ

-

(ଅଧିକତର ବ୍ୟଙ୍ଗଭାବେ) ‘ହୃଦ-ଜ୍ୱାଳା ମୋ’ର । -ହାଃ, ହାଃ, କହ, କହ, କିବା ଜ୍ୱାଳା ତୋ’ର-

ମୁକୁନ୍ଦ

-

ଓଃ- ମୋର ମରଣ ନ ହେଲା କାହିଁକି- ଅନନ୍ତ । ଅନନ୍ତ । ଭାଇ ମୋର- ଯଦି କେବେ କିଛି ଉପକାର କରିଥାଏ, ଆଉ ତାର କୃତଜ୍ଞତା ସ୍ୱରୂପ କିଛି ଦେବାର ଥାଏ, ଦିଅ, ଦିଅ ମୋତେ ବିଦାୟ ଦିଅ- ଚିର-ବିଦାୟ-ଚିର

ଅନନ୍ତ

-

ଦେବି, ଦେବି ମାତ୍ର ଜ୍ୱାଳାର କାରଣ କହିବକି, ବନ୍ଧୋ- ଜେମାଦେଈ ଉନ୍ମାଦିନୀ ତବ ପ୍ରେମେ ? ହାଃ-ହାଃ-ହାଃ-

ମୁକୁନ୍ଦ

-

ଭାଇ- ଭାଇ- (ଚରଣପ୍ରାନ୍ତେ ପତିତ ହେଲେ)

ଅନନ୍ତ

-

(ସେହି କୌତୁକ ହଠାତ୍‌ ସନ୍ଦେହରେ ପରିଣତ ହେବାରୁ) ନା-ନା, ବୀର-କ୍ଷମା ନାହିଁ-କ୍ଷମା ନାହିଁ- ସତ୍ୟକହି, ସତ୍ୟର ମର୍ଯ୍ୟାଦା ରକ୍ଷାକର ଆଗେ ।

ମୁକୁନ୍ଦ

-

(ସ୍ୱଗତ) ଓଃ- ଏ’ ଯେ ମର୍ଯ୍ୟାଦା, ମର୍ଯ୍ୟାଦା ମଧ୍ୟରେ ପ୍ରତିଦ୍ୱନ୍ଦିତା- ‘ସତ୍ୟର ମର୍ଯ୍ୟାଦା’ ଏକଦିଗେ- ଅନ୍ୟଦିଗେ ‘ରାଜ-ମର୍ଯ୍ୟାଦା’- ‘ନାରୀର ମର୍ଯ୍ୟାଦା’- ।

ଅନନ୍ତ

-

କହ, କହ, ବୀର ସତ୍ୟ କହ- କହତ୍ୱରା- ନତୁବା ଅଜୀବନ ଏହିପରି ଜ୍ୱାଳା ଭୋଗ କରିବାର ବ୍ୟବସ୍ଥା-

ମୁକୁନ୍ଦ

-

କହିଲେ କ’ଣ ଶାନ୍ତି ଦେବ ? -ଚିର ଶାନ୍ତି- ?

ଅନନ୍ତ

-

ଚିର ଶାନ୍ତି । - ଚିର-ବିଦାୟ । - ଚିର-ବିଦାୟ

ମୁକୁନ୍ଦ

-

ବେଶ୍‌ଆସି ବାହାର କରି ମୋ ବକ୍ଷୋ- ଦେଶରେ ତେବେ ଧାରଣ କର -

ଅନନ୍ତ

-

(ତଡ଼ାତ୍‌ କରି ଆସି ନିଷ୍କୋଷିତ କରି ଧାରଣ କଲେ)

ମୁକୁନ୍ଦ

-

(ଜଡ଼ିତ ସ୍ୱରରେ) ଉନ୍ମାଦିନୀ ସତ୍ୟ ରାଜା-ବାଳା-

ଅନନ୍ତ

-

‘ଉନ୍ମାଦିନୀ ସତ୍ୟ ରାଜ-ବାଳା’ । -ଉନ୍ମାଦିନୀ କୃଷ୍ଣା । -ଉନ୍ମଦିନୀ ପ୍ରେମେ ତବ । - (ଅସି ମାଡ଼ି ମାଡ଼ି ଦେଉଥିଲେ)

 

-

[କୃଷ୍ଣାର ବେଗେ ପ୍ରବେଶ]

କୃଷ୍ଣା

-

କାହିଁ-କାହିଁ, ମୁକୁନ୍ଦ ମୋ’ର - ?

ଅନନ୍ତ

-

ଏହି-ଏହି ଯେ ତସ୍କର, ପ୍ରା-ଣେ- ନା-ନା- (କିପରି ଶ୍ଲେଷପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲେ)

କୃଷ୍ଣା

-

(ମୁକୁନ୍ଦ ବକ୍ଷରେ ଅନନ୍ତର ଅସି ଓ ବିକୃତ ମୁଖଭାବ ଦେଖି ଶିହରିଲେ) ଅନନ୍ତ ।

ଅନନ୍ତ

-

ହାଃ- ହାଃ- ହାଃ- ଭାରି ତୃଷ୍ଣା-ଭାରି ତୃଷ୍ଣା- ନା, କୃଷ୍ଣା ? [କୃଷ୍ଣା ଅତି କାତରଭାବେ ଗୋଡ଼ ଧରିଲେ ]

ଅନନ୍ତ

-

(କେଉଁ ପ୍ରସନ୍ନଭାବରେ ଯେମନ୍ତ) କିଛି ଭୟ ନାହିଁ, କୃଷ୍ଣା । -ଲିଭାଇବି ତୃଷ୍ଣା ତ୍ୱରା- ସଂହାରିବି ବେଶୀ ବୁହାଇ ରକ୍ତର ଧାରା ।

ମୁକୁନ୍ଦ

-

କର, କର ତ୍ୱରା ପ୍ରତିଜ୍ଞା ପାଳନ ।

ଅନନ୍ତ

-

ହାଃ- ହାଃ- ହାଃ- ଅସହ୍ୟ-ଅସହ୍ୟ- ନୁହେରେ ତସ୍କର ? ମାତ୍ର - ଆହୁରି ଅସହ୍ୟ, କରାଇବି ମୁହିଁ, ତଳେ ତିଳେ ବିଦାରିବି ବକ୍ଷ ତୋର, ନଖାଘାତେ ଯେବେ- ନୁହେଁ ଅସିଘାତେ- । (ଅସି ନିକ୍ଷେପ କରିଦେଲେ)

କୃଷ୍ଣା

-

ଓଃ- (ମୂର୍ଚ୍ଛିତାପ୍ରାୟ ହୋଇ ପଡ଼ିଗଲେ)

ଅନନ୍ତ

-

ଛି, ଛି, -ଏହିପରା ଦମ୍ଭତବ- କୃଷ୍ଣା- ? (କି ମହୋଲ୍ଲାସରେ ମୁକୁନ୍ଦର ବକ୍ଷସ୍ଥଳେ କୃଷ୍ଣାର ବେଣୀ ସ୍ପର୍ଶ କରାଇଲେ)

ମୁକୁନ୍ଦ

-

(କେଉଁ ତଡ଼ିତ୍‌ ସ୍ପର୍ଶେ ଯେହ୍ନେ ଚମକି ଚାହିଁଲେ ଓ କୃଷ୍ଣାମଧ୍ୟ ଚମକି ଉଠିଲେ)

ଅନନ୍ତ

-

(ନାଚି ଉଠିଲେ) କି ଆନନ୍ଦ- କି ଆନନ୍ଦ- ଭୀମସେନ । ଶତ ଦୁଃଶାସନ ରକ୍ତେ କି ହେ ଆନନ୍ଦ ଏମବନ୍ତ- ପାଉଅଛି ଯାହା ମୁହିଁ- ପ୍ରେମିକର ପ୍ରେମପୂର୍ଣ୍ଣ ବକ୍ଷେ ପ୍ରେମିକାର ମୁକ୍ତକେଶ ନିରେଖି ଲମ୍ୱିତ- ଭ୍ରାତା ବୋଲି କର କ୍ଷମା, ଭାଇ ଭଗ୍ନୀ ମୋର ।

କୃଷ୍ଣା

-

(ଲଜ୍ଜାଭାରରେ ଯହ୍ନେ ଅବନତା ହୋଇଗଲେ)

ମୁକୁନ୍ଦ

-

(ଉଠି ଆବେଗଭରେ) ଭାଇ । ଭାଇ ।

ଅନନ୍ତ

-

ଭ୍ରାତାର କର୍ତ୍ତବ୍ୟ ଭ୍ରାତା କରିଅଛି, ଭାଇ- ଦେଖେଁ ତେଣେ ଯୁଦ୍ଧର ବାରତା - (କୌଣସି ଉତ୍ତରକୁ ଅପେକ୍ଷା ନ କରି ଆସି ହସ୍ତେ ବେଗେ ପ୍ରସ୍ଥାନ କଲେ)

ମୁକୁନ୍ଦ

-

ସଙ୍ଗେ ନିଅ, ସଙ୍ଗେ ନିଅ, ଭାଇ ।- (ଉଠିବାକୁ ଚେଷ୍ଟା)

କୃଷ୍ଣା

-

ଶକ୍ତିହୀନ ତୁମ୍ଭେ, ପ୍ରି-ୟ- (ଧାରଣ)

ମୁକୁନ୍ଦ

-

ଛାଡ଼ିଦେ-ଛାଡ଼ିଦେ, ରାକ୍ଷସୀ । -

କୃଷ୍ଣା

-

ପ୍ରଭୋ । ପ୍ରଭୋ । ଦାସୀ ତବ ମୁହିଁ- ନ ଠେଲ ଚରଣେ- ନାହିଁ ଅନ୍ୟ ଗତି ମୋର- ରକ୍ଷାକର, ରକ୍ଷାକର ନାରୀର ମର୍ଯ୍ୟାଦା ।

ମୁକୁନ୍ଦ

-

‘ନାରୀର ମର୍ଯ୍ୟାଦା’-‘ନାରୀର ମର୍ଯ୍ୟାଦା’ । - ଅନନ୍ତ-ଅନନ୍ତ- (ଛଡ଼ାଇ ନେଇ ପ୍ରସ୍ଥାନୋଦ୍ୟତ ହେଲେ)

କୃଷ୍ଣା

-

(କାମାତୁରାଭାବେ ଧରି) ନ କର ହେ କ୍ଷୁଣ୍ଣ ‘ପ୍ରେମର ମର୍ଯ୍ୟାଦା’ ସ୍ୱତନ୍ତ୍ର ସୁନ୍ଦର ସଦା- କୋମଳ ଅଚଳ-

ମୁକୁନ୍ଦ

-

(ସେହି ମାଧୁରୀ ଅନୁଭୂତିରେ ନିଶ୍ଚଳ ହେଲେ ପରା)

 

 

(ନେପଥ୍ୟେ ଉନ୍ମାଦିନୀ)- ସତ୍ୟର ମର୍ଯ୍ୟାଦା- ସତ୍ୟର ମର୍ଯ୍ୟାଦା- (କହି ଗାଇବା)

 

ଗୀତ

ସତ୍ୟ- ସତ୍ୟ- ସତ୍ୟ !

ସତ୍ୟଲାଗି ହରିଶ୍ଚନ୍ଦ୍ର

ତ୍ୟାଗୀ-ପତ୍ନୀ-ବୀରରାମ

ତୁଚ୍ଛ କଲେ-      ସବୁ ଆରାମ-

ବନବାସୀ- ମହାସୁଖୀ-

ପାଳି ପିତୃ-ସତ୍ୟ ।।

ଶିଶୁପୁତ୍ର-ବୃଷକେତୁ

କିବା ତା’ର-      ଜ୍ଞାନ ହେତୁ-

ଦେଲା ମାଂସ-ହସି-ହସି-

ଧରି, ପିତୃ-ସତ୍ୟ ।।

 

ମୁକୁନ୍ଦ

-

(ମୋହ ଭାଙ୍ଗିଗଲା- ଚମକି ଉଠି) ‘ପିତୃ-ସତ୍ୟ’- ‘ପିତୃ-ସତ୍ୟ’ର ମର୍ଯ୍ୟାଦା- ରଖିବି- ରଖିବି ମୁହିଁ- ବୀର ସତ୍ୟସନ୍ଧି ଉପାୟ- ଏ’ ଯେ ଅନ୍ଧକାର- ଘୋର ଅନ୍ଧକାର- ଚତୁର୍ଦ୍ଦିଗେ ମୋ’ର- ନା, ନା, ପ୍ରଳୟର ଘନ ଅନ୍ଧକାର- ବାହାରେ ଅନ୍ତରେ-

କୃଷ୍ଣା

-

ସେହି ଅନ୍ଧକାରେ ମୁହିଁ ଜ୍ୟୋତି ସିନା ତବ- ପ୍ରିୟତମ ! ପାଇଅଛି ବହୁଯତ୍ନେ ନିଧି- ନ ଛାଡ଼ିଚି କ୍ଷଣେ- ପିଇବି ପୀୟୁଷ କଣ୍ଠଭରି

ଅବିରାମ ।

ମୁକୁନ୍ଦ

-

ନା, ନା- ନୁହେଁ ପୀୟୁଷ- ରକ୍ତ, ରକ୍ତ ମୋ’ର ମାଗୁଛି, ରାକ୍ଷସୀ । ଦେବି, ଦେବି ଆନନ୍ଦେ ଓଜାଡ଼ି- ମେଣ୍ଟାଇବି ତୃଷ୍ଣା ତୋର- କରିବି ଉନ୍ମୁକ୍ତ ମର୍ଯ୍ୟାଦାର ପଥ-‘ସତ୍ୟର’ ‘ନାରୀର’ - ‘ରାଜାର’-ଏକାସଙ୍ଗେ-ଅତି ଅଳ୍ପେ- ଅନନ୍ତର ବକ୍ଷେ । -ଅନନ୍ତ କାଳକୁ । (ସୋଲ୍ଲାସେ ଆସି ଘେନି ଆତ୍ମହତ୍ୟା ପାଇଁ ଉଦ୍ୟତ ହେଲେ)

ଉନ୍ମାଦିନୀ

-

(ପ୍ରବେଶ କରି) ଏହିଟି ଉପାୟ ଏକମାତ୍ର ଯେବେ- ଏହି ରକ୍ତତବ ନ କର ନିଷ୍ଫଳ-(ସଙ୍ଗେ ସଙ୍ଗେ ଆସି କାଢ଼ିନେଇ ଆତ୍ମହତ୍ୟା କଲେ)

ମୁକୁନ୍ଦ

-

କିଏ ?- କିଏ ? - ଉନ୍ମାଦିନୀ- କିଏ ?- କିଏ ?-ସବିସ୍ମୟେ ଚାହିଁ ରହିଲେ)

କୃଷ୍ଣା

-

ଏଁ, ଏଁ - (ସଭୟେ ଚାହିଁ ଠିଆ ହେଲେ)

ଉନ୍ମାଦିନୀ

-

କର୍ମେ ଅଗ୍ରସର, ହୁଅ, ପ୍ରାଣେଶ୍ୱର ।- କର ରକ୍ଷା ସେହି ଶିକ୍ଷା-ସତ୍ୟର ମର୍ଯ୍ୟଦା ପ୍ରାଣର ମର୍ଯ୍ୟାଦା ପ୍ରାଣର ମର୍ଯ୍ୟଦା ।

ମୁକୁନ୍ଦ

-

ତୁମେ ? -ତୁମେ ? -ମୁକ୍ତ-ମୋର ବାଲ୍ୟ-ସହଚରୀ-ପ୍ରାଣର ସଙ୍ଗିନୀ-ଏଠି କିପରି ତୁମ୍ଭେ ? ଏ’ କି ବେଶ ? ଏ’ କି ଭାବ ?

ଉନ୍ମାଦିନୀ

-

ନାନାଭାବେ, ନାନା ବେଶେ, ନାନା ଦେଶେ, ଧାଏଁ ନାହିଁକି ସରିତ, କାଳର ମାହାତ୍ମ୍ୟେ ?- ଅବସ୍ଥାର ବଶେ-?

ମୁକୁନ୍ଦ

-

ତୁମ୍ଭେ କି ସେହି ମୁକ୍ତା ମୋର । ନୟନର ମୁକ୍ତା । ଓଃ-ଓଃ-ଏ’ ଯେ ନିର୍ଯ୍ୟାତିତା, ଉତ୍ପୀଡ଼ିତା ମୁକ୍ତା ମୋର- ମୋ’ର ଲାଗିସିନା -ପ୍ରାଣେଶ୍ୱରୀ-ପ୍ରାଣେଶ୍ୱରୀ-କହ-କହ-ଏଠାରେ କିପରି ? କାହିଁ ସୁଦୂର ତୈଲଙ୍ଗ ଦେଶ-କାହିଁ-

ଉନ୍ମାଦିନୀ

-

ହାଃ, ହାଃ-ପ୍ରାଣେଶ୍ୱର । ପ୍ରାଣେଶ୍ୱର । ସୁଦୂର ତୈଲଙ୍ଗ କିବା-ବ୍ରହ୍ମାଣ୍ଡର ଏକ କୋଣେ ମୁହିଁ, ଅନ୍ୟ କୋଣେ ଥାନ୍ତ ଯଦି ତୁମ୍ଭେ-କେହି ନ ପାରନ୍ତେ ରୋଧି ସଂସର୍ଗ ତୁମ୍ଭର-ଏବେ କାୟାଛାଡ଼ି ମଧ୍ୟ ରହିଚି ତୁମ୍ଭରି- ରହିବି ତୁମ୍ଭରୀ-ମୁହିଁ ଯେ ତୁମ୍ଭରି, ପ୍ରାଣେଶ୍ୱର- ‘ସତ୍ୟ’ ଏକା ଦେବତା ମୋହର-‘ସତ୍ୟ’, ଜୀବନେ ମରଣେ-।।

ମୁକୁନ୍ଦ-

-

ମୁକ୍ତା-ମୁକ୍ତା-ପ୍ରାଣେଶ୍ୱରୀ-ଏ’ କି ଚାତୁରୀ ଖେଳିଲି-ମୂଢ ମୋ’ର ସଙ୍ଗେ-ନ ଦେଇ ଗୋ ପରିଚୟ ଲବେ-

ଉନ୍ମାଦିନୀ -

-

ପରିଚୟ କାର୍ଯ୍ୟେ, କାର୍ଯ୍ୟେ-ଦେଇ ନାହି କି ହେ ଚିର ସଙ୍ଗିନୀ ତୁମ୍ଭର ।

ମୁକୁନ୍ଦ

-

ଦେବୀ-ଦେବୀ ତୁମ୍ଭେ, ମୁକ୍ତା ।-ମାତ୍ର, କଲ ସିନା ପଣ୍ଡ କାର୍ଯ୍ୟ, ଆତ୍ମହତ୍ୟା ଦୋଷେ ।

ଉନ୍ମାଦିନୀ

-

ଆତ୍ମହତ୍ୟା । ହାଃ, ହାଃ- କିଏ କହେ ଆତ୍ମହତ୍ୟା, ପ୍ରଭୋ ।-ସତୀ ଆଜି ସାର ସ୍ୱାମୀର ସାହାଯ୍ୟ କଲେ - ସ୍ୱାମୀର ସାଧନ-ଯଜ୍ଞ ପୂର୍ଣ୍ଣାହୂତି ବେଳେ-ଦେଇଅଛି ଛାର ରକ୍ତ ବଳି-ରୁଧିର ଲୋଲୁପା ଲାଳସା ସମକ୍ଷେ-

ମୁକୁନ୍ଦ

-

ମୁକ୍ତା-ମୁକ୍ତା-(ଉନ୍ମାଦଭଳି କୁଣ୍ଢାଇ ମିଶି ଗଲେ ପରା)

କୃଷ୍ଣା

-

‘‘ରୁଧିରଲୋଲୁପା’ । ‘ରୁଧିର ଲାଳସା’ ।- ରୁଧିର-ରୂଧିର-ହାଃ-ହାଃ-ହାଃ-ଦିଅ, ଛୁରିକା,ଭଉଣି- ନା, ନା-ନିଜ ନଖେ, ନିଜ ଦନ୍ତେ, ନିଜ ବକ୍ଷ କରି ବିଦାରଣ, ନିଜ ରକ୍ତେ କୃଷ୍ଣା ମେଣ୍ଟାଇବ ତୃଷ୍ଣା-ହାଃ, ହାଃ, ହାଃ,-

ଉନ୍ମାଦିନୀ

-

ଛି, ଭଉଣୀ, ଭୁଲନା, ଭୁଲନା, -ସତୀ- ଶକ୍ତି ତବ-ସତ୍ୟର ମହିମା -

କୃଷ୍ଣା

-

(ଉଚ୍ଚହାସ୍ୟ କରି) ‘ସତ୍ୟର ମହିମା’ ।-‘ସତ୍ୟ-ଶକ୍ତି ତବ’ । ଦେଖାଇବି, ଦେଖାଇବି ରକ୍ତଦାନେ ସେହି-ରଞ୍ଜାଇ ପ୍ରକୃତି-ବକ୍ଷ ଚିରକାଳ ପାଇଁ-

ଉନ୍ମାଦିନୀ

-

ଛି, ଭଉଣୀ । ରକ୍ତେ ଆଉ ନାହିଁ ପ୍ରୟୋଜନ-ଲିଭି ଅଛି ଲାଳସାର ବହ୍ନି-ଜାଗ ଏବେ ନବପ୍ରାଣେ, ଧରି ନବ ଶକ୍ତି -ନବ ତେଜେ ମତାଅ ଅବନୀ, ନବଭାବେ ମାତି ।-ଉଠ, ଉଠ, ବୀର-ନ କର ଅଳସ-ଫିଙ୍ଗି ଦୂରେ ଯେତେ ଅବସାଦ-ପିଅ ନବ ନବ ମଦ, ଢାଳଅଛି ମୁହିଁ- ନାଚ ନବ ନବ ନବ ଢାଳେ, ତାଳ ଦିଏ ମୁହିଁ-ମୁହିଁ ଉଲ୍ଲଙ୍ଗିନୀ-ମୁହିଁ ଉନ୍ମାଦିନୀ-ଚିର-ସତ୍ୟର ସଙ୍ଗିନୀ ।। (କେଉଁ ଉନ୍ମାଦନାରେ ଏହିପରି ମାତିଉଠି ଠକ୍‌ କରି ରହିଗଲେ- କିନ୍ତୁ ବଦନରେ କି ଯେ ଆଭା ଝଳକି ଉଠିଲା)

ମୁକୁନ୍ଦ-

-

ମୁକ୍ତା-।-(ବୋଲି ଚିତ୍କାରପୂର୍ବକ କେଉଁ ତେଜ ସ୍ପର୍ଶରେ ଯେହ୍ନେ ଦୂରକୁ ଘୁଞ୍ଚିଗଲେ)

କୃଷ୍ଣା

-

ନା, ନା-ରକ୍ତ-ରକ୍ତ-ରକ୍ତ-(କେଉଁ ରକ୍ତର ପ୍ଳାବନ ଯେମନ୍ତ ଚାରିଆଡ଼େ ଦେଖିବାକୁ ଲାଗିଲେ)

-ଯବନିକା-

 

ପଞ୍ଚମ ଅଙ୍କ

ପ୍ରଥମ ଦୃଶ୍ୟ

-କୃଷ୍ଣାର କକ୍ଷ-

 

(ଜଗନ୍ନାଥଦାଶ ତନ୍ମୟ ହୋଇ ନିଜ ରଚିତ ଭାଗବତର ଦଶମ ସ୍କନ୍ଧ ରାସଲୀଳା ପାଠ କରୁଥିଲେ-କେତେକ ସଖୀ ସେହି ଭାବରେ ମଜ୍ଜି ଯାଇଥିଲେ-କେତେକ ପରସ୍ପର ମଧ୍ୟରେ ଅଙ୍ଗଭଙ୍ଗିଦ୍ୱାରା ଥଟ୍ଟା ପରିହାସ କରୁଥିଲେ -ମଧ୍ୟେ ମଧ୍ୟେ କିନ୍ତୁ ସମସ୍ତେ ସମସତ୍ୱରେ ‘ହରିବୋଲ’ ଦେଉଥିଲେ-ଅଦୂରେ ଅନୁଚ୍ଚ ଗାଲିଚାମଣ୍ଡିତ ଆସନରେ, ସାଧାରଣ-ବେଶା କୃଷ୍ଣା କେତେବେଳେ ଭାଗବତ ବୋଲା ଶୁଣୁଥିଲେ-କେତେବେଳେ ଅନ୍ୟମନସ୍କା ହେଉଥିଲେ-କେତେବେଳେ ବା ତନ୍ଦ୍ରାବିଷ୍ଟା ହେଉଥିଲେ - ହଠାତ୍‌ ଚିତ୍କାର କରି ଉଠିଲେ)

 

କୃଷ୍ଣା

-

ରକ୍ତ-ରକ୍ତ-

ସଖୀମାନେ

-

ଜେମାଦେଈ । ଜେମାଦେଈ ।

 

 

(ସମସ୍ତେ କୃଷ୍ଣା ପାଖକୁ ଧଡ଼ପଡ଼ ହୋଇ ଧାଇଁଗଲେ)

 

 

(ଭାଗବତ ବୋଲା କିନ୍ତୁ ଅବିରାମ ଗତିରେ ଚାଲିଥାଏ)

କୃଷ୍ଣା

-

(ବିସ୍ଫାରିତ ନେତ୍ରରେ ଚାହିଁ) ଏହି- ଏହି-

୧ମା

-

କିଏ ?-କିଏ, ଜେମାଦେଈ-?

କୃଷ୍ଣା

-

‘ମୁକ୍ତା’ ।-

୧ମା

-

ମୁକ୍ତି । ପାଖକୁ ଆ’, ତୁ-

ମୁକ୍ତି

-

ମୁଣ୍ଡ ଟିପି ଦେବି, ଜେମାଦେଈ ? (ମୁଣ୍ଡ ଧାରଣ)

କୃଷ୍ଣା

-

କିଏ ?- କିଏ ତୁ ? (ମୁକ୍ତି ଆଡ଼େ ଚାହିଁଲେ)

ମୁକ୍ତି

-

ମୁଁ ପରା ମୁକ୍ତି-ମୁଣ୍ଡ କିଛି-

କୃଷ୍ଣା

-

କ’ଣ ହେଉଚି ?-କାହିଁ ?-କିଏ କହିଲା ?-(ମୁକ୍ତିର ହାତ ଛଡ଼ାଇ ଦେଲେ ଓ ସମସ୍ତଙ୍କୁ ତଡ଼ି ଦେଲେ) ଭାଗବତ ବୋଲା

କ’ଣ ସରିଗଲାଣି ?

୧ମା

-

ଏହି ପରା ଗୋସେଇଁ ପଢ଼ୁଚନ୍ତି -

କୃଷ୍ଣା

-

ତୁମେମାନେ ଶୁଣୁ ନାହିଁ ଯେ ।-ଏ’ଠି ଏମିତି ରୁଣ୍ଡ ହୋଇଚି କାହିଁକି ?

୧ମା

-

ମଣିମା । କି ସ୍ୱପ୍ନ ଦେଖି ଏମିତିକା ପାଟି କରି ଉଠିଲେ-

କୃଷ୍ଣା

-

‘ପାଟି କରି ଉଠିଲି’ । କେତେବେଳେ ? ତୁମ୍ଭମାନଙ୍କୂ ଭୂତ ଲାଗିଚି ନା କ’ଣ ?

 

(ଇତିମଧ୍ୟରେ ଜଗନ୍ନାଥ ଦାଶେ ‘‘ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ଦଶମସ୍କନ୍ଧେ’’ ଇତ୍ୟାଦି କହିସାରି ଶେଷକୁ ପାଟିକରି ଉଠିଲେ ‘ହରିବୋଲ’ ଓ ପୋଥିର ଡୋରର ଦେବାକୁ ଲାଗିଲେ)

 

 

 

କୃଷ୍ଣା

-

(ସେହି ସଙ୍ଗେ ସଙ୍ଗେ) ‘ହରିବୋଲ’ (ଉଠିଯାଇ ମାଟିରେ ମୁଣ୍ଡଲଗାଇ ପ୍ରଣାମ କଲେ)

 

 

ସମସ୍ତେ ‘ହରିବୋଲ’ (ସେହିପରି କହି, ପ୍ରଣାମ କଲେ)

ଜଗନ୍ନାଥ

-

(ସମସ୍ତଙ୍କୁ ପ୍ରଣାମ କରୁ କରୁ)

 

-

ଗୋପୀଭାବରେ ମଜ୍ଜିଥିଲେ ।

 

-

ଅବଶ୍ୟ ଗୋପୀନାଥ ମିଳେ ।

କୃଷ୍ଣା

-

(ଜଗନ୍ନାଥଙ୍କୁ ପ୍ରତି) ପ୍ରଭୋ ! (ସଖୀମାନଙ୍କ ପ୍ରତି) ଯାଅ, ତୁମେମାନେ - ବେଗେ ସଞ୍ଚା ସିଧା ସଜାଡ଼ି ଆଣ ।

 

 

(ସଖିମାନଙ୍କର ପ୍ରସ୍ଥାନ)

ଜଗନ୍ନାଥ

-

(ପୋଥି ବାନ୍ଧିସାରି କାଖରେ ଜାକିଲେ)

କୃଷ୍ଣା

-

ପ୍ରଭୋ । ଏ’ ଜଗତରେ କି ଶାନ୍ତି ଅଛି ?

ଜଗନ୍ନାଥ

-

ଉଦ୍ଧବ କେତେ ତୁ ପଚାରୁ ।

 

-

ମନ ଅଟଇ ମୋ’ର ଗୁରୁ ।।

କୃଷ୍ଣା

-

ମନ ଯଦି ଶାନ୍ତିର ସ୍ଥାନ - କାହିଁ କୌଣସି ଉପାୟରେ ତ ମନକୁ ସାନ୍ତ୍ୱନା ଦେଇ ପାରୁନାହିଁ -ପ୍ରତ୍ୟହ ଭଗବତ୍-ଗ୍ରନ୍ଥ ସାକ୍ଷାତ୍ ଭଗବାନଙ୍କ ଶ୍ରୀମୁଖରୁ ଶ୍ରବଣ କରୁଚି- ଦିବାରାତ୍ର ଦେବଦବୀ ପୂଜା ଓ ଲୋକହିତ ବ୍ରତରେ ଆପଣାକୁ ଉତ୍ସର୍ଗ କରି ଦେଇଚି-ତଥାପି କାହିଁ, ସ୍ଥିରତା ତ ଦଣ୍ଡକ ସକାଶେ ଆଣି ପାରୁ ନାହିଁ, ପ୍ରଭୋ ।

ଜଗନ୍ନାଥ-

-

ଦର୍ପଣେ ଲାଗିଲେ କଳଙ୍କ ।

 

-

ବିଡ଼ମ୍ବନା ଦେଖିବା ମୁଖ ।।

କୃଷ୍ଣା

-

ସେ କଳଙ୍କ ଛଡ଼ାଇବାର ଉପାୟ କ’ଣ ନାହିଁ ?

ଜଗନ୍ନାଥ

-

କରିବା ଚେଷ୍ଟା ନାନା ମତେ ।

 

-

ଫଳ ଫଳିବା ତାଙ୍କ ହାତେ ।।

କୃଷ୍ଣା

-

ଏ’ ପାପିୟସୀ ପ୍ରତି କ’ଣ ତାଙ୍କର ଦୟା ହେବ ନାହିଁ ?

ଜଗନ୍ନାଥ

-

ପାପୀ ଯେ ତାଙ୍କ ପ୍ରିୟଧନ ।

 

 

ତାହାରିଠାରେ ସଦା ମନ ।।

କୃଷ୍ଣା

-

କିପରି, କିପରି ପ୍ରଭୋ ?

ଜଗନ୍ନାଥ

-

‘ମୁଁ ପାପୀ’ ଜ୍ଞାନ ଉପୁଜିଲା ।

 

-

ଭବରୁ ସେହି ନିସ୍ତରିଲା ।

କୃଷ୍ଣା

-

‘ମୁଁ ପାପୀ’-ଏ’ ଜ୍ଞାନ ତ ମୋ’ର ଉପୁଜୁଛି ।

ଜଗନ୍ନାଥ

-

ଆଲୋକ ଆସିଅଛି ଯେବେ ।

 

-

ଅନ୍ଧାର ପଳାଇବ ତେବେ ।।

କୃଷ୍ଣା

-

ଭଗବାନ୍‌ ଭଗବାନ୍‌ ଭୀରୁ କ୍ଷୀଣାଲୋକ - ସେଥିରେ ଏ’ ନରକପୁରୀର ଅନ୍ଧକାର ଦୂରହେବା ଅସମ୍ଭବ ।

ଜଗନ୍ନାଥ

-

ନ ହୁଅ ଅସ୍ଥିର ବାୟାଣି ।

 

-

କାଳେ ପ୍ରଚଣ୍ଡ ଦିନମଣି ।।

କୃଷ୍ଣା

-

ସେ ସମୟେ କି ମୋ’ର ସତେ ଆସିବ ପ୍ରଭୋ ? (ଜନୈକ ସଖୀର ପ୍ରବେଶ)

ସଖୀ

-

ସେନାପତି ଅନନ୍ତ ସିଂହ ଫେରି ଆସିଚନ୍ତି ।

କୃଷ୍ଣା

-

(ବ୍ୟସ୍ତହୋଇ ଉଠି ଧାଇଁଲେ) କାହାନ୍ତି ? କାହାନ୍ତି ?

 

-

(ଅନନ୍ତ ସିଂହଙ୍କ ପ୍ରବେଶ)

ଅନନ୍ତ

-

କୃଷ୍ଣା-କୃଷ୍ଣା-

 

(ଏଥିପୂର୍ବରୁ ସଖୀମାନେ ଛଞ୍ଚାଘେନି ଆସି, ଜଗନ୍ନାଥ ଦାଶଙ୍କୁ ଅନ୍ୟ ବାଟେ ଘେନି ଯାଇଥିଲେ)

 

 

 

କୃଷ୍ଣା

-

ପ୍ରଭୋ । ପ୍ରଭୋ । (ଚରଣ ଧାରଣ)

ଅନନ୍ତ

-

ଏ’କି ଆଚରଣ, କୃଷ୍ଣା ? (ଉଠାଇଲେ)

କୃଷ୍ଣା

-

ମାର୍ଜନା-ମାର୍ଜନା, ପ୍ରଭୋ ।

ଅନନ୍ତ-

-

ନା, ନା-‘ଭାଇ’, ‘ଭାଇ’ ବୋଲି ଡାକ, କୃଷ୍ଣା ।

କୃଷ୍ଣା

-

ଭୁଲିଯାଅ, ଭୁଲିଯାଅ ପୂର୍ବକଥା - ଦାସୀକୁ-ଅନନ୍ତ-ଛି, ତୁମ୍ଭେ ଯେ ଭଉଣୀ ମୋର-

କୃଷ୍ଣା

-

ବଢ଼ାଅନା, ବଢ଼ାଅନା ପାପମାତ୍ରା ଆଉ ପାପିୟସୀର, ପ୍ରଭୋ ।-(ଅତ୍ୟନ୍ତ ଅଶାନି ଭୋଗ କରୁଥିଲେ) ଓଃ-ଏ’ ପାପର କ’ଣ ପ୍ରାୟଶ୍ଚିତ୍ତ ଅଛି ?

ଅନନ୍ତ

-

ପ୍ରାୟଶ୍ଚିତ୍ତ ହୋଇଛି, କୃଷ୍ଣା ।

କୃଷ୍ଣା

-

‘ପ୍ରାୟଶ୍ଚିତ୍ତ ହୋଇଚି ।’ ମୋର ପାପର-?

ଅନନ୍ତ

-

ପାପର ନୁହେଁ, କୃଷ୍ଣା-ଭ୍ରମର -

କୃଷ୍ଣା

-

‘ଭ୍ରମ’ର ।-କି ‘ଭ୍ରମ’ ? ‘ଭ୍ରମ’ ଅବା ‘ପାପ’ ଯେଉଁ ନାମେ ହେଉ ଅଭିହିତ - କୁହ -କୁହ- ପ୍ରାୟଶ୍ଚିତ୍ତ ତା’ର ଅଛି-ହୋଇଚିକି ?-

 

ପ୍ରଭୋ । ଭଣ୍ଡାଅନା-ଭଣ୍ଡାଅନା ଦାସୀକୁ ତୁମ୍ଭର-

 

 

 

ଅନନ୍ତ

-

ଛି, ଭଉଣୀ ।-

କୃଷ୍ଣା

-

(ପୁଣି ବ୍ୟଥିତା ହୋଇ) ପ୍ରଭୋ-ପ୍ରଭୋ-

ଅନନ୍ତ

-

ପୁଣି- ? ଭାଇ ବୋଲି ଡ଼ାକ, କୃଷ୍ଣା-ଶୁଣ, ଭଉଣି-ମହାରାଜା ଯେ ସେଦିନ କି ପବିତ୍ରଭାବ ପୋଷଣ କରି ଆମ୍ଭ ଦୁହିଙ୍କ କର ମିଳାଇ ଦେଇଥିଲେ, ତାହା ମୂଢ଼ ଆମ୍ଭେମାନେ ଯୌବନସୁଲଭ ଚପଳତା ବଶତଃ ସେଭାବେ ନ ବୁଝି, ଅନ୍ୟଭାବେ ଘେନି ଯାଇଥିଲୁ ସିନା- ଓଃ ତାଙ୍କର କି ଅଗାଧ ବିଶ୍ୱାସ ଯେ ଏ’ ପାଷାଣ୍ଡ ପ୍ରତି-

 

 

 

କୃଷ୍ଣା

-

ଥାଉ, ଥାଉ- ପୂର୍ବସ୍ଥିତ ଜଗାଇ ଆଉ ଲଜ୍ଜା ଦିଅନା-ଲଜ୍ଜା-

ଅନନ୍ତ

-

ନିଜେ ଯେ ଲଜ୍ଜିତ, ତା’ର ପୁଣି ଲଜ୍ଜାଦେବାର କ୍ଷମତା କାହିଁ, କୃଷ୍ଣା । ଶୁଣ, ଶୁଣ, କୃଷ୍ଣା । ମହାରାଜ ପବିତ୍ର ଭ୍ରାତା ଭଗିନୀ ଜ୍ଞାନରେହିଁ ଆମ୍ଭ ଦୁଇ ଜଣଙ୍କୁ ମିଳାଇ ଦେଇ ଥିଲେ- ଓଃ, କନ୍ୟାର ରକ୍ଷଣଭାର ଏ’ରାକ୍ଷସଉପରେ ସିନା-

କୃଷ୍ଣା

-

ପ୍ରଭୋ । ପ୍ରଭୋ । ମିଥ୍ୟାର ଅବତାରଣା କରି ସତ୍ୟର ମର୍ଯ୍ୟାଦା ନଷ୍ଟ କର ନାହିଁ - ଶ୍ରପଦେ ସ୍ଥାନ ଦେଇ ଏ’ ସ୍ଥାନ ଦେଇ ଏ’ ଅଭାଗିନୀର-

ଅନନ୍ତ

-

ଭଉଣି- ଭଉଣି । ବିଶ୍ୱାସ କର - ଏହି ଯେ ମହାରାଜାଙ୍କ ଶ୍ରୀହସ୍ତ ଲିଖିତ ପତ୍ର । (ପତ୍ର ଦାନ)

କୃଷ୍ଣା

-

(କମ୍ପିତ ହସ୍ତରେ ପଢ଼ିବାକୁ ଲାଗିଲେ ଓ ନାନାଭାବରେ ସୂଚନା ଦେଲେ) ଭାଇ ! ଭାଇ ! ଓଃ- ଏ’ ଯେ ଗୋଟିଏ ଜଟିଳ ରହସ୍ୟ ।-

ଅନନ୍ତ

-

କିନ୍ତୁ ଈଶ୍ୱର ଆମ୍ଭମାନଙ୍କୁ ବଞ୍ଚାଇଛନ୍ତି, କୃଷ୍ଣା । ଏଠା ଯୁଦ୍ଧ ଶେଷ ହେବାମାତ୍ରେ ମୋ’ ଭିତରେ ଗୋଟାଏ ମହାଯୁଦ୍ଧ ଆରମ୍ଭ ହେବାକୁ ଲାଗିଲା - ସେଦିନ ସିନା କି ଗୋଟାଏ ଆବେଶ ଓ ଆବେଗରେ କାର୍ଯ୍ୟ କରିଗଲ, କିନ୍ତୁ ପର ମୂହୂର୍ତ୍ତେ - ଯୁଦ୍ଧର ଅବସାନ ସଙ୍ଗେ ସଙ୍ଗେ- ମୋ ଭିତରେ ଚାରିଆଡ଼ୁ ଯେମନ୍ତ କେଉଁମାନେ ହୁଁ କାର କରି ଉଠିଲେ-‘ଅନନ୍ତ-। ତୁ ସିନା ତୋ’ର ମହତ୍ତ୍ୱ ଦେଖାଇଲୁ, କିନ୍ତୁ ସଙ୍ଗେ ସଙ୍ଗେ ଗୋଟିଏ ବାଳିକାର, ରାଜଜେମାର, ସର୍ବନାଶ କଲୁ ନାହିଁ କି ? ମୁକୁନ୍ଦ ସଙ୍ଗେ, ଗୋଟିଏ ସାମାନ୍ୟ ସଙ୍ଗେ, ତୁ ମିଳାଇ ଦେବାକୁ କିଏ ? ରାଜା ଯଦି ଅମତ ହୁଅନ୍ତି - ରାଜସମ୍ମାନର ଅମର୍ଯ୍ୟଦା କଲୁ ନାହିଁକି ?- ପିତା ଯଦି ସତ୍ୟ କରିଥା’ନ୍ତି - ପିତୃ-ସତ୍ୟର ଗୌରବ ନଷ୍ଟ କଲ ନାହିଁକି-?-ଠିକ୍‌ ଏହି ସମୟରେ ମହାରାଜାଙ୍କଠାରୁ ମୋତେ ଯୁଦ୍ଧାହ୍ୱାନ ଆସେ -ମୁଁ ସାହ୍ଲାଦେ ତତ୍‌କ୍ଷଣାତ୍‌ ଯାତ୍ରା କଲି- ବିଜୟନଗରର ଶତ୍ରୁ ଧ୍ୱଂସ କରିବାର ଲାଳସାରେ ନୁହେଁ, ବରଂ ମହାରାଜାଙ୍କୁ ସମସ୍ତ ସତ୍ୟ ଘଟଣା ପ୍ରକାଶ କରି ଏହାର ଗୋଟିଏ ବିହିତ କରିବାର ଲାଳସାରେ- ଏଥିରେ ଯଦି ପ୍ରାଣଦଣ୍ଡ ଭୋଗ କରିବାକୁ ପଡ଼ିଥାନ୍ତା, ତା’ମଧ୍ୟ ହାସ୍ୟମୁଖରେ ବରଣ କରିବାକୁ ମୁଁ ପ୍ରସ୍ତୁତ ଥିଲି-

କୃଷ୍ଣା

-

ଛାଡ଼, ଗୋଟିଏ ଶୁଭ ସମ୍ବାଦ, ଭଉଣି ।- ଏଠା ଯୁଦ୍ଧ ଜୟର ପୁରସ୍କାରସ୍ୱରୂପ ମୁକୁନ୍ଦ ସେନାପତି ପଦ ପ୍ରାପ୍ତ ହୋଇଛନ୍ତି ।

କୃଷ୍ଣା

-

(ଲଜ୍ଜାବନତା ହେଲେ ଓ ହୃଦୟର ଅତି ଗଭୀର ସ୍ତରରେ ଯେଉଁ ଆନନ୍ଦ ଖେଳିଗଲା, ତାହା ଓଷ୍ଠାଧରର ଇଷତ୍‌ କମ୍ପନରେ ଜଣାଗଲା ମାତ୍ର)

ଅନନ୍ତ

-

ଆହୁରି ଶୁଣି ସୁଖୀ ହେବ, ଭଉଣି, ଉପାୟ ମଧ୍ୟ କରି ଆସିଛି, ମୁକୁନ୍ଦ ସଙ୍ଗେ ତୁମ୍ଭର-

କୃଷ୍ଣା

-

(ଅନନ୍ତ ପ୍ରତି ଅଧର ଦଂଶନ ପୂର୍ବକ କୁଟିଳ କଟାକ୍ଷ କରିବେ କ’ଣ, ପ୍ରତି ଧିକ୍କାର ଯେହ୍ନେ ସେ’ଠି ଆଉ ରହିପାରିଲେ ନାହିଁ –

ଦ୍ରୁତ ପ୍ରସ୍ଥାନ କଲେ)

ଅନନ୍ତ

-

(କିଛିକ୍ଷଣ ସେହି ଆଡ଼େ ଚାହିଁ ରହି) କି ଆନନ୍ଦ ।-ଓଃ ମୁକୁନ୍ଦକୁ ଯେ ଖବର ଦେଇ ନାହିଁ ।

 

 

(ସଖୀମାନେ ସୁସଜ୍ଜିତା ହୋଇ ଗୀତ ଗାଇ ଗାଇ ପ୍ରବେଶ କଲେ)

 

-ଗୀତ-

ଆଉ ତ ମାନିବା ନାହିଁ ମନା ।

ନାଚିବା ଗାଇବା ତା-ନା-ନା-ନା ।।

ଭାଙ୍ଗିଚି ବନ୍ଧ-

ଫିଟିଚି ଛନ୍ଦ-

ତୋଡ଼ ପଡ଼ିଲାଣି ତନା ଘନା- ।।

ଦୁନିଆ ଭରି-

କାହାକୁ ଡରି-

ପିଇଲେ ମହୁୟା ଦନା, ଦନା ।।

 

କୃଷ୍ଣା

-

(ପ୍ରବେଶ କରି, ଆନନ୍ଦରେ ମତୁଆଲ ହୋଇ ଗାଅ (ଗୀତ ଶୁଣୁ ଶୁଣୁ ବିଭୋର ହେଲେ)

୧ମ ସଖୀ

-

(ଗୀତାନ୍ତେ) ଜେମାଦେଈ ଶୋଇ ପଡ଼ିଲେ ନା କ’ଣ ?

କୃଷ୍ଣା

-

(ଚମକି ଉଠି) ମୁକ୍ତା । ମୁକ୍ତା । (ଲୁପ୍ତଜ୍ଞାନା ହେଲେ)

 

ଦ୍ୱିତୀୟ ଦୃଶ୍ୟ

-ମୁକୁନ୍ଦର ଗୃହ ସମ୍ମୁଖ ରାସ୍ତା-

(ମୁକୁନ୍ଦ ଓ ସମରେନ୍ଦ୍ର କଥାବାର୍ତ୍ତା କରୁ କରୁ ପ୍ରବେଶ କଲେ)

 

ସମରେନ୍ଦ୍ର

-

ସା’ନ୍ତ ।

ମୁକୁନ୍ଦ

-

ପୁଣି ‘ସାନ୍ତେ’ ? ମୁଁ ଯେ ତବ ତୋର ଭାଇ, ସମରେନ୍ଦ୍ର-

ସମରେନ୍ଦ୍ର

-

ନା, ନା-

ମୁକୁନ୍ଦ

-

ତା’ ହେଲେ ମୋ ସଙ୍ଗେ ତୋ’ର କୌଣସି-

ସମରେନ୍ଦ୍ର

-

ନା, ନା- ତଡ଼ିଦିଅନା-ତୁମକୁ ଛାଡ଼ି ଯେ-

ମୁକୁନ୍ଦ

-

ପୁ’ଣି ‘ତୁମକୁ’-?

ସମରେନ୍ଦ୍ର

-

ଭାଇ । ଭାଇ । ଏତେ ଆପଣାର ତୁହି-

ମୁକୁନ୍ଦ

-

ପୁଣି ସେହି ‘ଆପଣାର’ କହୁଚ ?- ଆରେ, ଏ’ ଦୁନିଆରେ ଆପଣାର ବୋଲି ଯାକୁ ଭାବୁ, ସେହି ଯେ ତୋର-

ସମରେନ୍ଦ୍ର

-

‘ତଣ୍ଟିକଟା’- ଠିକ୍‌ କହିଚୁ, ଭାଇ ।-ସେହି ଦୁଷ୍ଟ ଚମ୍ପିକୁ ଆପଣାର ଭାବି ସିନା, ତୋ’ ପରି ବନ୍ଧୁର-

ମୁକୁନ୍ଦ

-

ଭୁଲ,ଭୁଲ, ଭାଇ- ଏ’ ବନ୍ଧୁକୁ ତୋ’ର ତା’ହେଲେ ଆଦୌ ଚିହ୍ନି ନାହୁଁ - ଦୁଷ୍ଟା ଚମ୍ପିତ ଛାର-ନରକର ସୟତାନ ବୋଧ ହୁଏ ତା’ ସଙ୍ଗେ- (କହୁ କହୁ ମନସ୍କ ହେଲେ)

ସମରେନ୍ଦ୍ର

-

ନା, ନା, ଭାଇ ସ୍ୱର୍ଗର ଦେବତା ବୋଧହୁଏ-ବୋଧହୁଏ କାହିଁକି - ନିଶ୍ଚୟ ସରି ହେବ ନାହିଁ- ଯେଉଁ ଭାଇର ପ୍ରାଣନାଶ କରିବାକୁ ନରହନ୍ତା ମୁହିଁ ଶତ୍ରୁ ସଙ୍ଗେ ମିଶି, ଷଡ଼ଯନ୍ତ୍ର କରିଥିଲି, ସେହି ଦେବତାଧିକ ଭାଇ ଯୋଗୁଁ ସିନା ବିଶ୍ୱାସଘାତକ ମାନଙ୍କର ଗୁପ୍ତଛୁରିକା ଗ୍ରାସରୁ ଏ’ ପାପୀ ନାରକୀ ଆଜି ପ୍ରାଣ ପାଇଛି - ଆଶ୍ରୟ ପାଇଛି - ଜୀବିକା ଉପାର୍ଜନ ଆଶା ମଧ୍ୟ-

ମୁକୁନ୍ଦ

-

ବୃଥା ପ୍ରଶଂସାର ପ୍ରୟୋଜନ ନାହିଁ, ଭାଇ-ପ୍ରଭୁଙ୍କୁ ଡ଼ାକି, କିପରି ସେ ବର୍ତ୍ତମାନ ତୋ’ର ଜୀବିକାର ଉପାୟ କରିଦେବେ ।

ସମରେନ୍ଦ୍ର

-

ଅନ୍ୟ ପ୍ରଭୁ ମୁଁ ଜାଣେନାହିଁ, ଭାଇ - ମୋ’ର ପ୍ରଭୁ ଯେ, ସେ ମୋ’ର ସମ୍ମୁଖରେ । (ପ୍ରଣାମ କରିବାକୁ ଗଲେ)

ମୁକୁନ୍ଦ

-

ଛି, ଭାଇ- ଏ’ପରି କହି ପରସ୍ପର ପାପମାତ୍ରା ବଢ଼ାଇ ଦେ’ନା - ସେନାପତି ଫେରି ଆସନ୍ତୁ, କୁହାପୋଛା କରି ନିଶ୍ଚୟ ତୋତେ-

ସମରେନ୍ଦ୍ର

-

ଭାଇ । ଭାଇ । ଅନନ୍ତକୁ ଏ’ ପାପମୁଖ ଦେଖାଇବି କିପରି ?- କି ଗୁଣ ଦେଖି ବା ମୋ’ର-

ମୁକୁନ୍ଦ

-

ଏ’ ଯୁଦ୍ଧରେ କ’ଣ ମୁଁ କିଛିହେଲେ ପୁରସ୍କାର ଯୋଗ୍ୟ ଗୁଣ ଦେଖାଇ ନାହିଁ, ଭାଇ ?-ତା’ରି ବିନିମୟରେ ତୋତେ ନିଶ୍ଚୟ ଗୋଟାଏ ପଦ-

ସମରେନ୍ଦ୍ର

-

ମୁକୁନ୍ଦ । ମୁକୁନ୍ଦ । ତୁମ୍ଭେ ଏଡ଼େ ମହତ୍ ।

ମୁକୁନ୍ଦ

-

‘ମହତ୍’ । ‘ମହତ୍‌।-ଭାଇ । ଭାଇ । ହାତଧରୁଚି ତୋ’ର- ଏ’ ଶବ୍ଦଟି ଆଉ କେବେ ପ୍ରୟୋଗ ନ କରୁ ଯେମନ୍ତ-ଏହାର ଗୋଟାଏ ଗୋଟାଏ ଗୁଳି ପରି ମୋର ମର୍ମସ୍ଥଳକୁ କ୍ଷିନ୍ନ, ଭିନ୍ନ କରୁଚି- (କିଛିକ୍ଷଣ ନୀରବ ରହି ପରେ ହଠାତ୍)      ଭାଇ । ତୁ ଘରେ ଥା କି, ମୁଁ ସେନାନିବାସ ପରିଦର୍ଶନ କରି ଆସେଁ । (ଗମନୋଦ୍ୟତ)

ସମରେନ୍ଦ୍ର

-

ଏ’ ଗଳଗ୍ରହଟାକୁ ନେଇ ଯେତିକି ହଇରାଣ ସିନା - ତା’କୁ ଅନ୍ୟ ଉପାୟରେ ମୁକ୍ତି ଦେଲେ ହୁଅନ୍ତା ନାହିଁ, ଭାଇ ।

 

-

(ଦୌଡ଼ ପ୍ରସ୍ଥାନ କଲା)

ମୁକୁନ୍ଦ

-

‘ମୁକ୍ତି !’ ଓ ମୁକ୍ତା- ମୁକ୍ତା । -ମୋର ମୁକ୍ତି କି ନାହିଁ ?- ନା-ନା- ତୁହି ଯେ ମୋର ମୁକ୍ତି । -ତୋ’ର ସ୍ମୃତି ଯେ ମୋର ମୁକ୍ତି ! ତୁହି ଯେ ଜୀବନେ ମରଣେ ମୋ’ର ହୃଦୟର ଚିରୋଜ୍ୱଳ ମୁକ୍ତ ।

 

 

(ପ୍ରସ୍ଥନୋଦ୍ୟତ)

 

 

ନେପଥ୍ୟ       ଜୟ ସେନାପତି ମକୁନ୍ଦଙ୍କ ଜୟ ।

ମୁକୁନ୍ଦ

-

ଏ’ କଣ ।-

 

-

(ସୈନିକଗଣସହ ଅନନ୍ତ ସିଂହଙ୍କ ପ୍ରବେଶ)

ମୁକୁନ୍ଦ

-

ସେନାପତି-।

ଅନନ୍ତ

-

ପୁଣି ସେହି ସମ୍ବୋଧନ, ଭାଇ ?

ମୁକୁନ୍ଦ

-

ଭାଇ । ଭାଇ । (କୁଣ୍ଢାଇ ପକାଇଲେ)

ଅନନ୍ତ

-

ବେଶ୍‌ଏ’ ତରବାରୀ ଆଉ ପଗଡ଼ି ଧଇଲ- ବୋହି ବୋହି ମା’ ହାତ ପରାଶ୍‌ ହୋଇଗଲାଣି ।

ମୁକୁନ୍ଦ

-

(ସାଶ୍ଚର୍ଯ୍ୟେ ଚାହିଁଲେ)

ଅନନ୍ତ

-

ଚାହୁଁଚ କ’ଣ ?- ତୁମେ ସାରଙ୍ଗଗଡ଼ର ସେନାପତି ।

ମୁକୁନ୍ଦ

-

‘ସାରଙ୍ଗଗଡ଼ର ସେନାପତି ।’-ଗୋବିନ୍ଦ ବିଦ୍ୟାଧର -?

ଅନନ୍ତ

-

ସେ ଯେ ବର୍ତ୍ତମାନ ମନ୍ତ୍ରୀ ।-ଆତ୍ମାର ବୁଢା ମନ୍ତ୍ରୀ କ’ଣ ଆଉ ଅଛନ୍ତି ।

ମୁକୁନ୍ଦ

-

ନାହାନ୍ତି ।

ଅନନ୍ତ

-

ପିଶାଚ କୃଷ୍ଣରାୟ, ଗୋପନରେ ଶିବରରେ ପଶି, ସାମାନ୍ୟ ପଶୁପରି ନିଜହସ୍ତରେ ତାଙ୍କୁ ବଧ କରିଛି । ଏହି ସଂବାଦରେ ହଠାତ୍‌ କୌଣସି ପ୍ରକାର ବିଶୃଙ୍ଖଳା ଘଟିବା ଆଶଙ୍କାରେ କଥାଟା ରାଜାଙ୍କର କଠିନାଦେଶରେ ଗୋପନ ରଖା ହୋଇଥିଲା ମାତ୍ର ।

ମୁକୁନ୍ଦ

-

(କର ତାଳୁରେ ଅଙ୍ଗୁଳି ସଞ୍ଚାଳନ କରୁ କରୁ କ୍ରୁଦ୍ଧ ଦୃଷ୍ଟିରେ)- ଏ’ ପର୍ଯ୍ୟନ୍ତ ପିଶାଚଟା ଜୀବିତ ଅଛି ନା ?

ଅନନ୍ତ

-

ନିଅ, ନିଅ ଏବେ ଧଇଲ -

ମୁକୁନ୍ଦ

-

(ମୁକୁନ୍ଦ ଗ୍ରହଣକରି) ଭାଇ । ଭାଇ । ସେହି ପିଶାଚର ରକ୍ତରେ ଏ’ ଅସିର ଉଦ୍‌ବୋଧନ କ୍ରିୟା ସଂପାଦନ କଲେ ହୁଅନ୍ତା ନାହିଁ ?

ଅନନ୍ତ

-

ସେ ତୁମର ବେପାର କଥା, ତୁମେ ଭଲ ବୁଝିବ-ଛାଡ଼, ଆସିଲେ ଅନେକ ଗୁରୁତର କଥା ଅଛି ।

ମୁକୁନ୍ଦ

-

ମୋତେ ଯେ ସେନାନିବାସ ପରିଦର୍ଶନ-

ଅନନ୍ତ

-

ବେଶ୍‌ ଚାଳନା- ବାଟରେ ଯାଉଁ ଯାଉଁ ତ ଭଲ ହେବ (ମୁକୁନ୍ଦର କାନ୍ଧରେ ହାତ ପକାଇ ଉଭୟେ ପ୍ରସ୍ଥାନୋଦ୍ୟତ)

ସୈନ୍ୟଗଣ

-

ଜୟ ସେନାପତି ମୁକୁନ୍ଦଦେବଙ୍କର ଜୟ ।

ଅନନ୍ତ

-

ଭାଇ ! ତୁମର ପୂରା ନା’ଟି କଣଟି । କିନ୍ତୁ ‘ତେଲେଙ୍ଗା ମୁକୁନ୍ଦ’ ନା’ଟି ତୁମର ଆଉ ଯାଉ ନାହିଁ । ମଣିମା ଆମର ଆଚ୍ଛା ଆଖ୍ୟା ଦେଇ ଦେଲେଣି- ଆଚ୍ଛା, ଭାଇ ! ମୁକ୍ତାଦେବୀଙ୍କ ଘର ପରା ତୁମର ଏକା ଗାଁରେ ?

ମୁକୁନ୍ଦ

-

(ଦୀର୍ଘନିଃଶ୍ୱାସ ଛାଡ଼ିଲେ, କିନ୍ତୁ ହୃଦୟଭାର ଜାଣିବାକୁ ଦେଲେ ନାହିଁ) ହଁ-(ବହୁକଷ୍ଟ ଉତ୍ତରଟି ଦେଲେ)

ଅନନ୍ତ

-

ତା’ ସଙ୍ଗେ କ’ଣ ବିବାହ ତୁମର-

ମୁକୁନ୍ଦ

-

(ସଂଯତ କରି ନେଇ ସହଜଭାବରେ କହିବାକୁ ଚେଷ୍ଟା କଲେ, ହୋଇ ନ ଥିଲା - ସେ ଥିଲା ଭାର ବଡ଼ଲୋକର ଝିଅ ମୁଁ ଥିଲି ଭାରି ଗରିବ ମୋ ସଙ୍ଗେ ତାର ଘନିଷ୍ଠତା ଦେଖି, ତା’ର) ବାପ ନାନା ଷଡ଼ଯନ୍ତ୍ର କରି ମୋତେ ନିର୍ବାସିତ କରାଇଥିଲେ ଆଉ ତା’ ପ୍ରତି କି ଯେ ଅମାନୁଷିକ ଅତ୍ୟାଚାର କରିଥିଲେ ।- (ଆଖି ଛଳ ଛଳ ହୋଇ ଉଠିଥିଲା)

ଅନନ୍ତ

-

ପ୍ରକୃତରେ, ଭାଇ ଏପରି ନିଃସ୍ୱାର୍ଥ ପ୍ରେମ ଏ’ ଜଗତରେ ଦୁର୍ଲଭ ।

ମୁକୁନ୍ଦ

-

ଏ’ ପାପୀ ତା’ର ମର୍ଯ୍ୟଦା କ’ଣ ବୁଝିବ ?(ଲୁହ ପୋଛି ପକାଇଲେ)

ଅନନ୍ତ

-

ଏ’ କଣ କରୁଚି ମୁଁ । (ଚମକି ଉଠିଲେ)

ମୁକୁନ୍ଦ

-

ଏ’ ପରି ଚମକି ଉଠିଲ କାହିଁକି, ଭାଇ ?

ଅନନ୍ତ

-

ଭାଇ । ଭାଇ । କ୍ଷମା କର- ଏ’ ଅତୀତ କଥା ଉତ୍ଥାପନ କରି ତୁମ ମନରେ ଭାରୀ କଷ୍ଟ ଦେଇଚି ।

ମୁକୁନ୍ଦ

-

କୌଣସି କଷ୍ଟ ନାହିଁ, ଭାଇ-ମୁକ୍ତା ଯେ ବର୍ତ୍ତମାନ ମୋର ହୃଦୟର ମୁକ୍ତା-ତା’ର ସମୁଜ୍ୱଳାଲୋକରେ ସେ ଯେ ମୋ’ର ବାଟ କଢ଼ାଇ ଚାଲିଚି- ଆସ, ଭାଇ । (ପ୍ରସ୍ଥାନ) ଅନନ୍ତ- ମୁକୁନ୍ଦର ଏ’ପରି ଭାବତ ମୋ’ର ଉଦ୍ଦେଶ୍ୟରେ ମହାନ୍ ପ୍ରତିବନ୍ଧକ -କୃଷ୍ଣା ସଙ୍ଗେ ତା’ର ପରିଣୟ ଯେ ଅବଶ୍ୟ କର୍ତ୍ତବ୍ୟ ମୋ’ର ।

 

 

(ପ୍ରସ୍ଥାନ)

 

 

(ସମରେନ୍ଦ୍ର ପ୍ରବେଶ କଲେ)

ସମରେନ୍ଦ୍ର

-

କି ଆନନ୍ଦ- ମୁକୁନ୍ଦ ସେନାପତି- ମୁକୁନ୍ଦ ସେନାପତି ।-ଏ’ କଣ ମୁକୁନ୍ଦ ପୁଣି ଫେରିଲା କାହିଁକି-ସଙ୍ଗେ ଅନନ୍ତ ଯେ (ଦୂତ ପ୍ରସ୍ଥାନ କଲେ)

 

-

(ମୁକୁନ୍ଦ ଶଶବ୍ୟସ୍ତେ ଫେରି ଆସିଲେ ପରେ ପରେ ଅନନ୍ତ)

ମୁକୁନ୍ଦ

-

ଅନନ୍ତ । ଅନନ୍ତ । ଏ’ କଥା ଯଦି ତୁମେ ପୁଣି କୁହ, ତା ହେଲେ ଜାଣିବ ତୁମପରି ଦ୍ୱିତୀୟ ଶତ୍ରୁ ଆଉ ମୋ’ରି ନାହିଁ-(ଅନନ୍ତ ଶାନ୍ତ କରାଉଥିଲେ) ଏହି ନିଅ ଫେରାଇ ତୁମର ତରବାରୀ, ଆଉ ଶିରସ୍ତ୍ରାଣ- ଏ’ ପଦରେ ମୋ’ର ଲେଶମାତ୍ର ପ୍ରୟୋଜନ ନାହିଁ ।

ଅନନ୍ତ

-

ତା ଯା’ଙ୍କର ଦାନ ତାଙ୍କୁ ଫେରାଇ ଦେବନା-?

ମୁକୁନ୍ଦ

-

ହାତ ଧରି କହୁଚି, ଭାଇ । ଏ’ ପବିତ୍ର ସ୍ମୃତିରେ ମୋ’ର, ଏ’ପରି କହି ଆଉ କଳଙ୍କ ଯେପରି ଲେପନ ନ କର -

ଅନନ୍ତ

-

ହେଲା, ମୋ’ରି ଦୋଷ ।(ଗମନୋଦ୍ୟତ ହେଲେ)

ମୁକୁନ୍ଦ

-

ଭାଇ । ଗୋଟାଏ ଉତ୍ତେଜନାରେ ଗାରି କଟୁ କଥା କହି ପକାଇଚି - (ହାତଧରି ପକାଇବା)

ଅନନ୍ତ

-

ଏ’ ଓଲଟା କଥା କିପରି ମ ?

 

 

(ପ୍ରସ୍ଥାନ କରୁଥିଲେ)

ମୁକୁନ୍ଦ

-

ହଁ, ସମରେନ୍ଦ୍ର କଥାଟା-

ଅନନ୍ତ

-

ମୁଁ କ’ଣ କରିପାରିବ ଭଲା- ତା ବିରୁଦ୍ଧରେ ତ ଅଭିଯୋଗର ହିମାଳୟ । (ମନେ ମନେ ହସି ଚାଲିଯିବାର ଛଳନା କରୁଥିଲା ପରା)

ମୁକୁନ୍ଦ

-

ଭାଇ । ସେ ଭାରୀ ଅନୁତପ୍ତ - ପୂର୍ବ କଥା ପାଶୋରି ଯାଇ ତା’କୁ ଯଦି ଗୋଟାଏ କାମରେ ରଖାଇ ଦିଅନ୍ତି - ଆଉ ସେଥିଲାଗି ମୋତେ ଯାହା-

ଅନନ୍ତ

-

କିପରି ସମ୍ଭବ ?- ଆଚ୍ଛା, କରାଇ ଦେଲେ ମୋ’ତେ କ’ଣ ଦେବ-?

ମୁକୁନ୍ଦ

-

ଯାହା ମାଗିବ-

ଅନନ୍ତ

-

ଯାହା ମାଗିବ-।

ମୁକୁନ୍ଦ

-

ଏହି ମୁଁ ହାତ ଦେଉଚି ।

ଅନନ୍ତ

-

ବେଶ୍‌କାହିଁ ସେ ?-

ମୁକୁନ୍ଦ

-

ମୋ’ରି ଘରେ-

ଅନନ୍ତ

-

ମୁଁ ଆଜି ବ୍ୟବସ୍ଥା ନ କରି ଛାଡ଼ୁଚି - କିନ୍ତୁ ଦେଖ, ଭାଇ ପ୍ରତିଜ୍ଞାଟି ତୁମର ଯେପରି ପାଶୋରି ନ ଯାଅଟି ।

ମୁକୁନ୍ଦ

-

ଯାହା ମାଗିବାର, ଏହିକ୍ଷଣି କୁହନା ଭାଇ- ଏଥିପାଇଁ ଯଦି ଆତ୍ମଦାନ କରିବାକୁ ହୁଏ-

ଅନନ୍ତ

-

(ସସ୍ମିତେ) ତା’ ହେଲେ ମୋ’ର କ’ଣ ଟିକିଏ ହୋଇ ଆତ୍ମସମ୍ମାନ ଜ୍ଞାନ ନାହିଁ, ଭାଇ-

ମୁକୁନ୍ଦ

-

କି ଧନ୍ୟବାଦ ତୁମକୁ ଦେବି, ଭାଇ ?

ଅନନ୍ତ

-

ବହୁତ୍‌ ସମୟ ଅଛି, ଭାବି ଠିକ୍‌ କରି ରଖ ନା- ?

 

-

(ଉଭୟଙ୍କର ବିପରୀତ ଦିଗେ ପ୍ରସ୍ଥାନ ବେଳେ ଅନନ୍ତ ମୁକୁନ୍ଦଆଡ଼େ ସସ୍ମିତେ ଚାହିଁ ଚାଲିଗଲେ)

 

-

(ମୁକୁନ୍ଦର ପୁନଃ ପ୍ରବେଶ)

ମୁକୁନ୍ଦ

-

ମ, ମ-ମୁଁ ଯେ ରସଦ୍‌ଘର ଚାବିଟା ଛାଡ଼ି ଆସିଲି-

 

-

(କୃଷ୍ଣାର ଯୋଦ୍ଧବେଶେ ଦ୍ରୁତ ପ୍ରବେଶ)

କୃଷ୍ଣା

-

(କାତରଭାବେ) ସର୍ବନାଶ, ସେନାପତି ।-

ମୁକୁନ୍ଦ

-

(ନିର୍ବାକ୍‌ଭାବେ ଚାହିଁଲେ)

କୃଷ୍ଣା

-

(ସଲଜ୍ଜେ ମୁଖ ଫେରାଇ, ଅନୁଚ୍ଚସ୍ୱରେ) କାହାନ୍ତି ଅନନ୍ତ ସିଂହ ?- (କିନ୍ତୁ ସ୍ଥାନ ଛାଡ଼ି, ଛାଡ଼ି ପାରୁ ନ ଥିଲେ)

ମୁକୁନ୍ଦ

-

(କିପରି ବିଭ୍ରାନ୍ତ ଓ ସ୍ୱେଦାପ୍ଳୁତ ହୋଇ) ଅନନ୍ତସିଂହ-ହଁ- ଏହିଠି-ବର୍ତ୍ତମାନ ନା, ନା-ଏହିଆଡ଼େ -

କୃଷ୍ଣା

-

ଭାରୀ ସର୍ବନାଶ ।-ପିତା ବନ୍ଦୀ-।

ମୁକୁନ୍ଦ

-

ପିତା ବନ୍ଦୀ ।-

 

 

(ଅନନ୍ତ ସିଂହଙ୍କ ବେଗେ ପ୍ରବେଶ)

କୃଷ୍ଣା

-

(ସକାତରେ) ପିତା ବନ୍ଦୀ-କ’ଣ କରାଯିବ ଭାଇ ?

ଅନନ୍ତ

-

କିଛି ଚିନ୍ତା ନାହିଁ, ଭଉଣି- ମୁଁ ମୁକୁନ୍ଦକୁ ଅବିଳମ୍ବେ ପଠାଇ ଦେଉଚି- ଉଃ, କି ବିଶ୍ୱାସ ଘାତକ ସେହି କୃଷ୍ଣରାୟ-ସନ୍ଧି ହେଲା ପୁଣି ଯୁଦ୍ଧ ।-ମହାରାଜା ଯାହା କହୁଥିଲେ, ତାହା ଯେ ଅକ୍ଷରେ ଅକ୍ଷରେ ସତ୍ୟ ଦେଖୁଚି- ଚାଲ, ଭଉଣୀ-

କୃଷ୍ଣା

-

ନା- ନା- ମୁଁ ଫେରିଯିବି ନାହିଁ - ମୁଁ ଯିବି ବୋଲି ତ ପ୍ରସ୍ତୁତ ହୋଇ ଆସିଛ- ପିତା ନିଶ୍ଚେ ମୋତେ ଦେଖିବାକୁ ବ୍ୟାକୁଳ ହେଉଥିବେ ।

ଅନନ୍ତ

-

ବେଶ୍‌ ମୁଁ ବନ୍ଦୋବସ୍ତ କରି ଦେଉଚି-ମୁକୁନ୍ଦ । ଯାଅ ତୁମେ ଶୀଘ୍ର ପ୍ରସ୍ତୁତ ହୋଇ ଆସ ମୁଁ ସେନା-ନିବାସକୁ ଥରେ-

କୃଷ୍ଣା

-

ଶୀଘ୍ର, ଶୀଘ୍ର ଚାଲ, ଭାଇ- (ଉଭୟଙ୍କ ପ୍ରସ୍ଥାନ)

ମୁକୁନ୍ଦ

-

ମୁକୁନ୍ଦ । ମୁକୁନ୍ଦ ।-ମୁକ୍ତା-ମୁକ୍ତା- ଆଲୋକ -ଆଲୋକ-(ବେଗେ ପ୍ରସ୍ଥାନ)

 

କ୍ରୋଡ଼ ଅଙ୍କ

ପ୍ରଥମ ଦୃଶ୍ୟ

-ଦାକ୍ଷିଣାତ୍ୟ ଯୁଦ୍ଧକ୍ଷେତ୍ରସ୍ଥ ଉତ୍କଳ ଶିବିର-

 

 

 

(ସୁସଜ୍ଜିତା କୃଷ୍ଣା ଆନନ୍ଦରେ ଗଦ୍‌ଗଦ୍ ହୋଇ ପ୍ରବେଶ କଲେ- ପଛେ ପଛେ ପ୍ରତାପ । ପ୍ରତାପର ପୂର୍ବ ପ୍ରତାପ ଯେମନ୍ତ ମଳିନ ହୋଇ ଯାଇଚି)

ପ୍ରତାପ

-

ଏତେ ହସୁଚ, କୃଷ୍ଣା ?

କୃଷ୍ଣା

-

(ଆହୁରି ହସିବାକୁ ଲାଗିଲେ)

ପ୍ରତାପ

-

ଛି, କୃଷ୍ଣା- ହସି ହସି ପେଟ ତୋ’ର ପରାସ ହୋଇଯିବ ଯେ-

କୃଷ୍ଣା

-

ଯାଉ-ଯାଉ-ପ୍ରାଣ ସୁଦ୍ଧା-ନା, ନା, ତା’ହେଲେ ହସିବ କିଏ ?- ହସାଇବ କିଏ ?

 

 

(ଆହୁରି ସଜୋରେ ହସିବାକୁ ଲାଗିଲେ)

ପ୍ରତାପ

-

ଏ’ କଣ, କୃଷ୍ଣା ? ମୁଣ୍ଡ ତୋ’ର ଖରାପ ହୋଇଯାଇଚି ନା କ’ଣ ?

କୃଷ୍ଣା

-

କହିଲ, ବାବା । ଆଜିକା ଭଳି ଦିନ ଆଉ ମିଳିବ ନା, ? (ହସିବା)

ପ୍ରତାପ

-

ଏ’ କେତେଟା ଦିନରେ ତୁ ଏମିତିକା ବେହିଆ ପାଲଟି ଗଲାଣି ନା ?

କୃଷ୍ଣା

-

କ୍ଷମା କର, କ୍ଷମା କର, ବାବା-ମୁଁ ଯେ ଆଦୌ ସମ୍ଭାଳି ପାରୁ ନାହିଁ- (ହାସ୍ୟ କରିବା)

ପ୍ରତାପ

-

କିଛି ମୁଁ ବୁଝି ପାରୁନାହିଁ ତୋ’ର ମତି ଗତି ଗୋଟାଏ ରୋଗ ନା କ’ଣ- ଆଗେତ ଏ’ପରି ଲକ୍ଷଣ କେବେ ଦେଖା ନ ଥିଲା-କାହିଁ, ଏଠିବିତ-କାଲି-ପରଦିନ- କାହିଁକି, ଏହି ଘଡ଼ିକ ଆଗେ ତ ଆଜି, କିଛି-

କୃଷ୍ଣା

-

(ହସୁ ହସୁ) ହଠାତ୍‌।- ହଠାତ୍‌, ବାବା । - କେମିତିକା ଏକାବେଳକେ ହଠାତ୍‌ ବଦଳି ଗଲା-ସବୁ ଶୂନ୍‌ଶାନ- ଆଉ କ’ଣ ଶତ୍ରୁ କାହାରି ଉପରେ ଅତ୍ୟାଚାର କରିବାକୁ ଧାଇଁ ଆସୁଚି ?- ଘର ଦ୍ୱାର ଜାଳି ପୋଡ଼ି ଦେଉଚି-?-ପିଲା ଛୁଆ ହାଣି କାଟି ପକାଉଚି ?- ଦୋକାନ ବଜାର ଲୁଟ୍‌ପାଟ କରି ନେଉଚି ?- ବିଲବାଡ଼ି ଓଜାଡ଼ି ଘେନି ପଳାଉଚି ?- କେମିତିକା -କେମିତିକା, ବାବା-ଗୋଟାଏ ଫୁଙ୍କରେ ଯେମିତିକା ସବୁ ଚୁପ୍‌ଚାପ୍‌- ନୁହେଁ, ବାବା ?- ହାଃ-ହାଃ-ହାଃ- (ହସି ଅସ୍ଥିର ହୋଇଗଲା)

ପ୍ରତାପ

-

ସେଇଥିପାଇଁ ଏତେ ଖୁସୀ ତୁ, ମା ?- ତା’ହେଲେ ସେ ପାଷାଣ୍ଡକୁ ଆଦୌ-

କୃଷ୍ଣା

-

ଚିହ୍ନି ନାହିଁ ?-ମୁଁ ? -ହାଃ- ହାଃ- ହାଃ-(ହସିବାକୁ ଲାଗିଲେ)

ପ୍ରତାପ

-

(ବିରକ୍ତରେ) ଯା, ଯା, ଭିତରକୁ ଗଲୁ- ଭାରି ବେହିଆ ତୁ ପାଲ୍‌ଟି

ଗଲୁଣି ।

କୃଷ୍ଣା

-

(ହସୁ ହସୁ) ଯାଉଚି, ଯାଉଚି, ବାବା-କିନ୍ତୁ, ବାବା, ଯେଉଁ ଦକ୍ଷିଣୀପାଟ କଥା କହିଥିଲି-

ପ୍ରତାପ

-

ହଁ, ହଁ, ମନେଅଛି ମୋ’ର-ଗଲୁ-ଗଲୁ ତୁ-

କୃଷ୍ଣା

-

-(ହସୁ ହସୁ) ତା’ ହବ ନାହିଁ- ଏହିକ୍ଷଣି ଯେ ମୋ’ର ଦରକାର ।

ପ୍ରତାପ

-

ଏହିକ୍ଷଣି ! କୃଷ୍ଣା ! କୃଷ୍ଣା ! ବୁଦ୍ଧି ଶୁଦ୍ଧୀ କ’ଣ ତୋ’ର ସବୁ ଲୋପ ପାଇଲାଣି-ବର୍ତ୍ତମାନ କଣ ତୋ’ର ଆମୋଦ ପ୍ରମୋଦ କରିବାର ବେଳ ?-କାହିଁ ଲୋକେ ଖାଇବାକୁ ନ ପାଇ ମରୁଛନ୍ତି-ପିନ୍ଧିବାକୁ ନ ପାଇ ଲୁଚୁଛନ୍ତି ।-

କୃଷ୍ଣା

-

(ହସୁ ହସୁ) ମୋ’ର ସେଥିରେ କ’ଣ ?- ମୋ’ର ପାଟ ଦରକାର ।

ପ୍ରତାପ

-

ଏହିକ୍ଷଣି ତ ଶତ୍ରୁର ଅତ୍ୟାଚାର ବନ୍ଦଅଛି ବୋଲି, ଖୁସୀ ହେଉଥିଲୁ ପରା ?- ନିଶ୍ଚେ ତୋ’ର ମୁଣ୍ଡ ବିଗ୍‌ଡ଼ି ଯାଇଛି । କ’ଣ କରୁଛ -

କୃଷ୍ଣା

-

(କ୍ରନ୍ଦନର ସୁର କରି) ଉଁ- ଉଁ-ମୁଁ କାନ୍ଦିବି-ମୋତେ ପାଟ ଆଣି ନ ଦେଲେ- ଉଁ-ଉଁ-

ପ୍ରତାପ

-

ମା । ମା ।-

କୃଷ୍ଣା

-

(ସେହିପରି କାନ୍ଦୁଥିଲେ)

ପ୍ରତାପ

-

ଏ’ ତୋ’ର କ’ଣ ହେଲା, ମା ? - କାନ୍ଦନା, ମା- ମୁଁ ଏହିକ୍ଷଣି ଅଣାଇ ଦେଉଛି-

କୃଷ୍ଣା

-

(ହସି ହସି) ଆଉ ଫୁଲାଇ ହାର, ବାବା ?-

ପ୍ରତାପ

-

କୃଷ୍ଣା-କୃଷ୍ଣା

କୃଷ୍ଣା

-

(ସେହିପରି ହସି ହସି) ଠିକ୍‌ ଯେମିତିକା ମୁଁ ବରାଦ୍ କରିଥିଲି, ବାବା-

ପ୍ରତାପ

-

ଏତେ ସଉଖିନ୍‌ ତୁ କେବେଠୁଁ -

କୃଷ୍ଣା

-

(କେବଳ ଜୋରେ ହସିବାକୁ ଲାଗିଲେ ‘ସଉଖିନ୍‌’- ‘ସଉଖିନ୍‌’-)

ପ୍ରତାପ

-

କାହିଁ ଦିନେତ କେବେ-। -ଏ’ କ’ଣ ପାଗଳାମି ?-

କୃଷ୍ଣା

-

ଆଣିଦେବ ନାହିଁ, ବାବା -ଉଁ-ଉଁ (ଜିଗର ଧରି କାନ୍ଦିଲେ)

ପ୍ରତାପ

-

ଅଣାଇ ଦେବି, ଅଣାଇ ଦେବି, ମା-ତୁ ଆଉ-

କୃଷ୍ଣା

-

ଉଁ-ଉଁ-ତା’ ହବନାହିଁ- ତୁମେ ଆସ ଏହିକ୍ଷଣି- ମୋ’ରି ସାମ୍‌ନାରେ ବରାଦ୍‌ କରିବ-ହଁ-

ପ୍ରତାପ

-

(ସ୍ୱଗତ) ଏ’ ନିଶ୍ଚୟ ବୟସର ରୋଗ -।            (ଦୀର୍ଘନିଃସ୍ୱାସ ତ୍ୟାଗକଲେ)

କୃଷ୍ଣା

-

ଭାବୁଚ ଏତେ କ’ଣ, ବାବା ? ମୁଁ କ’ଣ ସହଜେ ଛାଡ଼ୁଛି ?

 

 

(ସେହିପରି ହସୁ ହସୁ ପ୍ରତାପଙ୍କ ହାତ ଧରି ଟାଣି ଘେନି ଗଲେ)

 

 

(ମୁକୁନ୍ଦ ଓ ସମରେନ୍ଦ୍ରର ପ୍ରବେଶ)

ମୁକୁନ୍ଦ

-

ସମରେନ୍ଦ୍ର । ଭାଇ । ତୋ’ରି ଯୋଗୁଁ ଆଜି ମୁଁ ମୁକ୍ତ ବନ୍ଦୀ ସିନା ।

ସମରେନ୍ଦ୍ର

-

ଦୈବ ସହାୟ, ଭାଇ-ଆଉ, ଯଦିବା ମୋ’ରି ଯୋଗୁଁ ହୋଇଥାଏ ଭାଇ, ନିଜର ଶିକ୍ଷା ଦାନର ପ୍ରତିଦାନ ଦେଖି ନିଜେ ଆଶ୍ଚର୍ଯ୍ୟ ବୋଧ କରୁନାହିଁ କି ?

ମୁକୁନ୍ଦ

-

ମୋ’ର ଗୋଟାଏ ମହାଶିକ୍ଷା ଆଜି ଲାଭ ହୋଇଚି, ଭାଇ-ଭାଗ୍ୟ ଯେ କେତେବେଳେ କା’କୁ କଣ କରେ, ତା’ ଆଗହୁଁ ବୁଝିବା ଦୁରୂହ ।

ସମରେନ୍ଦ୍ର

-

କିନ୍ତୁ ମୁଁ ବୁଝୁଚି, ଭାଇ-ସବୁ ସଂସର୍ଗର ପ୍ରଭାବ-ସେହି ଦୁଷ୍ଟା ଚମ୍ପାର ସଂସର୍ଗ ଦୋଷର ସିନା-ମୁକୁନ୍ଦ- ଠିକ୍‌ କହିଚୁ ଭାଇ-ସଂସର୍ଗର ପ୍ରଭାବ । (ସ୍ୱଗତ) ମୁକ୍ତା ।-ମୁକ୍ତା- । ତୁମ୍ଭରି ସଂସର୍ଗ ଗୁଣରେ ସିନା ମୁଁ ଏପର୍ଯ୍ୟନ୍ତ ମୋ’ର ମର୍ଯ୍ୟାଦା ରକ୍ଷା କରିବାକୁ ସମର୍ଥ ହୋଇଚି ।-ମୁକ୍ତା ! ମୁକ୍ତା- ମୋ’ର ଜୀବନମରଣେ ହୃଦୟର ସମୁଜ୍ଜଳ ମୁକ୍ତା । (ଉର୍ଦ୍ଧ୍ୱକ ଏକ ଉଜ୍ଜ୍ୱଳ ଦୃଷ୍ଟିରେ ଚାହିଁ ରହିଲେ)

ସମରେନ୍ଦ୍ର

-

ମହାରାଜ ଏଣେ ଆସୁଛନ୍ତି, ଭାଇ ।

ମୁକୁନ୍ଦ

-

ଅନନ୍ତସିଂହ ଯେ । କଟକର ହଠାତ୍‌ ଆଗମନର କାରଣ ?

ସମରେନ୍ଦ୍ର

-

ଯଥାଶୀଘ୍ର- ଆସିବାପାଇଁ ରାଜାଦେଶରେ ସ୍ୱତନ୍ତ୍ରଭାବେ ଦୂତ ପଠାହୋଇଥିଲା ଯେ ।-

ମୁକୁନ୍ଦ

-

ମୋ’ରି ବନ୍ଦୀହେବା ଯୋଗୁଁ ପରା ?-

 

-

(ଶଶବ୍ୟସ୍ତେ ପ୍ରତାପରୁଦ୍ର ଦେବ ଓ ଅନନ୍ତସିଂହଙ୍କ ପ୍ରବେଶ ମୁକୁନ୍ଦ ଓ ସମରେନ୍ଦ୍ର ଅଭିବାଦନ କଲେ)

ପ୍ରତାପ

-

ଅନନ୍ତ ! ଆଉ ବିଳମ୍ବ ନୁହେଁ-ଆଜି- ଏହିକ୍ଷଣି-ତୁମ୍ଭ ସଙ୍ଗେ ମୁଁ ଏକମତ-ନିଶ୍ଚୟ ସେ ପ୍ରେମୋନ୍ନଦନୀ-ଏହି ଯେ

ମୁକୁନ୍ଦ

-

ମୁକୁନ୍ଦ ! ତୁମ୍ଭେ ମୋ’ ଶିବିରକୁ ଯାଇ ଅପେକ୍ଷା କର ।

 

 

(ମୁକୁନ୍ଦ ଓ ସମରେନ୍ଦ୍ର ପ୍ରସ୍ଥାନ କଲେ)

 

ଓଃ-ନରପିଶାଚ ପୁଣି ସନ୍ଧି ପ୍ରସ୍ତାବ ପଠାଇ ଥିଲା, କୃଷ୍ଣାର ସହିତ ବିବାହକୁ, ଗୋଟିଏ ଏବଂ ଏକମାତ୍ର ସନ୍ଧିସର୍ତ୍ତ କରି-କୃଷ୍ଣରାୟ । ଯୁଦ୍ଧାନଳରେ ମୋର ରାଜ୍ୟର ଯଥା ସର୍ବସ୍ୱ ଅବଲୀଳାରେ ବରଂ ଆହୁତି ପ୍ରଦାନ କରି ପାରେ, ମାତ୍ର ତୋ ପରି ପିଶାଚ ହସ୍ତରେ କନ୍ୟା ସମର୍ପଣ- ଅସମ୍ଭବ, ଅସମ୍ଭବ । ଅନନ୍ତ । ଆଉ ବିଳମ୍ବ ନୁହେଁ - ଶୀଘ୍ର ବିବାହର ଆୟୋଜନ କର- କନ୍ୟାର ଅଭିଳାଷ ପୂର୍ଣ୍ଣ ହେଉ - ମୁଁ ନିଶ୍ଚିତ ହୁଏ ।

 

(ବେଗେ ପ୍ରସ୍ଥାନ କଲେ)

 

 

 

ଅନନ୍ତ

-

ପୂର୍ଣ୍ଣମନସ୍କାମ ଏତେଦିନ ମୁହିଁ-ଚୂର୍ଣ୍ଣ ବାଧାବିଘ୍ନ ଯେତେ-ମୁକ୍ତ ପ୍ରେମବିହଙ୍ଗମ ଅନନ୍ତର ବକ୍ଷେ ।

 

 

(ମୁକୁନ୍ଦ ଶଶବ୍ୟସ୍ତେ ପୁନର୍ବାର ପ୍ରବେଶ କଲେ)

ମୁକୁନ୍ଦ

-

ଭାଇ । ଭାଇ । ରକ୍ଷା କର- ରକ୍ଷା କର -ବଞ୍ଚାଅ-ବଞ୍ଚାଅ ଏ’ ଅଧମକୁ । ଓଃ-ଏ’ ପାପ ପ୍ରାଣ ମୁଁ ଧାରଣ କରି ରହିଛି କିପରି ?- ହାୟ । ଯେଉଁ ଶତ୍ରୁ ତା’ର ବିଜୟ ପଥରେ ପ୍ରଧାନ କଣ୍ଟକ ମନେ କରି ମୋତେ ଉତ୍‌ପାଟିତ କରିବାକୁ ବସିଥିଲା, ସେ ବା ହଠାତ୍‌ ବନ୍ଦୀ ମୁକ୍ତ କଲା କାହିଁକି, ବିନା ଯୁଦ୍ଧରେ ?- କ’ଣ ଏହି ଜୀବନମୃତ୍ୟୁ ଯନ୍ତ୍ରଣା ମୁଁ ଭୋଗ କରିବି ବୋଲି-ତିଳେ-ତିଳେ-ପଳେ-ପଳେ-? ଭାଇ । ଭାଇ । ସହାୟ ହୁଅ ମୋର -ଏ’ ବିବାହ ଗ୍ରାସରୁ ମୋତେ ରକ୍ଷାକର-।

ଅନନ୍ତ

-

ମୁକୁନ୍ଦ । ଭାବି ଦେଖ- ଏହି ଅମୂଲ୍ୟ ସମୟଟା କ’ଣ ବୃଥାରେ-ଅସାର ଚିନ୍ତାରେ କେବଳ ଅତିବାହିତ କରିଦେବା ଉଚିତ୍‌?- ସାରା ଜୀବନଟାକୁ ଗୋଟାଏ ଶୁଷ୍କ ମରୁମରୀଚିକାରେ ପରିଣତ କରିଦେବ ସିନା ।- ଯେଡ଼େ ଗୌରବମୟ ହେଲେ ମଧ୍ୟ ଅତୀତ, ଅତୀତ-ଅତୀତର ଶବାଲିଙ୍ଗନରେ ଉନ୍ମତ୍ତ ହୋଇ ବର୍ତ୍ତମାନରୁ ଉପେକ୍ଷା କରିଦିଅ ନାହିଁ, ଭାଇ ।-ପ୍ରତି-ମୂହୂର୍ତ୍ତ, ଭବିଷ୍ୟତ୍‌ ଚିନ୍ତା- ସାର ଭବିଷ୍ୟତ୍‌ ଚିନ୍ତା ।

ମୁକୁନ୍ଦ

-

ଭାଇ ! ଭାଇ ! ମୋ’ରି ଭବିଷ୍ୟତ ଚିନ୍ତା- ମୁକ୍ତା-ମୁକ୍ତା ।। -ମୋ’ର ବର୍ତ୍ତମାନର ଚିନ୍ତା ‘ମୁକ୍ତା’- ମୋର ଅତୀତର ଚିନ୍ତା ‘ମୁକ୍ତା’- ସେ ଯେ ମୋ’ର ହୃଦୟର ମୁକ୍ତା- ଜୀବନର ମୁକ୍ତା -ମରଣର ମୁକ୍ତା । ଭାଇ ଭାଇ । କାଢି ନିଅ ନାହିଁ, ଭାଇ-ବଞ୍ଚିତ କର ନାହିଁ, ଭାଇ-ମୋ’ର ସେହି ଅମୂଲ୍ୟ ମୁକ୍ତ-ଜୀବନ ମରଣର ମୁକ୍ତା-ବରଂ, ସାହାଯ୍ୟ କର, ଭାଇ-ଜ୍ୟେତିରେ ତା’ର-ପବିତ୍ର ସ୍ମୃତିରେ ତା’ର, ଜୀବନମରଣ ମୋ’ର ପବିତ୍ର, ଜ୍ୟୋତିର୍ମୟ କରିବାକୁ ଦିଅ ଭାଇ ।

ଅନନ୍ତ

-

କିନ୍ତୁ ଏହି ସ୍ମୃତିର ସାରତ୍ୱ କେତେ ଭଲ ? କେତେଦିନ ବା ସ୍ଥାୟୀ ?- ତା’ତ ବିଚାର କରିବା ଉଚିତ।

ମୁକୁନ୍ଦ

-

ଭାଇ । ଭାଇ । ହାତ ଧରୁଚି - ତର୍କକରି, ତର୍କବହିର୍ଭୁତ ମର୍ଯ୍ୟଦା ନଷ୍ଟ କରନାହିଁ ମୋତେ ବରଂ ବିଦାୟ ଦିଅ, ଭାଇ-ଚିର ବିଦାୟ -(ଗମ୍ଭୀର ଯେହ୍ନେ ପ୍ରସ୍ଥାନୋଦ୍ୟତ ହେଲେ)

ଅନନ୍ତ

-

ମୁକୁନ୍ଦ ।

ମୁକୁନ୍ଦ

-

ଭାଇ ।

ଅନନ୍ତ

-

କଥା ମାନ-ଏହି ଦୁର୍ବଳଟା ଝାଡ଼ି, ଫିଙ୍ଗିଦିଅ-ଅସମ୍ମତ ହୁଅ ନାହିଁ-ମୋ’ର ଅନୁରୋଧ ମୋ’ର ପ୍ରାର୍ଥନା-

ମୁକୁନ୍ଦ

-

ଭାଇ । ଭାଇ । (ଅନୁନୟ କରିବାକୁ ଯାଇ, କେଉଁ ଆବେଗଭରେ ବେଗେ ପଳାଇ ଯାଉଥିଲେ)

ଅନନ୍ତ

-

(ବାଧାଦେଇ) ଶୁଣ-ତୁମ୍ଭେ ବିବାହ କରିବାକୁ ବାଧ୍ୟ-

ମୁକୁନ୍ଦ

-

‘ବାଧ୍ୟ’ ।-ବାଧ୍ୟ ଯେବେ-ବାଧ୍ୟ ପ୍ରାଣ-ଶୂନ୍ୟ ପିଣ୍ଡ ମମ-ପାଳିବାକୁ ନିର୍ଦ୍ଦେଶ ତୁମ୍ଭର । (କହୁ କହୁ ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ ପରା)

ଅନନ୍ତ

-

(ବାଧେ ଦେଇ) ହାଃ ହାଃ ହାଃ-ମୁକୁନ୍ଦ । ଏତେ ସହଜେ ଆପଣାକୁ ମୁକ୍ତ କରିପାରିବ କି- ମୋ’ଠାରେ ଆବଦ୍ଧ ସେହି ପ୍ରତିଜ୍ଞା ଫାଶରୁ ମୁକ୍ତ ହୋଇ ନ ସାରି ?

ମୁକୁନ୍ଦ

-

ପ୍ରତିଜ୍ଞା ।-ପ୍ରତିଜ୍ଞା ମୋର ।-

ଅନନ୍ତ

-

(ହସି) ଏତେ ଶୀଘ୍ର ଭୁଲିଗଲ ନା ?- ସମରେନ୍ଦ୍ରକୁ କାମ କରାଇ ଦେଲେ- ହାଃ ହାଃ-

ମୁକୁନ୍ଦ

-

ଭାଇ । ଭାଇ ।-(ମୂର୍ଚ୍ଛିତ ପ୍ରାୟ ହେଲେ)

ଅନନ୍ତ

-

ମୁକୁନ୍ଦ ! ବୀର ତୁମ୍ଭେ-ମନୁଷ୍ୟ ତୁମ୍ଭେ- ମନୁଷ୍ୟର କାର୍ଯ୍ୟ କର-ବୀରର କାର୍ଯ୍ୟ କର-

ମୁକୁନ୍ଦ

-

(ସଂଜ୍ଞା ଲାଭକରି ଯେମନ୍ତ) ମୁକ୍ତା । ମୁକ୍ତା ।-ମୁକ୍ତ କର ଦ୍ୱାର-ମୁକ୍ତ କର ମୋତେ-

 

(ଛିନ୍ନବନ୍ଧନ ବନ୍ଦୀ ଭଳି ରକ୍ଷୀ ଭୟରେ ପଳାଉଥିଲେ ଓ ଅନନ୍ତ ଅନୁସରଣ କରୁଥିଲେ ଠିକ୍‌ ପ୍ରହରୀପରି ।)

 

(ଫୁଲହାରଶୋଭିତା କୃଷ୍ଣା ଗୋଟିଏ ହାରଧରି ପ୍ରତାପରୁଦ୍ର ଦେବଙ୍କ ସଙ୍ଗେ ପ୍ରବେଶ କଲେ)

 

 

 

କୃଷ୍ଣା

-

(ହସୁ ହସୁ) ଏତେ ବିଳମ୍ବରେ ସିନା ଏ’ରୋଗ ଚିହ୍ନିଲେ, ବାବା-ଭାଗ୍ୟକୁ ଅନନ୍ତ ଭାଇ ଆସି ନ ଥିଲେ, ଆହୁରି ବିଳମ୍ବ ବୋଧହୁଏ

ପ୍ରତାପ

-

କୃଷ୍ଣା, କୃଷ୍ଣା-ଟିକିଏ ହୋଇ କଣ ଲାଜ ସରମ ବି ତୋ’ର ନାହିଁ- ତୋ ବାପ ସଙ୍ଗେ ବି-

କୃଷ୍ଣା

-

ସତ କଥା କ’ଣ ତେବେ କହିବ ନାହିଁ, ବାବା ? - ବେଶ ଏଣିକି ମନା କରି ଦିଅ, ଆଉ କେବେ-

ପ୍ରତାପ

-

ତୋ ବାପର କଥା ତେବେ କ’ଣ-

କୃଷ୍ଣା

-

ଶୁଣିବି, ଶୁଣିବି, ବାପା-କିନ୍ତୁ ବେଳେ ବେଳେ ଶୁଣିବି ନାହିଁ, ବାବା-ଏତେ ଅତ୍ୟାଚାର - ଏତେ ରକ୍ତପାତ-

ପ୍ରତାପ

-

ବୁଝିଛି, ବୁଝିଛି, ମା- ଏହି ଯୁଦ୍ଧ ଦେଖିବାଦ୍ୱାରା ହିଁ-

କୃଷ୍ଣା

-

ମୋ’ରି ମତି ବିଗିଡ଼ିଛି -ହାଃ ହାଃ ହାଃ- କଟକର ଯୁଦ୍ଧକୁ ବଳିଯିବନା ଆଗେ ? ଶତ୍ରୁ କବଳରେ ପଡ଼ି, ମୋତେ ଯେତେବେଳେ-ନା, ନା, ପିତା ଏ’ ଯୁଦ୍ଧ ଭୀଷଣତମ-ଏହାର ତୁଳନା ନାହିଁ-ତୁଳନା ନାହିଁ-

 

 

(କେଉଁ ଆତଙ୍କରେ ଯେହ୍ନେ ପଳାଇ ଗଲେ)

ପ୍ରତାପ

-

କୃଷ୍ଣା-କୃଷ୍ଣା-ଓଃ, କନ୍ୟା ମୋର ଏତେ ବିଚଳିତା ।-ହେବାର କଥା-ରକ୍ତପାତ ଦର୍ଶନରେ, ବିଶେଷତଃ ନିରୀହ ପ୍ରଜାମାନଙ୍କର, କିଏ ବିଚଳିତ ନ ହେବ ?-କିନ୍ତୁ ଶତ୍ରୁର ଏତେ ଅତ୍ୟାଚାର କାହାର ଦୋଷରୁ ?- ମୋହ’ରି ନୁହେଁ କି ? ରାମାନନ୍ଦ । ରାମାନନ୍ଦ । ଏଥିସକାଶେ ତୁମ୍ଭେଇ ଦାୟୀ-ତୁମ୍ଭରି ଧର୍ମୋପଦେଶ ମୋତେ ଆଜି ଶିଥିଳ କରି ଦେବାରୁ ଶତ୍ରୁ ସୁବିଧା ପାଇ ଗଲାସିନା-ମୋତେ, ସେହି ଅପ୍ରତିହତ ପ୍ରତାପକୁ ପୁଣି ବନ୍ଦୀ କରିବାକୁ କ୍ଷମାହେଲା ସିନା- ପ୍ରତାପ । ପ୍ରତାପ । ଉଠ, ଉଠ -ଭୈରବ ହୁଙ୍କାରରେ ଥରେ, ତୋ’ର ସେହି ପୂର୍ବ ବଳ-ବୀର୍ଯ୍ୟ-ମାତ୍ସୁର୍ଯ୍ୟ ଘେନି ସମର କ୍ଷେତ୍ରରେ ପ୍ରବେଶ କର- କୃଷ୍ଣରାୟ କେଉଁଆଡ଼େ ପୋଡ଼ି ଉଡ଼ିଯିବ । ରାମାନନ୍ଦ ! ରାମାନନ୍ଦ ! ଏ’ ମିଥ୍ୟାକଥା-ପ୍ରେମଦ୍ୱାରା ଦୁଷ୍ଟର ଦମନ ଅସମ୍ଭବ- (ପ୍ରସ୍ଥାନ କଲାବେଳେ-ଏହି ସମୟରେ ବରବେଶଧାରୀ ମୁକୁନ୍ଦ ପ୍ରବେଶ କଲେ, କେତେକ ପାରିଷଦ ସଙ୍ଗେ) ଆସ, ଆସ ମୁକୁନ୍ଦ-ବୀରସନ୍ତାନ-ଏ’ ମୋର ପ୍ରାଣ ରକ୍ଷାର ପୁରସ୍କାର ରାଜ ପୁରସ୍କାର-ଉପେକ୍ଷା କରି ମର୍ଯ୍ୟଦା ନଷ୍ଟ କରି ପାରିବି ନାହିଁ ।

ମୁକୁନ୍ଦ

-

(ସ୍ୱଗତ) ମର୍ଯ୍ୟଦା ।-ମର୍ଯ୍ୟଦା ।- ମୁକ୍ତା ।- ମୁକ୍ତା ।-

 

-

(ମୁକୁନ୍ଦ ଯେହ୍ନେ କ୍ଷୁର୍ଣ୍ଣ କ୍ଷୁର୍ଣ୍ଣତର ମନରେ ଗୋଟାଏ କୋଣରେ ଯାଇ ଠିଆ ହେଲେ)

 

 

(ନେପଥ୍ୟ, ଦୂରରେ ବିବାହ ବାଦ୍ୟ ଶୁଣାଗଲା)

ପ୍ରତାପ

-

ଅନନ୍ତ । ଅନନ୍ତ । କାହିଁ ସେ-ବାଜା ଅଣାଇଲା କିଲ-ଗୋପନରେ ଏ’ କାର୍ଯ୍ୟ ସମ୍ପନ୍ନ ହେବା ଉଚିତ ଥିଲା -ଶୀଘ୍ର-ଶୀଘ୍ର ଯାଅ-ବନ୍ଦ କରାଅ-ବନ୍ଦ-

 

 

(କନ୍ୟାବେଶୀ କୃଷ୍ଣା ବେଗେ ପ୍ରବେଶ କଲେ)

କୃଷ୍ଣା

-

ବନ୍ଦ କାହିଁକି କରାଇବ, ବାବା-ମୋର ବିବାହ-ରାଜଜେମାର ବିବାହ-ଆନନ୍ଦୋତ୍ସବର ହେବ ନାହିଁ କିପରି ? (କିନ୍ତୁ କେଉଁ ଆବେଗ ସମ୍ଭାଳି ନ ପାରି ଯେମନ୍ତ ପିତାଙ୍କୁ କୁଣ୍ଢାଇ ମୁଣ୍ଡାଇ କାନ୍ଦି ପକାଇଲେ)

ପ୍ରତାପ

-

କୃଷ୍ଣା-କୃଷ୍ଣା- (କାନ୍ଦି ପକାଇଲେ) ମା । ମା । ମନରେ କିଛି କଷ୍ଟ କର ନାହିଁ, ମା- ଯୁଦ୍ଧ ଶେଷ ହେଲାକ୍ଷଣି ମହାସମୋରୋହରେ ଉତ୍ସବ ନିଶ୍ଚେ ମୁଁ କରାଇବି, ମା-

କୃଷ୍ଣା

-

(ସମ୍ଭାଳି ନେଇସାରି ଯେମନ୍ତ) ସେପରି ବାହ୍ୟକ ଉତ୍ସବରେ କି ପ୍ରୟୋଜନ, ବାବା ?- ପ୍ରଜାର, ସୁଖଶାନ୍ତି-ଦେଶର ସୁଖଶାନ୍ତି-ଆମ୍ଭର ପ୍ରଧାନ ଉତ୍ସବ ନୁହେଁ କି ? (ମୁକୁନ୍ଦ ନିକଟକୁ ଦୌଡ଼ିଯାଇ) ଏପରି କ୍ଷୁର୍ଣ୍ଣମନରେ ଠିଆ ହୋଇଚ କିପରି, ବୀର ?-ଆଜି ଯେ ବିବାହ - ଆନନ୍ଦ କର-ନୃତ୍ୟ କ-(ଗୋଟାଏ ରୁଦ୍ଧବେଗ ଝର ଝର ହୋଇ ଲୋତକଧାରାରେ ବହିଗଲା ଯେପରି)

ପ୍ରତାପ

-

ମା, ମା-(କୃଷ୍ଣା ଆଡ଼େ ସବିସ୍ମୟେ ଚାହିଁଲେ)-ଏ’ କଣ-ଏକି କୋଳାହଳ-ଏତେ ବାଦ୍ୟଧ୍ୱନି-।

କୃଷ୍ଣା

-

ମୋର-ମୋରି ବିବାହ ବାଦ୍ୟ, ବାବା-

 

(ସହସା ଅନନ୍ତ ଓ କୃଷ୍ଣରାୟ ପରସ୍ପରକୁ ‘କୃତଘ୍ନ ପିଶାଚ’ ଆଦି କହୁ କହୁ ଯୁଦ୍ଧ କରୁ କରୁ ପ୍ରବେଶ କଲେ)

 

 

 

କୃଷ୍ଣରାୟ

-

ନିମନ୍ତ୍ରଣ କରି ଏତେଦୂର ଅପମାନ ।-ଏହି ଯେ ରାଜା ଛି, ଛି ଲଜ୍ଜାନାହିଁ - ନିଜର କନ୍ୟାକୁ ପଠାଇ-ପ୍ରତାପ      ସଂଯତ କର ରସନା ତୋ’ର, ନରାଧମ-

 

 

(ଆସି ଘେନି ଆସିଲେ)

ଅନନ୍ତ

-

ପିଶାଚ-(ବଧ କରିବାକୁ ଉଦ୍ୟତ ହେଲେ)

କୃଷ୍ଣା

-

(ହସି ହସି) ନିରସ୍ତ୍ର ହୁଅ ଅନନ୍ତ ଭାଇ- ବନ୍ଧୁଜନ ପ୍ରତି ଏପରି ବ୍ୟବହାର କି ଉଚିତ- ପିତା । ଜାମାତାଙ୍କୁ ତୁମ୍ଭର ବରଣ କରି ଘେନି-ଆସିବ ନାହିଁ ?-

ଅନନ୍ତ ଓ ପ୍ରତାପ- କୃଷ୍ଣା-କୃଷ୍ଣା-

କୃଷ୍ଣା

-

(କୃଷ୍ଣରାୟ ପ୍ରତି) ସମ୍ମାନ ପ୍ରଦର୍ଶନରେ ତ୍ରୁଟି ଘଟିଚି, ବନ୍ଧୁ -କିନ୍ତୁ ପ୍ରଣୟ ଖାତିରରେ କ’ଣ କ୍ଷମା କରିବେ ନାହିଁ ?- (କହୁ କହୁ ଆପଣାର ମୁଦି କୃଷ୍ଣରାୟଙ୍କ ଅଙ୍ଗୁଳିରେ ପିନ୍ଧାଇ ଦେଲେ)- ଆସ, ନାଥ ପିତାଙ୍କର ପଦେ ପ୍ରଣାମ କରି ଆଶୀର୍ବାଦ କାମନା କରିବା, ଆସ (କୃଷ୍ଣରାୟ ବିସ୍ମୟରେ ଅବାକ୍‌ ହୋଇ ଯାଇଥିଲେ-କୃଷ୍ଣାଙ୍କ ଆକର୍ଷଣରେ ଯନ୍ତ୍ରଚାଳିତ ପରି ଯାଇ, ଯୁଗଳରେ ପ୍ରତାପ ରୁଦ୍ରଦେବଙ୍କର ଚରଣ ବନ୍ଦନା କଲେ ଯେବନ୍ତ)

ପ୍ରତାପ

-

ଅନନ୍ତ । ମୁକୁନ୍ଦ । ମୋତେ ଧର-ମୁଁ ଯେ-

 

 

(ଅନନ୍ତ ପ୍ରତାପକୁ ଧାରଣ କଲେ ଓ ମୂକୁନ୍ଦ ଆସି ପାର୍ଶ୍ୱରେ ଠିଆ ହେଲେ)

କୃଷ୍ଣା

-

ପିତା । ପିତା । ଧୃଷ୍ଟତା ବା ଦୁର୍ବଳତା, ଯା କୁହ, କନ୍ୟାକୁ ମାର୍ଜନା କର, ପିତା- (କୃଷ୍ଣରାୟଙ୍କୁ କେଉଁ ଘୃଣାସୂଚକ ଦୃଷ୍ଟିରେ ଚାହିଁ) ଏହି ଘୃଣିତ ଶତ୍ରୁର ନୃଶଂସତା, ନିରୀହ ପ୍ରଜାଙ୍କର କାତରତା, ସହ୍ୟ କରି ନ ପାରି, ଅଚିରେ ବନ୍ଦୀମାନଙ୍କର ପ୍ରାଣ ନାଶ ଆଶଙ୍କା କରି, କାଲି, ଗୋପନରେ, ଶତ୍ରୁ ଶିବିରକୁ ଏକାକିନୀ ଯାଇ, ତାଙ୍କର ପ୍ରାରିତ ସନ୍ଦି ପ୍ରସ୍ତାବରେ ରାଜ-ପ୍ରତିଭୂରୂପେ ସମ୍ମତ୍ତ ଦେଇ ଆସିଥିଲି, ବାବା-ତେତିକି ନୁହେଁ, ଏହିପରି ଭାବରେ ଆସିବାକୁ ମଧ୍ୟ ଅନୁନୟ କରି ଆସିଥିଲି । ପିତା । ପିତା । ଏହି ଛାର ରକ୍ତମାଂସ ବିନିମୟରେ ଯଦି ଦେଶ ଶାନ୍ତି ଲାଭକରେ, ତା’ ଠାରୁ ବଳି ଆନନ୍ଦର ବିଷୟ କଣ ଅଛି, ପିତା ? ଭାଇ । ଭାଇ । ତ୍ୟାଗର ମହତ୍ତ୍ୱ ସୁଖ କ’ଣ ତୁମେଇ ଏକା ଭୋଗ କରନ୍ତ-ମୁକୁନ୍ଦ । ସେନାପତେ । ମର୍ଯ୍ୟାଦାର ଭାସ୍ୱର ମୁକୁଟ କ’ଣ ତୁମେଇ ଏକା ପିନ୍ଧନ୍ତ ?

କୃଷ୍ଣରାୟ-

-

ଏ’ କଣ ଦେଖୁଚି-ଶୁଣୁଚି।

ପ୍ରତାପ

-

କୃଷ୍ଣା-କୃଷ୍ଣା ମୋର ।-

ଅନନ୍ତ-

-

ଦେବୀ ।-ଦେବୀ ।- (ମନେମନେ ଯେମନ୍ତ ସାଷ୍ଟାଙ୍ଗ ପ୍ରଣିପାତ କଲେ)

ମୁକୁନ୍ଦ

-

ସେହି ଦେବୀଙ୍କର ଚରଣ ବନ୍ଦନା କରିବାକୁ ଦିଅ ଭାଇ, - (ସତେ ସତେ ପ୍ରଣିପାତ କରିବାକୁ ଯାଉଥିଲେ)

କୃଷ୍ଣା

-

(ବାଧାଦେଇ) ନା, ନା, ଭାଇ, ଦେବୀ ତବ ଦିବ୍ୟ ଧାମେ ଏହି (ଉର୍ଦ୍ଧ୍ୱକୁ ଦେଖାଇଲେ) ମୁକ୍ତା ! ମୁକ୍ତା ! ସିନା ପ୍ରେମ-ଧାରା ବିଶ୍ୱେ, ପ୍ରେମ-ରକ୍ତେ ତବ-

କୃଷ୍ଣରାୟ

-

କିନ୍ତୁ ହେ ଗୌରବମୟି । ମୁକ୍ତ ଆଜି ଅନ୍ଧର ନୟନ-ମୁକ୍ତ ପାଷାଣର ବନ୍ଧ-ତବ ଗୌରବ ପରଶେ । ଧନ୍ୟ, ଧନ୍ୟ, ତୁମ୍ଭେ ‘‘ଉତ୍କଳ-ଗୌରବ ।।’’

ପ୍ରତାପ

-

ନା, ନା, ପୁତ୍ର-କନ୍ୟା ଯେ ମୋ’ର ବିଶ୍ୱର ଗୌରବ । ରାମାନନ୍ଦ ! ରାମାନନ୍ଦ ! ତୁମ୍ଭର ଚୈତନ୍ୟଦେବ, ଜଗାଇ ମାଧାଇପ୍ରସଙ୍ଗ ଅତିମାନବ-କଳ୍ପନା ନୁହେଁ ତ- ? ଏ’ ଯେ ବାସ୍ତବ-ବାସ୍ତବରେ ଦେଖୁଅଛି ମୁହିଁ-ଏକାଠାବେ, ରକ୍ତମାଂସ ଦେହେ ।

-ଯବନିକା-